ତମ ପାଇଁ
।। ତାରିଣୀ ଚରଣ ସାହୁ ।।
ତୁମରି ଅନ୍ତର ମୋର ଅନ୍ତର
ଅଚ୍ଛେଦ୍ୟ ବନ୍ଧନେ ପରା…
ବଂଧା ଥିଲା ବଂଧୁ ଦେଉନାହିଁ ଆଜି ଧରା ।
ଗଲାବେଳେ ତୁମେ ଆସିଲ ନାହିଁ ଯେ
ମୋ ଦୁଆର ମାଡ଼ି ଥରେ
ତୁମ ଅପେକ୍ଷାରେ ଆସିଗଲା ସଞ୍ଜ
ମୋର ଚିନ୍ତା-ରାଇଜରେ ।
ଝର ଝର ହୋଇ ଝରିଗଲା ଲୁହ
ସିକ୍ତ କରି ଅପଘନ,
ଅତୀତର ସ୍ମୃତି ଚଳଚ୍ଚିତ୍ର ସମ
ଦେଖିଲା ଲୋଡ଼ି ମୋ ମନ ।
ବିଜନବେଳାରେ ଆମେ ଯେ ଦିଓଟି
ରଚିଥିଲେ ଯେଉଁ ବସା
ସେ ବିଜନବେଳା ଆଖି ଠାରି ଆଜି
କରୁଅଛି ଲୋକହସା।
ସେହିଦିନ ପରି କେତେ ଯେ ଲହରୀ
ଆସନ୍ତି ଯାଆନ୍ତି ଆଜି,
ସେହିଦିନ ପରି ସିନ୍ଧୁରାଇଜର
ଭୀଷଣ ମୂରତି ସାଜି।
ସେହିଦିନ ପରି କେତେ ଯେ ବୋଇତ
ଭାସଇ ସାଗର-ଜଳେ,
ସେହିଦିନ ପରି ନାଉରୀ ସଙ୍ଗୀତ
ମିଶଇ ତରଙ୍ଗ ତଳେ।
ଆମେ ଦୁହେଁ କିନ୍ତୁ ସେହିଦିନ ପରି
ନାହାନ୍ତି ସେଇଠି ଆଉ,
ଗଲେ ଦୂରେ ଦୂରେ ତେଜି ନୀଳନୀରେ
ହଜିନି ମମତା ମହୁ !
ଆମେ ଦୁହେଁ ଯହିଁ ସୁଖ ସେନେହରେ
କାଟିଥିଲେ କାଳ କେତେ,
ସେଇ ପୀଠ ପରେ ଆଉ ଦୁଇଜଣ
ଦିନ କଟେ ରୀତିମତେ।
ଯେତେକ ମଧୁର ସେନେହ ମମତା
ସଞ୍ଚିଥିଲେ ହେ’ ଆମେ,
ତମେ ଗଲାବେଳେ ସତେ କି ହେ’ ବନ୍ଧୁ
ନେଇଚ ଅପାର ଧାମେ ?
ଏ ପାଖରେ ମୁଁ ରହି ରହି ଯେ ପାରୁନି
ପାରିବି କେମିତି ରହି,
କାହାରେ ଅଜାଡ଼ି ଦେବି ମୁଁ ସେନେହ
ତୁମରି ବିଚ୍ଛେଦ ସହି ।
ବନ୍ଧୁର ମୋ ପଥ ତୁମେ କି ଦେଖୁନ
ନିତି ଝରେ ଲୁହଧାର,
ମମତାର ଲୁହ ମମତାର କୋହ
ହେ ବନ୍ଧୁ, ମୋ ଆପଣାର।
ଆସ ପାଶେ ଥରେ ପୁଣି ହେ ରଚିବା
ସେ ନୀଡ଼ ଏ ଧରା ତଳେ
ନଇଲେ ନିଅ ହେ ତୁମରି ପାରୁଶେ
ଘୂରିବା ଆକାଶ କୋଳେ।
ରଚିବା ସେଇଠି ଆମରି ସଦନ
ସେନେହ ମମତା ଭରା,
ମହକି ଉଠିବ ମମତା-ଗନ୍ଧରେ
ମହକାଇ ଦେବା ଧରା ।
ଶାଶ୍ବତ ଆମ ମମତାର ଫୁଲ
ସେନେହ ଲତାରେ ଫୁଟି,
ରହିଛି ହେ ବଂଧୁ କାହିଁ ଗଲ ଦୂରେ
କିଏ ନେଇଗଲା ଲୁଟି ..!!
ରାଉରକେଲା