Home » Magazine » ପ୍ରତିଭା ଖିଲାର : କବିତା : କେମିତି ଅଛ ତୁମେ ଦେବୀଦତ୍ତ !

ପ୍ରତିଭା ଖିଲାର : କବିତା : କେମିତି ଅଛ ତୁମେ ଦେବୀଦତ୍ତ !

ତୁମେ ଦେଖି ପାରୁଛ ଦେବୀଦତ୍ତ  !
ରାସ୍ତା କଡ଼ରୁ ଧାଡି ଧାଡ଼ି 
ଅପେକ୍ଷାର ଗଛସବୁ
ତୁମକୁ ନପାଇ
କେମିତି ତଳକୁ ମୁଁହପୋତି
ଫେରିଯାଉଛନ୍ତି ପଛକୁ,

ଦେଖି ପାରୁଛ !
ସଞ୍ଜ ଅନ୍ଧାରରେ
ଗୋଟି ଗୋଟି ସ୍ଵପ୍ନର ତାରା ସବୁ
ତୁମକୁ ଝୁରି ଝୁରି
ନିଜ ଆଲୁଅର ମାୟା ଭୁଲି
କେମିତି ଆଉଜି ପଡୁଛନ୍ତି
ତୁମ ଚଲାବାଟକୁ

ତୁମେ କ’ଣ ଜମାରୁ ବୁଝିନ !
ତୁମ ଅବର୍ତ୍ତମାନର
ଲୁଣିଆ ଲୁହସବୁ ମୋ ପାଇଁ କେମିତି
ଗୋଟେ ଗୋଟେ ଦୁର୍ଭାଗ୍ୟର ଶୋଷ !
ତୁମ ବର୍ତ୍ତମାନର ଭାଗ ଭାଗ ଗୀତ
ମୋ ପାଇଁ କେବଳ ସୁଖର ସୌଭାଗ୍ୟ

ଏକଥା କହିବା କ’ଣ ନିହାତି ଜରୁରୀ
ତୁମ ବିନା ମୁଁ ଗୋଟେ କ୍ଳାନ୍ତ ଜହ୍ନରାତି ବୋଲି !

ଏଥର କୁହ ଦେବୀଦତ୍ତ !
କେମିତି ଅଛ ତୁମେ
କେମିତି ଅଛି
ତୁମ ପଢାଘରୁ ଛୁଟିଆସୁଥିବା
ପୁରୁଣା ରୁମାଲର  ପ୍ରଖର ବାସ୍ନା,
ବାସି ଖବରକାଗଜରୁ ନିରୁଦ୍ଦିଷ୍ଟ
ବାଳିକାର ମୁହଁ ,
ଝାଳଭର୍ତ୍ତି ଟି-ସାର୍ଟରେ ଝୁଲୁଥିବା
କାହା ରାଣର କବଚ ,
କପାଳରୁ ଆସ୍ତେକରି ଓହ୍ଲେଇ ପଡ଼ୁଥିବା
ରଫଖାତାର ଖିଆଲି ପ୍ରେମ
ଆଉ ପ୍ରତିଶ୍ରୁତିର ପାପୁଲିଏ ଲାଜୁଆଶବ୍ଦ !

କୁହ
ଆମକୁ ଚିହ୍ନିଥିବା
କଚେରୀ ବଜାରର ହାଲଚାଲ୍, ଚାର୍ଟ ବିକୁଥିବା ଖନା ଟୋକାଟାର ଖବର , ନୂଆ ନୂଆ ଖୋଲିଥିବା   ନେଳି ବିଲ୍ଡିଂରେ ଗୋଦାବରୀଶ ଲାଇବ୍ରେରୀ ଓ କୃଷ୍ଣଚୂଡ଼ା ଗଛ,
ମୁଁ ଉପହାରରେ ଦେଇଥିବା
କିଛି ଇଚ୍ଛାର ଆଲୁଅ,
ମାସଶେଷ ଶନିବାର ଶ୍ରାବଣ ସଞ୍ଜରେ
ପକ୍ଷୀ ଗାଉଥିବା ମେଘ ଗୀତ
ଆମକୁ ଝୁରୁଥିବା
ଗୋଟେ ମହାର୍ଘ ତାରିଖ ,
କେମିତି ଅଛନ୍ତି ଏମାନେ ଦେବୀଦତ୍ତ !

କହିବନି !
ଏବେ ଆଉ ଖୋଜୁଛି କି ନାହିଁ
ତୁମ ହାତ ଟାଇଟେନ୍ ଘଡ଼ି
ମୋ ହାତର ସ୍ପର୍ଶ !
ତୁମ ଛାତିରୁ  ନିଗିଡ଼ି ପଡୁଥିବା
ପରାଜୟର ସବୁଠୁ ଦାମିକା ହସ,

ହେଲେ
କୁହ ତ ଥରେ ଦେବୀଦତ୍ତ !
ମୁଁ ରୁଷିଗଲେ
ଏବେ ଆଉ ଆଗ ଭଳି
ତୁମେ କହୁନ ତ ମୋତେ
‘କଥା ନହୁଅ ପଛେ ଏଇମିତି ଭଲପାଉଥାଅ ‘ !

There are 2 comments

  1. କିଛି କବିତାରେ ବଞ୍ଚିବାକୁ ଇଛାହୁଏ ସେଇ ମୁହୁର୍ତ୍ତ ମାନଙ୍କ ସହିତ… ଇଏ ଠିକ୍ ସେହିପରି କବିତାଟିଏ ।
    କବିଙ୍କୁ ଆନ୍ତରିକ ଅଭିନନ୍ଦନ 🙏💐💐

Leave a Reply

Your email address will not be published. Required fields are marked *