



ନଈ ଆରପାରି ଗାଆଁ
।। ରଜୀତ ଦାସ ।।
ମହାନଦୀ ପାରି ହେଲେ
ମୋ ଗାଆଁକୁ ଲମ୍ବା ଏକ ବାଟ
ସାପ ପରି ଅଙ୍କାବଙ୍କା ସରୁ ପିଚୁରାସ୍ତା
ଦୁଇକଡ଼େ ସୋରିଷର ପାଟ।
ଏବେ ବି ହେଇଛି ଠିଆ କେଉଁକାଳୁ ଗାଆଁମୁଣ୍ଡେ ବୁଢ଼ାବରଗଛ
ନାହିଁ ସିନା ଭାଗବତ ଟୁଙ୍ଗି
ତଥାପି ଗୁଞ୍ଜରି ଆସେ
କେଇପଦ ଶ୍ରୀଗୀତଗୋବିନ୍ଦ।
ମୋ ଗାଆଁ ରେ ନିତି ଫୁଟେ
ଯୁଇ, ଜାଇ, ହେନା ଓ ମାଳତୀ
ବାଟଚଲା ବଟୋଇଟି ରହିଯାଏ ବାସ୍ନାବାରି ଘଡ଼ିଏ ଅଟକି।
ମୋ ଗାଆଁରେ ସୁରୁଜ ଉଇଁଲେ
ମଥାନରେ ରାବିଦିଏ କାଉ
ନଈତୁଠ ଭିଡ଼ହୁଏ ଭୁଆସୁଣୀ ପାଦଶବ୍ଦେ
ରାତି ପାହୁ ପାହୁ।
ଅଙ୍କାବଙ୍କା ବାରିତଳ
ଧୁସରିତ ମାଟି ଓ ମଟାଳ
ରହି ରହି ଘଣ୍ଟ ଶୁଭେ ଦେଉଳବେଢ଼ାରୁ
ମୋ ଗାଆଁରେ ବୁଡ଼ିଗଲେ ବେଳ।
ଚିତ୍ର ଆଙ୍କେ କାଦୁଆର ମଥାନରେ
ଦୂର ତାଳବଣ
ଦୂରୁ ଦିଶେ ଦିଗବଳୟ ପାଣ୍ଡୁର ମଳିନ
ବାହୁଡ଼ନ୍ତି କେରା କେରା ଚକୋର ଚକୋରି
ଆମ ଗାଆଁ ଆକାଶର ସାମିଆନା ଚିରି।
ଏଠି ସନ୍ଧ୍ୟା ହେଲେ ଧୂଆଁ ଉଠେ
ମକରା ଚାଳରୁ
ମଜା କିନ୍ତୁ ନେଉଥାଏ ମକରା ଭାରିଜା
ନାଲି ଚା’ ଚାଉଳଭଜାରୁ।
ଏଇ ତ ମୋ ଗାଆଁ
ଏଠି ଶରତରେ ନଈଧାରେ କାଶଫୁଲ ହସେ
ରଙ୍ଗଣି ଫୁଲ ବି ଏଠି ମହ ମହ ବାସେ
ମୋ ଗାଆଁରେ ଭରା ଅଛି କିଆ-କନିଅର
ସକାଳକୁ ମହକାଏ ତରାଟ ଟଗର।
ରହିଯା ରେ ବାଟୋଇ ତୁ
ଅନୁଭବ କରି ଯାଆ ଥରେ
ମହକୁଛି ନଈତୁଠ ମଳୟର
ମହୁଆ ବାସରେ
ଚହଟୁଛି ଚଇତାଳି ମନ୍ଦ ମନ୍ଦ
ଚଇତି ସଞ୍ଜରେ
ଫେରି ଆସି କହିବୁ ବାଟୋଇ…
କେମିତି ଲାଗିଲା ତୋତେ ଛୋଟ ମୋର ଗାଆଁ
କେଡ଼େ ସୁନ୍ଦର ତା ବଣ, ଭୂଇଁ
ସୁନ୍ଦର ତା ନାଁଆ…
ଏଇ ତ ମୋ ଗାଆଁ।
ପାରାଦୀପ
There are 2 comments
ଝିଅ ନିଉତା ଗଳ୍ପଟି ଖୁବ୍ ଭଲ ଲାଗିଲା।ଗାଳ୍ପିକଙ୍କୁ ଧନ୍ୟବାଦ।
ରଜୀତ୍ ଦାସଙ୍କ କବିତାରେ ନିଛକ ଗ୍ରାମ୍ୟଚିତ୍ର ସହ ଗ୍ରାମ୍ୟସସୌନ୍ଦର୍ଯ୍ୟର ପବିତ୍ରତା ଥାଏ। ଥାଏ ବି ନବଚିନ୍ତନର ନବସ୍ୱାକ୍ଷର । ତାଙ୍କର ଏହି କବିତାଟିର ପ୍ରବାହ ଖୁବ୍ ସାବଲୀଳ ଓ ଆତ୍ମିକ ହେବାସହ ଏକ ମିଷ୍ଟ ଛନ୍ଦର ଲୟ ମୋହାବିଷ୍ଟ କରେ।
ଚଉକାଠ ପାଇଁ କବିତା ପଠେଇ ସହଯୋଗ କରିଥିବା ହେତୁ ରଜୀତଙ୍କୁ ଅଶେଷ ଧନ୍ୟବାଦ ଓ ଶୁଭକାମନା। ତାଙ୍କର ଲେଖନୀ ଆହୁରି ସମ୍ବେଦନଶୀଳ ଓ କଳାତ୍ମକ ହେଉ।