ନୀଳିମା ଦର୍ପଣ ଆଗରେ ଠିଆ ହେବାକୁ ଚେଷ୍ଟା କଲା, ମାତ୍ର ସିଧା ହୋଇ ଠିଆ ହୋଇ ପାରିଲା ନାହିଁ । ଗୋଡ଼ ଟଳମଳ ହୋଇଯାଉଛି, ନୂଆ ଠିଆ ହୋଇ ଚାଲିବାକୁ ଚେଷ୍ଟା କରୁଥିବା ପିଲାଟେ ପରି । ସେ ନିଜକୁ ସମ୍ଭାଳିବାକୁ ଯାଇ ଖଟର ବାଡ଼ାକୁ ଧରିଲା ଜୋର୍ କରି ।
ଲଗାତର ଜ୍ବର, ଗୋଟେ ନିସ୍ତେଜପଣ ତାକୁ ବିଛଣା ଲଗା କରି ଦେଇଥିଲା । ଗୋଟେ ଦୁର୍ବଳତା ତାକୁ କ୍ରମଶଃ ଗ୍ରାସି ପକାଉଥିଲା ସୂର୍ଯ୍ୟ କିମ୍ବା ଚନ୍ଦ୍ରକୁ ରାହୁ କି କେତୁ ଗ୍ରାସ କଲା ପରି । ତାକୁ ଚିଡ଼ଚିଡ଼୍ ଲାଗୁଥିଲା । କ୍ରମଶଃ ଭଲ ନ ହେବାର ଧାରଣାଟେ ବଦ୍ଧ ହେଉଥିଲା । ସବୁ ଭିତରୁ ନିଜେ ହଜିଯିବାର ଗୋଟେ ଭୟ ତାକୁ ଖାଇ ଗୋଡ଼ାଉଥିଲା ।
ଆଜିକାଲି ପୁଅ ତା’ର ଜାକିହୁଏ ବେଶୀ । ଯୁଝେ ବେଶୀ, କଳି କରେ । ବେଶୀ, ବେଶୀ ସ୍ନେହ ଆଦର ପାଇବାକୁ ଜିଦ୍କରେ ମା’ ପାଖରେ I ଆବଶ୍ୟକତାଠାରୁ ଅଧିକା ପାଇବାର ଆଶା ଓ ଲାଳସାରେ ମା’ ଛାତିରେ ଜାକି ହୋଇଯାଏ ।
ନୀଳିମା ଛାଟି ହୋଇପଡ଼େ ଦୂରକୁ । ସମସ୍ତଙ୍କଠାରୁ, ନିଜଠାରୁ, ନିଜର ଆନ୍ତରିକତାଠାରୁ, ପୁଣି ଅନ୍ତରଙ୍ଗତାଠାରୁ ମଧ୍ୟ । ତାକୁ କ୍ରମଶଃ ଗୁଡ଼ାଏ ଭୟ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲା, ତାକୁ ଭାଙ୍ଗି ଚୂନା କରିଦେବେ ଯେମିତି। ନୀଳିମାର ମନୋବଳ ଭାଙ୍ଗି ପଡ଼ୁଥିବା ଓ ସୁସ୍ଥ ନ ହେବାର ଅବସ୍ଥା ଦେଖି, ମାଧବ ଜଣେ ଡାକ୍ତରଙ୍କଠାରୁ ଆଉ ଜଣେ ଡାକ୍ତରଙ୍କ ପାଖକୁ ଦୌଡ଼ୁଥିଲା । ପାଥୋଲୋଜିରୁ ଘର, ଘରୁ ପୁଣି ଡାକ୍ତରଖାନା ଏମିତି ଘାଣ୍ଟି ହୋଇଯାଉଥିଲା । ଶେଷକୁ ଡାକ୍ତର କହିଲେ ବାୟୋଷ୍ପି କରିବା ।
ସେଦିନ ମାଧବ ଓ ନୀଳିମା ଦୁହେଁ ଦୁହିଁଙ୍କୁ ମୁହଁକରି ବସିଥିଲେ କପୋତ କପୋତୀ ପରି । ନୀଳିମାକୁ କ୍ୟାନ୍ସର୍ ବୋଲି ଜଣା ପଡ଼ିବା ମାତ୍ରେ ମାଧବ ଖସିପଡ଼ିଲା ଚେୟାରରୁ ଚଟାଣକୁ । ମାତ୍ର ନୀଳିମା ଆଖିରେ ଲୁହ ନ ଥିଲା ।
ବରଂ ଥିଲା ଗୋଟେ ଦୁର୍ବଳ ବିସ୍ତାରିତ ଦୃଷ୍ଟି । ଯାହା ସ୍ଥିର ଥିଲା ଏଣ୍ଡୁଅର ଆଖିପରି । ଢିମାଢ଼ିମା, ପଥର ପରି ଗୋଲଗୋଲ । ନୀଳିମାର ଅସମ୍ଭବ ଭାବେ ଜୀବନକୁ ଭଲପାଇବାକୁ ଇଚ୍ଛା ହେଲା । ଆହୁରି ଢେର ବର୍ଷ ବଞ୍ଚିବାର ଆଗ୍ରହ ତା’ର ତିବ୍ର ହୋଇଗଲା । ସେ ଚାହେଁ ଜିଇବାକୁ, ଆହୁରି ଆଗ୍ରହର ସହ ଉପଭୋଗ କରିବାକୁ ତା’ର ଚାରିପାଖର ଦୁନିଆକୁ।
ସେ ଦେଖିନେବାକୁ ଚାହେଁ ତା’ ହାତପାହାନ୍ତାରେ ମିଳୁଥିବା ବିଭିନ୍ନ ରକମ ଗଛ, ପତ୍ର, ଫୁଲ ଓ ଫଳମାନଙ୍କୁ । କଞ୍ଚା ପାଚିଲା ସବୁ ଫଳର ସ୍ୱାଦ ନେବାକୁ ଚାହେଁ । ଦେଖିବାକୁ ଚାହେଁ ମଣିଷର ଦେହ, ମନର ଅନ୍ତରଙ୍ଗ ଅନୁଭବମାନଙ୍କୁ । ପଶୁ, ପକ୍ଷୀ, ଜୀବଜନ୍ତୁ, କୀଟ ପତଙ୍ଗ – ତାକୁ ଲାଗୁଛି ଆହୁରି ଢେର ଦେଖୁବାକୁ ଯେମିତି ବାକି ଅଛି ତା’ର ।
ଅତୀତ, ବର୍ତମାନ ଓ ଭବିଷ୍ୟତକୁ ଆଉଥରେ ଦେଖିନେବାର ଉଗ୍ର ଆଗ୍ରହରେ ସେ ଦଳିମକଚି ହୋଇଯାଉଥିଲା । ଜିଇବାର ମୋହ ନେଇ ସେ ମୃତ୍ୟୁ ସହ ଅହରହ ଯୁଦ୍ଧ କରୁଥିଲା । ପୋଷ ପୋଷ ହୋଇ ଶୁଖିଯାଉଛି ରକ୍ତ ।
ଜଳିଯାଉଛି ରକ୍ତକଣିକା, ରକ୍ତକୋଷ… I ସରିଯାଉଛି ଯେମିତି ଜୀବନ, ଧନ, ଭୋକ, ଶୋଷ, ମାନ, ଅଭିମାନ, ଅପମାନର ସବୁ ଦାଗ, ସବୁ ସଂପର୍କ… I କେବଳ ଗୋଟିଏ କଥା – ସେ ଜିଇବାକୁ ଚାହେଁ ! ବଞ୍ଚି ରହିବାକୁ ଚାହେଁ, ଆଉ କେଇ ବର୍ଷ, କେଇଦିନ, କେଇମାସ ନିଜର ସଂପର୍କମାନଙ୍କର ବଳୟ ଭିତରେ ।
ମଣିଷ କେତେ ଅସହାୟ ! ତା’ର ଜିଇବା ପାଇଁ ତା’ର ସବୁ କଳାକୌଶଳ, ନୀତିନିୟମ ଯେମିତି ଶେଷ ହୋଇଯାଏ କେଉଁ ଛଟକରେ ପାଣିଫଟୋକା ପରି ।
ଡାକ୍ତରଖାନାରୁ ଘର । କିଛଣାରୁ ଅଗଣାଯାଏ ଜୀବନ ଯେମିତି ସୀମାବଦ୍ଧ ହୋଇଯାଇଥିଲା ନୀଳିମାର । ଆଖିରେ କିନ୍ତୁ ଆଖିଏ ସ୍ୱପ୍ନ । ଆଖିଏ ବିଶ୍ବାସ, ଆଖିଏ ପ୍ରେମ!! ସେ ବୁଝି ସାରିଥିଲା ଦିନ କେଇଟାର ଅତିଥି ସେ । ସବୁ ଅପୂର୍ଣ୍ଣତାରୁ ତାକୁ ପୂର୍ଣ୍ଣତା ଖୋଜିବାକୁ ପଡ଼ିବ ।
ନିଜକୁ ଖୋଜିବାକୁ ପଡ଼ିବ ତା’ ଚାରିପଟେ ବେଢ଼ିଥିବା ସବୁ ଅସୁସ୍ଥତାକୁ ଡେଇଁ । ମାଧବ ନ ଥିଲା ଘରେ । ଆଜିକାଲି ରୋଗ ଭୋଗେ ନୀଳିମା, ମାତ୍ର ଯନ୍ତ୍ରଣା ଭୋଗେ ମାଧବ। ନୀଳିମା ଜିଇବା ପାଇଁ ଅସମ୍ଭବ ଆଗ୍ରହରେ ମୃତ୍ୟୁ ସହ ଯୁଦ୍ଧ କରୁଥିବାବେଳେ, ମାଧବ ତାକୁ ଜିଆଇଁ ରଖିବାର ବ୍ୟଗ୍ର ନିଶାରେ ବ୍ୟସ୍ତ ।
ସ୍ବାମୀ-ସ୍ତ୍ରୀ ଭିତରେ କେତେ କଥାକୁ ନେଇ କେତେ କେତେ ମାନ, ଅଭିମାନ, ମନାନ୍ତର, ମତାନ୍ତର, ଯୁଦ୍ଧ, ଝଗଡ଼ା ଆଦି ଦିଶୁଥୁଲା ପାଣିଫଟୋକା ପରି ମିଳେଇ ଯାଉଥୁବା ଗୋଟେ ବର୍ଷାର ପାଣିଧାର ପରି । ବର୍ଷାର ତାଣ୍ଡବରେ ତିଆରି ଗୋଟେ ରିମ୍ଝିମ୍ ନାଦ ତିଆରି କରୁଥିବା କୃତ୍ରିମ ନାଳ; ଯାହା ଗୋଟେ ଋତୁ ପରେ, ଶୁଖୁଯାଏ ଆପେ ଆପେ… କେବେ କିଛି ନ ଥିଲା ପରି ।
ମାଧବ ଝଡ଼ିଯାଇଛି, ଗାଲ ପଶି ଯାଇଛି । ପୁଳାଏ କଳାଧଳା ଦାଢ଼ି ମୁହଁକୁ ଢାଙ୍କି ପକାଇଛି । ପୁଳାଏ ଅଯତ୍ନ ବର୍ଦ୍ଧିତ କେଶ ରଙ୍ଗହୀନ ହୋଇଯାଇଛି । ନା’ ଠିକରେ ଖିଆପିଆ, ନା’ ଶୋଇବା । ନା’ ମାନ, ନା’ ଅଭିମାନ । ନା’ ଅଭିଯୋଗ । କିଛି ନାହିଁ ଯେମିତି । ସବୁ କେଉଁଠି ହଜିଯାଇଛି । ସେ ସମୟକୁ ତାଳକରି ପାଦ ମିଶାଇ ଧାଇଁଛି ଦ୍ରୁତରେ- ନିଜକୁ ଖୁବ୍ ଦ୍ରୁତ ଓ ଚଞ୍ଚଳ କରିଦେଇ ।
ଦିନେ କାହା ପାଖରେ ହାତ ପତଉ ନ ଥିବା ମାଧବ ହାତ ପତାଉଛି । ଚିହ୍ନାଜଣା, ନିଜର ସମ୍ପର୍କୀୟମାନଙ୍କ ପାଖରେ । ସରିଯାଇଛି ସଞ୍ଚୟ, ସରିଯାଇଛି ସବୁ ଉଧାରି, ସବୁ ଯୋଜନାର ପୂର୍ବ ନିର୍ଦ୍ଧାରିତ ସମୟରୁ ଭଙ୍ଗା ଯାଇଥିବା ଅର୍ଥ। କାହାର ମାନ, ଅପମାନ, ଦୟା, କାହାର ତାତ୍ସଲ୍ୟ ଅର୍ଥହୀନ ମାଧବ ପାଇଁ I କେବଳ ଗୋଟିଏ କଥା- ନାଳିମାର ଜୀବନ… !!
ଶୋଇବାକୁ ବ୍ୟାକୁଳ ମାଧବ, ଟିକେ ସୁସ୍ଥିଆ, କାମ ଠକ ମାଧବ, ଆଜି ଦ୍ରୁତ —ଚଞ୍ଚଳ ବେଗରେ ଧାଇଁଛି ନୀଳିମାକୁ ବଞ୍ଚାଇବା ନିଶାରେ ।
କାନ୍ଥରେ ମାଧବ ଓ ନୀଳିମାର ଫଟୋ । ବାହାଘର ପରେ ପ୍ରଥମ ପୁରୀ ସମୁଦ୍ର କୂଳର ଫଟୋ । ପାଣିରେ, ଲହଡ଼ି ଭିତରେ ତୁହେଁ ତୁହିଁଙ୍କୁ ଜଡ଼େଇ ଧରିଛନ୍ତି ଅତି ନିବିଡ଼ ଭାବରେ, ଅତି ଅନ୍ତରଙ୍ଗ ଭାବରେ । ନୀଳିମାର ଅଣ୍ଟା ତଳେ ଥିଲା ମାଧବର ହାତ, ଆଉ ନୀଳିମାର ହାତ ମାଧବର ଗଳାରେ ଦୁଇପଟକୁ ଜାବୁଡ଼ି ଧରିଥିଲା ଆବେଗର ସହ ।
ମାଧବ ସେବେଳେ ଥିଲା ଡଉଲଡ଼ାଉଲ । ନୀଳିମାର ବରଂ ପତଳା ନକନକ ଦେହ । ମାଧବ କହେ ମୋଟୀ ଝିଅମାନେ ବେଶୀ ସେକ୍ସି । ତୁମେ ମୋଟୀ ହୁଅ ! ପୁଅ ରହିବା ପରଠାରୁ ନୀଳିମା ମୋଟୀ ହେଲା… ଆଉ କମିଲା ନାହିଁ । ବରଂ ବଢ଼ିଗଲା ସମୟକ୍ରମେ ଦେହରେ ଚର୍ବି ।
ନୀଳିମାକୁ ଜମା ଭଲ ଲାଗେ ନାହିଁ କେହି କହିଲେ ସେ ମୋଟୀ । ଅନ୍ୟମାନେ ତାକୁ ମୋଟୀ କହିଲାବେଳେ ନିଜକୁ ସେ ଦର୍ପଣରେ ଦେଖେ ଭଲକରି, ସୁନ୍ଦର ତ ଲାଗୁଛି । ନିଜକୁ ନିଜେ କହେ ! ଆଉ ଖୁସି ମଧ୍ୟ ହୁଏ!
ସରିଯାଉଛି ସମୟ । ସରିଯାଉଛି ଯେମିତି କେଉଁଠି ପ୍ରେମ, କେଉଁଠି ଦୟା, ଘୃଣା, ମାନ, ମହତ, ଅପମାନ, ପ୍ରତିଶୋଧର ତୀବ୍ର ଉଦ୍ବେଗ । କେଉଁଠି ନିସର୍ତ୍ତ ଅନୁରାଗ, ବ୍ୟାକୁଳ ନିବିଡ଼ତାର ନିରବ ପ୍ରାର୍ଥନା I ପୁଳାଏ ଆଶା, ପୁଞ୍ଜାଏ ଆଶ୍ବାସନା ଭିତରେ ନୀଳିମା ଠିଆ ହୋଇଛି ଦୂର- ବହୁ ଦୂର ହେଇ ଦିଶୁଥିବା ଝରକା କଡ଼ରେ ।
ଝରକା ସେପଟେ ଅଛି ଆକାଶ ଛୁଉଁଥିବା କୃଷ୍ଣଚୂଡ଼ାର ରକ୍ତବର୍ଣ୍ଣ ଭରା ବଣ । ପୁଳାଏ ଦାନା ଖୁଣ୍ଟୁଥିବା ପକ୍ଷୀ ଚାକୁଣ୍ଡା ଗଛ ତଳେ । ଚାକୁଣ୍ଡା ଗଛରେ ଗଛେ ଗୋଲପୀ ବାସ୍ନାହୀନ ଫୁଲ । ଝାଉଁଳି ପଡ଼ୁଥବା ଦ୍ବିପ୍ରହର ପରର, ପତ୍ର ଗହଳରେ କୋଇଲିଟେ କୁହୁତାନ କରୁଛି ରହିରହି I ଚାକୁଣ୍ଡା ଗଛ ଡାଳରେ ଦି’ଟା ଟାୟାର ଲଗା ଦୋଳିରେ ଓହଳି ପଡ଼ି ଅଧାଲଙ୍ଗଳା କାଳିଆ ପିଲା କେଇଟା ଆବୁରୁଜାବୁରୁ ତେଲୁଗୁ ଭାଷାରେ କେତେ ଖୁସି ମଜାର କଥାବାର୍ତ୍ତା ହେଉଛନ୍ତି । ଦୋଳି ଖେଳୁଛନ୍ତି ।
ଆହା! ସରିଯାଉଛି ଜୀବନ କି ? ନୀଳିମା ସତରେ କ’ଣ ହଜିଯିବ ନୀଳ ଆକାଶର ନୀଳ ସମୁଦ୍ର ଭିତରେ ? ନୀଳ ପାହାଡ଼ର ନୀଳ ପବନ ଭିତରେ । ନୀଳ
ରଙ୍ଗର ଅସମାପ୍ତ ଢେଉ କ’ଣ ହଜାଇଦେବ ନୀଳିମାକୁ ? ହଠାତ୍ ତାକୁ ଅପରାହ୍ନ ଭାରି ଖାଁ ଖାଁ ଲାଗିଲା । ଖାଇ ଗୋଡ଼େଇଲା ତା’ର ଶୋଇବାଘର । ଉଆର୍ଡ଼ରୋବର ଚାବି ଖୋଲି ଦୁଇ ଦରଜାକୁ ଖୋଲି ଉଣ୍ଡାଳିଲା । ପୁଳାଏ ନୂଆ ପୁରୁଣା ଲୁଗା ଭର୍ତ୍ତି ହୋଇଛି । ଏବେ ମଧ୍ୟ ଅଧା ଲୁଗା ନୂଆ; ଜରି ମଧ୍ୟ ଛଡ଼ା ଯାଇନି । କଢ଼ାଯାଇନି ମୂଲ୍ୟ ନିର୍ଦ୍ଧାରିତ ଟ୍ୟାଗ ଶାଢ଼ୀରୁ । ପୁଳାଏ ଡ୍ରେସ । ସବୁ ରକମର ଡ୍ରେସ୍ ପିନ୍ଧେ ନୀଳିମା । ନିଜକୁ ଅପଟୁଡେଟ୍ ରଖେ ସମୟ ସହ ତାଳ ଦେଇ ।
ମାତ୍ର ଆଜିକାଲି ନାଇଟି ଛଡ଼ା କିଛି ପିନ୍ଧେ ନାହିଁ । ମୁଣ୍ଡରୁ ଉଲୁରି ପଡ଼ୁଛି ଚୁଟି । ଆଉ ନାହିଁ କହିଲେ ଚଳେ । ଯେମିତି ନଡ଼ିଆକତାରୁ ଗୁଣ୍ଡଗୁଣ୍ଡ ରୁଆରୁଆ ଗୁଣ୍ଡ ଝରିବା ପରି ମୁଣ୍ଡରୁ ବାଳ ଉତୁରି ଯାଉଥିଲା । ମୁଣ୍ଡ ନଣ୍ଡା । ନିଜକୁ ସେ ଲୁଚାଉଥିଲା ନିଜଠାରୁ, ପୁଅଠାରୁ, ସ୍ୱାମୀଠାରୁ, ସମସ୍ତଙ୍କଠାରୁ । ଏକା କରି ଦେଉଥୁଲା ବେଡ୍ସିଟ୍ ତଳେ, ବାଥରୁମ୍ ବେସିନ ପାଖରେ, ପାପୁଲି ଭିତରେ । ନିଜର ଲୁହ, ନିଜର ଦୁଃଖ, କ୍ଷୋଭ, ଯନ୍ତ୍ରଣା ଓ ଅସହାୟତାମାନଙ୍କ ଭିତରେ ନିଜକୁ ଦୃଢ଼ କରିବା ପାଇଁ ପୁଣି ଆଶ୍ବାସନା ଦେଉଥିଲା । ଅନ୍ୟମାନଙ୍କଠାରୁ ନିଜକୁ ଲୁଚାଇ, ନିଜକୁ ସାମର୍ଥ୍ୟ ଦେଉଥିଲା ସାମ୍ନା କରିବା ପାଇଁ ଅନ୍ୟମାନଙ୍କ ଆଗରେ ।
ଉଣ୍ଡାଳି ବାଛିଲା ଗାଢ଼ ଖଇରି ରଙ୍ଗର ନୂଆ ସୂତା ଶାଢ଼ି ଖଣ୍ଡେ, ବହୁଦିନ ପରେ ପିନ୍ଧିଲା ଅନ୍ତଃବାସ । ବ୍ଲାଉଜ, ସାୟା! ! ସବୁ ଗଳଗଳ ଢିଲା । ସେ ସେପ୍ଟିପିନ୍ ମାରି ଟାଇଟ କଲା ବ୍ଲାଉଜ । ପୋଷେ ତାଜା ରକ୍ତ ଓ ପୋଷେ ସତେଜ ସୁଖ ଲୋଡ଼ା ତା’ର, ମୁଠାଏ ଉଲ୍ଲାସଭରା ଜୀବନଟେ ପାଇଁ ଖୁସି ଖୋଜିବାକୁ ବ୍ୟସ୍ତ ଆଜି ନୀଳିମା । ଜିଇବା ପାଇଁ କେତେ ତୀବ୍ର ବ୍ୟାକୁଳତା ଆଜି; ବୁଝିପାରୁଛି ସେ । ନିଜକୁ ସଜ କଲା । ନିଜର ଡ୍ରେସିଙ୍ଗ ଟେବୁଲ ଡ୍ର’ରୁ ବାହାର କଲା ଫାଉଣ୍ଡେସନ, କ୍ରିମ୍, ହ୍ବାଇଟ୍ଟୋନ୍ ପାଉଡ଼ର । ଲିପ୍ଷ୍ଟିକ୍, କାଜଲ୍ ଆଇଲାଇନର୍ । ମସ୍କରା, ଲିପ୍ ଗ୍ଲସର୍, ନେଲ୍ପଲିସ୍ ! !
ନୀଳିମା କଳା ପଡ଼ିଯାଇଥିବା ନଖମାନଙ୍କୁ ଗାଢ଼ ଖଇରି ରଙ୍ଗରେ ବୁଡ଼ାଇଦେଲା । ତା’ ଉପରେ ଧଳାରଙ୍ଗର ଟିପାଟିପା କରି ନେଲ୍ଆର୍ଟ କଲା । ଆଜିକାଲି ଏଇଟା ଫ୍ୟାସନ୍ ଟ୍ରେଣ୍ଡ । ଦି’ଟା ଦି’ଟା ମୁଦି ଏକାଠି କରି ଗୋଟିଏ ଆଙ୍ଗୁଠିରେ ପିନ୍ଧିଲା । ନାକରେ ହୀରା ଫୁଲ, କାନରେ ଲମ୍ବା ସୂଇଧାଗାର କାନଫୁଲ । ବେକରେ ଦୁଇ ତିନୋଟି ଛୋଟ ବଡ଼ ଚେନ୍ ସାଙ୍ଗରେ ଲକେଟ୍ । ଫାଉଣ୍ଡେସନ୍ରେ ନିଜ ମୁହଁର ଦାଗମାନଙ୍କୁ ଲୁଚାଇଦେଲା । ଗାଢ଼ କଳାରଙ୍ଗର କାଜଲରେ ଆଖିର ନିସ୍ତେଜପଣକୁ ହଜେଇ ଦେବାକୁ ଚେଷ୍ଟା କଲା । ନୀଳିମା ଗାଢ଼ ନାଲି ରଙ୍ଗର ବଡ଼ ଟିପାଟେ ପିନ୍ଧିଲା କପାଳରେ । ନିଜର ନଣ୍ଡା ମୁଣ୍ଡକୁ ଘୋଡ଼ାଇବାକୁ ଯାଇ ଖୋଜିଲା ନିଜର ରୁମାଲ, ସ୍କାର୍ପ । ସେଇ ସବୁରେ ନଣ୍ଡାମୁଣ୍ଡକୁ ବାନ୍ଧି ଦେଖିଲା କେହି ମାନୁନାହାନ୍ତି ଏ ଶାଢ଼ି ସାଙ୍ଗରେ । ନିଜର ନଣ୍ଡାମୁଣ୍ଡକୁ ନେଇ ସେ ଖୁସି ହେଲା । ନିରିଖେଇ ଦେଖିଲା ଦର୍ପଣରେ, ନିଜକୁ ନିଜେ କହିଲା, ” ଭଲ ଦିଶୁଛୁ ତ… ।” ସମର୍ଥନ ଦେବା ପାଇଁ ନିଜକୁ ।
ଏମିତି ବି ଖୁବ୍ ସୁନ୍ଦର ଦିଶିପାରେ ସେ! ଏଇଟା ତ ଏବେକାର ଲାଟେଷ୍ଟ ବଲିଉଡ଼ ଫ୍ୟାସନ୍ । ଗଲା କେଇଦିନର ର୍ୟାମ୍ପ ସୋ’ରେ ଦେଖିଛି ଅନେକ ମଡ଼େଲ୍ଙ୍କୁ ନଣ୍ଡା ହୋଇ ଚାଲିବାର । ” ଏଇ ସ୍ଥିତିକୁ ସେମିତି ନିଆଯାଇପାରେ” କହି ଚୁଟ୍କି ବଜାଇ, ଦର୍ପଣ ଛାଡ଼ି ଆସିଲା ଦାଣ୍ଡ ବଖରାକୁ ।
ଯେଉଁଠି ମାଧବର ଅଧାଖିଆ କଳଖିଆ ପ୍ଲେଟ୍ ଓ ଅଇଁଠା ଚା’ କପ୍ ଥୁଆ ହୋଇଥିଲା ଟି’ପୟ ଉପରେ । ସେଇଠି ତା’ର ଭାଇ ବସି ପଢ଼ୁଥିଲା ଖବରକାଗଜ । ଚଟାଣରେ ତା’ର ଭାଉଜ ବସି କାଟୁଥିଲା ପରିବା । ଦୁହେଁ ନୀଳିମା ପାଇଁ ଘର ଛାଡ଼ି ରହିଛନ୍ତି ଏଠି । ସେ ସେମାନଙ୍କର ପ୍ରିୟ ମଣିଷ । ଏମିତି କିଛି ନିଃସର୍ତ୍ତ ଭଲପାଇବା ପାଖରେ ମଣିଷ ସବୁକାଳେ ବାନ୍ଧି ହୋଇପଡ଼େ ବିନା ଜଞ୍ଜିରରେ ନିଶ୍ଚୟ !
ଦୁହେଁ ନୀଳିମାକୁ ହଠାତ୍ ଏପରି ଦେଖି ସ୍ତବ୍ଧ ହୋଇଗଲେ କେଇ କ୍ଷଣ । ଠିଆ ହୋଇପଡ଼ି ଗୋଟେ ଉତ୍ସାହିତ ଉଦ୍ବେଗରେ ତା’ର ଭାଇ କହି ପକାଇଲା, “ତୁ କେତେ ସୁନ୍ଦର ଦିଶୁଛୁ କିଲୋ ଦେଈ… ।” ନୀଳିମା ହସିଲା ମିଠା ହସ । କୁଣ୍ଢାଇ ପକାଉଛି ତା’ର ଭାଇ । ଖୁବ୍ ଖୁସି ହେଲେ ଏମିତି ଆତ୍ମହରା ହୋଇ ତା ଦେଈକୁ କୁଣ୍ଢାଇ ପକାଏ ! ନୀଳିମା ହସିଲା ଗୋଟେ ଶୁଷ୍କ ହସ ଆଉଥରେ । ଧାରେ ଲୁହ ଝରିଆସିଲା ଗାଲ ଦେଇ ବେକ ଆଡ଼କୁ ।
ଆନା – ତା’ର ଭାଉଜ, ପରିବାକଟା ହାତକୁ କାନିରେ ପୋଛି ପକାଇ କାଣିଆଙ୍ଗୁଠିରେ ବୁନ୍ଦାଏ କଳା ଆଣି କପାଳର କଡ଼କୁ ଟିପାଟେ କରି ଦେଲା ନଣ୍ଡା ମୁଣ୍ଡରେ ।
“କାହାର ନଜର ନଲାଗୁ ତୁମଠି”, କହିଲା ଆନା କଳା ଟିପା ଲଗାଉ ଲଗାଉ ।
“କାହାର ?” ଉଦାସ ଭାବେ ପଚାରିଲା ନୀଳିମା । ” ଯାହାର ବି ହେଉ । ଜୀବନକୁ… ମୃତ୍ୟୁର…. ! ! ତୁମେ ଆମ ପାଇଁ ଅନନ୍ୟ । ତୁମର ତୁଳନା ନାହିଁ ଦିଦି ! ! ତୁମେ ଶୀଘ୍ର ଭଲ ହୋଇଯାଅ !! ତୁମେ ଖୁସିରେ ରୁହ !”
ନୀଳିମା ଆଖିରୁ ଝରଝର ହେଇ ବୋହିଗଲା ଲୁହ । ଅବଦମିତ କୋହକୁ ଆଉ ଚାପି ହେଉ ନ ଥିଲା । ତା’ପରେ ସବୁ ଯେମିତି ଶୂନ୍ୟ ହୋଇଗଲା ।
ସେ ମୂର୍ଛ୍ଛିତ ହେଇଗଲା କେଇ ଘଣ୍ଟା । ପରେ ଯେତେବେଳେ ନିଜକୁ ସେ ଆବିଷ୍କାର କଲା, ସେ ଥିଲା ମାଧବର ଛାତି ଉପରେ I କୁନିଛୁଆଟେ ପରି ଶୋଇଥିଲା । ନିଜର ନଣ୍ଡାମୁଣ୍ଡ ଥିଲା ମାଧବର ଡାହାଣ ଗାଲ ଉପରେ । ମାଧବ ସାଉଁଳେଇ ଦେଲା ତା’ର ନଣ୍ଡା ମୁଣ୍ଡକୁ । ଅଜସ୍ର ଗେଲରେ ପୋତି ପକାଇଲା ଟାଙ୍ଗରା ମୁଣ୍ଡକୁ । ଅଜସ୍ର ଗେଲରେ ପୋତି ପକାଇଲା ଟାଙ୍ଗରା ମୁଣ୍ଡକୁ ।
ଲାଜ ଲାଗିଲା ନୀଳିମାକୁ । ସେ ଲାଜଲାଜ ହୋଇ ମୁହଁ ଗୁଞ୍ଜିଦେଲା ମାଧବର ଲୋମଶ ଛାତିରେ ।
ମାଧବ ଆଉ ଥରେ ଶ୍ରଦ୍ଧାରେ ଗାଢ଼ ଚୁମ୍ବନଟେ ଦେଇ କହିଲା ନୀଳିମାକୁ, “ତୁମେ ଦୁନିଆର ସବୁଠାରୁ ସୁନ୍ଦର । ସବୁଠାରୁ ସୁନ୍ଦରତମ, ଶ୍ରେଷ୍ଠ ନାରୀ ନୀଳିମା ।”
ଚାରିପାଖ ଗୋଟେ ଶୂନ୍ୟ ନିରବତା ଢାଙ୍କି ପକାଇଲା ଯେମିତି ! ପୁଳାଏ ଶବ୍ଦହୀନ ଶୂନ୍ୟତା ସ୍ତବ୍ଧ କରିଦେଲା ସେଦିନର ଅପରାହ୍ନକୁ !

There are 5 comments
Bhagaban Panda Bhagat
September 19, 2024 at 4:46 pm
” ଅଭିନବ ଚଉକାଠ ” ସେପ୍ଟେମ୍ବର – ୨୪ ସଂଖ୍ୟା ଦେଖିଲି ଓ ପଢ଼ିଲି, ଆହ୍ଲାଦିତ ଓ ବିଭୋର ହେଲି ! ବିଶେଷ ପ୍ରତିବେଦନ ରେ ପୂଜ୍ୟ ୰ ରମେଶ ଚନ୍ଦ୍ର ବେହେରାଙ୍କ ସମ୍ପର୍କରେ ଅନେକ କଥା ଜାଣିହେଲା । ପ୍ରହ୍ଲାଦ ଶତପଥୀଙ୍କ କବିତା ” ତପସ୍ୱୀ ରାତି ” ଏକ ଚମତ୍କାର କବିତା ! ଅନ୍ୟ ଦୁଇଟି କବିତା ବି ଭଲ ଲାଗିଲା । ମହାଶ୍ୱେତା ସାହୁଙ୍କ ଗପ ” ଶବ୍ଦସବୁ ହଜିଯିବା ପରେ ” ଖୁବ୍ ହୃଦୟସ୍ପର୍ଶୀ ହେଇ ପାରିଛି ।
ଶେଷରେ – ସାହିତ୍ୟ ଓ କବିତା ପାଇଁ ଆପଣଙ୍କର ଅଙ୍ଗୀକାର ବଦ୍ଧତା କୁ ପ୍ରଣାମ କରୁଛି । ତତ୍ ସମ୍ପର୍କରେ ଯେତେ ଯାହା ବଖାଣିଲେ ବି କମ୍ ହେବ ! “ଚଉକାଠ ” ର ବିଶେଷ ପାଠକ ଓ ଦର୍ଶକାଦୃତ କାମନା କରୁଛି । ସମସ୍ତଙ୍କୁ ସାଦର ଶୁଭେଚ୍ଛା ଓ ଅଭିନନ୍ଦନ
ଧନ୍ୟବାଦ କବି। ସାମଗ୍ରିକ ଭାବରେ ଆପଣଙ୍କ ମନ୍ତବ୍ୟ ଓ ଶୁଭେଚ୍ଛା ଆମକୁ ଉତ୍ସାହିତ କରିବ।
ଗଳ୍ପ “ଶବ୍ଦ ସବୁ ହଜିଯିବା ପରେ ” ବହୁତ ଭଲ ଲାଗିଲା
ନୀଳିମା ଖୋଜୁଥିଲା ସେହି ଜୀବନକୁ ଯାହା ଏବେ ସ୍ମୃତି ହୋଇ ଆକର୍ଷିତ କରୁଛି ତାକୁ ରୋଗର ଚାଦର ତଳୁ ।
ମହେଶ୍ବତା ସାହୁଙ୍କୁ ଅଜସ୍ର ଅଭିନନ୍ଦନ
ଚୌକାଠ ରେ ଏ ସଂଖ୍ୟା ରେ ଭାବପ୍ରବଣ ହେଲି ନାରୀ ର ସ୍ଥିତି, ସୁରକ୍ଷା, ଜୀବନ ଯନ୍ତ୍ରଣାର ଶେଷ କୋଉଠି? ଚିରକାଳ ଚୌକାଠ ରେ ଜୀବନ ତ୍ରିଶଙ୍କୁ… ସମ୍ପାଦକୀୟ ଅନ୍ୟମନସ୍କ କଲା 🙏ଏପରି ସାଧୁ ସାରସ୍ୱତ ପ୍ରୟାସ ରେ ପତ୍ରିକା ଟି ପାଇଁ ଶୁଭେଚ୍ଛା ଓ ଆପଣଙ୍କୁ ଅଶେଷ ଧନ୍ୟବାଦ 🙏
‘ଶବ୍ଦ ସବୁ ହଜିଗଲା ପରେ ‘ ଜୀବନ ଭୋଗର ଏକ ବାସ୍ତବ ପ୍ରକାଶ।
ସତ୍ୟକୁ ଏ ଗଳ୍ପ ଯେପରି ସୌନ୍ଦର୍ଯ୍ୟ ଦେଇଛି , ତା ଏତେ ବାସ୍ତବ ଲାଗୁଛି, ଶୁଣୁଥିଲେ ଲାଗୁଛି ଲିଲିମା ଯେମିତି ସତ ହେଇ ପାଠକ ଆଗରେ ଦିଶୁଛି।
ଭାରି ଭଲ ଲାଗିଲା ଗଳ୍ପ।