
ତୁମେ କି ଜାଣ ନାହିଁ
ଆମେ ବଞ୍ଚୁଥିବା ଜୀବନଚର୍ଯ୍ୟା
ପ୍ରତିମୁହୂର୍ତ୍ତରେ ବଦଳୁଥିବା ଇଚ୍ଛାର ମାନଚିତ୍ର..!!
ସବୁ ଖାପଛଡ଼ା ମନେହୁଏ
ଯେତେବେଳେ ଉଚ୍ଚାରିତ ହୁଏ
ଏକା ଆସିଥିଲୁ, ତୁ ଏକା ହିଁ ଯିବୁ…!
ଜୀବନ ପୁସ୍ତିକାର ମୁଖବନ୍ଧ
ଆଉ ଶେଷଫର୍ଦ୍ଦ ତ ଲେଖି ଆଣିଥିଲି
ଅଦେଖା ଇଶ୍ୱରଙ୍କ ପାଠଶାଳାରୁ…
ବାକି ଯାହା ମଝିପୃଷ୍ଠା ଥିଲା
ତାରି ପାଇଁ ଯେତେ ସବୁ ଘର୍ମାକ୍ତ ପ୍ରସ୍ତୁତି :
ଆତଯାତ ହେଉଥିବା ଅସୁମାରୀ ମୁହୂର୍ତ୍ତ
ଆଣ୍ଠୁସନ୍ଧିରେ ମୁହଁଗୁଞ୍ଜି ବସିଥିବା
ଅସଂଖ୍ୟ ଅସମାହିତ ନିର୍ବାକ ପ୍ରହର
ଆଉ ଦୋଷ ନଥାଇ ବି
ମୃତ୍ୟୁଦଣ୍ଡ ପାଇଥିବା ଅସହାୟ ମଣିଷ
ନିଜ କୃଶ ନିଜେ ବୋହି ଅଗ୍ରସର ହେଉଥାଏ
ଗଲଗଥାର ମୃତ୍ୟୁ ଉପତ୍ୟକା ଆଡ଼କୁ।
ଜୀବନ ଥାଉ ଥାଉ
ବଂଚିବାର ସବୁ ମୋହକୁ ବିସର୍ଜିତ କରୁଥାଏ
ଇଚ୍ଛାମୃତ୍ୟୁର ଦଲିଲରେ ସ୍ବେଦର ସ୍ବାକ୍ଷର ଆଙ୍କୁଥାଏ…
ଅପେକ୍ଷା କେବଳ
ସେଇ ଇପ୍ସିତ ମାହେନ୍ଦ୍ରବେଳାକୁ…!!
ତାପରେ
ହୁଏତ କେହିଜଣେ ଉଚ୍ଚାରଣ କରୁଥିବ
ଜୀବନର ଖେଳଘର ହୋଇଯିବ ଦିନେ ଶେଷ
ପ୍ରାଣପକ୍ଷୀ ଉଡିଯିବ…
ପଡିଥିବ ଶୂନ୍ୟ ଘଟ…
ଆକାଶ ଦୁଇଫାଳ ହେଉ ହେଉ
ପବନରେ ସଂଚରି ଯାଉଥିବ
ଦୂର କେଉଁ ଗୀର୍ଜାଘରେ ବାଜୁଥିବା ଶେଷଘଣ୍ଟି
ଦୂର କେଉଁ ଆକାଶକୁ ଛୁଉଁଥିବା ଧୂଆଁର କୁଣ୍ଡଳୀ…
ଜୀବନ ପୁସ୍ତିକାର ଶେଷଫର୍ଦ୍ଦକୁ
ପବନ ଉଡ଼େଇ ନେଉଥିବ ନଈକୂଳ ପାଦଚଲା ରାସ୍ତାରେ।
There are 3 comments
ଅଭିନବ ଉଦ୍ଯମ। ଅଭିନନ୍ଦନ।
ସୁନ୍ଦର କବିତା
‘ଇଚ୍ଛା ମୃତ୍ୟୁ ‘ ଏକ ସାର୍ବଜନୀନ ସତ୍ୟ ମୁହଁରେ ଜୀବନ ଓ ମୃତ୍ୟୁର ଚିତ୍ରଣ।
ଭଲ ଲାଗିଲା କବିତା ଓ କବିତାର ଅନ୍ତସ୍ୱର।