
କବି ବିନୋଦ ଚନ୍ଦ୍ର ନାୟକ, ଏଇ ନାମ ହିଁ ଯଥେଷ୍ଟ, ଯାହାର ଉଚ୍ଚାରଣରେ ସ୍ବତଃ ମନତଳେ ଗୁଣଗୁଣେଇ ଯାଏ, ସ୍ମୃତିକୁ ଉଜାଗର କରେ ଆମ ଭାଷାର ଅମୂଲ୍ୟ କୋଠସମ୍ପତ୍ତି “ଗ୍ରାମପଥ”। ଯେତେ ଯେତେ ଥର ପଢ଼ିଲେ ବି ଏଇ କବିତାକୁ, ଲାଗିବ- ବାରମ୍ବାର ଚର୍ବଣରେ ଆଖୁ ଖଣ୍ଡରୁ ମିଠାରସର ଝରଣ ହେଉଛି । ପଲ୍ଲୀଦୃଶ୍ୟର ଚିରସୁନ୍ଦର ପରିବେଶକୁ ଶୈଳୀ, ଶବ୍ଦଗୁମ୍ଫନ ଓ ଛନ୍ଦମାଧୁରୀରେ ଚିତ୍ରିତ କରି ସେ କହନ୍ତି– “ଦୂରେ ତାଳବଣ ଆକାଶ ଶୁଣାଏ / ମାଟିର କବିତା କି ସେ/ ଏ ଗ୍ରାମର ପଥ ତହିଁ ଦିଗନ୍ତେ ମିଶେ/ କ୍ଷେତ ପରେ କ୍ଷେତ କାଶଫୁଲ ଆଉ/ ବେଣାରେ ଜଟିଳା ପାଟ / ପାଟ ପରେ ବଣ/ ବଣ ପାରି ହେଲେ / ମାମୁଁ ଘର ଗାଁ ଦିଶେ।”
କବି ବିନୋଦ ଚନ୍ଦ୍ର ନାୟକଙ୍କ କବିତାରେ ପରମ୍ପରା, ସଂସ୍କୃତି ଓ ପଲ୍ଲୀଜୀବନର ଅନେକ ଅଭୁଲାସ୍ମୃତି ସହିତ ପରିଚୟ ହୁଏ। କବିଙ୍କ ଦୃଷ୍ଟିରେ ପ୍ରାକୃତିକ ଶୋଭାରେ ପରିପୂର୍ଣ୍ଣ “ତେଲିପାଲି” ଗାଆଁ ଯାହା କବିଙ୍କ ଜନ୍ମସ୍ଥାନ, ଇଚ୍ଛାନଦୀ କୂଳେ ଅବସ୍ଥିତ। ନଦୀର ସ୍ୱଚ୍ଛ ଜଳରାଶି, ଏଠାରେ ଥିବା କେଦାର, କାନ୍ତାର, ଗିରିବନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ, ଯେଉଁଠି ତାଙ୍କ ଇଶ୍ୱରୀ ଶୈଶବ ବିତିଛି। ତେଣୁ ସେଇ କାଳଖଣ୍ଡକୁ ସ୍ମରଣ କରି କବି କହନ୍ତି– “ବନ୍ଦନା ତୋତେ କରଇ ରେ ଗ୍ରାମପଥ/ ବାଳକ ବେଳର ହେ ମୋର ପ୍ରିୟ ସାଥୀ/ ଅୟୁତ ଦଣ୍ଡବତ ।”
କବିସତ୍ତାର ଥାଏ ଏକ ତୃତୀୟନୟନ। ଯେତେବେଳେ ଜଣେ କବି ଏହି ତୃତୀୟନୟନରେ ଅବଲୋକନ କରନ୍ତି ସେ ସମସ୍ତ ଦୃଶ୍ୟ ହୋଇଉଠେ ସାରସ୍ବତ ସମ୍ପଦ, ଯାହା କବି ବିନୋଦଙ୍କ ପକ୍ଷରେ ଘଟିଛି। ଏ ଧୂଳିର ଧରାରେ ପାଦ ରଖି ସେ ସୀମାତୀତ ଭାବଦିଗନ୍ତକୁ ନିରୀକ୍ଷଣ କରନ୍ତି ଓ ତାଙ୍କର ଅମୃତ ଅନୁଭବରେ ବର୍ଷାର ଟପ୍ ଟପ୍ ଶବ୍ଦ ବି କବିତାର ସୁର ଧରେ, କୃଷକର କର୍ଷଣ ବି ଗୀତ ଗାଏ। କବି କହନ୍ତି, “ବୃଷ୍ଟି ମୁଖର ଲାଜକୁଳୀ ଗ୍ରାମପଥେ / ଶୁଣ, କୃଷକର କର୍ଷଣ ଗାନ ଶୁଭେ / ଶୁଣ ସଖୀ ଶୁଭେ / ନୂତନ ଶସ୍ୟ କିଆରୀ ପଙ୍କ ପଲଙ୍କେ ସାଥୀ ସହ / ପାତିହଂସିନୀ ରମଣ ବିଳାସ କୂଜେ / ଦେଖ ଦେଖ ସଖୀ ନୂତନ ଯୁବତୀ ନଦୀ / କୂଳ କୂଳ ଲଂଘନେ ବିଦ୍ରୋହ ଆଜି କରେ / ନାରଙ୍ଗ ବନ ତଳେ ତାର / ଭରା ରୂପାର ଜୁଆର ତୁଟେ / ତଟର ଛାତିରୁ ବାଲିର ଅତଡ଼ା ପଡ଼େ ।”

ମୋର ସୀମିତ ଜ୍ଞାନରେ ମୁଁ ଯାହା ବୁଝେ, ପ୍ରିୟ କବିଙ୍କ କବିତାର ପ୍ରତ୍ୟେକ ପଂକ୍ତି ହେଉଛି ଧ୍ବନିସର୍ବସ୍ବ ଖଣ୍ଡକାବ୍ୟ ବା କବିତିକା। ମଣିଷର ଆଶା, ଭାଷା, ଜୀବନଦର୍ଶନ, ବଞ୍ଚିବାର ମୋହ, ପଲ୍ଲୀର କମନୀୟ ଚିତ୍ରପଟ, ରୋମାଣ୍ଟିକ ଚେତନା ତାଙ୍କର ପ୍ରତ୍ୟେକ ପଂକ୍ତିରେ କମ୍ରକୋଣାର୍କର ଗୋଟିଏ ଗୋଟିଏ ଅଂଶ ବିଶେଷ। କବି କହନ୍ତି– ” ଧୂଳିଘର ଛାଡି଼ ଏ ପଥେ ଚଳଇ / ଶାଶୂଘର ଗାଆଁ ଝିଅ / ମାଆ ଆଉ କନ୍ୟା ପଣତେ ରଚଇ / ଅମାନିଆ ଆଖି ଲୁହ।”
ମାଆର, ଝିଅର ମାଟିମୋହ କେତେ ବିକଶିତ ଏ ସ୍ତବକରେ, ଯାହାକୁ ଟିକିଏ ଗଭୀର ଭାବରେ ଚିନ୍ତା କଲେ ନୟନରୁ ଖସି ପଡେ ଲୁହ, ଆଉ ନୟନରୁ ଟୋପାଏ ପବିତ୍ର ଲୁହ ଖସେଇ ପାରୁଥିବା କବିତା ହିଁ ତ ପୃଥିବୀର ମଧୁରତମ କବିତା।
କବି ବିଭୂଦତ୍ତ ମିଶ୍ର କହନ୍ତି– “ସୁନ୍ଦରୀ ତୁମେ ସୁନ୍ଦରଗଡ଼ ଇବ ନଦୀର କୂଳେ” — ସେହିପରି ସୁନ୍ଦରଗଡ଼ ରେ ଶିକ୍ଷା ଗ୍ରହଣ କରିଥିବା କବି ବିନୋଦ ନାୟକ ସୁନ୍ଦରଗଡ଼ ସ୍ମୃତିରେ ଲେଖନ୍ତି– “ମନେଥାଏ କିରେ ସୁନ୍ଦରଗଡ଼ ମନେଥାଏ / ଶାନ୍ତ ନିଶିର କାନ୍ତପଥେ ତୋ କିଏ ଯାଏ / ମନେ କି ପାଶୋରି ଯାଏ ଯଦି / ଅଙ୍ଗାରପାଟ ଆମ୍ରବନର ଇବନଦୀ/ ଶିବର ଦେଉଳେ ଦୀପ ଜାଳି କିଏ ଚାଲିଯାଏ / ମନେଥାଏ କିରେ ସୁନ୍ଦରଗଡ଼ ମନେଥାଏ।”
କବି ବିନୋଦଙ୍କର କବିପ୍ରତିଭା ହେଉଛି ଯେ ସେ କାଳ ସ୍ବପ୍ନବିଳାସୀ, ଦେହବାଦୀ ଓ ବେଳେ ବେଳେ ଦୂର୍ବୋଧ୍ୟ ମଧ୍ୟ।ତାଙ୍କ କବିତାର ରୁପକଳ୍ପ ବି ଅସାଧାରଣ, ଯେମିତି– “ସନ୍ଧ୍ୟାର ଆକାଶ / ଗୁଜରାଟୀ ରମଣୀର ପାଲଟାଶାଢ଼ୀ ପରି / ସଫେଦ ଛାୟାପଥ / ଅତି ପରିଚ୍ଛନ୍ନ ଦିଗ ତଳେ / ବାଇଗଣି ସ୍ୟାହୀ ପରି ସ୍ବପ୍ନ ମେଘାଚ୍ଛନ୍ନ / କଫି ଓ ବାଦାମ ବନ ପରିବ୍ୟାପ୍ତ / ଗୋଦାବରୀ ତଟ ଯାଏ ।”
କବି ବିନୋଦ ନାୟକଙ୍କ ଜୀବନବୋଧରେ ନାରୀ କଳ୍ପନା, ସୌନ୍ଦର୍ଯ୍ୟ, ସ୍ନେହଶୀଳତା, ପ୍ରେମ, ବିଶ୍ବାସ ଓ ଉଦାରତାର ଏକ ମହିମ୍ନଆକାଶ। ସରୀସୃପ କବିତାଗ୍ରନ୍ଥକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଅନୁମେୟ। ତାଙ୍କର ପ୍ରେମିଳ ଅନୁରାଗ ଓ ସମ୍ମାନବୋଧର ପ୍ରତୀକ ସ୍ୱରୂପ କବି କହନ୍ତି– “ତୁମ ନଗ୍ନ ଆଭରଣ ଅଙ୍ଗ / ତରୁ ତଳେ ନଦୀକୂଳେ / ସେ ନଗ୍ନ ସ୍ୱାସ୍ଥ୍ୟବତୀ ଅଙ୍ଗ / ତାହାରେ ମୁଁ କରେ ନମସ୍କାର / ସେଇ ସ୍ପଷ୍ଟ ସେଇ ଚିରନ୍ତନ / ଉପରେ ସଫେଦ୍ ଜହ୍ନ ପରି / ଅତି ପରିଚ୍ଛନ୍ନ ।”
ପ୍ରିୟ କବି ପରମ ପୂଜ୍ୟ ବିନୋଦ ଚନ୍ଦ୍ର ନାୟକଙ୍କ କାବ୍ୟ ଜଗତର ବ୍ୟାପ୍ତି ଭୂମିରୁ ଭୁମା ପର୍ଯ୍ୟନ୍ତ, ମାଟିରୁ ଅଥଳ ସମୁଦ୍ର ପର୍ଯ୍ୟନ୍ତ। ତାଙ୍କ ଜୀବନବାଦ, ମାନବ ବାଦ, ରୋମାଣ୍ଟିକ ଚେତନା, ଗାଆଁକଣ୍ଠର ଉଦ୍ଦାତ୍ତ ଅନ୍ତସ୍ୱର, ତାଙ୍କ କବିତାର ଦେହବାଦ, ଯୌନ ଚେତନାର ଅବବୋଧ, ପ୍ରେମ, ବିଶ୍ବାସ, ଆଶା, ଭରସାର ନିଦର୍ଶନ ପାଠକକୁ ଅଭିଭୂତ କରେ, ଯାହାକୁ ଏ କ୍ଷଣିକ ସମୟରେ ଆକଳନ କରିବା କଷ୍ଟକର। ମୋର ବିଶ୍ବାସ ପ୍ରାଜ୍ଞଦିପ୍ତ ମାନସ ଏହାକୁ ପାଠ କରି ରସାପ୍ଲୁତ ହେବେ।

There are 10 comments
ବହୁତ ସୁନ୍ଦର ।
ଚମତ୍କାର ଭାବରେ ଆପଣ ଆଲୋଚନା କଲେ ମହାନ କବି ବିନୋଦ ଚନ୍ଦ୍ର ନାୟକଙ୍କ କବିତାର ଭାବ ଓ ଭାବନା
ନମସ୍କାର ସାର୍
ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସାର୍
🙏🙏
ମୋ ଆଦରର ସାନ ଭାଇ,ପ୍ରିୟ କବି ପ୍ରତାପ ଙ୍କୁ ଅଜସ୍ର ଶୁଭେଚ୍ଛା ଅଭିନନ୍ଦନ,ମୁ କୃତଜ୍ଞ ଆପଣଙ୍କୁ ଆଲୋଚନା ଟି ଭାଲ ଲାଗିଥିବାରୁ ।ଧନ୍ୟବାଦ ପ୍ରିୟ କବି ।
ଶୁଣିଥିବା ହେତୁ ଓ ସୁନ୍ଦର ମତାମତ ପାଇଁ ଧନ୍ୟବାଦ ଜଣାଉଛି।
ଆପଣଙ୍କ ଭାବପୂର୍ଣ୍ଣ ଭାଷାର ସ୍ପଷ୍ଟତା କବିଙ୍କର ଆହୁରି ନିକଟତର କଲା ସାର୍। ପ୍ରଣାମ ନେବେ 🙏💐
ଆପଣଙ୍କ ଭାବପୂର୍ଣ୍ଣ ଭାଷାର ବର୍ଣ୍ଣନା କବିଙ୍କର ଆହୁରି ନିକଟତର କରାଇଲା ସାର୍। ପ୍ରଣାମ ନେବେ 🙏💐
କବି ବିନୋଦ ଚନ୍ଦ୍ର ନାୟକ ସୁନ୍ଦରଗଡ଼ ମାଟିର କବି। ତାଙ୍କର ଗ୍ରାମପଥ କବିତା ଏକ ମାଇଲଖୁଣ୍ଟ। ତାଙ୍କର କାବ୍ୟ ପରିସୀମାକୁ ଜାଣିବା ପାଇଁ ଅନ୍ୟାନ୍ୟ କବିତାଗୁଡ଼ିକୁ ପାଠକେ ସଂଗ୍ରହ କରି ପଢ଼ିବା ଉଚିତ।
ମନ୍ତବ୍ୟ ପାଇଁ ଧନ୍ୟବାଦ ସହ ଶୁଭେଚ୍ଛା।
କବି ବିନୋଦ ଚନ୍ଦ୍ର ନାୟକଙ୍କ ଭାବ ଭାବନାକୁ ସୁନ୍ଦର ଭାବେ ଆଲୋଚନା କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ସାର 🙏
ସୁନ୍ଦର ସଂକ୍ଷେପଣ। ଅଶେଷ ଧନ୍ୟବାଦ।
ମୋର ଦୁଇ ସାନ ଭଉଣୀ,ପ୍ରିୟ କବି,ଶ୍ରୀମତୀ ରଶ୍ମି ସାହୁ ଓ ଗୀତାରାଣୀ ଙ୍କୁ ଅଜସ୍ର ଧନ୍ୟବାଦ,ଆଉ ଥରେ ଶୁଭେଚ୍ଛା ଅଭିନନ୍ଦନ ସେମାନଙ୍କ ଚମତ୍କାର କବିତା ପାଇଁ ।
ଧନ୍ୟବାଦ ସାର୍।
ଏହି ସାରଗର୍ଭକ ଆଲୋଚନା ପାଇଁ ଚଉକାଠ ଆପଣଙ୍କ କାବ୍ୟଦୃଷ୍ଟିକୁ ସମ୍ମାନ ଜଣାଉଛି।