।। ଆବୃତ୍ତି : ତ୍ରିନାଥ ସିଂହ ।।
ଛାଇନିଦ
।। ଶର୍ମିଷ୍ଠା ସାହୁ ।।
ରୁହ, ଟିକେ ଛାଇ ନିଦରେ
ଶୋଇପଡ଼େ ।
ମିଛ କଥାମାନଙ୍କୁ ସତ ବୋଲି
ଭାବିସାରେ ।
ତା’ପରେ ଫେରି ଆସିବି ଯେ
ତୁମର ସ୍ମିତହସରେ ତିଆରି
ପୃଥିବୀକୁ।
ଆଖିରେ ହସ ଧାରେ ଥିଲେ
ସବୁ ସୁନ୍ଦର।
ଭଙ୍ଗାପାହାଡ଼, ଥୁଣ୍ଡାଗଛ,
ଅଳନ୍ଧୁ ଭର୍ତ୍ତି ଘର,
ବନ୍ଦ ଝରକା ଓ ଉଦାସ ପରଦା
ସବୁ ସୁନ୍ଦର।
ରୁହ, ଟିକେ କଡ଼ ଲେଉଟାଏ
ହୃଦୟର ବିପରୀତ ଦିଗକୁ ।
ତା’ପରେ ଖୋଜିବି ଯେ
କେଉଁଠି ସଜ୍ଜା ହେଉଥିବ ମେହେଫିଲ୍
ଆହତ ତାରାମାନଙ୍କର !
ଦୁଃଖର ନିଶାରେ ଝୁମି ଉଠୁଥିବ
କୁହୁଡ଼ିଆ ସଞ୍ଜ।
ରୁହ, ପଚାରି ଆସେ
ଗତ ରାତିରୁ ନିଖୋଜ ସେ ଝିଅଟି
ଘରକୁ ଫେରିଲା କି ନାହିଁ ।
ତା’ପରେ ହେଜିବି
ନିରାପଦ ଜାଗାଟେ ଖୋଜି ଖୋଜି
ଇତିହାସରୁ ଯାତ୍ରା ଆରମ୍ଭ କରିଥିବା
ନାରୀଟି
ଏବେ ପହଞ୍ଚିଛି କେଉଁଠି !
ରୁହ, ଟିକେ ପ୍ରଶ୍ବାସ ନିଏ,
ଭଙ୍ଗା ହୃଦୟମାନଙ୍କ ଦୁର୍ବୋଧ ଭାଷା
ବୁଝି ସାରେ ।
ତା’ପରେ କହିବି
କଳି ହେଉ ନଥିବା ଯନ୍ତ୍ରଣାକୁ
ଆତ୍ମସ୍ଥ କରି
କେମିତି ନିର୍ବାକ୍ ହୋଇଯାଏ
ସମୟଟେ !
ରୁହ, ଟିକେ ପରଖି ନିଏ
ବିବେକର ନିଦ କେତେ ଗାଢ଼ ହୋଇପାରେ ।
ତା ପରେ ଦେଖାଇବି
ଏତେ ପ୍ରତିବାଦ, ବିଦ୍ରୋହ,
ଏତେ ପ୍ରାର୍ଥନା, ଅନୁନୟ
ଏତେ ପ୍ରକାର କୋଳାହଳ
ଯେବେ ଭେଦି ପାରୁ ନଥାଏ
ଏ ଦୁର୍ଦ୍ଦିନର ଛାତି,
କିଛି ଅକ୍ଷର,
କେଇ ବୁନ୍ଦା ସ୍ୟାହି ଛିଟା ମାରିଦେଇ
ଦୁର୍ଦ୍ଦିନର ମୁହଁ କଳା କରିଦେଲି ଭାବି
ଖୁସି ହେଉଥାଏ କଲମଟିଏ କେମିତି !!
ଶତାବ୍ଦୀ ନଗର ତାଳଚେର, ଅନୁଗୁଳ
There are 4 comments
ଆଃ….!!! କି ଚମତ୍କାର ସତରେ!
କବିଙ୍କ ବିଷୟରେ ଆପଣଙ୍କ
କହିବାର ପ୍ରଗାଢତା ଖୁବ୍ ଆକର୍ଷଣୀୟ।
ଭାବର ପରିପ୍ରକାଶରେ ସମସ୍ତଙ୍କୁ
ବାନ୍ଧି ରଖିଲା ପରି କବିତା…🙏💐💐
ନିଃସନ୍ଦେହରେ ଏହା ଏକ ଉଚ୍ଚକୋଟିର ଭାବବିନ୍ୟାସର କବିତା। କି ଚମତ୍କାର କବିକର୍ମ ଓ କାରୁକାର୍ଯ୍ୟ କବିତାରେ…!! ଯାହା ପାଠକକୁ ଚକିତ ଓ ଉଲ୍ଲସିତ କରିବ। ଏ କବିତା ଅନନ୍ତ ଯାଏଁ ସଂଚରିଯିବାର ସାମର୍ଥ୍ୟ ରଖେ। ଆପଣଙ୍କୁ ଧନ୍ୟବାଦ ଓ କବିଙ୍କୁ ଅଭିନନ୍ଦନ।
ଆଖି ରେ ହସ ଧାରେ ଥିଲେ ସବୁ ସୁ ନ୍ଦ୍ ର।
ଚମ ତ୍କାର କବିତା।
ନିଶ୍ଚିତ ରୂପେ।
ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।