Home » Magazine » ପ୍ରତାପ କୁମାର ପଣ୍ଡା : କବିତା : ରାତ୍ରି ବି ଆମର

ପ୍ରତାପ କୁମାର ପଣ୍ଡା : କବିତା : ରାତ୍ରି ବି ଆମର

ଦିନେ ଯେଉଁ ତେଜୋମୟ ନୟନରୁ ନିଃସୃତ ସ୍ଫୁଲିଙ୍ଗ
ଆଲୋକିତ କରୁଥିଲା ସକଳ ସୃଷ୍ଟିକୁ,
ନିଭୃତ କୋଣରୁ ତା’ର ନିଃସ୍ୟନ୍ଦିତ  ଲୋତକର ଧାର
ଜାଳି ପୋଡ଼ି ଦିଏ ଆଜି ପ୍ରତିଟି ଘଟକୁ ।

ଯେବେଠାରୁ ଦେହରୁ ତା’ ବସ୍ତ୍ର ସବୁ ନେଲେଣି ଉତାରି
ଦେଶ ଆଉ ଦେଶ ନାହିଁ ହେଲାଣି ମଶାଣି ,
ରାତ୍ରି ନୁହେଁ ସୂର୍ଯ୍ୟାଲୋକେ ମାଳ ମାଳ ଡାହାଳ ଶୃଗାଳ
ମାଂସ ଲୋଭେ ରାସ୍ତାଘାଟେ ଉନ୍ମତ୍ତ ହେଲେଣି ।

କାମନାର କରଶୂକେ ବିଦାରିତ ହେଲାପରେ ଦେଶ
ଉଚ୍ଚସ୍ୱରେ ନାରୀ ମାଗେ ନିଜ ଅଧିକାର ,
ସୃଷ୍ଟି ଆମେ ସ୍ରଷ୍ଟା ଆମେ ଶ୍ରେଷ୍ଠ ଆମେ ନୁହେଁ କା କିଙ୍କର
ଦିନ ମାତ୍ର ନୁହେଁ ଏକା ରାତ୍ରି ବି ଆମର ,
ମୋହଗ୍ରସ୍ତ ସଭ୍ୟତାର ଗନ୍ଧମୟ ନର୍ଦ୍ଦମା ଦାଢ଼ରେ
ଜିଇଁଵାର ସ୍ବପ୍ନମୟ କବର ଉପରେ ,
ବିଶ୍ବାସର ବୀଜମନ୍ତ୍ରେ ବଜ୍ରକରି କୋମଳ ପାଦକୁ
ଯୁଝୁଛି ସେ ଏକାକିନୀ ଜିଣିବା ପଣରେ ।

ଛଳନାର ଛତ୍ରଛାୟା ତଳେ ରଚିଦେଲେ ଚକ୍ରବ୍ୟୁହ
କ୍ଷମତାର ଅହଂକାରେ ମଦମତ୍ତ ହୋଇ,
ଏବେ ନାରୀ ଅବଳା ଦୁର୍ବଳା ନୁହେଁ  ଝଡଟିଏ ହୋଇ
ନିଜର ତା’ ଅଧା ଭାଗ ନେବ ସେ ଛଡ଼ାଇ ।

ନିତି ଏଠି ଭାଗବଣ୍ଟା ହଣାକଟା ଆଉ ଶୋଭାଯାତ୍ରା
ନାରୀ ପାଇଁ  ତୁଚ୍ଛ ମିଛ କୁମ୍ଭୀର କାନ୍ଦଣା
ଘୁଣଖିଆ ଶାସନର ମେଞ୍ଚା ମେଞ୍ଚା ଅଳନ୍ଧୁ ଭିତରେ
କରିବାକୁ ହେବ ତାକୁ ନୂତନ ସର୍ଜନା
ଯେବେ ଯାଏ ଘୃଣ୍ୟ ସେହି ଦୁଷ୍କର୍ମର କଳାଦାଗ ଛାଇ
ଅପସରି ଯାଇନାହିଁ ଏ ଦେଶ ମାଟିରୁ ,
ଲଢ଼ିବ ସେ ଜିତିବ ସେ ଗଢ଼ିବ ସେ ସୁନ୍ଦର ସମାଜ
ମାନବୀୟ ମୂଲ୍ୟବୋଧ ପାଇବ ଯହିଁରୁ ।।

There are 8 comments

    1. ଆଉ କବିତା…??

      କବି ପ୍ରତାପ ପଣ୍ଡାଙ୍କ ଏହା ଆଉ ଏକ ବଳିଷ୍ଠ କବିତା। କଲିକତାରେ ଡାକ୍ତର ମୌମିତା ଦେବନାଥ ଦୁଷ୍କର୍ମ ଓ ହତ୍ୟା ପରେ ଯେତେବେଳେ ସେଠିକାର କ୍ଷୁବ୍ଧନାରୀ ‘ରାତ୍ରୀ ଅଧିକାର’ କରିବା ପାଇଁ ରାସ୍ତାକୁ ଓହ୍ଲେଇଲା… ସେଇ ପ୍ରେକ୍ଷାପଟ ଓ ପ୍ରତିକ୍ରିୟା ହିଁ ଏଇ କବିତା।

      ଏଇ ଚମତ୍କାର କବିତାଟି ପାଇଁ କବିଙ୍କୁ ଅଶେଷ ଅଭିନନ୍ଦନ ଏବଂ ମତାମତ ପାଇଁ ଆପଣଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ।

  1. ନାରୀ ଓ ସମୟର ଏ ମର୍ମ ଚିତ୍ର କେତେ ସତ୍ୟବର୍ତ୍ତୀ ସତେ ! ମୁଗ୍ଧ କଲା।

    1. ନିଶ୍ଚୟ।
      କବିତା ବା ସୃଜନକଳା ହିଁ ସେ ସବୁ ରେଖାକୁ ଆଙ୍କି ଦେଇପାରେ ଛାତିରେ। ସେ ଦିଗରୁ ଏହା ଏକ ସଫଳ ଉତ୍ତରଣ କବିଙ୍କର।
      ଆପଣଙ୍କୁ ଅଶେଷ ଧନ୍ୟବାଦ।

  2. ଖୁବ୍ ମାର୍ମିକ କବିତାର ସ୍ୱର।
    କବିଙ୍କୁ ଅଜସ୍ର ଅଭିନନ୍ଦନ 💐🙏

    1. ମୋ କବିତା କୁ ପଢ଼ି ଶୁଣି ସୁନ୍ଦର ମତାମତ ଦେଇଥିବାରୁ ଆପଣମାନଙ୍କୁ ଧନ୍ୟବାଦ ସହ ସାରସ୍ଵତ ପ୍ରଣାମ
      🙏🙏

      1. କବିତାଟି ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଆପଣଙ୍କୁ : କବି ପ୍ରତାପ କୁମାର ପଣ୍ଡା ମହୋଦୟ।

    2. ନିଶ୍ଚୟ।

      ଆପଣଙ୍କ ବାର୍ତ୍ତା ସିଧାସଳଖ କବିଙ୍କ ପାଖରେ ପହଞ୍ଚୁଛି। ମନ୍ତବ୍ୟ ପାଇଁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *