
ଆରେ ବାବୁ ! ଏ ବୁଇ ! କାଠି ନେବ କାଠି
କରଞ୍ଜ, ନିମ୍ବ ସର୍ଗି କାଠି
ମୁଣ୍ଡରେ ମୋର କାଠିର ପସରା
କଷରା ଦାନ୍ତକୁ କରିଦେବ ତୋଫା ଗୋରା
ଘର ମୋର ନୂଆଁ ଗାଁ
ମୁଁ ଫୁଲମତୀ ବୁଢ଼ୀ
ବୟସ ତିନିକୋଡ଼ି ସରିକି ।
କାଠି ବିଡ଼ାଏ ବଢ଼ାଇ ଦେଲା ବୁଢ଼ୀ
ବାବୁ ! ମୋର ମୁନୁଷ, ପୁଓ, ଝୀ
ମୋର ଜାଏତ, ସମାଜ
ମୋର ଦେ’ ଦେବତା
ଆମେ ସଭିଏଁ ଏମତି ବନ୍ଧାଥୁଲୁ
ଯେମିତି ଏ କାଠିର ବିଡ଼ା
ଗୋଟିଏ ଡୋରିରେ ।
ସରକାର ବୋଲି କିଏଗୁଟେ ଆଇଲା ଯେ
ସାରାରାଇଜକୁ ଲୁହାରେ ଛାଇବ ବୋଲି ଆମକୁ
ଭଗେଇଦେଲା
ଆମ ଝାଟିମାଟିର ଘରେ
ଡୋଜର ଚଳେଇ ଦେଲା
ସେ ଡୋଜର ଦେବତାକୁ
ନା’ ଅଟକେଇ ପାରିଲା ଛାତି
ନା’ ଭସେଇ ପାରିଲା ଲୁହ
ସେ ସବୁ ତ ଏକାକାରହେଇ ନିଗିଡ଼ିପଡ଼ିଲେ
ଡୋଜରର ନିର୍ଘାତ୍ ପାହାରରେ
ଆମେ ଏମିତି ଛିନଛତ୍ର ହେଇଏଣେତେଣ ବିଖରୀ ପଡ଼ିଲୁ ।
ପଛକୁ ଅନେଇଲା ବେଳେ
ନା’ ଥିଲା ଗାଁ ନା’ ଶାଗୁଆ କ୍ଷେତ, ଡୁମାଗୁଡ଼ା ନା’
ଦେବତୀଗୁଡ଼ି କେହି ବି ନଥିଲେ ବାବୁ !
ଜଙ୍ଗଲ ଗଲା ତ ଆମେ ବି ଗଲୁ
ଏଇ କାଠି ପରିକା।
ବାବୁ !
ସେ ଆକାଶ ଛାତିରେ
ଯୋଉ ଲୁହାର ନଳୀ ଦେଖୁଛ
ଯୋଉଠି ନାଚୁଛି କଳାକଳା ଧୂଆଁ
ସେଇଠିଥିଲା ମୋର ଷଠୀଘର ନିଆଁ
ସେଇ ଯୋଉ ସାତତାଲାକୋଠା ଦେଖୁଛ
ଯୋଉଠି ହାକିମହୁକୁମାଙ୍କ ଉଠାବସା
ସେଇଠି ଉଡ଼ିଥିଲା ମୋ ଝିଅବେଳର
ଶାଗୁଆ ପଣତ
ସେ ଯୋଉ ବଡ଼ଫାଟକ ଦେଖୁଛ
ଯୋଉଠି ଛୁଟୁଛି ବଡ଼ଲୋକର ଗାଡ଼ିମଟର
ସେଇଠିଥିଲା ମୋର ସପନର ତୁଠପଥର
ଆଉ, ସେ ଯୋଉ
ବିଦେଶୀ ଆଲୁଅର ଝଟକ୍ ଦେଖୁଛ
ଯୋଉଠୁ ଶୁଭୁଛି
ରଙ୍ଗୀନ ନୂପୁରର ରୁଣୁଝୁଣୁ ସ୍ବନ
ସେଇଠି ଥିଲା ଆମ ତାରା, ଜହ୍ନ
ଆଉ ଜହ୍ନି ଫୁଲର ବିହ୍ବଳପଣ
ସବୁ ଉଜୁଡ଼ିଗଲା ବାବୁ
ଯେମିତି ଉଜୁଡ଼ି ଗଲା
ଏ କାଠିରେ ଫୁଟିଥିବା ମହମହ ବିଶ୍ବାସ
ଆଉ ତହିଁରେ ଯା’ଆସ କରୁଥିବା
ଜୀବନ ନିଶ୍ବାସ !
ମୋର ମୁନୁଷ୍
ମୁର୍ଦାବାଦ ଜିନ୍ଦାବାଦ କହିଲା ଯେ କୋକେଇରେ ଶୋଇଲା
ପୁଓ ମୋର ରିଷାକଲା ଯେ
ମୁର୍ଦାର ହେଇ ଫେରିଲା
ମୋର ଉକିଆ ଝିଅର ଜୀବନରେ
ସେ ଠିକାଦାରଟା ଅନ୍ଧାର ଭରିଦେଲା
ମୁଁ ଏକଲା ହୋଇଗଲି ବାବୁ !
ହଠାତ୍ ଦିନେ ଖବର ଦେଖିଲି
ଆମବାଗାନ ଛକରେ ତା’ର ଅନାହାର ମୃତ୍ୟୁ,
ବିଛେଇପଡ଼ିଛି ମୁଠାମୁଠା କାଠି
ମୁହଁମାଡ଼ି ପଡ଼ିଛି ଫୁଲମତୀ ବୁଢ଼ୀ
ବୟସ ପ୍ରାୟ ତିନିକୋଡ଼ି
ସତେ ଅବା ଭାସିଆସୁଥିଲା ତା’ର
ନିଶ୍ଚଳ ଓଠରୁ ଏ ବାବୁ ! ଏ ବୁଇ!
କାଠି ନେବ କାଠି ନିଅଣ୍ଟିଆଜୀବନର ଶେଷ କେଇମୁଠା କାଠି।
There are 5 comments
ହୃଦୟସ୍ପର୍ଶୀ କବିତା
ନମସ୍କାର ସାର୍
ଯେତେ ଶୁଣିଥିଲେ ବି ଆଉଥରେ ଶୁଣିବାକୁ ଇଛା ହୁଏ
ବହୁତ ଭଲ ଲାଗିଲା
🙏🙏
ମୀନକେତନ ସାରଙ୍କର ଏହା ଏକ ବହୁ ଆଦୃତ କବିତା। ଆପଣଙ୍କ ମତାମତ ନିଶ୍ଚିତ ରୂପେ ଉତ୍ସାହପ୍ରଦ।
ମୀନକେତନ ସାରଙ୍କ କବିତା ଖୁବ୍ ଚମତ୍କାର ଓ ହୃଦୟସ୍ପର୍ଶି । ଏ କବିତା ପ୍ରକୃତରେ ଏକ ବାସ୍ତବଧର୍ମୀ କବିତା। ସାରଙ୍କ ଭାବାବେଗପୂର୍ଣ୍ଣ କବିତା ଆବୃତି ସାଙ୍ଗକୁ ସଂଯୋଜିତ ଚିତ୍ରକଳ୍ପ ଓ ପ୍ରଚ୍ଛଦ ସଂଗୀତ କବିତାକୁ ଅତ୍ୟନ୍ତ ମାର୍ମିକ କରିଦେଇଛି । ଚଉକାଠର ସମ୍ପାଦକ, ପ୍ରକାଶକ ଏବଂ ମୋର ପ୍ରଣମ୍ୟ ମୀନକେତନ ସାରଙ୍କୁ ଶୁଭକାମନା ।
ଆପଣଙ୍କ ପାଠକୀୟତା ସହ ପାଠକୀୟ ଶ୍ରଦ୍ଧା ଆମ ପାଇଁ ଖୁବ୍ ପ୍ରେରଣାଦାୟକ।
ମୋର ଶୁଭେଚ୍ଛା ଓ ସମ୍ମାନ ଜଣାଉଛି। କବିଙ୍କୁ ନିଜର ମତ ରଖିବା ପାଇଁ ନିଶ୍ଚୟ ଅନୁରୋଧ କରିବୁ।
ମୋ କବିତା,ଆପଣ ମାନଙ୍କୁ ଭଲ ଲାଗିଲା ,ଏହା ମୋର ଅହୋ ଭାଗ୍ୟ ଓ କବିତାର ନିୟତି ।ଆପଣ ମାନଙ୍କୁ ପ୍ରଣାମ ସହ କୃତଜ୍ଞତା ଜଣାଉଛି ,ମୁ ଆହୁରି କୃତଞ ପ୍ରିୟ ସଂପାଦକଙ୍କ ପାଖରେ ଯିଏ” ଚଉକାଠ” ରେ ଫୁଲର ମାଳ ଓହଲାଇବା ପାଇଁ ମୋତେ ଫୁଲଟିଏ କରି ଚୟଙ୍କରିଥିବାରୁ ।