
ରାତି ଯେତେ ଯେତେ ବଢୁଥିଲା, ଅଂଶିକାର ଉଦ୍ବିଗ୍ନତା ସେତେ ସେତେ ବଢୁଥିଲା । ଋଚିକା ଏଯାଏଁ ଘରକୁ ଫେରିନି । ସଂଜବେଳୁ ଗଲାଣି ସାଙ୍ଗମାନଙ୍କ ସହ, ଥରେ ଖାଲି ଫୋନ୍ କରିଥିଲା ଯାହା । ସେ ବି ସାତଟା ବେଳକୁ । ଜୋର୍ରେ ମ୍ୟୁଜିକ୍ ଶୁଭୁଥିଲା ସେତେବେଳେ । ହୋ ହୋ ହସ ବି । ଋଚିକା କ’ଣ କହିଲା ଅଂଶିକା ଠିକରେ ଶୁଣି ପାରିଲାନି । ମେସେଜ୍ କଲା, ଉତ୍ତର ପାଇଲାନି | ତା’ପରେ ସେ ନଅଟା ବେଳେ, ସାଢ଼େନଅଟା ବେଳେ ଓ ଦଶଟାରୁ ଏଗାରଟା ଭିତରେ ପ୍ରାୟ ପନ୍ଦରଥର କଲ କରିସାରିଲାଣି । ହେଲେ ଫୋନ୍ ଉଠଉନି ଋଚିକା । ତା’ର ସାଙ୍ଗମାନଙ୍କ ଭିତରୁ ଯାହା ଯାହାର ନମ୍ବର ଥିଲା ତା’ ପାଖେ ସମସ୍ତଙ୍କୁ ଫୋନ୍ କରିସାରିଲାଣି ଅଂଶିକା । ହେଲେ କେହି ବି କହି ପାରୁନାହାନ୍ତି ପାର୍ଟି ପରେ ସେ କୁଆଡ଼େ ଗଲା । ସେମାନେ କହିବା ଅନୁସାରେ ଦଶଟା ବେଳେ ହିଁ ପାର୍ଟି ସରିଯାଇଥିଲା ଓ ସମସ୍ତେ ନିଜ ନିଜ ଘରକୁ ଫେରିଆସିଥିଲେ । ଋଚିକା ବି ତା’ ସ୍କୁଟିରେ ଚାଲିଗଲା । ପାର୍ଟି ହେଉଥିବା ହୋଟେଲ ଠାରୁ ଅଂଶିକାର ଘର ମାତ୍ର ଅଧାଘଂଟାର ବାଟ । ନହେଲେ ଅତିବେଶୀରେ ପଇଁଚାଳିଶ ମିନିଟ୍ ଲାଗିବ । ଏବେ ତ ସମୟ ସାଢ଼େ ଏଗାରଟା ହେବାକୁ ବସିଲାଣି । କୋଉଠି କ’ଣ ଅଘଟଣ ଘଟିଲା କି ଛୁଆଟା ସହ ? ମାଆ ମନ ତାର ବ୍ୟାକୁଳ ହେଇଉଠିଲା ।
ଅଂଶିକା ଝିଅ ଋଚିକା ସହ ଭୁବନେଶ୍ବରରେ ଏକୁଟିଆ ରୁହେ । ପ୍ରାୟ ସାତବର୍ଷ ତଳେ ସେ ସ୍ବାମୀଙ୍କ ଠାରୁ ଅଲଗା ହେଇସାରିଛି । ଯେତେବେଳେ ସରସଙ୍କ ହାତଧରି ପ୍ରଥମେ ଏ ସହରକୁ ସେ ଆସିଥିଲା, ଆଖିରେ ଥିଲା ଆଖିଏ ସ୍ବପ୍ନ । ଝିଅକୁ ସେତେବେଳେ ମାତ୍ର ପାଞ୍ଚବର୍ଷ । ଗାଁରେ ସେ ଆଗରୁ ଖୁବ୍ ଖୁସିରେ ଥିଲେ | ଶାଶୂ, ଶ୍ଵଶୁର, ଯାଆ, ଦେଢ଼ଶୁର, ନଣନ୍ଦ, ପୁତୁରା, ଝିଆରୀରେ ଘର କମ୍ପୁଥିଲା। କଟି ଯାଉଥିଲା ସମୟ। ସରସ ଥିଲେ ଆର୍ମିରେ। ଛଅମାସରେ ଥରେ ଘରକୁ ଆସନ୍ତି। ମାସେ ରହି ପୁଣି ଚାଲିଯାଆନ୍ତି । ତାଙ୍କ ଅନୁପସ୍ଥିତି ତାକୁ ବାଧିଲେ ମଧ୍ୟ ଜଣେ ଦେଶପ୍ରେମୀ ସିପାହୀର ସ୍ତ୍ରୀ ଭାବରେ ସେ ଗର୍ବକରନ୍ତି । ମାତ୍ର ଦିନେ ସରସ ଜଣାଇଲେ କି ସେ ଆଉ ଆର୍ମି ଚାକିରୀ କରିପାରିବେ ନାହିଁ । ତାଙ୍କ ଦେହରେ ଯାଉନି ଏତେ ପରିଶ୍ରମ। ରାତିଅନିଦ୍ରା ଡ୍ୟୁଟି, କେତେବେଳେ ମାଇନସ୍ ଡିଗ୍ରୀ ତାପମାତ୍ରାରେ ତ କେତେବେଳେ ଡହଡହ ଗରମରେ ଡ୍ୟୁଟି କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ଚାକିରୀ ଛାଡ଼ିବା ପାଇଁ ଆବେଦନ କଲାବେଳେ ଅଂଶିକା ଖାଲି ଥରେ ଆପତ୍ତି ଉଠେଇଥିଲା। ‘ଦେଶର ସେବା କ’ଣ ଏମିତି ସ୍ୱାର୍ଥରେ ଛାଡ଼ିହୁଏ ?’ ‘ତମେ କ’ଣ ଚାହୁଁଚ ମୁଁ ମରିଯାଏ’ ? ଏଇ ପଦିଏ ଉତ୍ତରରେ ସ୍ତବ୍ଧ ହୋଇଯାଇଥିଲା ଅଂଶିକା । କୌଣସି କାରଣ, କୌଣସି କୈଫିୟତ ମାଗିନଥିଲା ଆଉ। ତାଙ୍କ ମନରେ କ’ଣ ଅଛି କିଛି ହେଲେ ବୁଝି ପାରିନଥିଲା ସେ। ଦିନେ ସରସ ଜଣାଇଲେ ଯେ ସେ ଭୁବନେଶ୍ବରରେ ନିଜର ଫିଲ୍ମ ଏଡିଟିଂ ଷ୍ଟୁଡିଓ ଖୋଲିବେ। ଅଂଶିକା ଜାଣିଥିଲା ଯେ ଏଯାଏଁ ସରସଙ୍କ ପେନ୍ସନ୍ ଟଙ୍କା ଆସିନାହିଁ । ଷ୍ଟୁଡିଓ ଖୋଲିବାକୁ ଏତେଟଙ୍କା କୋଉଠୁ ଆଣିବେ ବୋଲି ପଚାରିବାକୁ ଇଚ୍ଛା ହେଉଥିଲେ ବି ପାଟି ଚୁପ୍ କରି ବସିରହିଲା । ଅଳ୍ପଦିନର ରହଣୀ ଭିତରେ ସରସଙ୍କର ମଦପିଆ, ସାଙ୍ଗମାନଙ୍କ ସହ ବୁଲାବୁଲି ବହୁତ ବଢ଼ିଯାଇଥିଲା। କିଛି କଥା ପଚାରିଲେ ହଠାତ୍ ଚିଡ଼ିଯାଉଥିଲେ । ଅଂଶିକା ମନରେ ଗୋଟେ ଅଜଣାଭୟ ସୃଷ୍ଟି ହେଉଥିଲା ମଝିରେ ମଝିରେ। ଝିଅକୁ ସହରରେ ପଢ଼େଇବା ପାଇଁ ଜିଦ୍ ଧରିଥିଲେ ସରସ। ଅନିଚ୍ଛା ସତ୍ତ୍ୱେ ଅଂଶିକା ପାଞ୍ଚବର୍ଷର ଋଚିକାକୁ ନେଇ ସହର ଆସିଲା, ସରସଙ୍କ ସହ । ଅଂଶିକାର ଏଇ ନୂଆସହରରେ କେହି ନଥିଲେ ଯାହା ସହ ସୁଖଦୁଃଖ ଟିକେ ବାଣ୍ଟିବ। ସରସ ରାତିରାତି ବାହାରେ ରହନ୍ତି। କେତେ ଲୋକ ଆସନ୍ତି, ସାଙ୍ଗରେ ନେଇ ଯାଆନ୍ତି ସରସଙ୍କୁ। କେବେକେବେ ଦୁଇ-ତିନିରାତି ଯାଏ ଫେରନ୍ତିନି ସରସ। ଘରେ ଥିବା ସମୟତକ ଫୋନ୍ ନହେଲେ ଲାପଟପ୍ ଧରି ବସିଥାଆନ୍ତି । ଯେମିତି ଭିନ୍ନ ଗୋଟେ ଦୁନିଆର ବାସିନ୍ଦା ସେ। ତାଙ୍କର ଏ ଘର କି ପରିବାର ସହ କୌଣସି ସଂପର୍କ ନାହିଁ। କେବଳ ପଇସା ଧରେଇ ଦେଇ କର୍ତ୍ତବ୍ୟ ସମାପନ କରନ୍ତି ସେ। ଏମିତି ଏମିତି ବିତିଗଲା ଦୁଇବର୍ଷ। ହଠାତ୍ ଦିନେ କୁଆଡ଼େ ଅନ୍ତର୍ଦ୍ଧାନ ହେଇଗଲେ ସରସ। ନା’ ଫୋନ୍ ଲାଗିଲା, ନା’ ସେ ଆସିଲେ। ଶେଷରେ ଆସିଲା ଚିଠିଟିଏ। ତା’ ସାଥୀରେ ଛାଡ଼ପତ୍ର ନୋଟିସ୍ । ଛାଡ଼ପତ୍ର ନେବାର କୌଣସି କାରଣ ଦେଖାଇ ନଥିଲେ ସରସ। କେବଳ ଲେଖିଥିଲେ ଯେ, ତାଙ୍କ ପଥ ଭିନ୍ନ, ଲକ୍ଷ୍ୟ ସ୍ବତନ୍ତ୍ର, ବନ୍ଧନରେ ସେ ରହିପାରିବେ ନାହିଁ । ବହୁତ ଆଘାତ ପାଇଥିଲା ଅଂଶିକା। ଭାବି ନେଇଥିଲା ଯେ ସରସର ଜୀବନରେ ଆଉ ଜଣେ କେହି ଆସିଯାଇଛି । ସରସ ତାକୁ ମୋଟା ଅଙ୍କର ଆଲିମନି ଦେବାକୁ ପ୍ରସ୍ତୁତ ଥିଲେ।
ସରସ ପାଖରୁ କିଛି ବି ନେବା ପାଇଁ ଇଚ୍ଛାନଥିଲା ଅଂଶିକାର। ହେଲେ ଋଚିକା ପାଇଁ ତାକୁ ନେବାକୁ ପଡ଼ିଲା । ତା’ ପାଖରେ ନା’ ଥିଲା ଚାକିରୀ ନା’ ଟଙ୍କା। ଝିଅକୁ ବଡ଼ କରିବା ସମ୍ଭବ ନଥିଲା ତା’ ପକ୍ଷରେ। ମନ ଭିତରେ ଥିବା କ୍ଷୋଭ କହି ହେଉନଥିଲା କି ସହି ହେଉନଥିଲା । ଶାଶୂଘରେ ସମସ୍ତେ ତାକୁ ହିଁ ଖରାପ ଭାବୁଥିଲେ। ସରସଙ୍କ ବ୍ୟବହାର ସଂଦିଗ୍ଧ ଥିଲା। ତାଙ୍କୁ ଯୋଗାଯୋଗ କରିବା ଏକପ୍ରକାର ଅସମ୍ଭବ ହିଁ ଥିଲା। ସମୟ ସମୟରେ କେବଳ ତା’ ଆକାଉଣ୍ଟକୁ ମୋଟା ଆକାରର ଟଙ୍କା ଆସିଯାଉଥିଲା ଯାହା ।
ଦିନେ ଘରକୁ ପୁଲିସ୍ ଆସିଲା। ବହୁତ ସମୟ ପଚରାଉଚୁରା କଲା। ଅଂଶିକା ବୁଝିପାରୁନଥିଲା କ’ଣ ହେଉଛି। ସେମାନେ ଘରଟାକୁ ପୂରା ସର୍ଚ୍ଚକଲେ । ସବୁ ଜିନିଷପତ୍ର ଏପଟସେପଟ କଲେ । ଏପରିକି କୁଶନ କଭର, କାନ୍ଥରେ ଲାଗିଥିବା ତୈଳଚିତ୍ରର ପଛପାଖ, ଖଟତଳ, ଜୋତାଥାକ… କିଛି ବାକି ରହିଲାନି । ତ୍ରସ୍ତ ଭାବରେ ପଚାରିଥିଲା ଅଂଶିକା, ‘ଏସବୁ କାହିଁକି ?’ ‘ୟୋର ହଜବାଣ୍ଡ ଇଜ୍ ଏ ସସ୍ପେକ୍ଟ ।
ଟେରରିଷ୍ଟଙ୍କ ସହ ତା’ର କନେକ୍ସନ ଥିବାର ଆମକୁ ଇନ୍ଫରମେଶନ୍ ମିଳିଛି।’ ଏକଥା ଶୁଣିବା ପରେ ପାଦତଳୁ ମାଟି ଖସିଯାଇଥିଲା ଅଂଶିକାର। କେବଳ ଏତିକି କହିଥିଲା, ‘ୱି ଆର୍ ଡୋଭର୍ସଡ୍’ । ‘ସୋ ହ୍ବାଟ୍ ? ଆପଣଙ୍କ ଆକାଉଣ୍ଟକୁ ଯେଉଁ ଟ୍ରଷ୍ଟର ଆକାଉଣ୍ଟରୁ ପଇସା ଆସେ, ତାହା କାହାର ? ଆପଣଙ୍କର ସେ ଟ୍ରଷ୍ଟ ସହ ସଂପର୍କ କଣ ? ମି. ସରସ ଏବେ କେଉଁଠି ଅଛନ୍ତି ? ହି ଇଜ୍ ଏ ସେମ୍ ଫର୍ ଦି କନ୍ଟ୍ରି ।’ କିଛି ଉତ୍ତର ଦେଇପାରିନଥିଲା ଅଂଶିକା । ଦବା ପାଇଁ କିଛି ଉତ୍ତର ହିଁ ନଥିଲା ତା’ ପାଖେ । ହେଲେ ସେ ବୁଝିପାରୁଥିଲା ସବୁକଥା ଧୀରେ ଧୀରେ । ସରସର ଆର୍ମିରୁ ରିଜାଇନ୍ କରିବା, ଦିନରାତି ଫୋନ୍ ଆଉ ଲାପଟପରେ ବୁଡ଼ିରହିବା, ଏପରିକି ତା’ ଠାରୁ ଦୂରେଇ ଯିବା, ଏସବୁ ଏ ମିଶନର ଗୋଟେ ଅଂଶ ଥିଲା । ସେ ଏବେ କେଉଁ ଦେଶରେ ? ଜୀବିତ ନା ମୃତ ? ଅଜ୍ଞାତ ତାଙ୍କ ପରିଚୟ। ଅଜଣା ତାଙ୍କ ଠିକଣା। ଏଇଥିପାଇଁ ବୋଧେ ତାଙ୍କୁ ଛାଡ଼ପତ୍ର ଦେବା ଏତେ ଜରୁରୀ ହେଇପଡ଼ିଲା ? ଦେଶଦ୍ରୋହ କରିବାକୁ ? ଛି ! ଘୃଣାରେ ଭରିଯାଉଥିଲା ଅଂଶିକାର ମନ। ପ୍ରଣୟର କିଛି ବି ମୁହୂର୍ତ୍ତ ଆଉ ମନେ ପଡ଼ୁନଥିଲା ତା’ର । କେବଳ ଏତିକି ମନେଥିଲା ସରସ ଋଚିକାର ବାପା। ଆଉ ଋଚିକା ଗୋଟେ ଦେଶଦ୍ରୋହୀର ଝିଅ ।
ଝିଅ ବଡ଼ ହେବାରୁ ବାରମ୍ବାର ପଚାରୁଥିଲା ବାପାକଥା। କିଛି ଉତ୍ତର ନଥିଲା ଅଂଶିକା ପାଖରେ। କେମିତି କହିଥାଆନ୍ତା ଯେ ସେ ଗୋଟେ ଦେଶଦ୍ରୋହୀର ଝିଅ ବୋଲି ? ବାପାର ନିରୁଦ୍ଧିଷ୍ଟତାର କାରଣ ଖୋଜି ବୁଲୁଥିଲା ଝିଅ। ସ୍କୁଲରୁ କଲେଜ୍ରେ ପାଦ ଦେଇଥିଲା। ଅଂଶିକା ଦେଖୁଥିଲା ଝିଅ ଭିତରର ପରିବର୍ତ୍ତନକୁ । ଧୀରେ ଧୀରେ ଯେମିତି ତା’ର କୋମଳତା ମରିଯାଉଥିଲା କୁଆଡ଼େ । କମ୍ କଥା କହୁଥିଲା, ସାଙ୍ଗସାଥୀ ଯଦିଓ ଥିଲେ ଘରକୁ କେହି ଆସୁ ନଥିଲେ, ବରଂ ବାହାରେ ବେଶୀ ସମୟ ରହୁଥିଲା ଋଚିକା । ତା’ର ଅଠରତମ ଜନ୍ମଦିନରେ ପାର୍ସଲରେ ଉପହାର ଆସିଥିଲା ଏକ ଦାମୀ ଲାପଟପ୍ । ସେ ତ ଖୁସିରେ ନାଚିଗଲା, ହେଲେ ଅଂଶିକାର ଆଖି ଆଗରେ ଭୟର କଳାବାଦଲ ଛାଇଗଲା । ସେ ବୁଝିପାରୁଥିଲା ଏଇ ଉପହାର କାହା ପାଖରୁ ଆସିଛି । ସେମାନଙ୍କର ସବୁ ଖବର ରଖୁଥିଲେ ସରସ। ଝିଅ କେଉଁଠି ପଢୁଛି, କ’ଣ ପଢୁଛି, କିଏ କିଏ ତା’ର ବନ୍ଧୁ, ସବୁ ଖବର ତାଙ୍କ ପାଖରେ ଥିଲା। ଉପହାର ଭିତରେ ଛୋଟିଆ କାଗଜଖଣ୍ଡେ। ମାତ୍ର ତାକୁ ପଢ଼ିବା ପୂର୍ବରୁ ତୀବ୍ର ବେଗରେ ଝାମ୍ପିନେଇ ଚାଲିଗଲା ଋଚିକା। ପରେ ମାଗିଲାବେଳକୁ କହିଲା, ମାମା କିଛି ଲେଖା ନଥିଲା ସେଥିରେ। କେବଳ ହାପି ବ’ଡେର ଛୋଟିଆ କାର୍ଡ ଖଣ୍ଡେ ଲାଗିଥିଲା। ଦେଖୁନ ।’ ବିଶ୍ବାସ କରି ନଥିଲା ଅଂଶିକା। ହେଲେ ଦୂରରୁ ଯେଉଁ କେତୋଟି ଅକ୍ଷର ତା’ ଆଖିରେ ପଡ଼ିଥିଲା ତାହା ତା’ର ଚିର ପରିଚିତ। ଅନେକ ଥର ସେ ଅକ୍ଷରର ଚିଠି ଦେଶର ସୀମାନ୍ତରୁ ଆସୁଥିଲା ତା ପାଖକୁ। ଶ୍ରଦ୍ଧାରେ, ପ୍ରେମରେ, ଗର୍ବରେ ପୂରି ଉଠୁଥିଲା ଛାତି। ହେଲେ ଏବେ ଭୟରେ, ଘୃଣାରେ, ଅସହାୟତାରେ ଛଟପଟ ହେଇ ଯାଉଥିଲା ସେ । କିଛିଦିନ ପରେ ଝିଅ ଆଉ ତାକୁ ପକେଟ୍ ମନି ମାଗିବା ବନ୍ଦ କରିଦେଲା । ଖୋଲି ଯାଇଥିଲା ତା’ ନିଜର ଆକାଉଣ୍ଟ । ଜମା ହେଉଥିଲା ପର୍ଯ୍ୟାପ୍ତ ଟଙ୍କା। ଝିଅ ଦୂରେଇ ଯାଉଥିଲା ଧୀରେ ଧୀରେ। ଦିନେ ତାକୁ ପାଖକୁ ଡାକି ବୁଝାଇଥିଲା ଅଂଶିକା। ‘ଏସବୁ କ’ଣ ଚାଲିଛି ? ତୁ କ’ଣ ଭାବୁଛୁ ମୁଁ କିଛି ବୁଝିପାରୁନି ? ତତେ ମୋ ଠାରୁ ଦୂରେଇ ନେବାକୁ ଚେଷ୍ଟା କରୁଚି ଯିଏ ସେ ଏତେବର୍ଷ ଯାଏଁ କୋଉଠି ଥିଲା ? ହଠାତ ଏ ସ୍ନେହ କାହିଁକି ଉଚ୍ଛୁଳି ପଡ଼ିଲା ତା’ର ?’
‘ମାମା…। ସେ ମୋର ବାପା । ତାଙ୍କର ସଂପୂର୍ଣ ଅଧିକାର ଅଛି ମୋ ସହ କଣ୍ଟାକ୍ଟ କରିବାକୁ। ତୁମେ କି ଦୁନିଆର କୌଣସି ଶକ୍ତି ମତେ ତାଙ୍କଠାରୁ ଦୂରେଇ ରଖି ପାରିବନାହିଁ। ଆଉ ହଁ, ପାପା ଦେଶଦ୍ରୋହୀ ନୁହଁନ୍ତି ।’
ଝିଅର ରୋକ୍ଠୋକ୍ ଜବାବରେ ମୁକ ପାଲଟି ଯାଇଥିଲା ଅଂଶିକା । ଇଏ କ’ଣ ତାରି ଝିଅ ? କେତେ ଅଲିଅଳ, କେତେ ଗେହ୍ଲା, କେତେ ନୀରିହ ! ଏ କି ଭାଷା କହୁଚି ସେ ? କିଏ ବୁଣିଦେଲା ତା’ ଭିତରେ ଏ ବିଦ୍ରୋହର ମଞ୍ଜି ? ଏତେ ଅଳ୍ପ ଦିନରେ ଡାଳପତ୍ର ମେଲି ଗଛ ବଢ଼ିଲାଣି। ଝିଅ କ’ଣ ତେବେ ସେଇ ରାସ୍ତାରେ ଯିବ ? ଆଜିକାଲି କେତେ ଛାତ୍ର ସଂଗଠନ, କେତେ ବିଦ୍ରୋହୀ ଗୋଷ୍ଠୀ । ଯୁବଗୋଷ୍ଠୀଙ୍କୁ ବାଟବଣା କରିବାକୁ ସତେ ଯେମିତି ଭଦ୍ରଭ୍ରାନ୍ତ ଶକ୍ତିମାନେ ବାଟଜଗି ବସିଛନ୍ତି । ତା ସାଙ୍ଗକୁ ବିଭିନ୍ନ ସାମାଜିକ ଗଣମାଧ୍ୟମ । କେତେବେଳେ କୁଆଡ଼େ ମେସେଜ ଯାଉଚି, ତା’ର ଠିକଣା ନାହିଁ । ମଣିଷ ପରି ମଣିଷଟିଏ କରିବାକୁ ଚାହିଁଥିଲା ଝିଅକୁ । ହେଲେ, ଝିଅ !
ଘଣ୍ଟାରେ ବାରଟା ବାଜିଲା । ବାହାର ଗେଟ୍ ଖୋଲାହେବାର ଶବ୍ଦରେ ଦଉଡ଼ିଗଲା ଅଂଶିକା। ସ୍କୁଟି ପୂରଉଚି ଝିଅ ପୋର୍ଟିକୋ ଭିତରେ । ଡ୍ରେସ୍ ସାରା ଠାଏ ଠାଏ ଲାଗିଛି ରକ୍ତ । ତାର ମାଆ ମନ ବିକଳ ହୋଇ ଉଠିଲା । ‘କଣ ହେଇଛି ତୋର ? ଏ ରକ୍ତ !’ ଦଉଡ଼ି ଯାଇ ଆଉଁସି ପକାଇଲା ଝିଅକୁ ।
“ରିଲାକ୍ସ୍ ! ଗୋଟେ ଆକ୍ସିଡେଣ୍ଟ ହୋଇଥିଲା ରାସ୍ତାରେ । ଯାହାକୁ ବଞ୍ଚେଇକି ଆସିଲି, ଇଏ ତାଆରି ରକ୍ତ ।”
‘ଆକ୍ସିଡେଣ୍ଟ ? ତୋର କିଛି ହେଇନି ତ ?’ ଋଚିକାର ଉତ୍ତରରେ ହାଉଳି ଖାଇଲା ଅଂଶିକା। ଋଚିକା ଠିକ୍ ଥିଲା । ମାମା କଥାରେ ଜବାବ ନଦେଇ ବାଥ୍ ରୁମ୍ରେ ପଶି ସିଧା ଗାଧେଇଲା । ଚୁପ୍ ଚାପ୍ ବସି ଡିନର କଲା। ଅଂଶିକା ପ୍ରଶ୍ନିଳ ଆଖିରେ କେବଳ ଚାହିଁ ରହିଥିଲା ତାକୁ। ଆଜିକାଲି ତାକୁ ନିଜ ଝିଅଟା ଅଜଣା ଲାଗେ । ଡରଲାଗେ କିଛି ପଚାରିବା ପାଇଁ । ଖାଇବା ବେଳେ ତ ବିଲ୍କୁଲ ବି ନୁହେଁ । କାଳେ ଖାଉ ଖାଉ ଉଠିଯିବ। ସର୍ବହରାର ଶେଷସନ୍ତକ ଟିକକ ଏଇ ଝିଅ । ସେ ଯଦି ଦୂରେଇଯାଏ, ଅଂଶିକା ବଂଚିବ ଆଉ କାହା ପାଇଁ ?
ଖାଇସାରି ନିଜ ରୁମ୍ରେ ଚୁପ୍ଚାପ୍ ଯାଇ ଶୋଇପଡ଼ିଥିଲା ଋଚିକା । ପରଦିନ ସକାଳୁ ସକାଳୁ ଖବର କାଗଜରେ ବାହାରିଥିଲା ଗତ ରାତିର ଘଟଣା । ‘ମାନବିକତାର ଉଦାହରଣ ସାଜିଲେ କଲେଜ୍ ଛାତ୍ରୀ। ମୃତ୍ୟୁମୁଖରୁ ରକ୍ଷା କଲେ ଜୀବନ।’ ଶିରୋନାମାର ତଳେ ଲେଖାଥିଲା ସମସ୍ତ ଖବର। ରାତି ପ୍ରାୟ ଦଶଟା ବେଳକୁ ଗୋଟେ ଚଳନ୍ତାକାରରୁ କିଛି ଦୁର୍ବୃତ୍ତ ଜଣେ ଯୁବତୀକୁ ଠେଲି ଦେଇ ଚାଲିଗଲେ, ଜନୈକା ନାବାଳିକାକୁ । ସେ ପାଖରୁ ଆସୁଥିବା ଜଣେ କଲେଜଛାତ୍ରୀ ଏହାଦେଖି କାରକୁ ଅଟକେଇବାକୁ ଚେଷ୍ଟା କଲେ, ମାତ୍ର କାରଟି ଦ୍ରୁତଗତିରେ ଚାଲି ଯାଇଥିଲା। ନିଜ ମୋବାଇଲ କ୍ୟାମେରାରେ କାରର ନମ୍ବର ଉଠାଇ ରଖିବା ପରେ ପୁନଶ୍ଚ ଆକ୍ସିଡେଣ୍ଟ ସ୍ଥଳକୁ ଫେରିଥିଲେ ଛାତ୍ରୀ । ଯେଉଁଠି ଦିନ ଦି’ପହରରେ ବି ଲୋକେ କାହାକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି ନାହିଁ, ସେଠି ରାତିର ସେ ନିର୍ଜନବେଳାରେ ନିଜ ନିରାପତ୍ତାକୁ ଖାତିର ନକରି ଛାତ୍ରୀଜଣକ ସେ ମୁମୂର୍ଷୁ ନାବାଳିକାକୁ ନିଜ ସ୍କୁଟିରେ ବସାଇ ପନ୍ଦରକିଲୋମିଟର ଦୂର ହସ୍ପିଟାଲକୁ ନେବା, ତାର ଚିକିତ୍ସା ଖର୍ଚ୍ଚ ଉଠାଇବା, ପୁଲିସ୍ର ସାକ୍ଷୀ ସାଜିବା, ନିଶ୍ଚୟ ବୀରତ୍ବର ଏକ ଜ୍ବଳନ୍ତ ଉଦାହରଣ । ଏପରି ଝିଅ ଆମ ସମସ୍ତଙ୍କ ପାଇଁ ଗୌରବ ଆଣିଦେଇଛନ୍ତି । ଆମର ପ୍ରତିନିଧିଙ୍କୁ ତାଙ୍କର ପରିଚୟ ଦେବାକୁ ମନା କରିଦେଇଥିବା ଛାତ୍ରୀଜଣକ ତାଙ୍କର ସମସ୍ତ ଶକ୍ତି ଓ ସାହାସର ଶ୍ରେୟ ତାଙ୍କ ମାଆଙ୍କୁ ଦେଇଛନ୍ତି । ଜୀବନରେ ସବୁବେଳେ ଅନ୍ୟାୟ ବିରୁଦ୍ଧରେ ଲଢ଼ିବେ ଓ ଦରକାର ପଡ଼ିଲେ ନିଜ ଜୀବନକୁ ବାଜି ଲଗାଇବା ପାଇଁ ପଛଘୁଞ୍ଚା ଦେବେନାହିଁ ବୋଲି ସଂକଳ୍ପ କରିଛନ୍ତି ଛାତ୍ରୀଜଣକ । ଅଂଶିକାର ଆଖି ଦୁଇଟି ଲୋତକପୂର୍ଣ୍ଣ ହେଇ ଯାଇଥିଲା। ଏଇ ତାଆରି ଝିଅ। ଅଲିଅଳ, ଗେହ୍ଲା, ନୀରିହ। କେତେବେଳେ ପାଲଟିଗଲା ଏମିତି ଅଗ୍ନିଶିଖା..!!
There are 4 comments
ସିପାହୀ ଗଳ୍ପର ସ୍ରଷ୍ଟାଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍। ଗଳ୍ପଟି ପଢ଼ିବା ସମୟରେ ମୋର ମନେ ହେଲା ଯେପରି ମୁଁ ଏକ ଅଲଗା ଦୁନିଆକୁ ଚାଲିଯାଇଛି। ଗଳ୍ପର ପଠନ ଶୈଳୀ ଏବଂ ଭାବାବେଗ ସାଙ୍ଗକୁ ସଂଯୋଜିତ ଚିତ୍ରକଳ୍ପ, ପ୍ରଚ୍ଛଦ ସଂଗୀତ ଓ ଧ୍ବନି ପ୍ରଭାବ ବିଷୟକୁ ଆହୁରି ଜୀବନ୍ତ କରିଦେଉଛି । ଚଉକାଠର ସମ୍ପାଦକ, ପ୍ରକାଶକ, ଗାଳ୍ପିକା ଏବଂ ସମସ୍ତଙ୍କୁ ଶୁଭକାମନା । ଧନ୍ୟବାଦ୍
ଠିକ୍ କହିଲେ କବିଚନ୍ଦ୍ର ସାର୍, ଆପଣଙ୍କ ମନ୍ତବ୍ୟ ସହ ମୁଁ ବି ଏକମତ। ଗଳ୍ପଟିକୁ ପଢ଼ିବା/ଶୁଣିବା ବେଳେ ପାଠକ ନିଜକୁ ଭିନ୍ନ ଏକ ଦୁନିଆରେ ଆବିଷ୍କାର କରିବ। ଆପଣଙ୍କ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଓ ସମ୍ମାନ ଜଣାଉଛି।
ବହୁତ ଭଲ ଲାଗିଲା ସିପାହୀ
ଆପଣଙ୍କ ସୁଚିନ୍ତିତ ମତାମତ ପାଇଁ ଅଶେଷ ଧନ୍ୟବାଦ ଓ ସମ୍ମାନ