Home » Magazine » ମୋନାଲିସା ମିଶ୍ର : ଗଳ୍ପ କଥନ : ଢେଉ ଆସେ

ମୋନାଲିସା ମିଶ୍ର : ଗଳ୍ପ କଥନ : ଢେଉ ଆସେ

ମଧୁ !
ଉଁ.. !
ଏଁ ! କିଏ ଡାକିଲା କାହାକୁ ? ଡାକଟି ଶୁଣିଲି; କିନ୍ତୁ ନ ଶୁଣିଲା ପରି ରହିଲି, ଏପଟସେପଟକୁ ବି ଟିକେ ଚାହିଁଲି ନାହିଁ, ଚୁପ୍‌ଚାପ୍ ସେମିତି ଚାହିଁରହିଲି ସମୁଦ୍ରକୁ। ଅପେକ୍ଷା କରିଥିଲି କେତେବେଳେ ଉଇଁଲା ସୂର୍ଯ୍ୟ କିରଣରେ ଚିକିମିକିଆ ଶାଢ଼ି ପରି ଝିଲ୍‌ମିଲ୍ ଦିଶିବ ସମୁଦ୍ର..!!
ତମେ ମଧୁଲିତା ନା !
ମ…ଧୁ…ଲି…ତା… ! କିଏ ମଧୁଲିତା ! ମୁଁ ? ନାଇଁ, ନାଇଁ ମୁଁ ମଧୁଲିତା ଫଧୁଲିତା କେହି ନୁହେଁ । ଏତିକି କହିବାକୁ ଯାଉ ଯାଉ ଲୋକଟିର ଜୁଆରିଆ ହସ ଆଉ ବିଜୁଳିଗାର ଝଲସିଲା ପରି ଆଖି ଦେଖି ଅଟକିଗଲି। ସେ ମୋଠୁ କିଛି ଉତ୍ତର ପାଇବା ଆଗରୁ ଆଉ ଟିକେ ପାଖକୁ ଚାଲି ଆସି କହିଲା,
–ମୁଁ କେବେ ଭାବି ନଥିଲି, ତମକୁ ଏମିତି ଏକ ଏକୁଟିଆ ବେଳାଭୂମିରେ ଦେଖିବି ବୋଲି !
ହଠାତ୍ କିଛି ଭାବିପାରିଲିନି କ’ଣ କହିବି ଏ ଲୋକକୁ !
ସେତିକିବେଳକୁ ଗୋଟେ ବଡ଼ ଆକାରର ଲହରୀ ଆସି ଛୁଇଁବ ଛୁଇଁବ ହେଉଥିଲା। ମୁଁ ସେଇ ଲହରୀ ଆଡ଼କୁ ଚାହିଁ ଭାବିଲି, ଏଇ ଲହରୀର ଆସିବା ଆଉ ଫେରିବା ଭିତରେ ମୁଁ ମାଧୁରୀରୁ ମଧୁଲିତା ହେଇଗଲେ କ୍ଷତି କ’ଣ! ଗୋଟେ ଲହରୀର ଅବଧି ଯେତିକି କେବଳ ସେତିକି ସମୟ ପାଇଁ ! ମାଧୁରୀରୁ ମଧୁଲିତା !

ମୁଁ ତାକୁ କିଛି କହିଲି ନାହିଁ; କିନ୍ତୁ ବହୁଦିନର ଚିହ୍ନାଲୋକଟିଏ ପରି ହସିଦେଲି ଅବଶ୍ୟ।
-କ’ଣ ମୁଁ ପଦ୍ମନ୍, ବୋଲି ମତେ କହିବାକୁ ପଡ଼ିବ ? ଚିହ୍ନି ପାରୁନ !
ଏଥର ମୁଁ ଏପଟ ସେପଟକୁ ଚାହିଁଲି, ଆଉ କିଏ ଅଛି କି ପାଖରେ । କାହାକୁ କହୁଛି ଲୋକଟି ?
ନାଇଁ, ମତେ ହିଁ ତ କହୁଛି।
କିନ୍ତୁ, ଏ ବଡ଼ ଲହରୀଟି ପାଖକୁ ଆସିଲା ନାହିଁ ତ ! ଅଧାରୁ ଫେରିଗଲା ।

ତେବେ ଠିକ ଅଛି, ପୁଣି ସେଇ ଲହରୀ ଆସିଲା ଯାଏଁ ମୁଁ ଏଇ ଲୋକକୁ,
ହଁ, ତମକୁ କେମିତି ଚିହ୍ନିବିନି ପଦ୍ମନ୍..!! କଥା କହିଲା ଭଳିଆ ଆଖିଟି ତ ତମର ସେମିତି କାକରଟୋପା ପରି ଢଳଢଳ ହଉଛି..

ଏମିତି କିଛି କହିଦେଲେ ଅସୁବିଧା କ’ଣ..!! କିଛି ସମୟପାଇଁ ହଉ ପଛେ, ଜଣେ କିଏ ପାଲଟିଯାଉ ନିଜର ପରି ଲାଗୁଥିବା ଆପଣାର ମଣିଷ। ଏମିତି ତ ହୁଏ କେବେକେବେ । କ୍ଷଣକପାଇଁ ମିଳିଯାଏ ଜଣେ ଅଚିହ୍ନାମଣିଷର ଚିହ୍ନାଚିହ୍ନା ସମ୍ପର୍କ; କିନ୍ତୁ ମୁଁ ସେମିତି କିଛି ନକହି ଆଖିକୁ ଆକାଶଆଡ଼କୁ କରି, ଆଙ୍ଗୁଠିକୁ ଓଠ ପାଖରେ ରଖି ସ୍ମୃତି ଉଖାରିବା ଢଙ୍ଗରେ କହିଲି, ତମେ.. ରାଜା ଦୁଷ୍ମନ୍ତ ନା ?
ଏବେ ସେ ନିର୍ଭୟରେ ବସିଗଲା ପାଖରେ, ସେଇ ବାଲି ଉପରେ।
-ହା..ହା..ତମେ ମନେରଖିଛ ମୁଁ ରାଜା ହେଇଥିଲି ବୋଲି! ହେଲେ ମୁଁ ସେ ଭୁଲାରାଜା ଦୁଷ୍ମନ୍ତ ନୁହେଁ, ମନେ ପକେଇବାପାଇଁ ଯାହାକୁ ମାଛଟିଏର ସାହାଯ୍ୟ ନବାକୁ ପଡ଼ିବ। ମୁଁ ତ ନିଜେ ଗୋଟେ କିଛି ଭୁଲିପାରୁ ନଥିବା ମଣିଷ । ମୁଁ ପରା ହେଇଥିଲି ବିଦ୍ୟାପତି। ଯିଏ ସୋରିଷମଞ୍ଜି ବୁଣି ବୁଣି ଗଢ଼ିଦେଇଥିଲା ଆଲୁଅ ଖୋଜିବାର ରାସ୍ତା।

-ହଁ, ହଁ, ବିଦ୍ୟାପତି।
-ଆଉ ତମେ ତ ଇଂରାଜୀବାଲୀ, କ୍ଲିଓପାଟ୍ରା ଅଭିନୟରେ ଯୋଉ ବିଦେଶୀ ଉଚ୍ଚାରଣ କରିଥିଲ!
ଇଂରାଜୀ, ମୁଁ ? ଭଲ କରି ଇଂଲିସ୍ ବୋଲି କହି ନପାରିବା ଲୋକ ମୁଁ। ଆଜି ଯାଏଁ ଟ୍ବେନ୍‌ଟୀକୁ ଟ୍ବଣ୍ଟି କହୁଛି । ଆଉ ଇଏ ମତେ ଇଂରାଜୀବାଲୀ କହୁଛି! ଖାଣ୍ଟି ଓଡ଼ିଆ ମାଧ୍ୟମରେ ପଢ଼ିଥିବା ଲୋକ ମୁଁ ।

ତେବେ ସେ ଯାହା ହେଉ ଏଇ ଲହରୀ ଆସିବା ଆଉ ଫେରିବା ଭିତରେ … ହେ… ହେ.. ମୁଁ କ୍ଲିଓପାଟ୍ରା ବନିଯାଏ ତେବେ । ଏ ଭିତରେ କିନ୍ତୁ ମୁଁ ମୋର ଇଂରାଜୀ ଜ୍ଞାନକୁ ତ କିଛି ବଢ଼େଇ ସାରିଛି, ତେଣୁ ମୁଁ କ୍ଲିଓପାଟ୍ରାର ଗୋଟେ କିଛି ଡାଇଲଗ୍ ମନେପକେଇବା ପାଇଁ ଟିକେ ଭାବିଲା ପରି ରହିଗଲି ତ, ସେ କହିଲା, ତମେ କିନ୍ତୁ ସେମିତି ଅନ୍ୟମନସ୍କ ଅଛ ।

-ଆରେ..! ତମେ କେମିତି ଜାଣିଲ ?
-କିଏ ନ ଜାଣିଛି! ପୂରା କ୍ଳାସ୍ ଜାଣିଥିଲା। ସବୁବେଳେ କ୍ଲାସ୍‌ରେ ତମ ରୋଲ୍ ନମ୍ବର ଡକା ହେଲା ବେଳେ ତମେ ଚାହିଁଥିବ ଝରକା ଆଡ଼େ ଚୁପ୍ ଚାପ୍.. । ଆମେମାନେ ବି ଜାଣିଶୁଣି କିଛି କହୁନା, କାରଣ ସେତେବେଳେ ଆମ ସଂସ୍କୃତ ଟିଚର ଯେମିତି ଚଷମା ତଳକୁ କରି ବିନ୍ଧ୍ୟ ହିମାଚଳ ପରି ଦୁଇ ଆଖିପତାକୁ ଟେକି ତମକୁ ତେରେଛେଇ କରି ଚାହାନ୍ତି, ଆମକୁ ସେ ଦୃଶ୍ୟ ଦେଖିବାକୁ ଭାରି ଭଲ ଲାଗେ।

-ଓ.. ସେଇଥିପାଇଁ ବୋଧେ, ସେଇମ ! ଯୋଉ ପିଲାଟା, ବହୁତ୍ କମେଡ଼ି କରେ, ଜୟୀ ରାଧାପଣ୍ଡାଙ୍କ ପରି ସ୍ୱର ବନାଏ, ସେ ସବୁବେଳେ ମତେ ଦେଖିଲେ ସେମିତି ସେଇ ସଂସ୍କୃତ ଶିକ୍ଷକଙ୍କ ଚାହାଁଣିରେ ଚାହେଁ । ତେବେ ତମେ ଏବେ ଅନ୍ୟମନସ୍କ କାହିଁକି କହିଲ ?
-କାରଣ ମୁଁ ତୁମକୁ କେତେଥର ମଧୁ .. ମଧୁ ବୋଲି ଡାକୁଥିଲି; କିନ୍ତୁ ତମେ ସମୁଦ୍ରମିଶା ଆକାଶକୁ ଏମିତି ଚାହିଁରହିଥିଲ ଯେ କିଛି ଶୁଣିପାରୁ ନଥିଲ।

ମୁଁ ମନେମନେ ହସିଲି, ମୋ ନାଁ’ ମଧୁ ହେଇଥିଲେ ସିନା ଶୁଣିଥା’ନ୍ତି ! ତୁ କିଏରେ ପଦ୍ମନ୍ ! କୋଉ ମଧୁଲିତାର ହଜିଲା ତରଙ୍ଗ ଖୋଜିଖୋଜି ଆସି ଏଠି ପଡ଼ିଛୁ ମିଛଭଉଁରୀରେ !

ତେବେ ମୁଁ ତାକୁ ସତରେ ଦୋଷ କଲା ପରି କାନରେ ହାତ ଦେଇ କହିଲି-
-କ୍ଷମା ଦେବେ, ସତରେ ଶୁଣି ପାରିଲିନି, ପ୍ରକୃତରେ ଜୀବନରେ ପ୍ରଥମଥରପାଇଁ ଦେଖୁଛି ସମୁଦ୍ର କୂଳରେ ସୂର୍ଯ୍ୟୋଦୟ।
-ତା, ପୁଣି ଏକା !
ଏଁ! ଇଏ କେମିତି ଜାଣିଲା ମୁଁ ଏକା ଆସିଛି ବୋଲି ! ସତରେ ତ ମୁଁ ଗୁହାଳରୁ ଗାଈ ଫିଟିଲା ପରି ଅନ୍ଧାର ଥାଉଥାଉ ସ୍ବାମୀ, ପୁତ୍ରଙ୍କୁ ଏକୁଟିଆ ଛାଡ଼ି ହୋଟେଲ୍‌ରୁ ଛୁଟିଆସିଛି ଏଇ ବେଳାଭୂମିରେ ସୂର୍ଯ୍ୟ ଉଦୟ ଦେଖିବାକୁ।
-କେମିତି ଜାଣିଲ ମୁଁ ଏକା ବୋଲି ?
-ତମ ହାତ ଅଙ୍ଗୁଳିରୁ।
-ହ୍ବାଟ୍ ! ଅଙ୍ଗୁଳିରୁ ! ! !
-ଏଇ ଦେଖ, କେତେ ଗାର କାଟିଛ ତମେ ବାଲିରେ, ଏକୁଟିଆ ନଥିଲେ କି ଏତେ ଗାର କିଏ କାଟେ!
ମୁଁ ତଳକୁ ଚାହିଁଲି, ସତରେ ତ ମୁଁ ଏତେ ସମୟ କାଳ ଏଠି ବସିବସି ବାଲି ଉପରେ ଗାର କାଟି ଚାଲିଛି। ତା’ ପୁଣି ଗୋଲେଇ ଗୋଲେଇ କରି..
-କ’ଣ ନିଜପାଇଁ ନିଜେ ଏକ ପୃଥିବୀ ଗଢ଼ୁଛ କି ?
ମୁଁ ହସିଲି, ଲୋକଟି ସାଧାଗୁଡ଼ାଏ ଅଜର ବଜର ଗାରର ଗୋଲେଇକୁ ପୃଥିବୀ କହିଲାଣି; କିନ୍ତୁ ଏଇ ଅଜଣା ଲୋକଟି ଏଇ କଥାଟି ତ ସତ କହୁଛି ! ସତରେ ମୁଁ ଏଇ କେତେଦିନ ହେଲା ଏକ ଅଲଗା ଦୁନିଆରେ ରହିଲା ପରି ରହୁଛି । ଜଣାନାହିଁ କାହିଁକି ସବୁବେଳେ ଖୁବ୍ ଏକ୍‌ଲା ଅନୁଭବ କରୁଛି। ଅନେକ ଜଂଜାଳ ଆଉ ପ୍ରଚୁର କାମର ଚାପ ଭିତରେ ଥାଇ ବି ମୁଁ ଆଜିକାଲି ଖୁବ୍ ଉଦାସ୍ ଅନୁଭବ କରୁଛି। ସବୁ କିଛି ତ କରୁଛି; କିନ୍ତୁ ଲାଗୁଛି ଯେମିତି କ’ଣ କିଛି ବାକି ରହିଗଲା ବୋଧେ। କ’ଣ କିଛି ହଜିଗଲା ବୋଧେ । ଏଇ କଥା ବି ମତେ କାହା ଆଗେ କହିଦେବାକୁ ଇଚ୍ଛା: କିନ୍ତୁ କାହା ଆଗେ କହିବି ? କିଏ ଅଛି ସେମିତି ମୋର ଏ ଅବାନ୍ତର କଥାକୁ ବୁଝିବ !

କିନ୍ତୁ ଏ ଲୋକକୁ କାହିଁକି ମୁଁ ଏକା ଅଛି ବୋଲି ଜଣେଇବି! ତା’ ପୁଣି ଏମିତି ଅଧାଆଲୁଅ ଅଧାଅନ୍ଧାର ବେଳାରେ।
-ନା.. ନା.. ଆପଣ କ’ଣ ଭାବୁଛନ୍ତି ! ମୋ ସ୍ବାମୀ, ମୋର ପୁଅ ଏଇ, ଏଇ ପାଖରେ ଅଛନ୍ତି। ଆଉ ମୋ ସ୍ବାମୀ ଜଣେ ଉଚ୍ଚ ପଦବୀର ସରକାରୀ ଅଫିସର୍ , ପୁଅ ମୋର..
ସେ ମୋ’ଠୁ କଥା ଛଡ଼େଇ ନେଲା
-ସେମାନେ କେମିତି ଅଛନ୍ତି ?

-ଭଲ, ଭଲ, ବହୁତ ଭଲ.. ମୋ ସ୍ବାମୀ ଖୁବ୍ ଖୁସି ମିଜାଜ୍‌ର ମଣିଷ। ପଇସାପତ୍ର, ଥାଟ୍‌ଲାଟ୍ କୋଉଥିରେ ମୋର କିଛି ଅଭାବ ନାହିଁ।
-ମୁଁ ତମ ଘର ଆଗର ସେଇ ବଉଳଗଛ ଯୋଡ଼ି କଥା ପଚାରୁଛି।
-ବଉଳଗଛ ଯୋଡ଼ି ! ଆମ ଘର ସାମ୍‌ନାରେ ? ଲୋକଟି ଟିକେ ପ୍ରଗଳ୍ଭ ବୋଲି ଭାବୁଥିଲି; କିନ୍ତୁ ଏବେ ତ ପୂରା ପାଗଳ ଭଳି ଲାଗିଲାଣି। ମୋର ଏଠୁ ଉଠି ଚାଲିଯିବାଟା ବୋଧେ ଠିକ୍ ହବ। ମୁଁ ସାମ୍‌ନା ଲହରୀ ଆଡ଼େ ଚାହିଁଲି। ଆଶ୍ଚର୍ଯ୍ୟ ! କାଇଁ ଗୋଟେ ବି ଲହରୀ ମୋ ଆଡ଼େ ଆସୁନି !

-ହଁ, କଲେଜ୍‌ରୁ ଫେରିଲାବାଟରେ ମୁଁ ତମ ଘର ଆଗରେ ସାଇକେଲ୍‌କୁ ଟିକେ ଅଟକାଇ ଠିଆ ହୁଏ, ମତେ ତମ ଘର ଆଗର ବଉଳଗଛ ଦୁଇଟି ହାତ ଠାରି ଡାକିଲା ଡାକିଲା ପରି ଲାଗେ।
ଆଛା କହିଲ ! ଆମର ପ୍ରଥମେ କୋଉଠି ଦେଖା ହେଇଥିଲା ?
ମୁଁ ମୁହଁରେ ହାତ ଦେଇ ହସିଲି। ହେଇଥିବ ଦେଖା ପୂର୍ବଜନ୍ମରେ କୋଉ ଅଗନାଅଗନି ବନସ୍ତରେ ନ ହେଲେ ପ୍ରେତପୁରୀରେ । ତତେ କୋଉ ମୁଁ ଚିହ୍ନେରେ ଛାଇଛାଇଆ ମୁହଁବାଲା ଟୋକା ! ତେବେ ମୋ ପାଟିରୁ ଚଟାପଟ୍ ବାହାରିଗଲା
-ଲାଇବ୍ରେରିରେ ?

-ନା…
-କଲେଜ୍‌ କ୍ୟାନ୍‌ଟିନ୍ ?

-ଉଁହୁଁ.., ଲୋକଟି ମୁଣ୍ଡ ହଲେଇଲା ।
-ତେବେ ଖେଳ ପଡ଼ିଆରେ ହେଇଥିବ, ଆମେ ପ୍ରାୟ ସେଠି ବସି ବାଦାମ୍ ଖାଉ ।
-ନା, ସେଇ ଲମ୍ବା ଏକ ନୋଥ ଝୁଲେଇ ସବୁବେଳ ବାଟ ହଜେଇ ଆମକୁ ଠିକଣା ପଚାରୁଥିବା ଚୁଢ଼ୀ ପାଖରେ।
ମୁଁ ଆଶ୍ଚର୍ଯ୍ୟ ହେଇ ଚାହିଁଛି । କୋଉ ବାଟ ହଜେଇ ବୁଢ଼ୀକଥା ଇଏ କହୁଛି!

-ଥରେ ଏମିତି ହେଇଥିଲା; ସେ ବୁଢ଼ୀ ଗାଧେଇ ଯିବ ବୋଲି ନଦୀଆଡ଼କୁ ଯିବାର ରାସ୍ତା ପଚାରୁଥିଲା । ମୁଁ ତାକୁ ରାସ୍ତା ତ ବତେଇ ଦେଲି; କିନ୍ତୁ ସେ ଠିକ୍ ରାସ୍ତାରେ ଗଲା କି ନାହିଁ ବୋଲି ତା’ ପଛେପଛେ ଗଲି। ଆଉ କିଛି ବାଟ ଗଲା ପରେ ଦେଖିଲି ତମେ ତା’ ହାତ ଧରିଧରି ନେଉଛ ।
-ନା, ସେ ମତେ ନାଆର ଠିକଣା ପଚାରୁଥିଲା। ଆଉ ମୁଁ ତାକୁ ନାଆଟିଏ ଯୋଗାଡ଼ କରି ବସେଇ ଦେଲି, ଆରପାରିରେ ବୋଧେ ତା’ ଗାଁ’ ।
-ହଁ ସେଇ ନାଆ ପାଖରେ ଠିଆ ହେଇଥିଲେ ଆମେ ଦିହେଁ ଦି’ ମୁଣ୍ଡରେ।
ମୁଁ କାହାଣୀ ଗଢ଼ିବାର ମଜା ନେଲି| ଚାଲୁ, ଚାଲୁ କେତେ ବାଟ କାହାଣୀ ଗଢ଼ି ଗଢ଼ି ହେଇହେଇ ଚାଲିବ ଚାଲୁ, ଲହରୀ ତ ଆସୁ ହିଁ ନାହିଁ.., ତେଣୁ ମୁଁ ସତରେ ନଈକୂଳରେ ଠିଆ ହେଲା ପରି କହିଲି।
-ନାଆ ତ ତା’ର ଭାସିଭାସି ଗଲା; କିନ୍ତୁ ମୋ ପାଦଟା ସେଇଠି ସ୍ଥିର ହେଇ ରହିଗଲା ସେଇ ନାଆକୁ ଚାହିଁଚାହିଁ । ଭାବୁଥିଲି, ମତେ ବି ଏମିତି କିଏ ଭସେଇ ନିଅନ୍ତା କି, ଏକୁଟିଆ ନାଆରେ କୋଉ ଅଜଣା ଦେଶଆଡ଼େ।
-ଖାଲି ଭାବୁ ନଥିଲ, ଅଚାନକ ମତେ ସେଠି ଦେଖି କହି ବି ଦେଲ I ତମକୁ ନାଆ ଚଲେଇ ଆସେ ?

-ଆଉ ତମେ କେମିତି ହଁ, ମୁଁ ଗୋଟେ ନାଉରିଆ ଗାଁ’ର ପୁଅ କହି ଆହୁଲା ଧରି ବସିଗଲ ଯେ ! ସେତକିବେଳକୁ ବର୍ଷା ଆସି ନଥିଲା..!;

-ସେଦିନର ସେଇ ବର୍ଷାର ଏକ ଅଦ୍‌ଭୁତ ପ୍ରକାରର ଛନ୍ଦ ଥିଲା ନା ? ବର୍ଷାରୁ ରକ୍ଷା ପାଇବାପାଇଁ ଆମେ କେମିତି ଧାଉଁଥିଲେ କି !
-ସାପ ପରି ବଙ୍କିଳ ଗତିରେ..ଏ ଗଛରୁ ସେ ଗଛ।
-ବର୍ଷା ବି ଧାଉଁଥିଲା ଆମ ପଛେପଛେ
ସେତେବେଳେ, ଅଧା ଭିଜଉଥିଲା ଅଧା ଛାଡ଼ି ଯାଉଥିଲା ।
ମୁଁ ସିନା ଏମିତି ମିଛ କାହାଣୀ ଯୋଡୁଛି ବୋଲି ମନେମନେ ହସୁଥିଲି ମୁହଁ ଲୁଚେଇ ଲୁଚେଇ, ଲୋକଟି କିନ୍ତୁ ଫୁଲ ପାଖୁଡ଼ା ମେଲିଲା ପରି ଯେମିତି ହସୁଥିଲା, ମତେ ଲାଗିଲା ସେଗୁଡ଼ା ଯେମିତି ହସ ନୁହେଁ; ବରଂ ଗୁଡ଼ାଏ ବର୍ଷାଧାର, ମୋ ଉପରେ ଝରି ପଡ଼ୁଛି ଝରଝର।

ଏମିତି ତ ଦାନ୍ତ ଚିପିଚିପି, ବିଂଚଣା ବିଂଚିଲା ପରି ରହି ରହି, ଧୀରେ ଧୀରେ ଯେମିତି ଆକର୍ଷଣୀୟ ଢଙ୍ଗରେ ଲୋକଟି କହୁଛି, ଯିଏ କେହି ତା’ କାହାଣୀରେ ଅଧା ଭିଜି ଯିବ; କିନ୍ତୁ ମୁଁ ଯଥାସମ୍ଭବ ନିଜକୁ ଦୂରେଇ ରଖିପାରୁଥିଲି, ଆଉ ଜାଣିପାରୁଥିଲି, ଏ ଲୋକ ବୋଧେ ତା’ର କୋଉ ବିଦଗ୍‌ଧା ନାୟିକାକୁ ମନେ ପକେଇ ପକେଇ ଏମିତି କାହାଣୀ ଗଢୁଛି ।

ତେବେ ମୁଁ ଏଇ କ୍ଷଣିକପାଇଁ କାହାର ନାୟିକା ହେଇ ବସିଯାଇଛି ତ ବସିଯାଇଛି, କେହି ତ ଦେଖୁନାହିଁ କୋଉଠି, କ୍ଷତି କ’ଣ!
–ଆଛା, ମଧୁ ତମେ କହୁଥିଲ ଭାଓଲିନ୍ ଶିଖିବ ବୋଲି… ଶିଖିଲ ?
-ନା, ତା’ର ଛିଣ୍ଡିଗଲା ।
-ଆଉ ତୁମ ତାରା ଗଣିବା ନିଶା ? କୁହ ତ କିଏ ଏମିତି ଥାଏ ନିତି ସଞ୍ଜରେ ବସି ତାରା ଗଣେ!
ଏଇଠି ମୁଁ ଟିକେ ଦ୍ୱନ୍ଦରେ ପଡ଼ିଲି, ଇଏ କେମିତି ଜାଣିଲା ମୁଁ ତାରା ଗଣେ ବୋଲି ! ମୁଁ ଜାଣେ, ଏ ଏକ ନିଷ୍ଫଳ ପ୍ରୟାସ ବୋଲି, ସବୁବେଳେ ସେଇୟା ହୁଏ, ଯେଉଁଠୁ ଆରମ୍ଭ କରେ ପୁଣି ସେଇଠି ଯାଇ ଅଟକି ରହେ; କିନ୍ତୁ ଗଣେ, ତାରା ଗଣେ। ବୋଧହୁଏ ଏ ଲୋକଟିର ନାୟିକା ବି ସେମିତି କରୁଥିବ।

କିନ୍ତୁ ମତେ ଖୁସି ଲାଗୁଥିଲା। ସତ ମଣିଷ ହଉ କି ମିଛ, କେହି ଜଣେ ତ, ସ୍ୱାମୀ, ଘରଦ୍ବାର, ପରିବାର ସଂସାର କଥା ନ ପଚାରି ମତେ କେବଳ ମୋ କଥା ହିଁ ପଚାରୁଛି । ଏମିତି ତ କେବେ କେହି ପଚାରି ନଥିଲେ ଏ ପର୍ଯ୍ୟନ୍ତ। ଏବେଏବେ ତ ଲାଗୁଛି ମୁଁ ନିଜେ ବି ଚିହ୍ନିବା ବନ୍ଦ କରିଦେଇଚି ନିଜକୁ । କୋଉ ପୁରୁଣାକାଳର ଅଦେଖା ଅଲୋଡ଼ା, ଅଛୁଆଁ ପଥର ପାହାଚ ପରି ମୋ ଭିତରେ ବି ଶୋଇଯାଇଛି ନିଜ ପରି ଲାଗୁଥିବା ଅସ୍ତିତ୍ବଟି ମୋର |

କିନ୍ତୁ ମୁଁ ଏଇ ତାରା ଗଣିବା କଥା ଶୁଣି ହସିଲି, ବହୁତ ହସିଲି, ସତରେ ! ମୁଁ କେତେ ନିର୍ବୋଧ ଥିଲି । ନହେଲେ କେହି କ’ଣ କେବେ ଆଖି ପାଉଥିବା ଆକାଶ ଖଣ୍ଡିକ ଭିତରେ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ବସି ତାରା ଗଣେ ।

ମୁଁ ନିଜର ଏଇ ପିଲାଳିଆମି କଥା ମନେ ପକେଇ ଛୋଟପିଲାଙ୍କ ପରି ବେଶ୍ ହସିଲି । ମୋ ହସ ସହିତ ଲୋକଟି ବି ତାଳ ମିଳେଇ ହସିବାକୁ ଲାଗିଲା ତ ମୁଁ ଶଙ୍କିଗଲି, ମୋର ସେଇ ପାଣି ବୋହିଗଲା ପରି ହସଟି ଏକ ଲାଜଲାଜ ହସ ହେଇ ଧୀରେ ଧୀରେ ସଙ୍କୁଚିତ ହେବାରେ ଲାଗିଲା। ଲୋକଟି ଏମିତି କ’ଣ ହସୁଛି ମ! ହଠାତ୍ ମତେ ମୋର ଝିଅବେଳର କୋଉ ଏକ ରାତିର ପୁରୁଣା ଚଇତିପବନ, ଆସି ଛୁଇଁଦେଲା ପରି ଲାଗିଲା, ମନେ ପଡ଼ିଗଲେ ନୂଆ ନୂଆ ଅଧର ନାଲି କରୁଥିଲାବେଳର ଶିମିଳି ଫୁଲମାନେ, ଗୋଳିମିଳି ହେଇଗଲେ ମୋର ପୁରୁଣା ରଫ୍‌ଖାତା, ଅଧାଲେଖା ଗୀତ, ଅଧାପଢ଼ା ଉପନ୍ୟାସ, ସବୁ କିଛି ଏକାକାର ଗୋଟିଏ ମୁହୂର୍ତ୍ତ।
ମୁଁ ଗମ୍ଭୀର ହେଇଗଲି। ଚୁପ୍, ପୂରା ଚୁପ… ଚାହିଁଲି ବାଦଲ ଆଡ଼େ, କେତେବେଳେ ଅପସରିବ ଏ ମେଘ !
ଏବେ ଲୋକଟି ମୋରି ଗାର ଟଣା ଗୋଲେଇମାନଙ୍କରେ ନିଜ ଆଙ୍ଗୁଠି ଚଲେଇଲା। ଠିକ୍ ନୂଆ ନୂଆ ଅକ୍ଷର ଶିଖୁଥିବା ଛୁଆ ପରି, ମୁଣ୍ଡ ତଳକୁ କରି, ଆଉ ତା’ପରେ ମୋ ଆଖିରେ ଆଖି ମିଶେଇ କିଛି ସମୟ ଚାହିଁଲା ଆଉ ପୂରା କାନ ପାଖେ ସୁ.. ସୁ.. ପବନ ବୋହିବା ପରି କହିଲା,
– କିନ୍ତୁ ଗୋଟେ କଥା ସତ କହିବ ? ତମେ ଏତେ ଦିନ ପରେ ତମର ସେଇ କଲେଜ୍‌ ବେଳର ଡାଏରୀ ଖୋଲିଥିଲ କାହିଁକି ? ଆଉ ପୁଣି ସେଇ ପତ୍ରଜୀବାଶ୍ମ ଧରିଥିବା ପୃଷ୍ଠାଟିକୁ ଖୋଲି ଏତେ ସମୟ ଅଟକି ରହିଲ କାହିଁକି ?
ମୁଁ ଭାବିଲି ମତେ ପାଣି ଲହରୀ ନୁହେଁ, ମରୁଭୂମିର ବାଲି ଝଡ଼ ମାଡ଼ି ବସୁଛି ବୋଧେ। ମୁଁ କିଛି ଗୋଟାଏ ଧକ୍କା ଦେଲା ପରି ପଛକୁ ପଛକୁ ଘୁଂଚିବାକୁ ଲାଗିଲି।
-ପୃଷ୍ଠା ଖୋଲିଲ ଠିକ୍ ଅଛି, ଏତେ ଦିନ ପରେ ଗୁଡ଼ାଏ କ’ଣ ଲେଖି ପକେଇବ ବୋଲି ଶବ୍ଦଟିଏ ପାଇବା ଅପେକ୍ଷାରେ ଧ୍ୟାନ କଲା ଭଳି ବସିରହିଲ, ଠିକ୍ ଅଛି। କଲମଟି ଧରି ତିନିପୃଷ୍ଠା ଖାଲି ବିନ୍ଦୁ ଯୋଡୁ ଯୋଡୁ ଏଇ ଯୋଉ ଲେଖିଲ,
ଅଧାରେ ରହିଗଲା ଅନେକ କିଛି ଓଠ ତଳର ଶବ୍ଦକଢ଼ି / କହିବ କହିବ ବୋଲି / ଏକ ବାଦଲିଆ ଆଖି ।
ସେଇ ଆଖିଟି ମୋର ନାଁ !
ଉଁ ! ଏଁ ! -! ! ତମେ କେମିତି ଜାଣିଲ….

ସେତିକିବେଳକୁ ହିଁ ଲହରୀଟିକୁ ଆସି ଧକ୍କା ମାରିବାକୁ ଥିଲା, ଓଦା ଓଦା ବାଲି ମେଂଚେ ନାକ, ପାଟି, କାନରେ ପଶି ଆକ୍ତାମାକ୍ତା କରିବାକୁ ଥିଲା, ମେଘ ଆଢୁଆଳୁ ନାଲିଆ ସୁରୂଜକୁ ବାହାରିବାକୁ ଥିଲା, ଦଲକାଏ ପବନକୁ ମୋ ଓଢ଼ଣୀକୁ ଧରି ସତେ ଯେମିତି କୋଉ ଏକ ଦୂରରାଇଜକୁ ଉଡ଼ିଯିବାକୁ ଥିଲା.. ମୁଁ ହାତ, ପାଦ, ଆଖି, କାନ, କେଶ, ଓଢ଼ଣୀ ସବୁ କିଛି ସମାଳି ଠିଆ ହେଲାବେଳକୁ ଦେଖିଲି ଲୋକଟି ପାଖରେ ନାଇଁ ।

ମୁଁ ସାଙ୍ଗେସାଙ୍ଗେ ଖୋଜିଲି, ବାଁ, ଡାହାଣ ଏତେ ଶୀଘ୍ର ତ କୋଉ ଆଡ଼େ ଯାଇପାରିବନି ଲୋକଟି। ତେବେ କାଇଁ ! କୋଉଠି ଅଛି ! ଟିକେ ଦୌଡିଲା ପରି ହେଲି ଏପଟ ସେପଟ କିଏ କୋଉଠି ନଥିଲେ।

ଖାଲି ଯାହା ଚିକିମିକିଆ ଖରାଟିକେ ମୋ ଆଖିକୁ ଝଲସେଇ ଝଲସେଇ ପୁଣି ମୁଦି ଦଉଥିଲା । କୁଆଡ଼େ ଗଲା ଲୋକଟି ଏତେ ଶୀଘ୍ର ! କି ରଙ୍ଗର ଶାର୍ଟ ପିନ୍ଧିଥିଲା ! କାଇଁ, କିଛି ତ ମନେ ପଡ଼ୁନି ମୋର । ତେବେ ଲହରୀଟି ଧକ୍କାମାରିଲାବେଳେ ଲୋକଟି କୁଆଡ଼େ ଗଲା ! ସେ ତ ମୋର ଏତେ ପାଖରେ ବସିଥିଲା, ସେ କାଇଁକି ମୋ ପରି ଭିଜିଗଲା ନାହିଁ !

ମୁଁ କାହାକୁ କ’ଣ ପଚାରିବି । ଆଶ୍ଚର୍ଯ୍ୟ ! ଲୋକଟି କେମିତି ଜାଣିଲା କାଲିରାତିରେ ମୁଁ ଡାଏରୀ ଖୋଲିଥିଲି ବୋଲି, ପୁଣି ପୁରୁଣାପୃଷ୍ଠା ଖୋଲି ଅଧାଲେଖା କବିତାଟିକୁ ପୂରା କରୁଥିଲି ବୋଲି ! ଆଉ ପୁଣି ସେଇ ଆଖିଟି ତା’ର ବୋଲି.. ସେ କେମିତି ଜାଣିଲା, ଏତେ ମନ ଗହୀର କଥା ! ଏକଥା ତ ମୁଁ ଭଲ କରି ନିଜେ ନିଜକୁ ବି କହିନି ।
କିନ୍ତୁ ଲୋକଟି କେମିତି ଜାଣିଲା ?
ଫୋନ୍ ..ଫୋନ୍ ବାଜିଲା ।

କଲେଜ୍‌ ବେଳର ସହପାଠୀ ଚିନ୍ମୟର ନମ୍ବର ଦେଖି ଟିକେ ଆଶ୍ଚର୍ଯ୍ୟ ଲାଗିଲା, ଏତେ ସକାଳେ ଇଏ କ’ଣ ଫୋନ୍ କରୁଛି
-ମାଧୁରୀ, ମୁଁ ଦେଖିଲି ତମ ଷ୍ଟାଟସ୍‌ରୁ ତମେ ବୋଧେ ପୁରୀ ଆସିଛ,
ମୁଁ ହଁ, ହଁ କ‌ହି ଆଉ କିଛି କହିବା ଆଗରୁ ସେ କହିଲା,
-ତେବେ ତମେ ସ୍ବର୍ଗଦ୍ବାରକୁ ଆସିବାକୁ ଚାହିଁବ କି! କାଲି ରାତିରେ ଆମ ସାଙ୍ଗ ପଦ୍ମନ୍‌ର କାର ଦୁର୍ଘଟଣାରେ..
ଆମେ ସବୁ ଯାଉଛୁ, ତମେ ସେଠି ଅଛ ଯଦି..
ମୁଁ କିଛି ଭାବି ପାରିଲିନି କି ଉତ୍ତର ଦେବି! କାଳେ ମୁଣ୍ଡ ବୁଲେଇ ଯିବ ବୋଲି ଲଥ୍କିନା ବସିଗଲି ପାଖରେ ଥିବା ଅଚଳ ଡଙ୍ଗାଟି ଉପରେ ।
ଖୁବ୍ ଜୋର୍‌ରେ ଦୋହଲିଗଲା ତା’ ମଙ୍ଗ ।

କିଛି ସମୟପାଇଁ ଗୋଟେ ବି ଢେଉ ଆସୁ ନ ଥିଲା ଆଗକୁ।

ମୁଁ କିନ୍ତୁ ନିଶ୍ଚଳ ହେଇ ବସିଥିଲି ଏକ ଅଜଣା ଢେଉର ଆକ୍ରମଣରେ ।

There are 14 comments

  1. ଢେଉ ଖୁବ୍ ଅସ୍ଥିର ଅଥୟ ଓ ଅବେଗମୟ କଲା ହୃଦୟକୁ….
    ଜୀବନ୍ତ ଆବୃତ୍ତି ଆଖିରୁ ଲୁହ ଝରାଇବାକୁ ବାଧ୍ୟକଲା…
    ପ୍ରଣାମ 🙏

      1. ଧନ୍ୟବାଦ ଗଳ୍ପକୁ ନେଇ ଆପଣଙ୍କ ବ୍ୟକ୍ତିଗତ ଅନୁଭବ ଆମ ସହ ବାଣ୍ଟିଥିବା ହେତୁ।

    1. ଆପଣଙ୍କ ସହ ଆମେ ଏକମତ। ଏହା ଏକ ମନୋବୈଜ୍ଞାନିକ ଗଳ୍ପ, ଯାହା ପାଠକର ଚିନ୍ତା ଓ ଚେତନାକୁ ଆକ୍ରାନ୍ତ କରି ରଖିବ ଅନେକ ସମୟ ଧରି। ଅଶେଷ ଧନ୍ୟବାଦ ମତାମତ ପାଇଁ।

  2. କବି ରମାକାନ୍ତ ରଥଙ୍କ ପାଇଁ କାବ୍ଯିକ ଶ୍ରଦ୍ଧା ସୁମନ ଭଲ ଲାଗିଲା । ସବୁ ଥର ପରି କବି ତ୍ରିନାଥ ସିଂହଙ୍କ ସମ୍ପାଦକୀୟ ଉଚ୍ଚକୋଟୀର ।
    ଗାଳ୍ପିକା ମୋନାଲିସା ମିଶ୍ରଙ୍କ ଗଲ୍ପ ମନକୁ ଛୁଇଁଲା।

    ଅଜୟ ମହାନ୍ତି

    1. ଆପଣଂକ ମନ୍ତବ୍ୟ ଆମକୁ ଉତ୍ସାହିତ କରିବ ନିଶ୍ଚୟ ।
      ଅଶେଷ ଶୁଭେଚ୍ଛା ଓ ସମ୍ମାନ।

    1. ଦୁଇଟିଯାକ ଉତ୍ତୀର୍ଣ୍ଣ ପର୍ଯ୍ୟାୟର ଗଳ୍ପ ଓ କବିତା।
      ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଆପଣଙ୍କୁ।

  3. ବାଃ ! ସୁନ୍ଦର ଗଳ୍ପ । ଠିକ ଏହିଭଳି ଏକ ଘଟଣା ମୋ ସହ ବି ଘଟିଥିଲା ଆଜିକୁ କୋଡ଼ିଏ ବର୍ଷ ତଳେ। ସତରେ ମୁଁ ହଜିଯାଇଥିଲି କାହାଣୀରେ। ବହୁତ ଭଲ ଲାଗିଲା ମୋନାଲିସା ମିଶ୍ର ଙ୍କ ଉପସ୍ଥାପନା ।

    1. ଏଇ ଗଳ୍ପ ଭିତରେ ଆପଣ ନିଜର ଅନୁଭବକୁ ଖୋଜି ପାଇଛନ୍ତି, ତାହା ହିଁ ଗଳ୍ପର ସାର୍ଥକତା। ଗାଳ୍ପିକାଙ୍କୁ ଅଭିନନ୍ଦନ, ଆପଣଙ୍କୁ ଅଶେଷ ଶୁଭେଚ୍ଛା।

    1. ଧନ୍ୟବାଦ ଭାଇ।
      ଅଶେଷ ଶୁଭେଚ୍ଛା ଓ ସମ୍ମାନ ଆପଣଙ୍କୁ।

    1. ଆପଣଙ୍କ ମତ ଓ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ୍ ଓ ଶୁଭେଚ୍ଛା।

Leave a Reply

Your email address will not be published. Required fields are marked *