
କିଛି କଳ୍ପନାର ରଙ୍ଗ କିଛି ଯନ୍ତ୍ରଣାର ଛିଟା ଆଉ ବେଶ୍ କିଛି ବାସ୍ତବିକତାର ସ୍ୱରର ବେଗ ଓ ଆବେଗକୁ ଉଦରସ୍ଥ କରି ଧୀର ସୁଧୀର ଭାବେ ଦୃଶ୍ୟମାନ ଚରିତ୍ର, ବିଜୟ ରାୟ। ସେ ସ୍ବପ୍ନମାନଙ୍କୁ ଅନ୍ଧାରର ଆଢୁଆଳରେ ଭାବପ୍ରବଣତାର ମଲାଟ ମଡ଼େଇ ବଦଳାଇ ଦିଅନ୍ତି ତା’ର ଭାଗ୍ୟରେଖା। ଉଚ୍ଚାରଣରେ ଶବ୍ଦମାନଙ୍କର ଦାମ୍ଭିକତା ଓ ବହଳପଣର ମଧୁରତା କବି ବିଜୟ ରାୟଙ୍କୁ ସାହିତ୍ୟଜଗତର ଏକ ସ୍ପର୍ଦ୍ଧିତସ୍ୱର ଭାବେ ପରିଚିତ କରାଏ। ଏହି ଧାରା କ୍ରମେ ତାଙ୍କର ସଦ୍ୟପ୍ରକାଶିତ ସ୍ୱପ୍ନ ମଲାଟ ର ପ୍ରଚ୍ଛଦପଟରୁ ହିଁ ବାରି ହୋଇପଡ଼େ, ତାଙ୍କର ସୃଜନମନସ୍କତାର ଗଭୀରତା। ଯନ୍ତ୍ରଣା ଆଉ ଜୀବନକୁ ହସି ହସି କିପରି ଆକଣ୍ଠ କରାଯାଏ ତାହା ତାଙ୍କ ସ୍ୱପ୍ନ ମଲାଟର ଛବିଳ ସ୍ପର୍ଶର ନିରବତାରୁ ହିଁ ଅନୁଭବ କରିହୁଏ ।
ମଲାଟ ଖୋଲି ସ୍ୱପ୍ନମାନଙ୍କ ଉଡ଼ାଣ ଓ ବୁଡ଼ାଣ ପାଖେ ପହଞ୍ଚିବା ଲାଗି ଚେଷ୍ଟାକରି ସାମାନ୍ୟତମ ଶବ୍ଦ ଯୋଗାଡ଼ି ପାରିଲି ନାହିଁ କବିତା ଅନ୍ତଃସ୍ଥ ଗହନ ଆର୍ଦ୍ରତାର ଭାବକୁ ପ୍ରକାଶ କରିବା ପାଇଁ। ଯେତେଥର ପଢ଼ୁଛି ସେତେ ସେତେଥର ଶବ୍ଦର ଗଭୀରଗଣ୍ଡ ମଧ୍ୟକୁ ପ୍ରବେଶ କଲା ପରି ମୁଁ ହଜି ହଜି ଯାଉଛି।
ଆଃ, କେତେ ଯେ ଅନ୍ତଃଦର୍ଶନ ରହିଛି କବିତାଗୁଡ଼ିକରେ। କେଉଁଠି ସମର୍ପଣର ଭାବ ବହନ କରି କବି ଦୃଶ୍ୟମାନ କାଳ କାଳ ତ କେଉଁଠି ସାମାନ୍ୟ ଚା’ କପ୍ ରେ ଆଙ୍କିଦିଅନ୍ତି ସାରାଜୀବନର ଉଷ୍ମତା ।
ସବୁବେଳେ ଚରିତ୍ରଟିକୁ ଉହ୍ୟ ରଖି କବିତାର ଅଙ୍ଗସଜାରେ ଏମିତି ବିସ୍ମୟ ଭାବ ଭରିଦିଅନ୍ତି ଯେ ପାଠକଟିଏ କବିତା ଭିତରୁ ମୁକୁଳିବା ସହଜକଥା ହୁଏନାହିଁ। ଏହା ହିଁ କବିଙ୍କ କବିତାର ବିଶେଷତ୍ବ ପରି ମୋତେ ବୋଧହୁଏ।
ତାରକସୀ ଶବ୍ଦମାନଙ୍କର ନିଖୁଣ ଗୁମ୍ଫନରେ କବିତାଗୁଚ୍ଛର ଦେହ ଦିଶେ ଖୁବ୍ ଆକର୍ଷଣୀୟ। କେବେ ହେତୁବାଦୀ ତ କେବେ ବାସ୍ତବଧର୍ମୀ, କେବେ ପୁଣି ସ୍ୱପ୍ନବିଳାସୀ କବି ସେ। ସବୁଦିଗକୁ ଚମତ୍କାର ଭାବେ ଛୁଇଁ ପରସିଦିଅନ୍ତି ଏକ ମଗ୍ନ ଭାବାବେଗଭରା କବିତାର ଗୁଚ୍ଛ। କବିତାର ଭାବ କୁଆଡ଼େ ଭେଦିଛି ବୁଝୁ ବୁଝୁ କବିତା କେତେବେଳେ ସରିଯାଏ… ଜାଣିହୁଏନା। ତେଣୁ ବାରମ୍ୱାର ତା’ ପାଖରେ ପହଞ୍ଚିବାର ଆଗ୍ରହ ପାଠକକୁ କବିତା ଭିତରେ ବାନ୍ଧିହୋଇ ରହିବାକୁ ବାଧ୍ୟକରେ ଯେମିତି।
୫୧ ପୃଷ୍ଠାରେ ଥିବା କବିତା ‘ପେଡ଼ିକ୍ୟୋର’କୁ ଥରେ ପଢନ୍ତୁ। ନାଆଁ ହିଁ ପ୍ରଥମେ ଭ୍ରମ ସୃଷ୍ଟିକରିବ। କବିତା ଭିତରକୁ ଯାଇ ଜାଣିପାରିବେ, ଜଣେ ପ୍ରେମବିହ୍ବଳ ମଣିଷ କେମିତି ପ୍ରେମିକାର ଅହଙ୍କାରକୁ ଆବେଦନର ଅନୁରାଗରେ ଧୋଇଦେବାକୁ ଚାହୁଁଛି। ଚମତ୍କାର କବିଙ୍କର ଏଇ ସୃଷ୍ଟିସମ୍ଭାର।
ଅନ୍ଧାରକୁ ଡରୁଥିବା ଝିଅର ଛାତିରେ ଯେ ଅମାପ ନିର୍ଭୟତା ଭରିରହିଛି, ସେ ଝିଅକୁ ସ୍ପର୍ଶକଲେ ହିଁ ବୁଝିହୁଏ। କବିତାରେ କାହାଣୀ, କାହାଣୀ ଭିତରେ ପୁଣି କବିତା… “ଅକବିତାର ହାଡ଼ଖଣ୍ଡକ” କୁ ଧରି “ଭାର” ପର୍ଯ୍ୟନ୍ତ ପହଁଚିଲେ ଆପଣମାନେ ଜିଜ୍ଞାସାବୋଧରୁ ମୁକୁଳି ଜୀବନବୋଧକୁ ସ୍ପର୍ଶ କରିପାରିବେ।
କିଛିଶବ୍ଦ ବୁଣି ହୋଇଯାଏ
ଛାତି ଭିତରେ
କିଛିଶବ୍ଦ ଚାପି ହୋଇଯାଏ
ଜିଭ ତଳେ
କିଛିଶବ୍ଦ ମେଘ ହୋଇ ଆଖିରେ
ଖସି ପାରୁନଥାଏ
ଓଠ ଉପରେ….
“ଶୋଷ ” ଏକ ଯନ୍ତ୍ରଣା… ନା’ ବିଫଳତାର ଏକ ରଙ୍ଗ… ଅବା ଛାତିତଳର ନିସଂଗତା..!! ଶୋଷର ପୁଣି ଏତେ ରଙ୍ଗ ଯାହାକୁ ଦେହରେ ମାଖି ହୋଇଗଲେ ଚୁପ୍ ହୋଇଯାଏ ରାତି, ଚୁପ୍ ହୋଇଯାଉ ତୁ ଆଉ ମୁଁ। ସତରେ କବିଙ୍କ ଭାବପ୍ରବଣତାକୁ ସ୍ପର୍ଶକଲେ ପାଠକଟିଏ ସିକ୍ତହୋଇଯିବ ନିଜ ଅଜଣାତରେ।
ଚାଲନ୍ତୁ, ଥରେ ବୁଲିଆସିବା “ନିଜ ନିଜ ସମୁଦ୍ର ନିଜ ନିଜ ଛାଇ ଆଡ଼େ”। କି ସୁନ୍ଦର ବାର୍ତ୍ତା ବହନକରିଛି ଏ କବିତା ତା’ର ହୃତପିଣ୍ଡରେ। ସମସ୍ତେ ଏକ ନିଜସ୍ୱ ଚିନ୍ତାଚେତନାର ପରିପାଟୀ ଦେଇ ଗତିକରନ୍ତି। ଯାହାର ଗତି କେବଳ ବାଢ଼ିଦିଏ ଅନ୍ଧାର ଆଉ ଅନ୍ଧାର। ମଣିଷ ତାହାରି ଭିତରର ନିରୀହତାକୁ ଆଢୁଆଳ କରି କିପରି କଠୋର ଭାବେ ଆବେଗଶୂନ୍ୟ ହୋଇ ହରେଇ ଦେଇପାରେ ସ୍ନେହ, ସମ୍ପର୍କ, ସବୁଜିମା ଭରା ପ୍ରିୟମଣିଷ ମାନଙ୍କର ପ୍ରାର୍ଥନା। ସତରେ କବି, ଆପଣ ସମାଜର ରୂପରେଖକୁ ପଢ଼ିବାରେ ଯେ ସମ୍ପୂର୍ଣ ସିଦ୍ଧହସ୍ତ ଏହା ଆପଣଙ୍କ କବିତାରେ ପ୍ରାଞ୍ଜଳ ଭାବେ ଦୃଶ୍ୟହେଉଛି।
ସତରେ ଆପଣ କେବଳ ସ୍ୱପ୍ନର ମଲାଟ ନୁହେଁ ସମୟର ଦେହରେ ମଲାଟ ପିନ୍ଧାଇ ତା’ ଛାତିରେ ଘଟୁଥିବା ଘଟଣା ଅଘଟଣ ସବୁକୁ ନିଜ ଦେହରେ ଭୋଗି କେତେବେଳେ ଲୁହରେ ତ କେତେବେଳେ ଭାବ ପ୍ରବଣତାର ସୁଅରେ ନିଜକୁ କବିତା କରି ବୁହାଇଦେଇଛନ୍ତି ।
ଠିକ୍ ଏଇ ଶବ୍ଦମାନଙ୍କ ପରି କବି ବିଜୟ ରାୟଙ୍କର ବ୍ୟକ୍ତିତ୍ୱ ମଧ୍ୟ ଶାନ୍ତ ଗମ୍ଭୀର ଓ ନିର୍ମାଣାତ୍ମକ। ସତେ ଯେମିତି ଅସମାହିତ ଶବ୍ଦମାନଙ୍କର କୋଳାହଳକୁ ଗର୍ଭସ୍ଥ କରି କବି ବରି ନେଇଛନ୍ତି ନୀରବତାର ସୌନ୍ଦର୍ଯ୍ୟକୁ। ଆପଣ ସାହିତ୍ୟକୀର୍ତ୍ତିର ଏକ ସୁଦୃଢ ସ୍ତମ୍ଭ କହିଲେ ଅତ୍ୟୁକ୍ତି ହେବନାହିଁ। ମୁଁ ପାଠକ ଭାବେ ଅନୁରୋଧ କରିବି ଶବ୍ଦର ଭାବପ୍ରବଣତାକୁ ନିଶ୍ଚୟ ଥରେ ସ୍ପର୍ଶକରନ୍ତୁ ସପ୍ନମଲାଟ ଦେଇ।
There are 2 comments
ବହୁତ ଭଲ ଲାଗିଲା କବୀ ରଶ୍ମି ସାହୁଙ୍କ ଆଲୋଚନା କବି ବିଜୟ ରାୟଙ୍କ “ସ୍ବପ୍ନ ମଲାଟ” କୁ ନେଇ । ଖୁବ୍ ହୃଦୟସ୍ପର୍ଶି
ଉଭୟଙ୍କୁ ଅଭିନନ୍ଦନ ସହ ସାରସ୍ୱତ ପ୍ରଣାମ
ବିଜୟ ସାରଙ୍କର ସ୍ବପ୍ନ ମଲାଟ କୁ ଖୁବ ସୁନ୍ଦର ଭାବରେ ଆଲୋଚନା କରିଥିବାରୁ ରଶ୍ମି ମାମ ଙ୍କୁ ଶୁଭେଚ୍ଛା ସହ ଧନ୍ୟବାଦ 🙏