ଖସି ଯାଉଥାଏ ସମୟ
।। ବିଜୟ ରାୟ ।।
ଛୋଟ ଝରକା ଆଖିରେ
ବଡ଼ ପୃଥିବୀର ଦୃଶ୍ୟ ଭାରି
ଭଙ୍ଗା ଭଙ୍ଗା !
ଲୁହ କେବଳ କଥା କୁହେ,
ଶବ୍ଦ ସେତେବେଳେ ଘୁଙ୍ଗା !
ଜୀବନ ଜନ୍ମେଇବା ପାଇଁ
ଲାତଘୁଷା ସହେ
ଜୀବନ ଫୁଙ୍କିବା ପାଇଁ
ଥନ ନିଚୁଡ଼ିଦିଏ
ଜୀବନର ମନ ମତାଣ ପାଇଁ
ଯୌବନ ଉଜାଡି…
ତଣ୍ଟିଆ ଖାଏ !
ଲତାଟିଏ ପରି ଆଶ୍ରାରେ ମାଡ଼ିବ
କି ଗୁଳ୍ମଟିଏ ପରି ନିଜେ ଠିଆହେବ…
ଏଇ ଆଖଡ଼ା ସରୁ ସରୁ
ବାରବାର ନାଟକ
ଫ୍ଲପ ହେଇଯାଏ !!
ଅଛି, ଅଛି;
ଛାତି ତଳେ ତା’ର ବି
ହଳହଳ ମହୁମାଛି, ପ୍ରଜାପତି
କାକର ଓ କାକଳି
ଅଛି ବି ନାତିଶୀତୋଷ୍ଣ ପବନର
ରୋମାଞ୍ଚିତ ଗହଳି !!
ସୁଖକୁ ଜିଣି ପାରେନା
ଦୁଃଖକୁ ହରେଇ ପାରେନା !
କଞ୍ଚାମାଟିର ପେଣ୍ଡୁଳାଟିଏ ପରି
ବୁଝିପାରେନା…
ଏ ଘୂର୍ଣ୍ଣନ ଆଉ କେତେ ବାକି?
ଜଞ୍ଜାଳର ଗଭୀରତା ଛୁଇଁଥିବା ଚେରକୁ,
ଉପରଠାଉରିଆ ସୋହାଗ ସିଞ୍ଚନ
କି ଲୋଡା ?
ଖରା ତେଜିଲା ବେଳକୁ
ସିନ୍ଦୂର ମଥାକ ବହିସାରିଥାଏ…
ପାଣି ହୋଇ ନାକ ଉପରେ
ଅଭାଗା ଭାଗ୍ୟରେ ନଥାଏ, ଯେମିତି
ଆନନ୍ଦ ବଜାରରେ
ବଢ଼ାସରିଥିବା ଅବଢ଼ା !!
ଖୁନୀ ଖୁମାଣ ବି
ହାତଧରି ଟାଣେ ମହକେଇବାକୁ
ଗୋଟେ ନିର୍ଜନ ଖରାବେଳ !
ଅଙ୍କନ ଆଙ୍କିବାକୁ ଥିବା ଚିତ୍ରଖାତାରେ ,
ମରିସାରିଥାଏ ଆଶାର ଅଙ୍କୁର !
ରକ୍ତ ଜୁଡୁବୁଡୁ ଶରାହତ ଡେଣାରେ
ଉଡ଼ାଣ ପାଇଁ କିଛି
ମନୋବଳର ଇନ୍ଧନ
ବାକିଥାଏ ବୋଲି
ଉଡୁଥାଏ ଗୃହସ୍ଥିର ଆକାଶରେ !
ଅଧା ବୁଡ଼େଇ ଲୋଟାକୁ
କେମିତି ଅଧାପନ୍ତରିଆ କରି
ଛାଡ଼ି ଦିଅନ୍ତା ଦଉଡ଼ିକୁ
ପାଣି କାଢ଼ିଲା ବେଳେ ?
ଦିନପରେ ଦିନର ପୃଷ୍ଠାରେ
ଯୋଡ଼ା ଚାଲିଥାଏ…
ଗୋଟେ ପରେ ଗୋଟେ ଦୁଃଖ
କିଛି ଅଛିଣ୍ଡା ଗଣିତ !
ସେ ସମୟର ସ୍ୱର କାହିଁ
ଯିଏ ଘୋଷଣା କରିବ :
ଏଇଠି ପୋତ ପତାକା !
ଏଥର ତୁମେ ମୁକ୍ତ !!
, ଭୁବନେଶ୍ୱର, ମୋ:୬୩୭୦୦୬୩୮୨୩
There is 1 comment
ସମୟତ ଏମିତି ଖସି ଖସି ଯାଉଥାଏ। ତେଣିକି ସେ ନାରୀ ହେଉ କି ପୁରୁଷ, ଜୀବନରେ ତା’ର ମୁକ୍ତି କାହିଁ ଯେ ? ସେ’ତ ଜୀବନ ଥିବାଯାଏ ପ୍ରତି ନିୟତ ବାନ୍ଧି ହୋଇଥାଏ କେଉଁ ନା କେଉଁ ସମ୍ପର୍କରେ , କେତେବେଳେ ସୀମନ୍ତର ସିନ୍ଦୁର ହୋଇତ କେତେବେଳେ ମାଆ ପେଟର ଛୁଆ ଆଉ ଯୈୗବନର ଦେହ ହୋଇ। ଦାୟିତ୍ବର ବୋଝରେ ସରି ଯାଉଥାଏ ବୟସ ,ହେଲେ ସେତ ନଛୋଡ଼ ବନ୍ଧା, ଲାଗିଥାଏ ଲୋଟାରେ ପାଣି ନଭରିବା ଯାଏ।
ଧନ୍ୟବାଦ ସହ
ଶୁଭ ନାରାୟଣ ସ୍ଵାଇଁ