Home » Magazine » ଗଳ୍ପ : ବ୍ରେକ୍ ଅପ୍

ଗଳ୍ପ : ବ୍ରେକ୍ ଅପ୍

।। ମୋନାଲିସା ମିଶ୍ର ।।

ମୁଁ କବାଟଟିକୁ ଭାଙ୍ଗିବି ବୋଲି ମାନସିକ ଭାବେ ପ୍ରସ୍ତୁତ ହେଇ ଜୋରରେ ପେଲି ଦେଲାବେଳକୁ ଦେଖିଲି, କବାଟଟି ଖାଲି ଆଉଜା ହେଇଅଛି । ଆଶ୍ଚର୍ଯ୍ୟ ! କେମିତି କବାଟଟି ବନ୍ଦ ହେଇନି ଯେ ! କିନ୍ତୁ ରୁମ୍ ଭିତରେ ପଶୁ ପଶୁ ସୋନୀକୁ ଠିକ୍ ଯେମିତି ଅବସ୍ଥାରେ ଦେଖିବି ବୋଲି ଭାବିଥିଲି, ଠିକ୍ ସେମିତି ଅବସ୍ଥାରେ ଦେଖିଲି ।

         ମୁହଁମାଡ଼ି ପଡ଼ିଥିଲା ଶେଯ ଉପରେ, ପାଖରେ ଥିବା ତକିଆ, ଚଦର, ବହି, କାଗଜ, ପୋଷାକପତ୍ର, ମୋବାଇଲ୍ ଫୋନର ଅବସ୍ଥିତିରୁ ଜଣାପଡ଼ୁଥିଲା ଯେମିତି ଏ ଭିତରକୁ ଏବେ ଏବେ ଗୋଟେ ଅନେଶୋତିଆ ବାତ୍ୟା ପ୍ରବେଶକରି ଫେରିଯାଇଛି । ମତେ ଦେଖିଲାକ୍ଷଣି ସେ ଯେମିତି ଚମକିକରି ଉଠିପଡ଼ି ମତେ ପଛକୁ ଠେଲିଦେବା ପାଇଁ ମାଡ଼ି ଆସିଲା, ମତେ ଲାଗିଲା, ମୁଁ ଯେମିତି ତା ରୁମମେଟ୍ ନୁହେଁ, ଗୋଟେ କଳା ମୁଖା ପରିହିତା ଚୋର କି ଗୁଣ୍ଡା ।

ସେ ମୋ ପାଖକୁ ଆସିବା ଆଗରୁ ମୁଁ ସାଙ୍ଗେ ସାଙ୍ଗେ କହିଲି,

-ଆରେ ! ତୁ ବଞ୍ଚିଛୁ ??

ସେ ଥମ୍ ହେଇ ଠିଆ ହେଇଗଲା, ଆଉ ଦୁମକିନା ହାତ ବାଡ଼େଇଦେଲା ଟେବୁଲ୍ ଉପରେ । ମୁଁ ତା’ ରାଗରେ ଆଉ ଟିକେ ଉତ୍ସାହିତ ହେଇ କହିଲି,

-ନାଇଁ, ମୁଁ ତ ଭାବିଥିଲି, ତୁ ଏତେବେଳେକୁ ଫ୍ୟାନରେ ଝୁଲି ସାରିଥିବୁ ବୋଲି ।

ସେ ଏବେ ମତେ ତା’ ପାଉଁଶିଆ ପାଉଁଶିଆ ରଙ୍ଗକରା ବାଳଗୁଛ ଭିତରୁ ଯେମିତି ଏକ ପ୍ରେତ ଚାହାଁଣୀରେ ଚାହିଁଲା, ମତେ ଲାଗିଲା ଏଇଟା ସତସତିକା ମଣିଷ ସୋନୀ ନା ମହମ ସୋନୀ କେଜାଣି ! ଆଖି ଦିଇଟା ଫୁଲା ଫୁଲା, ମୁହଁ ପୂରା ଦିଶୁଛି ବାସି ଷ୍ଟ୍ର-ବେରୀ ପରି ଅଧା ନାଲି ଅଧା କଳା । ଏଣେ କେଶମାନେ ଏମିତି ଫୁର୍ ଫୁର୍ ହେଇ ଉପରକୁ ଉଠି ରହିଛନ୍ତି ଯେ ଲାଗୁଛି ଯେମିତି ସେମାନେ କୋଉ ସ୍ଥିର ବୈଦୁତିକ ଶକ୍ତିର ଆକର୍ଷଣରେ ଠିଆ ଠିଆ ହୋଇ ଏଇକ୍ଷଣି ଶରୀର ତ୍ୟାଗ କରିଦେବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ ମତେ ଡର ବି ଲାଗିଲା । ଏମିତି ରୂପ ସବୁ ମତେ ଗାଁ’ମାନଙ୍କରେ ଶୁଣିଥିବା ଶ୍ମଶାନ କାହାଣୀ ସବୁ ମନେ ପକେଇଦିଏ ।

ମୁଁ ମୋ ଡର ଛଡ଼େଇବା ପାଇଁ ତା ଆଖି ଆଗରେ ଦୁଇଥର ଚୁଟକିମାରି କହିଲି,

-ଏଇ, ତୁ ସତରେ ବଞ୍ଚିଛୁ ?

ଏବେ ସେ କାନ୍ଦିଲା, କାନ୍ଦ ନୁହେଁ ତ କୋହ ଗର୍ଜନ । ମୁଣ୍ଡ ବୁଲେଇଲା ପରି ଖଟରେ ଲଥକିନା ପଡ଼ିଗଲା ଆଉ ତକିଆରେ ମୁହଁମାଡ଼ି ଭେଁ-ଭେଁ ଛାଡି଼ଲା ରଡ଼ି । କିନ୍ତୁ ମୁଁ କ’ଣ କରିବି ! ଏଭଳି ଝିଅମାନଙ୍କର ଏମିତି ରଡ଼ି ଛାଡ଼ି କାନ୍ଥ ଫଟେଇବା ପରି କାନ୍ଦ ସ୍ବର ହିଁ ମତେ  ଦୁନିଆର ସବୁଠୁ ଘୃଣାଜନକ ଦୃଶ୍ୟ ପରି ଲାଗେ ।

ତେଣୁ ମୁଁ ତା ‘ ହାତକୁ ଭିଡ଼ିଆଣି ବସେଇ ଦେବି ବୋଲି ଗଲାବେଳକୁ ଦେଖିଲି ତକିଆ ତଳେ ଗେଞ୍ଜା ହେଇଛି ଶୋଭନର ଫଟୋ । ମୋ ଦେହରେ ଜାଣ ଯେମିତି କିଏ ଜଳନ୍ତା ଦିଆସିଲ୍ କାଠିଟେ ପକେଇ ଦେଲା, ମୁଁ ସେମିତି ଚିହିଁକି ଉଠିଲି ,

-ଓଃ ! ଏବେ ଏତେ ଧୋକ୍କା ଖାଇଲା ପରେ ବି ମଜ୍ନୁସାହେବଙ୍କ ଫଟୋ ଧରି କ୍ରନ୍ଦନ କରାହଉଛି !

ସେ ଏବେ ସତରେ ମୋତେ ବୁଢ଼ୀମା’ କହିଥିବା ମଶାଣି ଡାହାଣୀ ପରି ମାଡ଼ିଆସି ମୋ ହାତରୁ ଫଟୋଟି ଛଡ଼େଇ ନେଇ ପୁଣି କାନ୍ଦିଲା ଭେଁ..ଭେଁ…, ହାତ ବାଡ଼େଇ ଦେଲା ଖଟ ବାଡ଼ରେ, ଆମ୍ପୁଡ଼ି ଆଣି ଛିଣ୍ଡେଇବାକୁ ଲାଗିଲା ତକିଆ, ଚଦର । ମୁଁ ଆଉ ସହି ପାରିଲିନି, ମୁଁ ବି ଭାବିକି ଆସିଥିଲି ଆଜି ଛଡ଼େଇବି ଏଇ ବିରହିଣୀର ପ୍ରେମଭୂତ । ତେଣୁ ମୁଁ ସିନେମାରେ ଦେଖିଥିବା ଭୂତ ଛଡ଼େଇବା ଗୁଣିଆମାନଙ୍କ ପରି ହାତ ବୁଲେଇ ବୁଲେଇ କହିଲି,

-ହଁ, ହଁ, ବାଡ଼ା, ବାଡ଼ା ହାତ, ବାଡ଼ା ଗୋଡ଼… ଏତେ ଧୀରେ କାଇଁକି ପିଟୁଛୁ ! ଭଲକରି ପିଟ୍, ରକ୍ତ ଝରିଲା କି ନାଇଁ ଦେଖ୍ ।

ସେ ରାଗରେ ତକିଆଟା ଫିଙ୍ଗିଲା ମୋ ଉପରକୁ, ମୁଁ କହିଲି,

-ତକିଆ କାଇଁକି ! ନେ, ଏ ଫୁଲଦାନୀଟା ଫିଙ୍ଗ୍, ନହେଲେ, ଫିଙ୍ଗ୍ ଏ କାଚ ଗ୍ଲାସ୍ । ଆଲୋ ବୋକି… ଫିଙ୍ଗିବାର ଅଛି ତ ଆଗ ସେଇ ମୋବାଇଲଟା ଫିଙ୍ଗ୍ । ଚିର୍,ଚିର୍  ସେ ଶୋଭନର ଫଟୋ । ମୁଁ ଠିକ୍ ଜାଣିଥିଲି ତୁ ବସିଥିବୁ ତୋର ଏ ପ୍ରେମ ନାମକ ବାରୁଦଖୁମ୍ବ ଉପରେ ।

ତା’ କାନ୍ଦ ଟିକେ ଥମିଲେ ବି କୋହ ସବୁ ଆହୁରି ଭିତରେ ଭିତରେ ଚାପି ହେଇ ନିଃଶ୍ବାସ ରୁନ୍ଧି ହେଇଗଲା ଭଳିଆ ଅବସ୍ଥା ଦେଖି ମୁଁ ଟିକେ ନରମି ଯାଇ ତା ଆଲୁରାବାଲୁରା କେଶକୁ ସାଉଁଳେଇ କରି କହିଲି,

-ୟାର୍… , ତୁ ବୁଝୁନୁ କାହିଁକି, ପ୍ରେମରେ କବିତା ଲେଖାଯାଏ, ସ୍ବପ୍ନର ସୌଧ ଗଢ଼ାଯାଏ, ହେଲେ ନିଜର କବର ଗଢ଼ାଯାଏନି ।

କଣ ସେ ବୁଝିଲା କେଜାଣି, ତା’ ଲୁହ ଜରଜର ଆଖିକୁ ମୋ କାନ୍ଧରେ ରଖି ଖାଲି ସ୍ଥିର ହେଇ ମତେ ଚାହିଁ ରହିଲା । ମୁଁ ତାକୁ ଆଉ ଟିକେ ବୁଝେଇବା ପାଇଁ କହିଲି,

-ଆଛା କହିଲୁ ! ପ୍ରେମର ମାନେ କ’ଣ ଦାସତ୍ବ ? ସେ ତତେ କହିବ ଏତିକିରୁ ଏତିକି ସମୟ ଅନଲାଇନ୍ ରହିବୁ, ତୁ ରହିବୁ । ସେ କହିବ, ତୁ ୟା ସାଙ୍ଗରେ କଥା ହଅନା, ତା ସାଙ୍ଗରେ ବୁଲିଯାଆନା, ଏ ଜାଗାକୁ ଯାଆନା, ସେ ଜାଗାକୁ ଯାଆନା, ତୁ ସେଇୟା କରିବୁ ! ଆଉ ସେତିକି ନ କଲେ ବ୍ରେକ୍ ଅପ୍ !!

ବ୍ରେକ୍ ଅପ୍ ଶବ୍ଦଟି ବୋଧେ ଖାଲି ପବନରେ ଯାଉଥିବା ଅକ୍ଷର କେତୋଟି ନଥିଲା, ବରଂ ଗୁଳି କି ତୋପ ଥିଲା କେଜାଣି ! ସେ ମୋ ପାଟିରୁ ବ୍ରେକ୍ ଅପ୍ ଶବ୍ଦଟି ଶୁଣୁଶୁଣୁ ପୁଣି ପାଗଳି ପରି ଚିକ୍ତାର କରି ଠିଆହେଇପଡ଼ି ମତେ ଅଙ୍ଗୁଳି ଦେଖେଇ କହିଲା,

-ନାଇଁ, ଡୋନ୍ଟ ୟୁଜ୍ ଦାଟ୍ ଓ୍ବାର୍ଡ଼ । ମୁଁ ମରିଯିବି ଶୋଭନ୍ ବିନା ।

-ସେଇକଥା ତ ମତେ ଆଶ୍ଚର୍ଯ୍ୟ କରୁଛି ! କଲେଜରେ ଯେତେବେଳେ ଶୁଣିଲି ତୋର ବ୍ରେକ୍ ଅପ୍ ହେଇଯାଇଛି, ସେତେବେଳେ ତ ମୁଁ ଏଇୟା ଭାବି ଧାଇଁ ଆସିଥିଲି ଯେ ତୋ ବୋଉର ଅଲିଅଳି ଗେଲେଇ ଆଚାର ଖାଇ ଝିଅଟି ତ ଗଲା ଆଜି ସ୍ବର୍ଗର ପ୍ୟାରା ହେଇଗଲା । କିନ୍ତୁ ନାଇଁ, ତୁ ତ ବଞ୍ଚିଛୁ !

ମୁଁ ଜାଣିଛି ମୋ କଥାଗୁଡ଼ାକ ତାକୁ ଶର ବିନ୍ଧିଲା ପରି ଲାଗୁଥିଲା, ସେଥିପାଇଁ ସେ କାନ୍ଦି ପାରୁନଥିଲା, ରାଗି ପାରୁନଥିଲା କି ନିଜକୁ ପିଟି ମାରିପାରୁନଥିଲା, ଖାଲି ଅସ୍ଥିରତାରୁ ରକ୍ଷା ପାଇବା ପାଇଁ ମୁଣ୍ଡକୁ ଚାପି ଧରି ବସି ପଡ଼ିଲା ।

କିନ୍ତୁ ମୁଁ ଭାବି ନେଇଥିଲି ଯେ ଏଇ ପ୍ରେମକୁ ଗଳାର ଫାଶ ବନେଇଥିବା ଅନ୍ଧ ପ୍ରେମୀମାନଙ୍କୁ ପ୍ରେମର ଅସଲ ପରିଭାଷା ବୁଝେଇକି ହିଁ ରହିବି । ତାକୁ ଟିକେ ଚୁପ୍ ରହିବାର ଦେଖି, ମୁଁ ତା’ ମୁହଁକୁ ଟେକି ଧରି କହିଲି,

-ମନ କ’ଣ ହଉଛି ଜାଣିଛୁ, ତୋର ଏଇ ବନ୍ ପାଉଁରୁଟି ପରି ଗାଲରେ ବଜାନ୍ତି ଦିଇଟା ଚାପୁଡ଼ା । କିନ୍ତୁ କ’ଣ କରିବି, ବଜେଇ ତ ପାରିବିନି, ସାଙ୍ଗ ଯୋଉ ତୁ ମୋର ! ତେବେ ଟିକେ ସ୍ଥିର ମନରେ ଭାବିଲୁ, ପ୍ରେମ କାହାକୁ କୁହାଯାଏ ? ଏଇ ଦିନକୁ ଦଶ ଥର ଲଭ୍ ୟୁ, ଲଭ୍ ୟୁ କହିବାକୁ ! ଶହେଟା ମେସେଜ୍ ପଠେଇବାକୁ ! ଆଉ ସବୁ ଦିନ ଏ ହୋଟେଲରୁ ସେ ହୋଟେଲ୍ ଘୁରି ବୁଲିବାକୁ ! ଆରେ ପ୍ରେମ ତ ତାକୁ କୁହାଯାଏ ଯୋଉଠି ଓଠ ଖୋଲି ଶବ୍ଦଟିଏ ବି ପଶିବାକୁ ସ୍ଥାନ ପାଏନି । ମରିବାର ଚିନ୍ତା ତ ଦୂରର କଥା । ପ୍ରେମ ମଣିଷକୁ ଗଢ଼େ, ତୋଳେ, ସୁନ୍ଦର କରେ । ଏମିତି କୁତ୍ସିତ କରି ଅସନ୍ତୁଳିତ ମସ୍ତିଷ୍କର ରୂପ ଧାରଣ କରିବାକୁ ନୁହେଁ ।

ହଠାତ୍ ଦେଖିଲି ସେ ନିଜ ମୁହଁ, କେଶ ସବୁ ସଜାଡ଼ି ଆଣିଲା । ଭାବିଲି, କଥାଟା କାମ ଦେଉଛି ବୋଧେ । ମୁଁ ଆଉ ଟିକେ ନାଟକବାଜି କରିବା ପାଇଁ ଧରି ଆଣିଲି ପାଖରେ ଥିବା ଫୁଲଦାନୀଟିକୁ,

 -ଦେଖ୍, ଏ ଫୁଲଦାନୀଟି ଯାହା ତୁ ଶୋଭନ୍ ପାଇଁ ସେଇଆ, ପ୍ଲାଷ୍ତିକ୍ ଫୁଲ ପରି ସଜେଇ ହେଇ ରହିବୁ ତ ରହ, ନହେଲେ ଯା । ଆଉ ସଜେଇ ହଉ ହଉ କେବେ ତାଙ୍କ କାଚ ପାତ୍ରର ନାଲି ପାଣିରେ ରଙ୍ଗୀନ୍ ମାଛ ପରି ପହଁରିବୁ ତ ପହଁର, ନହେଲେ ମର୍ । ପିଲାଦିନେ କନିଅର ଫୁଲ ଡେମ୍ଫରୁ ଆମେ ମହୁ ଶୋଷୁଥିଲେ ନା ! ଆଉ ମହୁ ସରିଗଲା ପରେ କଣ କରୁଥିଲେ ?

ତାକୁ କଥାଟା ଅସହ୍ୟ ହେଲା । ସେ କାନରେ ହାତ ଦେଇ କହିଲା,

-ତୁ କ’ଣ ଏସବୁ କହୁଛୁ ! ମୁଁ ସତରେ ଶୋଭନ୍କୁ ପ୍ରେମ କରେ !

-ପ୍ରେମ କରୁଛୁ ତ କର୍, କିନ୍ତୁ ପ୍ରେମକୁ ପଞ୍ଜୁରୀ କରି ଆଉ ତା ଭିତରେ ବି ନିଜ ପାଦରେ ଶିକୁଳି ଲଗେଇ ବସିଯିବାକୁ କ’ଣ କୁହାଯାଏ ? ଏଇ ପ୍ରେମ ଶବ୍ଦଟି ନାଆଁରେ ନିଜର ଅସ୍ତିତ୍ବ, ନିଜର ଆଦର୍ଶ, ସଂସ୍କାର, ସମ୍ମାନ ସବୁକୁ ଭୁଲି ନିଜକୁ ଏମିତି ତିଳ ତିଳ କରି ମାରି ଆଉ ସମସ୍ତଙ୍କ ପ୍ରେମକୁ ଛୋଟ କରିବାକୁ ତମକୁ ଅଧିକାର ଦେଲା କିଏ ? ତୋ ମା’ ବି ତ ତତେ ପ୍ରେମ କରେ  ! ଦୁନିଆ କେମିତି ଭୁଲିଗଲା ଲୈଲା-ମଜନୁଙ୍କ ମାଆକୁ ! ସେମାନଙ୍କ କବରକୁ ନେଇ ଆମେ କାହାଣୀ ଗଢ଼ିଲୁ କିନ୍ତୁ ସେମାନଙ୍କ ମାଆ’ ଆଖିର ଲୁହକୁ ନେଇ ତ କିଛି କଲୁନି !

ଏତେ କଥା କହିଲା ପରେ ବି ଯେତେବେଳେ ଦେଖିଲି ସୋନୀ ଆଖିର ଲୁହ ଥମୁନି, ତା’ ବିରହିଣୀ ରୂପ ମତେ ସ୍ବଧଂସ୍ବକାରୀ ରାକ୍ଷସୀ ପରି ଲାଗୁଛି, ମୁଁ ଶୋଭନର ଫଟୋଟିକୁ ଫିଙ୍ଗି ଦେଲି ତା ଉପରକୁ,

-ଯା, ବସିଥା, ପ୍ରେମ ନାଆଁରେ ପୁରୁଣା ଛିଣ୍ଡା କନାଗଣ୍ଠିଲିଟିଏ ହେଇ, ମୁଁ ଚାଲିଲି ତୋ ପାଇଁ ଦେବଦାସର ଛବି ଗୋଟେ ଆଣିବା ପାଇଁ, ଆଉ ଶୁଣ୍, ଯାହା କରିବୁ କର୍ କିନ୍ତୁ କବାଟଟା ଖୋଲା ରଖିଥିବୁ ।

ଏତିକି କହି ମୁଁ ଫୁଲଦାନୀଟାକୁ ତା’ ସାମ୍ନାରେ କଚାଡ଼ି ଦେଇ ବାହାରି ଆସିଲାବେଳକୁ ମତେ କିଛି ଗୋଟାଏ କାଟି ଦେଲା ପରି ଶବ୍ଦ ଶୁଭିଲା ।

ଏଁ ! ଶୋଭନର ଫଟୋ ଏମିତି ଟୁକୁଡା଼ ଟୁକୁଡ଼ା ହେଇ ପଡ଼ିଗଲା ତଳେ । ଉଃ ! ମତେ ଖୁସିରେ ଡ଼େଇଁବାକୁ ଇଛା ହେଲା ।

ମୁଁ ଟିକେ ହସି ଦେଇ ଚାହିଁଲି ତ, ସେ ଆହୁରି ଉତ୍ସାହିତ ହେଇ ସେଇ ଚିରା ଫଟୋମାନଙ୍କର ଅଶଂକୁ ଉପରକୁ ଫିଙ୍ଗି ଫିଙ୍ଗି ଉଡ଼େଇବାକୁ ଲାଗିଲା । ଆଉ ତାପରେ ଫୁଲଦାନୀରୁ ପ୍ଲାଷ୍ଟକ୍ ଫୁଲମାନଙ୍କୁ ଛିଣ୍ଡେଇ ଦେଇ ପାଦରେ ଦଳିଦେଲା ।

ଯାଃ ! ସବୁ ତୁଟିଗଲା । ଏବେ ଦିଶିବ ଆଉ ଏକ ଆକାଶ ।

ମୁଁ ତଥାପି ବାହାରିଗଲାବେଳକୁ ସେ ପଛରୁ ଡାକି କହିଲା ।

-ରୋଜୀ, ଶୁଣ୍ । ମତେ ଟିକେ ତେନ୍ତୁଳି ପାଣି ଦେ… ମୁଁ କନିଅରି ମଞ୍ଜି ବାଟି ପିଇ ଦେଇଥିଲି କିଛି, ଦେ ତେନ୍ତୁଳି ପାଣି ଦେ…. ବାନ୍ତି କରିବି ଭକ୍ ଭକ୍ …

ମୁଁ ଚମକି କରି ଧାଇଁ ଆସିଲି ତା ପାଖକୁ ।

ଦିହେଁ ମିଶିକି କହି ଦେଲୁ

ଯାଃ ! ଭକ୍ – ଭକ୍ -ଭକ୍ –

There are 20 comments

  1. Wow, beautiful.
    Short but impactful.
    Girls who are blind in sensual love should read this short story.

    1. Many a thanks for your sweet comment dear Pratapji. Hope to get such constructive comnents on other write-up too.
      Have a very nice day.

  2. ଅତି ଚମତ୍କାର କାହାଣୀ ଯାହା ହୃଦୟ ସ୍ପର୍ଶୀ !!!! ଗୋଟିଏ ଅନ୍ଧ ପ୍ରେମ ପାଗଳି କୁ କିପରି ଆଲୋକର ରାସ୍ତା ଉପରକୁ ଅଣାଯାଇଥିଲା । ତାହା ଦେଖିବା କଥା …….👌👌👌👌

    1. ନବପ୍ରଜନ୍ମର ପିଲାମାନଙ୍କୁ ପ୍ରକୃତ ପ୍ରେମର ଏକ ଚମତ୍କାର ପରିଭାଷା ଦେଇଛନ୍ତି, ଏହି ଗଳ୍ପରେ ଗାଳ୍ପିକା ମୋନାଲିସା। ବର୍ତମାନର ପିଲାମାନେ ଓ ଆମେ ସମସ୍ତେ ଏ ଗଳ୍ପ ପଢ଼ିବା ଓ ହୃଦୟଙ୍ଗମ କରିବା ଉଚିତ୍।
      ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ସହ ଶୁଭେଚ୍ଛା ଆପଣଙ୍କୁ।

  3. ନମସ୍କାର ମ୍ୟାଡାମ୍ 🙏।
    ଗଳ୍ପର ତତ୍ତ୍ଵ ଯେମିତି ଖୁବ୍ ସୂକ୍ଷ୍ମ
    ଆବୃତ୍ତି ଶୈଳୀ ମଧ୍ୟ ସେହିପରି
    ଖୁବ୍ ଆବେଗପୂର୍ଣ୍ଣ !! ଅଭିନନ୍ଦନ ଆପଣଙ୍କୁ।

    1. କୃତଜ୍ଞତା ଓ ବହୁତ୍ ବହୁତ୍ ଭଲ ପାଇବା ରଶ୍ମି

  4. ଚମତ୍କାର କାହାଣୀ, ତା ଠାରୁ ଚମତ୍କାର ଆପଣଙ୍କ ଉପସ୍ଥାପନା
    ଆଉ ସବୁଠାରୁ ହୃଦୟସ୍ପର୍ଶୀ ସେ ପ୍ରଚ୍ଛଦପଟରେ ଥିବା କାନ୍ଦିବା ସ୍ବର
    କୋଟି ନମସ୍କାର ଆପଣଙ୍କୁ ଆଉ ସମ୍ପାଦକଙ୍କୁ

    1. ଧନ୍ୟବାଦ ପ୍ରତାପବାବୁ।
      ଗଳ୍ପ ହେଉ ବା କବିତାରେ ଏହିପରି ସୃଜନଶୀଳ ମନସ୍ତତ୍ତ୍ୱ ସହ ମାନସ-ମନ୍ଥନ ଥିଲେ, ପାଠକ ସାହିତ୍ୟଠାରୁ ଦୂରେଇବା ଅସମ୍ଭବ। ଗାଳ୍ପିକା ମୋନାଲିସାଙ୍କ ଉପସ୍ଥାପନା, ନିର୍ଦ୍ଵନ୍ଦରେ ଅଦ୍ୱିତୀୟ।
      ଆବୃତ୍ତି ହେଉ ବା ଉପସ୍ଥାପନାର କଳା ଆମେ ତାଙ୍କଠାରୁ ଶିଖିବା ଉଚିତ୍ । ଖାଦ୍ୟ ରାନ୍ଧିଦେବା ପରି ପରସିଦେବା ବି ଗୋଟିଏ ଶିଖିବାଯୋଗ୍ୟ କଳା।
      ଆପଣଙ୍କୁ ଓ ଗାଳ୍ପିକାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।

      1. ଚମତ୍କାର ପ୍ରେମ କାହାଣୀ ଓ ଅତି ଚମତ୍କାର ଉପସ୍ଥାପନା । ଢେର୍ ସାରା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

  5. ମୋନାଲି ଅପା ଖୁବ ସୁନ୍ଦର ଗପଟେ । ଆଉ ବର୍ଣନାରେ ଚିତ୍ର ଗୁଡିକ ବି ବେଶ ସ୍ପଷ୍ଟ। ସମ୍ପାଦକ ଓ
    ପ୍ରକାଶକଙ୍କ ପ୍ରୟାସ କୁ ଧନ୍ୟବାଦ। ଏ ନୂତନ ସ୍ୱାଦ ର ମାଧ୍ୟମ ଆଗକୁ ପ୍ରଗାଢ ହେବ ଆଶା।

    1. ଉତ୍ସାହପ୍ରଦ ମତାମତ ପାଇଁ ଅଶେଷ ଧନ୍ୟବାଦ୍, ଏବଂ ଆପଣଙ୍କ ଇପ୍ସିତ ଶୁଭେଚ୍ଛା ପାଇଁ ‘ଅଭିନବ ଚଉକାଠ’ ପରିବାର କୃତଜ୍ଞ ।

    2. ତୁମର ଏଇ ସଂକ୍ଷେପ ବିଶ୍ଳେଷଣ ସହ ଚଉକାଠ ଏକମତ ଅଶୋକ। ଚଉକାଠ ଉପରେ ଆସ୍ଥା ପାଇଁ ଧନ୍ୟବାଦ। ଏଥିରେ ତୁମର ସହଯୋଗ ବି ରହିବ ବୋଲି ବିଶ୍ୱାସ।
      ହାର୍ଦ୍ଦିକ ଶୁଭକାମନା।

  6. ନିଜ କ୍ଷମତା ଅନୁଯାୟୀ କିଛି ଜାଗରଣ ସୃଷ୍ଟି କରିବା ଛଡ଼ା ଲେଖକ ଆଉ କଣ କରିପାରିବ !
    ସେଇଥିପାଇଁ ତ ସେ କଲମ ଧରେ।

    ଆପଣମାନଙ୍କ ମତ ଓ ସହଯୋଗ ମନରେ ଅଧିକ ଦମ୍ଭ ଆଣିଦେଲା
    ସମସ୍ତଙ୍କୁ ଧନ୍ୟବାଦ୍

  7. True definition of true love which we got from our parents but we forgot as we got that blessings without any effort.
    Nice presentation that makes fruitful the actual information about the story
    We salute your creativity

    1. Thanks a lot Madam…
      That’s the intention of the storyline, to creat an acute sense on this burning issue, with literary gesture.
      Thanks for your support and words of appreciation.

  8. ମୋ ପ୍ରିୟ କବି ଗାଳ୍ପିକା ମୋନାଲିସା ଭଉଣୀଙ୍କୁ ଖୁବ୍ ସ୍ନେହ ଶୁଭେଚ୍ଛା ଅଭିନନ୍ଦନ।ମୋ ଜାଣିବାରେ କ୍ଷୁଦ୍ର ଗଳ୍ପ ଏକ ସ୍ୱଳ୍ପ ଅବଧି ର କାନ୍ଧରେ ଦଣ୍ଡାୟମାନ ସାମ୍ପ୍ରତିକ ବାସ୍ତବ ଘଟଣାବଳୀ ର ସାନ୍ଧ୍ର ବର୍ନନାତ୍ମକ ସଂଖ୍ରେପଣ ( କେବେ କେବେ ଅତୀତର ସ୍ମୃତି ଚାରଣ ବା ଭବିଷ୍ୟତର ଆକଳନ ବି କରିପାରେ ) ।ତେଣୁ ଚଳନ୍ତି ତଥାକଥିତ ଆଧୁନିକ ସମାଜର ,ବିଶେଷ କରି ଶିକ୍ଷିତ ଯୁବକ ଯୁବତୀ ମାନେ ପ୍ରେମର ସଂଜ୍ଞା କୁ ଉପେକ୍ଷା କରି କିପରି ଏକ ଅନ୍ଧ ଗର୍ତ୍ତ ରେ ଖସି ଯାଉଛନ୍ତି ,ତାର ଏକ ମାର୍ମୀକ ଚିତ୍ରପଟ ଆପଣଙ୍କ ଏ କାହାଣୀ ,ଯାହା ଗଳ୍ପର ମୌଳିକତା କୁ ବଜାୟ ରଖିବା ରେ ସଫଳ ହୋଇଛି। ଏ ଗପଟିର ମହାର୍ଘ୍ ଦିଗ ଟି ହେଲା,ଦୁଇଟି ନାରୀ ଚରିତ୍ର,ଦୁହେଁ ଉଚ୍ଚ ଶିକ୍ଷିତା ,ବାନ୍ଧବୀ, ଭଲ ମନ୍ଦ ଦୁଃଖ ସୁଖର ସାଥୀ ଅଥଚ ଦୁଇ ବିପରାତ୍ମକ ଚେତନା, ସକାରାତ୍ମକତା ଆଉ ନକାରାତ୍ମକତା ର ଯୁଦ୍ଧ ଭିତରେ ଶାନ୍ତି (ଯାହା ସତ୍ୟ,ଯାହା ଚିରନ୍ତନ) ର ପ୍ରତିଷ୍ଠା କରି ପାରିଛନ୍ତି ଆପଣ ।ଯାହା ବି ହେଉ ,ଆପଣଙ୍କ ଗଳ୍ପ କଥନ ଶୈଳୀ,ପରିସ୍ଥିତି କୁ ଖାପ ଖୁଆଇ ନାଟକୀୟ ଶାବ୍ଦିକ୍ ଉଚ୍ଚାରଣ,ବିଶେଷ କରି ଭିଡ଼ିଓଗ୍ରଫି ଓ ଶବ୍ଦ ଆହରଣ ଚମତ୍କାର ହୋଇଛି ।ଅଜସ୍ର ଧନ୍ୟବାଦ ପ୍ରିୟ ଗାଳ୍ପିକା,ସମ୍ପାଦକଙ୍କୁ ସାଧୁବାଦ ।

    1. ଧନ୍ୟବାଦ ସାର୍ ଏଇ ସୁନ୍ଦର ମନ୍ତବ୍ୟ ପାଇଁ।
      ଗଳ୍ପଟି ନିଶ୍ଚିତ ରୂପେ ଏକ ଉତ୍ତରଣ ଶ୍ରେଣୀୟ ଲେଖା, ଏଥିରେ ଦ୍ୱିରୁକ୍ତି ନାହିଁ।
      🙏🙏

  9. ଚମତ୍କାର ପ୍ରେମ କାହାଣୀ ଓ ଅତି ଚମତ୍କାର ଉପସ୍ଥାପନା । ଢେର୍ ସାରା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

  10. Dear Monalisa , thank you very much for making a perfect list of Priority of life where love is placed, where it should be. You have attached exact importance, not more and not less which will definitely wash away the craze and blindness.

    Love is really beautiful when it is seen with clarity in thought and never at the cost of your family.

Leave a Reply

Your email address will not be published. Required fields are marked *