Home » Magazine » କାଶୀନାଥ ନନ୍ଦୀ : ଗଳ୍ପ : କାଠଘୋଡ଼ା

କାଶୀନାଥ ନନ୍ଦୀ : ଗଳ୍ପ : କାଠଘୋଡ଼ା

କାଶୀନାଥ ନନ୍ଦୀ : ଗଳ୍ପ : କାଠଘୋଡ଼ା

ହାଡ଼ ଉପରେ ମୁହଁଟି ଲାଖିଯାଇଥାଏ । ମୁହଁରେ ଆଖି । ଆଖି ଥାଏ ଗଭୀରରେ । ସେଠି ଦିଶୁନଥାଏ ଜୀବନ । ମଲାମୁହଁରେ ମଲାଆଖି ଯୋଡ଼ିକ ଯେମିତି ମରିଯାଇଥାଏ । ପିନ୍ଧିଥାଏ ଶାଢ଼ୀ ଖଣ୍ଡେ । ସେଠି ରଙ୍ଗ ପ୍ରାୟ ନଥାଏ । ଥାଏ ଯଦି, ଥାଏ ମଳିରଙ୍ଗ । ତା’ ହାତର ଆଙ୍ଗୁଳି ସବୁ ଜାବୁଡ଼ି ଧରିଥାଏ ଅଖାଟେ । ସେଥରେ ଥାଏ କିଛି । ଯାହା ଦିଶୁ ନଥାଏ । ସେ ବସିଥାଏ । ବୁଲି ବୁଲି ସେ ଗୋଟେ ଅତିସ୍ତରରେ ପହଞ୍ଚିଯାଇଥାଏ। ବୋଧହୁଏ ସେ ଉଠିପାରୁନଥାଏ ବୋଲି ବସିଥାଏ । ଇଏ ଥାଏ ମାଆ।

ଟିକିଏ ଦୂରରେ ଥାଏ ପୁଅଟେ । ଉଭାଲଙ୍ଗଳା । ସେ କୋଉରଂଗର କହିବା ସହଜ ନୁହଁ । ତା’ ଦେହର ରଂଗକୁ ଝାଳ, ମଳି, ଧୂଳି ଢାଙ୍କିଦେଇଥାଏ । ସେ ବି ଥାଏ ମଳିରଂଗ । ତା’ ହାତରେ କିଛି ନଥାଏ । ତେବେ ସେ କ’ଣ ଖୋଜୁଥାଏ । ତା’ ଆଖି ଖାଲି ଏପଟ ସେପଟକୁ ବୁଲୁଥାଏ ।

ଇଏ ପୁଅ । ବୟସ ସାଢ଼େତିନି କି ଚାରି । ସେ ଚଞ୍ଚଳଥାଏ । ଭାରି ଫୁର୍ତ୍ତି ଦିଶୁଥାଏ । ସେ କ’ଣ ଖୋଜୁଥାଏ… ।

ପୁଅର ଚଞ୍ଚଳମୁହଁରେ ଖୁସି ଦିଶିଲା । ତା’ ଖୁସି ପାଇଯିବାର ଖୁସି । ସେ ଯାହା ଖୋଜୁଥିଲା ପାଇଗଲା । ତେବେ ସେ ଯାଉନଥିଲା ।  ଯାଇପାରୁନଥିଲା ବୋଲି ସେ ଯାଉନଥିଲା। ଠିଆ ହୋଇ ଅପେକ୍ଷା କରିଥିଲା । କାରଣ ସେ ପାଇଥିବା ଜିନିଷଟା ଉପରେ ଗୋଟେ ଏଡ଼େମୋଟା ଥନ୍ତଲପେଟୁଆ ଲୋକଟେ ମୁତୁଥିଲା । ଲୋକଟି ଚାଲିଗଲା ମୁତିସାରି । ପିଲାଟି ପାଇଁ ସେ ମୁହୂର୍ତ୍ତ ଥିଲା ଜଣେ ବଡ଼ ମଣିଷ ହାତରେ ସୁନାମୁଣ୍ଡାଟେ ପଡ଼ିଗଲା ପରି ପ୍ରକାଣ୍ଡ ଖୁସିର ବେଳ । ସେ ପହଞ୍ଚି ଗଲା । ମାଟିରେ ପୋତିହେଇ ଉପରକୁ ମୁହଁ ଦେଖେଇଥିଲା ଛିଣ୍ଡା ପ୍ଲାଷ୍ଟିକ୍ ଚପଲଖଣ୍ଡେ । ସେ ଖୋଳିପକେଇଲା, କାଢ଼ିପକେଇଲା। ଝାଡ଼ିଝୁଡ଼ି ତାକୁ ନେଇକି ମାଆ ପାଖକୁ ଗଲା । କହିଲା, ‘‘ମା ରଖ୍… । ମୁଁ ପାଇଗଲି ।’’

ଖୁସି ଦିଶିଲା ଦି’ଟା ମୁହଁ–ମା’ର ଓ ପୁଅର । ମା’ ସେମିତି ବସିଥିଲା । ପୁଅ ଆଉଥରେ ଖୋଜିବାକୁ ଆରମ୍ଭକଲା । ସେ ଏଥର ପୂର୍ବଠାରୁ ଅଧିକ ଫୁର୍ତ୍ତିଥିଲା । ଯେମିତି ସେ ସାରାବ୍ରହ୍ମାଣ୍ଡକୁ ଫାଡ଼ିପକାଇବ । ଯୋଉଠି ଥାଉ, କାଢ଼ିଆଣିବ ସେ ଯାହା ଖୋଜୁଛି । ସେ ଦୌଡ଼ି ଯାଉଥିଲା। ଦୌଡ଼ି ଆସୁଥିଲା। ତେବେ, ସେ କିଛି ପାଉନଥିଲା। କିଛି ନା କିଛି ସମୟ କେହି ନା କେହି ଅପମାନିତ ମଣିଷ ପରି ମୁହଁଜାକି ଚାଲିଯାଉଥିଲା ।

ବୋଧହୁଏ ସେମାନଙ୍କ ଅନ୍ବେଷଣ ଓ ପ୍ରାପ୍ତିର ଲୁଚକାଳି ଖେଳ ସରିଯାଉଥିଲା । ଦୂର ଦିଗବଳୟରେ ଦିନ ମାଟିତଳେ ପୋତି ହୋଇଯାଉଥିଲା । ମା’ ଓ ପୁଅ ଦୁହିଁଙ୍କୁ ଏହି ସମୟ ହିଁ କହେ– ସରିଗଲା, ଏଥର ଯାଅ । ଯାହା ପାଇଲ ତା’କୁ ବିକ । ଚାଉଳ କିଣ । ଘରକୁ ଫେର । ତୁମର ଦିନସରିଲା । ତୁମର କାମସରିଲା ।

ମା’ ପୁଅ ଫେରୁଥିଲେ । ପୁଅ ଫୁର୍ତ୍ତିଥିଲା । ମା’ ଦୁଃଖୀଥିଲା । ପୁଅର ଅନେକ କିଛି ପାଇବାର ଖୁସି । ମା’ର ଏତିକିରେ ପେଟକୁ ନଅଣ୍ଟ ହେବାର ଦୁଃଖ । କାହା ମନ ସହ କାହାର ମନ ମେଳୁନଥିଲା ।

ସେମାନେ ପହଞ୍ଚିଲେ। ଥିଲା ଚାରିକାନ୍ଥ । ମାଟିଥିଲା ଅଧେ, ଅସଜଡ଼ା ପଥର ଯୋଡ଼େଇଥିଲା ଅଧେ । ତା’ ଉପରେ ଛପର ହେଇ ପଡ଼ିଥିଲା ଖପର, ଟିଣ, ମଲାବତା ଓ ତାକୁ ଢାଙ୍କିଥିଲା ଅଧେଛିଣ୍ଡା, ଲକ୍ଷେଜାଗା ଫୁଟାପ୍ଲାଷ୍ଟିକ୍ ଘୋଡ଼ଣୀଖଣ୍ଡେ ।

ଇଏ ଥିଲା ତାଙ୍କର ଘର ।

ତା’ ଭିତରେ ଶୋଇଥିଲା ବୁଢ଼ାଟେ । ମୁଣ୍ଡ ପାଖରେ ବସିଥିଲା ବୁଢ଼ୀଟେ । କୁଆଡ଼େ ଯାଏ କେଜାଣି ରାତିଅଧକୁ ଖାଲିହାତରେ ମଦନିଶାରେ ଚୁରହେଇ ଫେରୁଥିଲା ଟୋକାଟେ ।

ଇଏ ଥିଲା ତାଙ୍କ ପରିବାର ।

ମା’ ପୁଅ ଘରେ ପହଞ୍ଚିଲେ । ଘରେ ଗୋଟେ ଶିରି ଫେରିଆସିଲା । ଯେମିତି ଅଚଳରେ ଚଳ, ଜଡ଼ରେ ଚେତନା, ସେମିତି ଜୀବରେ ଜୀବନ ଫେରିଆସିଲା । ଦିଶିଲା ବୁଢ଼ୀ ମୁହଁରେ ଖୁସି । ବୁଢ଼ୀ ମୁହଁରେ ତେଜ । ଇଏ ହିଁ ତାଙ୍କ ଜୀବନର ଭାଷା ଥିଲା ।

ବୁଢ଼ୀ ନଇଁ ନଇଁ ଆସିଲା । ପୁଅଟିକୁ ଆଉଁସି ପକେଇଲା । କହିଲା, ‘‘ଆ’ ମୋ ପାଖରେ ବ’ । ମୁଁ ତତେ ଟିକେ ଦେଖେଁ । ମୋ ଆଖି ଫୁଟିଗଲାଣି । ସକାଳୁ ଯାଇଚୁ, ଏଖୁଣି ଆସୁଛୁ?”

ପୁଅଟି ବୁଢ଼ୀ ପାଖରେ ଟିକେ ପାଇଁ ରହିଲା । ତା ହାତ ଗୋଡ କଥା କହୁ ଥିଲା। ମନରେ ଥୟ ନଥିଲା। ଏମିତି ଟିକେ ସମୟ। ସେଇଠୁ ଥିଲା ଥିଲା, ଡିଆଁଟେ ମାରି ପଳେଇଲା । ଗଲା ଆଗରୁ ଯେତିକି ସମୟ ବୁଢ଼ୀ ହାତରେ ଥିଲା ସେତିକି ସମୟରେ ଘିଅ ମହୁ ବର୍ଷୁଥିଲା । ମଲାଫୁଲ ଫୁଟି ବାସୁଥିଲା । ମଲାନଈ ଗୀତଗାଇ ବହିଯାଉଥୁଲା । ମନ ଉଡ଼ିଯାଇଥିଲା । ଅଦୂର ଦୂର ଆକାଶରେ ଉଡ଼ୁଥୁଲା । ତା ହିଁ ପ୍ରେମ। ତା ହିଁ ସୁଖର ପ୍ରରୂପ।

ଏତିକିବେଳେ କୋଉଠି ଥିଲା ସେ ରାତି…
କେଜାଣି ଆସିଗଲା । ଘର, ଦୁଆର, ଦାଣ୍ଡ ଦୂର କି ପାଖ ସବୁଠି ଅନ୍ଧାର ଘୋଟିଗଲା । ବସ୍ତିଟା ଲିଭିଗଲା ବେଳକୁ ମିଞ୍ଜି ମିଞ୍ଜି କୋଉଠି କୋଉଠି ଆଲୁଅ ଜଳି ଉଠିଲା । ସେସବୁ ଅନ୍ଧାରକୁ ଜିତି ଯିବାପାଇଁ ବୋଧହୁଏ ନଥିଲା । ତାହା କେବଳ ଜୀବରେ ଜୀବନ ପରି କହୁଥୁଲା, ଏଠି କିଛି ଅଛି । କେହି କେହି ଅଛନ୍ତି ।

ଏଥର ଆସିଲା ସୁଖ ଭୋଗର ମୁହୂର୍ତ୍ତ ।
ଏଥର ଭୋକରା ପେଟକୁ ଭାତ ଯିବ । ପେଟ ଶୀତଳହେବ । ମନ ସନ୍ତୋଷ ଦେବ । ଇଏ ସୁଖ ନୁହଁ ତ ଆଉ କ’ଣ ! ମଝିରେ ଥୁଆହେଲା ଭାତହାଣ୍ଡି । ହାଣ୍ଡି କଡ଼େ କଡ଼େ ଥାଳି । ଯେତେ ମୁଣ୍ଡ ସେତେ ଥାଳି । ଭାଗ ସବୁବେଳେ ସମାନ ସମାନ । ଏମିତି ବ୍ୟବସ୍ଥା ଘରମୁଖ୍ୟଙ୍କର । ମୁଖ୍ୟ ହେଉଛନ୍ତି ନ୍ୟାୟବନ୍ତ । କିଏ କମ କାହିଁକି ? କିଏ ବେଶୀ କାହିଁକି ? ଭାତକୁ ଖାଇହେବା ପାଇଁ ଆଉ ଯାହା ଶାଖା ତାହା ବି ଭାଗ ଭାଗ ସମାନ ଭାବରେ । ସବୁଠି କେବଳ ଭାଗଫଳ । ସେ ହରଣରେ ଭାଗଶେଷ ନାହିଁ । ଇଏ ଥିଲା ତାଙ୍କ ଘରର ପ୍ରଣାଳୀ । ସବୁଠି ସମାନ । ସବୁଠି ଏକା । ସବୁଦିନ ପରି ଆଜି ଚୋରଣୀଙ୍କ ପରି ବୋହୂ କନ କନ ହେଇ ଲୁଚେଇ ଦେଲା ପରି ନିଜ ଭାତ ଥାଳିରୁ ଭାତ ଗୁଣ୍ଡେ ଦି ଗୁଣ୍ଡା ନେଇ ଆର ଥାଳିରେ ଦେଇ ଦେଇ ଥାଳି ଢାଙ୍କି ଦେଲା । ବସି ରହିଲା । ସେତେବେଳକୁ ଟିକିପୁଅ ଖାଇସାରିଥିଲା । ଶାଶୁଶଶୁର ଖାଇସାରିଥିଲେ । ଶୁଭିଲା, ‘‘ବୋହୂ, ତୁ ଖାଇ ଦେ ।’ ତୁ ସେ ଶଳାକୁ ଅନାନା । ଶଳାଟା ଆସୁ କି ମରୁ ।”
ବାପ କହୁଥିଲା ପୁଅକୁ ଏ ଅକଥା କଥା।

ଶୁଣି ବୋହୂର ଛାତି ଫାଟିପଡ଼ିଲା । ପ୍ରାଣ ଚହଲିଗଲା । ମଲାମନରେ ଯେତିକି ବା ଜୀବନ ଥିଲା ସରିଗଲା ।

ସେଘର ଏଘର କହିଲେ ମଝିରେ ଅଧକାନ୍ଥି । ସେ କଡ଼େ ଶାଶୁଶଶୁର ଓ ନାତି । ଶୋଇବା ପାଇଁ ସଜବାଜ ହେଲା ଶେଯ । ବୁଢ଼ା ଶୋଇଲା । ବୁଢ଼ୀ ରୁଣ୍ଡେଇ ପୁଣ୍ଡେଇ ନାତିକି ଆଣିଲା ବିଛଣାକୁ । ସେମାନେ ଶୋଇଗଲେ । ଶୋଇବା ଆଗରୁ ଟିକିଏ କଅଁଳ ସ୍ୱର ଶୁଭିଲା, ‘‘ବୋହୂ ଖାଇଦେ’ । ଶୋଇପଡ଼ । ସିଏ ଯେତେବେଳେ ଆସୁଚି ଆସୁ ।” ତଥାପି ଡିବି ଆଲୁଅ ଲିଭୁନଥୁଲା । ଗୋଟେ ଅପେକ୍ଷାରେ ସେ ବସିଥିଲା। ତା’ ସାମ୍ନାରେ ଉଇ ମୁହଁରୁ ବଞ୍ଚିଥିବା ଅବଶିଷ୍ଟାଂଶ ଭାବେ ରହିଯାଇଥିବା କେଉଁଜଣେ ଗୁରୁଙ୍କ ଫଟୋ ଝୁଲୁଥିଲା । ସେ ତାଙ୍କୁ ତା’ ଆରାଧ୍ୟ ବୋଲି ମନେକରୁଥିଲା । ସେ ତା’ ଆଖିକୁ ସେଇଠି ହିଁ ସ୍ଥିରକଲା । ଗଭୀର ଭାବେ ଚାହିଁଥିଲା । ଆଖି ସାଂଗେ ମନ ବି ମିଶିଗଲା ସେଇଠି । ମନରେ କ’ଣ ଗୋଟାଏ ଆସିଲା । ମନ ନଇଁଗଲା । ସେଇ ମନରେ ହିଁ ତାଙ୍କୁ ସେ ପ୍ରଣାମ କଲା । ତା’କୁ କିଛି ମାଗିବାକୁ ଥିଲା । ତେବେ ସେ ମାଗିଲାନାହିଁ । ମନରେ କହିଲା ନାହିଁ, ‘‘ଦେ” ବୋଲି ।

ମନ ସେଇଠି ଥିଲା, ଶୁଭିଲା କିଏଜଣେ ଆସୁଥୁବାର । ସେ ଜାଣିନେଲା । କବାଟ ଫିଟେଇଲା । ଟଳି ଟଳି ସେଇ ଜଣକ ଭିତରକୁ ପଶିଲା I ସେ କବାଟ କିଳିଦେଲା । ସେ ମୁହଁ ଫେରାଇ ଚାହିଁଲା ତା ସାମ୍ନାରେ କିଛି ଘଟୁଥିଲା । ତେବେ ଘରକଥା ଘରେ ହିଁ ଘଟୁଥୁଲା । ସେମାନେ ଖାଇଲେ । ଶୋଇଲେ । ଡିବି ତଥାପି ଲିଭି ନଥିଲା । ବିଛଣାରୁ ସେ ସେଇ ଉଇଖିଆ ଗୁରୁଙ୍କ ଫଟୋକୁ ଚାହିଁଲା । ଏଥର ସେ ହାତ ଯୋଡ଼ିଲା । ଗୋଟେଦିନର ତାଙ୍କ କରୁଣାକୁ ତାଙ୍କୁ ଜଣାଇଲା । ତା’ପରେ ପାଟିରେ ଫୁଙ୍କି ଡିବି ଲିଭାଇ ସେ ଶୋଇଲା।

ତା’ ମନର ବିଶ୍ବାସ ପୁଣି ତା ସ୍ମରଣକୁ ଆସିଲା । ଯେମିତି ଆସେ ସବୁଦିନ । ମନରେ ଛାଇଗଲା, ଏ ବସ୍ତିର ଅନ୍ୟ କେଇଜଣଙ୍କ ପରି ଇଏ ନିଶ୍ଚିତ ବଦଳିଯିବେ । ପୁଣି ଘର ତା’ର ହସିଉଠିବ । ନିଦ ଆସିନଥିଲା । ନିଦର ଛାଇ ଯାହା ପଡ଼ିଆସୁଥିଲା । ଶୁଭିଲା ଗୋଟାଏ ଅସ୍ବାଭାବିକ ସ୍ୱର । ନିଦର ଛାଇ ଏକାଥରେ ହଟିଗଲା । ସେ ଉଠିପଡ଼ିଲା । ସ୍ୱର ଥିଲା ଖୁବ୍ ବିକଳ । ଥିଲା ଆତୁରସ୍ୱର । ସାଂଗେ ସାଂଗେ ଉଠିପଡ଼ିଲେ ଅନ୍ୟମାନେ । ଅବସ୍ଥା ଦେଖିଲେ । ପରିସ୍ଥିତି ଅସମ୍ଭାଳ ଥିଲା । ଏଥର ପତ୍ନୀ ଭାବେ ସେ, ବାପା ଭାବେ ବୁଢ଼ା ମଣିଷ ଜଣକ, ମା’ ଭାବେ ବୁଢ଼ୀ ଜଣକ ବିକଳ ସିକଳ ହେଲେ ଆଗ ଆଗ । ତା’ ପରକୁ ପର ଆଉ ସହିପାରିଲେ ନାହିଁ । ସମସ୍ତେ କାନ୍ଦିବାକୁ ଲାଗିଲେ । ବିକଳ ହେବାକୁ ଲାଗିଲେ । ଦେହ ହାତ ଆଉଁସିବାକୁ ଲାଗିଲେ ।

ପ୍ରତିକାର ପାଇଁ ପାଣିଛଡ଼ା ସେମାନଙ୍କ ପାଖରେ କିଛି ନଥିଲା । ସେଇ ପାଣି ହିଁ ଯାହା କରିବ । ସେମାନେ ତା’ ମୁହଁରେ ପାଣି ଦେଲେ । ବିକଳରେ ପାଣି ଟିକିଏ ଟିକିଏ ପେଇଲେ । ସେ ସେତକ ଢୋକିଲା । ତେବେ ପାଣି କିଛି କରିପାରୁ ନଥିଲା । ବିଷ ପାଖରେ ପାଣିର କିଛି ଔକାତ ନଥିଲା । ପାଣି ଦେହରେ ପାଣି ହେଇଗଲା ।

ବିଷ ମଦର ପ୍ରତିକ୍ରିୟା ଯାହା ଯେତିକି ସମୟ ନିର୍ଦ୍ଧାରିତ ଥିଲା ସେତିକି ସମୟ ଭିତରେ ଯାହା ଥିଲା ଚିତ୍‌କାର; ବଞ୍ଚିବା ପାଇଁ ଆତୁରସ୍ୱର । ତା’ପରେ ସ୍ଥିର ହେଇଗଲା ଦେହ । କୋଉଠୁ କେଜାଣି ରାତି ଅଧରେ ଡାକ୍ତର ଆଣି ଜଣେକିଏ ଠିଆ କଲାବେଳକୁ ଦେହଟା ସମସ୍ତ କ୍ରିୟା ହରାଇସାରିଥିଲା । ଡାକ୍ତର ଶେଷରେ କେବଳ ଘୋଷଣାକଲେ, “ଲୋକଟା ମରିଗଲା ।”

ପୁଣି ଗୋଟାଏ ବିକଳ ସ୍ୱର ସାରାବସ୍ତିର ହାଡ଼କୁ ଥରାଇଦେଇ ଉଠିଲା ଓ ଆସ୍ତେ ଆସ୍ତେ ଶୂନ୍ୟରେ ମିଳାଇଗଲା ।

ବସ୍ତିଲୋକ ଗଦା ହେଇପଡ଼ିଲେ। ସଜଡ଼ାହେଲା କୋକେଇ। ଲୁହର ଆତୁରସ୍ୱରରେ ଶବଯାତ୍ରା କଲା ଶ୍ମଶାନକୁ।

ଶବକୁ ନଈବାଲିରେ ପୋତିଦେଇ ଫେରିଲାବେଳକୁ ବେଳ ମୁଣ୍ଡ ଉପରକୁ ଉଠିସାରିଥିଲା । ସେମାନେ, ଯେଉଁମାନଙ୍କ କାନ୍ଧରେ ଶବ ଶ୍ମଶାନ ଯାଏ ଯାଇଥିଲେ, ଫେରିଲେ । କୁନି ପୁଅଟି ଘର ଭିତରକୁ ଗଲା । ଘରେ ଜାଣିଲେ ଫେରନ୍ତି ବାର୍ତ୍ତା । ବୁଢ଼ାଟି ନଇଁ ନଇଁ ଆସି ଦାଣ୍ଡରେ ଠିଆହେଲା । ଅଣ୍ଟାରୁ ଆଠଚଉତ ହେଇ ଭଙ୍ଗାହେଇଥିବା ପଚାଶ ଟଙ୍କିଆ ଖଣ୍ଡକ ବଢ଼େଇ ଦେଇ ବିକଳରେ କହିଲା, ‘‘ନିଅ… । ମଢ଼ା ପକେଇ କିଏ ଘରକୁ ଖାଲି ତୁଣ୍ଡରେ ଫେରେନା । କିଛି କିଣିବ । ଖାଇକି ଘରକୁ ଯିବ ।’’ ଟଙ୍କା ନେବାକୁ କାହା ହାତ ବଢ଼ୁନଥୁଲା  । ତେବେ ବୁଢ଼ା ଆଉ କିଛି କହିଲା । ଯାହା ଶୁଣି ସେମାନଙ୍କୁ ଟଙ୍କା ଧରିବାକୁ ହେଲା । ଦୁଃଖକୁ ଦୁଃଖରେ ସେମାନେ କାଟି ପାରିଲେ ନାହିଁ । ନେଲେ ।

ଅଣ୍ଟିରେ ବନ୍ଧାଥିବା ଘରର ଶେଷ ସମ୍ବଳ ସରିଯାଇଥିଲା । ଏବେ ଘରେ କିଛି ନଥିଲା । କିଛି ବି କିଛି ନଥିଲା । ଥିଲା କହିଲେ ଲୁହ ଥିଲା ଓ ଭୋକ ଥିଲା । ଏଇ ଦୁଃଖ ଓ ଭୋକ ସରନ୍ତି ନାହିଁ ବୋଲି ବୋଧହୁଏ ରହିଥିଲେ ।

ଦିନ ତଥାପି ବି ସରି ନଥିଲା । ଅନେକ ଥିଲା । କୁନି ପୁଅଟି ମା’ ପାଖରେ ବସିଥିଲା । ବୁଢ଼ାଟି ବୁଢ଼ୀ ପାଖରେ ବସିଥିଲା । କାହା ତୁଣ୍ଡରେ କଥା ନଥିଲା । ଘର ପ୍ରାଣଶୂନ୍ୟ ହେଇଯାଇଥିଲା ।

ମା’ ଚାହିଁଲା ପୁଅକୁ । ଚାହିଁଲା ଆଉ ଦୁଇଟି ମୁହଁକୁ । ସବୁଠି ଥିଲା ଭୋକର ଢେଉ । ଯେଉଁ ଢେଉ ବହି ବହି ତା’ ପ୍ରାଣକୁ ସ୍ପର୍ଶକଲା । ପେଟ ପୋଡ଼ିଗଲା ପରି ତା’ ପ୍ରାଣ ପୋଡ଼ିଯାଉଥିଲା । ଏଥର ସେ ଉଠି ଠିଆହେଲା । ଦରିଦ୍ର ପସରା ତା’ ଅଖାଖଣ୍ଡକୁ ଧରିଲା । ଚାଲିଲା । ପଛରୁ ଶୁଭିଲା, ‘‘ମା’…ମା’… !”

ଆଖି ଲେଉଟିଲା । ପୁଅ ଦୌଢ଼ୁଥିଲା ପହଞ୍ଚାଯାଏ । ସେ ଠିଆହେଇଗଲା ।

ମା’ ଧରିଲା ପୁଅର ହାତ । ପୁଅ ପାଇଗଲା ଆଶ୍ରା । ମା’ ପାଇଗଲା ଦମ୍ଭ । ସେମାନଙ୍କ ଅନୁଭବ ପରସ୍ପର ଯାଏ ସଞ୍ଚରି ଯାଉଥିଲା । ମା’ ହାତରେ ଥିବା ସେ ପ୍ଲାଷ୍ଟିକ୍ ଅଖାଖଣ୍ଡକ ପବନରେ ଉଡ଼ୁଥିଲା । ପୁଅର ଅନ୍ୟହାତଟି ଫୁର୍ତ୍ତିରେ ହଲୁଥିଲା । ଭୋକ କଣ ଏମିତି ହାରିଯାଏ? ଏମିତି କିଏ କ’ଣ ଛାତିକୁ ପଥର କରି  ଯାତ୍ରା କରିପାରେ ? ଏ  ପ୍ରଶ୍ନ କିଏ କାହାକୁ କରିନାହିଁ। ହୁଏତ ସେମାନେ ଈଶ୍ବର ମାନୁଥିବା ସେଇ ଉଇଖିଆ ଗୁରୁ  ନିଜକୁ କରୁଥିବେ। ହୁଏତ ଅପେକ୍ଷା କରିଥିବେ ଏମାନେ ଫେରିଲେ ଏଇ ପ୍ରଶ୍ନ କରିବେ।  ସେମାନଙ୍କ ଯାତ୍ରା ପୁଣିଥରେ ଫେରିବାଯାଏ ଥିଲା ଦୀର୍ଘ । ସେଇଥିପାଇଁ ସେମାନଙ୍କ ପାଦର ଗତି ଆସ୍ତେ ଆସ୍ତେ ବଢ଼ିଚାଲିଥିଲା । ସେମାନଙ୍କ ଯାତ୍ରା ଅନ୍ୟମାନଙ୍କ ଦ୍ବାରା ପରିତ୍ୟକ୍ତ କୋଉ ଆବର୍ଜନାଗଦା ଭିତରେ ଚାପିହୋଇ ରହିଥିବା ଶ୍ବାସରୁଦ୍ଧ ପ୍ଲାଷ୍ଟିକସବୁ ଖୁଣ୍ଟିବାକୁ ଉଦ୍ଦିଷ୍ଟ ଥିଲା।

There are 14 comments

  1. ଚମତ୍କାର ଗଳ୍ପ ସାର୍। ସତରେ ଜୀବନଟା କେଉଁଠୁ ଆରମ୍ଭ ହୁଏ କାହିଁକି ଆରମ୍ଭ ହୁଏ….. ଶେଷରୁ ଆରମ୍ଭ ନା ଆରମ୍ଭରୁ ହିଁ ଶେଷ ହୋଇଯାଏ, ବୁଝିବା ଖୁବ୍ କଷ୍ଟ। ଅଭିନନ୍ଦନ ସହ ନେବେ 💐🙏💐

    1. ମତାମତ ପାଇଁ ଅନେକ ଅନେକ ଧନ୍ୟବାଦ୍ ରଶ୍ମୀ।

      1. ନିହାତି ଏକ ଜୀବନ୍ତ ଓ ମାନସିକ ମନ୍ଥନ କଲା ପରି ଗଳ୍ପ। ଆପଣଙ୍କ ମନ୍ତବ୍ୟ ଭିତ୍ତିକ ପ୍ରତିକ୍ରିୟା ପାଇଁ ଅଶେଷ ଶୁଭେଚ୍ଛା ଓ ସମ୍ମାନ।

        1. ଅନେକଙ୍କ ନିକଟରେ ସହଞ୍ଚି ପାରୁଛି। ଭାରି ଖୁସି ଲାଗିଲା।

  2. ଚମତ୍କାର ଗଳ୍ପ
    ନମସ୍କାର ସାର୍
    ବହୁତ ଭଲ ଲାଗିଲା
    ସବୁଠାରୁ ଭଲ ଲାଗିଲା ଆପଣଙ୍କ ପଠନ ଶୈଳୀ
    🙏🙏

    1. ଆନ୍ତରିକ ଧନ୍ୟବାଦ୍ ପ୍ରତାପ। ଏମିତି ଶ୍ରଦ୍ଧାଭାଜନ ରୁହ।

    2. ଆପଣଙ୍କ ମନ୍ତବ୍ୟ ଆମ ପାଇଁ ଆଗକୁ ବଢ଼ିବାର ସାମର୍ଥ୍ୟ। ଏଥିପାଇଁ ଅଶେଷ ଧନ୍ୟବାଦ ସହ ଶୁଭେଚ୍ଛା ଓ ସମ୍ମାନ ଜଣାଉଛି।

  3. କାଶୀନାଥ ବାବୁଙ୍କ କାଠଘୋଡ଼ା ଗଳ୍ପର ଉପସ୍ଥାପନା ଖୁବ୍ ଚମତ୍କାର ଓ ହୃଦୟସ୍ପର୍ଶୀ। ଧନ୍ୟବାଦ୍

    1. ସୁନ୍ଦର ମନ୍ତବ୍ୟ ପାଇଁ ମଧୁର ଶୁଭେଚ୍ଛା ଆପଣଙ୍କୁ।

  4. କାଠଘୋଡ଼ା ଗଳ୍ପର ପଠନ ଶୈଳୀ ଏବଂ ଭାବାବେଗ ସାଙ୍ଗକୁ ସଂଯୋଜିତ ଚିତ୍ରକଳ୍ପ, ପ୍ରଚ୍ଛଦ ସଂଗୀତ ଓ ଧ୍ବନି ପ୍ରଭାବ ବିଷୟକୁ ଆହୁରି ଜୀବନ୍ତ କରିଦେଉଛି । ଚଉକାଠର ସମ୍ପାଦକ, ପ୍ରକାଶକ, ଗାଳ୍ପିକ, ସମସ୍ତଙ୍କୁ ଶୁଭକାମନା ।

    1. ଆପଣଙ୍କୁ ଗଳ୍ପ ସହ ଆମର ଉପସ୍ଥାପନା ସ୍ପର୍ଶ କରିପାରିଛି, ଏହା ଆମର ସୌଭାଗ୍ୟ। ଆପଣଙ୍କ ମନ୍ତବ୍ୟ ଓ support ପାଇଁ ଅଶେଷ ଧନ୍ୟବାଦ ଓ ସମ୍ମାନ ଜଣାଉଛି।

  5. ସାମଗ୍ରିକ ଭାବରେ ବନ୍ଧୁ କାଶୀଙ୍କର ଗଳ୍ପ ସୁନ୍ଦର। କଥନ,ପଠନ,ଶ୍ରବଣ ସବୁ ଦୃଷ୍ଟିରୁ।

    1. ଖୁବ୍ ସୁନ୍ଦର୍ ଓ ମାର୍ମିକ ଗଳ୍ପ ପରି ଆପଣଙ୍କ ମନ୍ତବ୍ୟ ବି ଆମକୁ ପ୍ରୋତ୍ସାହିତ କରୁଛି। ପ୍ରତିକ୍ରିୟା ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଓ ସମ୍ମାନ

Leave a Reply

Your email address will not be published. Required fields are marked *