କବିତା
।। ଧରିତ୍ରୀ ପାଇକରାୟ ।।
କବିତା ଜୀବନ୍ୟାସ ପାଏ…
କବିର ଚିନ୍ତାରେ, ଚେତନାରେ
କଳ୍ପନାର ଯାଦୁକରୀ ସ୍ପର୍ଶରେ
କବିର କର୍ଷଣରେ
କାଗଜ କିଆରୀରେ |
କବିତା ଉତୁରି ଆସେ…
ସବୁଜର ସବୁଜିମାରେ
ପ୍ରଜାପତିର ଚିତ୍ରିତ ଡେଣାରେ
ପହିଲି ଆଷାଢ଼ର ବର୍ଷା ଛିଟାରେ।
କବିତା ମହକି ଉଠେ…
ଭିଜା ମାଟିର ଆଲୁଳାୟିତ ବାସ୍ନାରେ
ଅତରମରା ବସନ୍ତର ବାଆରେ
ଭୁରୁଭୁରୁ ଆମ୍ବ ବଉଳର ମହକରେ ।
କବିତା ଆନମନା ହୁଏ…
କୋଇଲିର କୁହୁ ତାନରେ
ବିଜୁଳିର ଚମକରେ
ବାଟବଣା ବାଟୋଇର ବ୍ୟାକରଣରେ ।
କବିତା ଗୀତ ଗାଏ…
ଝରାପତ୍ରର ମର୍ମର ରାଗରେ
ଝରଣାର କୁଳୁକୁଳୁ ସ୍ଵନରେ
ଭ୍ରମରର ମଧୁ ଗୁଞ୍ଜନରେ |
କବିତା ବି କଥା କୁହେ…
ଫୁଲ ଫଗୁଣର କଥା
ଥିଲାବାଲା ନଥିଲାବାଲାର କଥା
ମେହେନତି ମଣିଷର କଥା
ରିକ୍ସାବାଲାର କଥା
ଗୋଟିଏ ନୂଆ ସକାଳର କଥା
ସଂଘର୍ଷ, ରକ୍ତ ଆଉ ବିପ୍ଲବର କଥା
ଭଙ୍ଗା ହୃଦୟର କଥା
ଶୋଷିତ ପ୍ରାଣର କଥା।
କବିତା ବି ପ୍ରେମ କରେ…
ଗର୍ଭବତୀ ହୁଏ
ଯନ୍ତ୍ରଣାର ଜଉଘରେ ଛଟପଟ ହୁଏ
ଷଷ୍ଠୀ ମନାଏ
ଏନ୍ତୁଡି ନିଆଁରେ ସେକି ହୋଇ
ତାଜା ହୁଏ ।
କବିତା ବି ବନ୍ଧାପଡ଼େ…
ଭାବରେ, ଭାବନାରେ
ଚିତ୍ତରେ, ଚୌଦହୀରେ
ଥାପନା ହୁଏ
ରସିକ, ପାଠକର ହୃଦୟ ବେଦୀରେ ।
କବିତା ବି ମାତାଲ ହୁଏ…
ବାଟ ଭୁଲେ
ବଣ ମଲ୍ଲୀରେ ସୁବାସ ଭରେ
ଭୂରୁ ନଚାଇ ପ୍ରେମର ବେହାଗ ତୋଳେ
ଶୃଙ୍ଗାର ଶତକ ରଚ଼େ
ସ୍ୱପ୍ନର ନଅର ଗଢ଼େ।
କବିତା ମଉଳେ, ମନ ମଉଳେ
ଫୁଲ ମଉଳେ, ରାତି ମଉଳେ
ଏବଂ…
ସେଇ ମଉଳିବାର କଥାକୁ ଗୁନ୍ଥି
କବିତା ବଖାଣି ବସେ ଛନ୍ଦ,
କବିତାରେ ।