
ନିଘଞ୍ଚ ନିଆଁର ପାଟିରେ
ପହଁରୁଥୁଲେ ଦଳ ଦଳ
ଶ୍ୟାମଳ ପତଙ୍ଗ
ହାଡ଼ରେ ଶୁଭୁଥିଲା ହାତୁଡ଼ିର ପାଦଶବ୍ଦ ।
ସୈନିକର ଛାତିଠାରୁ
ଚଉଡ଼ା ନଥିଲା ବେଶୀ
ସୀମାନ୍ତର ଛାତି ।
ବଳିଷ୍ଠ ହୃଦୟର ସମର୍ପଣରେ
ଶୁଖୁଥିଲା ତାର ବାଡ଼ରେ
ଟୋପା ଟୋପା ରକ୍ତର ନମୁନା ।
ଚିହିଁକି ଉଠୁଥୁଲା ବନ୍ଧୁକ ଗୁଳିରେ
କଅଁଳୁଥୁବା କୁନି କୁନି ଘାସର
ନିରୀହ ଡ଼େଣା ।
ସାରା ରାତି କାହାଣୀ, ଲୋରି ବି ନୀରବ
ଜନ୍ଦାର ଗୁଡ ବାହାଣୀକୁ
ଜିତିବାର ଲୋଭ, ଭୋକିଲାପଣ
ଲିଭିଯାଉଥିଲା ତତ୍କ୍ଷଣାତ୍ ।
ରାତିରେ ରକ୍ତ ନଈ ନିରବି ଗଲେ
ସକାଳର ଛାତିରେ
ଲୁହର ନୌକାଟିଏ ଭାସୁଥାଏ ଅସହାୟ ହୋଇ
ଗୁମୁରି ଗୁମୁରି କାନ୍ଦୁଥାଏ
ମାଆ-ଆଖିର ସବୁଜ କ୍ଷେତ ।
ସାରା ଦେଶ ଶୋଇ ପଡ଼ିଲା ପରେ
ନିଦ କ’ଣ ମାଆ ଆଖିକୁ ଆସେ ?
ମାଆ ଆଖିରୁ ନିଦ ହଜେଇ
ସୀମାନ୍ତରେ କେହି ଜଣେ
ଜଗିଥାଏ ଦେଶକୁ ଅନିଦ୍ରା ହୋଇ ।
ଯେବେ ବି ସେ ମୁଣ୍ଡ ସଳଖି ଠିଆ ହୋଇଛି
ଅଧିକାର ସାବ୍ୟସ୍ତ କରିଛି
ଚିହ୍ନବାକୁ ଚାହିଁଛି ଦେଶକୁ
ତା’ ମୁଣ୍ଡରେ ବର୍ଷିଯାଇଛି
ତୁହାକୁ ତୁହା କମାଣ ମୁହଁର ଅନ୍ୟାୟନିଆଁ ।
ତୁମେ ଆସି ଚାଲିଗଲ, ସବୁଥର ପରି
ମଣ୍ଡପ ଖାଁ ଖାଁ ଦିଶୁଛି, ବାଜା ଘଣ୍ଟା ସ୍ଥାଣୁ ପାଲଟିଛି,
ଆଲୋକ ତୋରଣ ସବୁ ଫିକା ଫିକା,
ତୁମେ ଥରେ ସୀମାନ୍ତରେ ଠିଆ ହୋଇ ଯାଆନ୍ତ ନାହିଁ
ଦେବୀ ପରି ମାଆ
ଗୋଟିଏ ଭୂମିପରି ଦିଶନ୍ତା ଭାରତର ଆତ୍ମା ।
ସୈନିକମାନେ ଲେଉଟି ଆସନ୍ତେ
ଅଭୟ ପଣତ ଛାଇକୁ,
ଅବୁଝା ଆଖି ଉପତ୍ୟକାରେ ବସି
ଗୁଣୁଗୁଣୁ ଗୀତ ପଦେ ଗାଇ ଦେଇ
ମାଆ ଆଖିରେ ଆଞ୍ଜୁଳାଏ ନିଦ
ରୋପିଦେବାକୁ । ।
There are 2 comments
କବିତା ପଢିଲି ଭାଉଜ। ଭାବ ଉଦ୍ରେକକାରୀ।
କବିତା ପଢିଲି ଭାଉଜ। ଭାବ ଉଦ୍ରେକକାରୀ।