Home » Magazine » ରମାକାନ୍ତ ରଥ : ବିଶେଷ କବିତା : କେଜାଣି

ରମାକାନ୍ତ ରଥ : ବିଶେଷ କବିତା : କେଜାଣି

ଆତ୍ମହତ୍ୟା କରିବାକୁ ଅନେକଥର ମୁଁ
ଆସିଲିଣି, କିନ୍ତୁ ପ୍ରତିଥର
ଫେରିବାକୁ ପଡ଼େ ସଶରୀରେ
କାରଣ ମୁଁ ଠିକ୍ କରିପାରେନି ଯେ ଏବେ

ମରିବି ନା ମରିବି ଦିନାକେତେ ପରେ ।
କେତେବେଳେ ମଲେ ଠିକ୍ ହେବ –
ଦିନବେଳେ ନା ଅଧରାତିରେ ?
କାହିଁକି ଏପରି କଲି ବୁଝାଇ
ଚିଠିଟେ ଲେଖିବି ନା ହାତ ଦେବିନି
ଆଉ ଗୋଟେ ବେକାର କାମରେ ?

କ’ଣ କରି ମଲେ ଠିକ୍ ହେବ ?
ପଂଖାରୁ ଝୁଲିଲେ ନା ବିଷ ପିଇଲେ
ନା ଦି’ ପାପୁଲି ତଳର
ଶିର ବ୍ଲେଡ ଦ୍ବାରା କାଟିଦେଲେ ?

ସବୁଥର ଶୁଣିଛି ସାମ୍ନାରୁ –
ଆ, ଆ, ଉଛୁର କରନା,
ପୁଣି ପଛରୁ ଶୁଣିଛି– ଆମେ ପରା ଅଛୁ
ଛାଡ଼ି ଦେଇ ଆମକୁ ଯାଅନା ।

ବୁଡ଼ବକ୍ କିଏ ସେ ମୋ’ ପରି ?
ଏତେଥର ମରିବାକୁ ଆସି
ଏତେଥର ଫେରିଗଲା ପରେ
ବୁଝିନଥିଲି ଯେ କିଛି ଫରକ ନାହିଁ
ମୋ’ ଜିଇଁବା ଓ ମରିବା ଭିତରେ ।

ଜିଇଁଥିବା ବେଳେ ମତେ ଦିନ
ଦିଶୁଥିଲା କିଟିକିଟି ଅନ୍ଧାର ଓ ରାତି
ଉଦ୍‌ଭାବିତ ଆଲୁଅରେ ଝଲସୁ ଥିଲା ।
ଈଶ୍ବରଙ୍କ କଥା ଛାଡ଼, କେବେ କ’ଣ
ମତେ ମୋ’ ନିଜର ଦର୍ଶନ ମିଳିଲା ?

ମୋ’ ନଥିବା ଜୀବନକୁ ନଥିବା ମରଣ
ଦେବାପାଇଁ ଆଉ ଆସିବିନି ।
ଆକାଶଫଟା ରଡ଼ିରେ କହିବି ଯେ ଆଉ
କାହାକୁ ମୁଁ ଖାତିର୍ କରୁନି ।

ମୁଁ ଘାଟରେ ଠିଆ ବାଟୋଇଟେ,
ଜାଣିଛି ଯେ ମତେ ପାରି କରିଦେବା ପାଇଁ
ନାଆଟିଏ କେବେ ଆସିବନି ।
ଚଡ଼ଚଡ଼ି ପଡ଼ିଲେ କି ହୃଦ୍‌ଘାତରେ
ନଈକି ଯଦି ଖସିପଡ଼ିବି ତା’ ହେଲେ
ନା ଆଗରୁ ନା ପଛରୁ ଆଉ
କାହା ଡାକ ମତେ ଶୁଭିବନି ।

ଲେଖା ହୋଇ ପାରିଲାନି ଯେଉଁ ନାଟକ ତା’
ନାୟିକା କେଜାଣି ପହଞ୍ଚିବ ସେ ନାହାରେ
ମୁଁ ଥିବା ପର୍ଯ୍ୟନ୍ତ ଯେଉଁ ନାହା ଆସିଲାନି ।

Leave a Reply

Your email address will not be published. Required fields are marked *