
କୋଲକାତାର ଶ୍ରୀରାମପୁର ସହର । ଏକ ବିରାଟ ସାହିତ୍ୟସଭା ଓ କବି ସମ୍ମିଳନୀ ଅନୁଷ୍ଠିତ ହେଉଥାଏ । ଶ୍ରୀରାମପୁର ଲାଇବ୍ରେରୀ ହଲ୍ରେ ପ୍ରବଳ ଜନସମାଗମ । ସଭାର ମୁଖ୍ୟଅତିଥି ଭାବରେ ଯୋଗଦେବେ ବଙ୍ଗଳାର ସୁବିଖ୍ୟାତ କବି, ପ୍ରେମେନ୍ଦ୍ର ମିତ୍ର । ସଭା ଆରମ୍ଭ ହେବାର ସମୟ ଅତିକ୍ରାନ୍ତ ହୋଇସାରିଛି, କିନ୍ତୁ ସଭା ଆରମ୍ଭ କରାଯାଇ ପାରୁନାହିଁ; କାରଣ, ମୁଖ୍ୟଅତିଥି ଏପର୍ଯ୍ୟନ୍ତ ପହଞ୍ଚି ପାରିନାହାଁନ୍ତି । ଉପସ୍ଥିତ କବି, ଲେଖକ, ସାହିତ୍ୟପ୍ରେମୀ, ଶ୍ରୋତା ତଥା ଉଦ୍ୟୋକ୍ତାମାନେ ଅପେକ୍ଷା କରି ରହିଛନ୍ତି ମୁଖ୍ୟଅତିଥିଙ୍କର ଆଗମନକୁ । ବାହାରେ ପ୍ରବଳବର୍ଷା । ଅନେକ ସମୟ ଅପେକ୍ଷା କରିବା ପରେ ଉଦ୍ୟୋକ୍ତାମାନେ ନିଷ୍ପତ୍ତି ନେଲେ ଯେ କବିତାପାଠର କାର୍ଯ୍ୟକ୍ରମ ଆରମ୍ଭ କରି ଦିଆଯାଉ; ମୁଖ୍ୟଅତିଥି ଆସିବା ପରେ ବରଂ ସଭାକାର୍ଯ୍ୟ ଆରମ୍ଭ କରାହେବ । ନିଷ୍ପତ୍ତି ଅନୁସାରେ କବିତାପାଠ କାର୍ଯ୍ୟକ୍ରମ ଆରମ୍ଭ ହେଲା । ବର୍ତ୍ତମାନ ବଙ୍ଗଳାସାହିତ୍ୟର ମୂର୍ଦ୍ଧଣ୍ୟ ତଥା ସରସ୍ଵତୀସମ୍ମାନ ବିଭୂଷିତ କବି, ଗାଳ୍ପିକ ଓ ଔପନ୍ୟାସିକ ସୁନୀଲ ଗଙ୍ଗୋପାଧ୍ୟାୟ ସେତେବେଳେ ତରୁଣ… । ସେତେବେଳେ ତାଙ୍କର କେତୋଟି ମାତ୍ର କବିତା କିଛି ପତ୍ରପତ୍ରିକାରେ ପ୍ରକାଶ ପାଇଥାଏ। ଦୁଇ ତିନିଜଣ କବିଙ୍କ ପରେ ସୁନୀଲ ଗଙ୍ଗୋପାଧ୍ୟାୟଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରଣ କରାଗଲା । ସୁନୀଲ ଗଙ୍ଗୋପାଧ୍ୟାୟ ମଞ୍ଚ ଉପରକୁ ଯାଇ କବିତା ପଢିବା ଆରମ୍ଭ କଲେ । ମାତ୍ର ଦୁଇ-ତିନିଧାଡ଼ି ପଢ଼ିଥାଆନ୍ତି, ହଠାତ୍ କୋଳାହଳ ଆରମ୍ଭ ହୋଇଗଲା । ମୁଖ୍ୟଅତିଥି ପ୍ରେମେନ୍ଦ୍ର ମିତ୍ର ସେତେବେଳେ ସଭାଗୃହ ଭିତରକୁ ପ୍ରବେଶ କରୁଥିଲେ ଏବଂ ତାଙ୍କୁ ସ୍ବାଗତ କରିବା ପାଇଁ ଉଦ୍ୟୋକ୍ତାମାନେ ତତ୍ପର ହୋଇଉଠିଥିଲେ । ଉପସ୍ଥିତ କବି, ସାହିତ୍ୟପ୍ରେମୀ ଶ୍ରୋତାମାନେ ମଧ୍ୟ ପ୍ରେମେନ୍ଦ୍ର ମିତ୍ରଙ୍କ ଆଗମନରେ ଉତ୍ଫୁଲ୍ଲିତ ହୋଇ ପଡ଼ିଲେ । ମଞ୍ଚ ଉପରେ ଯେ ଜଣେ କବି କବିତା ପାଠ କରୁଛନ୍ତି ଏକଥା ସମସ୍ତେ ଭୁଲିଗଲେ । ସୁନୀଲ ଗଙ୍ଗୋପାଧ୍ୟାୟ କିଛିଟା କିଂକର୍ତ୍ତବ୍ୟବିମୂଢ ହୋଇ କେଇ ମୁହୂର୍ତ୍ତ ମାଇକ୍ରୋଫୋନ୍ ସାମ୍ନାରେ ଛିଡ଼ା ହୋଇ ରହିବା ପରେ ମାଇକ୍ ଛାଡ଼ି ତଳକୁ ଓହ୍ଲାଇ ଆସିଲେ । ପ୍ରେମେନ୍ଦ୍ର ମିତ୍ର ମଞ୍ଚ ଉପରେ ଆସନ ଗ୍ରହଣ କରିବା ପରେ କୋଳାହଳ ପ୍ରଶମିତ ହେଲା । ସୁନୀଲ ଗଙ୍ଗୋପାଧ୍ୟାୟଙ୍କୁ ପୁଣି ମଞ୍ଚ ଉପରକୁ ଆମନ୍ତ୍ରଣ କରାଗଲା କବିତା ପଢ଼ିବା ପାଇଁ, କିନ୍ତୁ ସୁନୀଲ କବିତା ପଢିବା ପାଇଁ ମନା କରିଦେଲେ । ବାହାରେ ପ୍ରବଳବର୍ଷା ହେଉଥିଲା, ନଚେତ୍ ତରୁଣ କବି ସେଦିନ ସଭାଗୃହ ଛାଡ଼ି ଚାଲିଯାଇଥାନ୍ତେ । ସୁନୀଲ କବିତା ପଢିବା ପାଇଁ ମନା କରିଦେବା ପରେ ପରବର୍ତ୍ତୀ କବିଙ୍କୁ କବିତା ପଢିବା ପାଇଁ ଆମନ୍ତ୍ରଣ କରାଗଲା । ମଞ୍ଚ ଉପରେ ମୁଖ୍ୟଅତିଥି ଭାବରେ ବସିଥିବା ସେତେବେଳର ବିଖ୍ୟାତ ଜନପ୍ରିୟ କବି ପ୍ରେମେନ୍ଦ୍ର ମିତ୍ର ଅନୁଭବ କରିପାରିଲେ, ସାହିତ୍ୟଜଗତରେ ସଦ୍ୟ ପାଦ ଥାପିଥିବା ଜଣେ ତରୁଣ କବିର ପ୍ରଚଣ୍ଡ ଅଭିମାନକୁ । ପ୍ରେମେନ୍ଦ୍ର ମିତ୍ର ହଠାତ୍ ମଞ୍ଚ ଉପରୁ ତଳକୁ ଓହ୍ଲାଇ ଆସି ସୁନୀଲ ଗଙ୍ଗୋପାଧ୍ୟାୟଙ୍କ ହାତ ଧରି ମଞ୍ଚ ଉପରକୁ ପାଛୋଟି ନେଲେ ଓ କବିତା ପଢିବା ପାଇଁ ଅନୁରୋଧ କଲେ ।
ପ୍ରେମେନ୍ଦ୍ର ମିତ୍ରଙ୍କ ଆଦରରେ ଦ୍ରବୀଭୂତ ସୁନୀଲ କବିତା ପଢିଲେ । ସୁନୀଲ କବିତା ପଢ଼ିସାରିବା ପରେ ସୁନୀଲଙ୍କ କବିତାର ପାଣ୍ଡୁଲିପି ମାଗିନେଲେ ବରିଷ୍ଠ କବି ପ୍ରେମେନ୍ଦ୍ର ମିତ୍ର । କେବଳ ସେତିକି ନୁହେଁ, ସଭାକାର୍ଯ୍ୟ ଶେଷ ହେବା ପରେ ସୁନୀଲଙ୍କୁ ଡାକି ନିଜ ଗାଡିରେ ବସାଇ ନେଇଗଲେ ।

ଏହି କାହାଣୀ କିନ୍ତୁ ଏହିଠାରେ ଶେଷ ହେଲା ନାହିଁ । ଏହି ଘଟଣାର ଦଶଦିନ ପରେ ଜୀବନରେ ପ୍ରଥମଥର ପାଇଁ ସୁନୀଲ ଆକାଶବାଣୀର ଏକ କବି ସମ୍ମିଳନୀରେ ଯୋଗ ଦେବାପାଇଁ ନିମନ୍ତ୍ରିତ ହେଲେ । ସେତେବେଳେ ତରୁଣ କବିମାନେ ଆକାଶବାଣୀର କାର୍ଯ୍ୟକ୍ରମରେ ଆମନ୍ତ୍ରିତ ହେବା ଖୁବ୍ ଦୁର୍ଲଭ ଘଟଣାଥିଲା । କବିତା ଜଗତରେ ସଦ୍ୟ ପାଦଥାପିଥିବା ସୁନୀଲ ଏହି ଆମନ୍ତ୍ରଣ ପାଇ ରୀତିମତ ଅବାକ୍ ହୋଇ ପଡିଥିଲେ ।
ଆକାଶବାଣୀର ସେହି କବି ସମ୍ମିଳନୀଟି ଥିଲା ଅଭିନବ, ଡେଲହାଉସୀ ସ୍କୋୟାର ନିକଟରେ ଗାରଷ୍ଟିନ ପ୍ଲେସର ପୁରୁଣା ବେତାରକେନ୍ଦ୍ର । ସେହି କୋଠାର ଛାତ ଉପରେ ଅସ୍ଥାୟୀ ମଞ୍ଚ ନିର୍ମାଣ କରାଯାଇଥିଲା । ଶ୍ରୋତା ଭାବରେ ଆମନ୍ତ୍ରିତ ହୋଇଥିଲେ ଅନେକ ବିଖ୍ୟାତ କବି ଓ ଲେଖକ । ସୁନୀଲ ଗଙ୍ଗୋପାଧ୍ୟାୟ ଥିଲେ ସେହି କବି ସମ୍ମିଳନୀର ସର୍ବକନିଷ୍ଠତମ କବି। ତା’ପର ଦିନ ସମସ୍ତ ବଙ୍ଗଳା ଖବରକାଗଜରେ ବିଖ୍ୟାତ କବିମାନଙ୍କ ଗହଣରେ ସୁନୀଲ ଗଙ୍ଗୋପାଧ୍ୟାୟଙ୍କର ଫଟୋ ପ୍ରକାଶ ପାଇଥିଲା । କୌଣସି ଖବରକାଗଜରେ ସମ୍ଭବତଃ ତାହା ହିଁ ଥିଲା କବି, ଲେଖକ ସୁନୀଲ ଗଙ୍ଗୋପାଧ୍ୟାୟଙ୍କର ପ୍ରଥମ ପ୍ରକାଶିତ ଫଟୋ ।
ପରେ ସୁନୀଲ ଜାଣି ପାରିଥିଲେ ଯେ, ପ୍ରେମେନ୍ଦ୍ର ମିତ୍ରଙ୍କ ସୁପାରିସରେ ସେଦିନ ଆକାଶବାଣୀର ସେହି କବି ସମ୍ମିଳନୀକୁ ତାଙ୍କୁ ଆମନ୍ତ୍ରଣ କରାଯାଇଥିଲା।
ଜଣେ ସାଧାରଣ ତରୁଣକବି ପ୍ରତି ବିଖ୍ୟାତକବିଙ୍କର ଏହି ଆଦର ପାଇଁ ସୁନୀଲ ତାଙ୍କର ଆତ୍ମଜୀବନୀ “ଅର୍ଦ୍ଧେକ ଜୀବନ” ରେ ଭାବପୂର୍ଣ୍ଣ କୃତଜ୍ଞତା ଜଣାଇଛନ୍ତି ।


ପ୍ରେମେନ୍ଦ୍ର ମିତ୍ର

There are 4 comments
ନବପ୍ରଜନ୍ମର ଲେଖକ ମାନଙ୍କୁ ଉତ୍ସାହିତ କଲାଭଳି ଉପସ୍ଥାପନା
ଅଶେଷ ଅଶେଷ ଧନ୍ୟବାଦ
🙏🙏
ପସନ୍ଦ ଆସୁଛି, ଏହା ଚଉକାଠର ସୌଭାଗ୍ୟ। ଧନ୍ୟବାଦ।
Mr. pradip Kumar Roy is always my favourite writer because of the sincerity of his writing and his searching for something new, something unique in theme. He himself is unique in his presentation.
This article reminded me of something else.
Before the demise of great singer Hemanta Mukherjee, a stage show was conducted and that was the last show of Hemanta. He was seriously ill, but still he had come and could sing 2 songs only. He requested the audience to excuse him . When he came down off the dias, an old lady told him ” you did not sing the particular song I was waiting for? Do you know just for that I missed my last train and tonight I have to sleep on the footpath.” Hemanta came to know that she was a beggermaid and every day she used to come to Kolkata from Canning by train. Hemanta returned to the stage when a young artist prepared her to sing. She immediately and gladly gave him the microphone and Hemanta sang the song holding that old beggermaid and declared that tonight she would sleep in his house. The young artist then took the microphone and said that she felt blessed to become a part of this noble moment.
The poet Sunil’s ” Abhiman” and the young singer’s feeling “blessed’ (although opposite ) , appears to me the same, same beauties of life, only angles are different.
ପଢ଼ିଲି। ଏମିତି ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବ ରହିବା ଉଚିତ୍ ବରିଷ୍ଠ କବିଙ୍କ ଭିତରେ ସାନ ମାନଂକ ପ୍ରତି। ସାନ ମାନେ ବି ଉଚିତ୍ ସମ୍ମାନ ଜଣାଇ ଶିଖିବା ଉଚିତ୍।