
ଚିନ୍ତାମଣି ମତେ ଚିହ୍ନେଇ ଦେଲା- “ଇଏ ଆମ ବ୍ଲକର ନୂଆ ଭିଏଲଡବ୍ଲୁ । ରାସନ କାର୍ଡଧାରୀଙ୍କୁ ସରକାର ଦେଇଥିବା ହଜାରେ ଲେଖାଁ ଟଙ୍କା ବାଣ୍ଟିବାକୁ ଆସିଛନ୍ତି ।“
ଗାଁ ରାଜନୀତିର ପଶାପାଲିରେ ବାବୁ ଚିନ୍ତାମଣି ଜଣେ ସଫଳ ଗୋଟି ଚାଳକ । ଗଲା କୋଡ଼ିଏ ବର୍ଷ ଧରି ସେ ସରକାରୀ ଡିଲର ପଦଟି ହାତେଇ ବେଶ୍ ମାଲାମାଲ୍ ହୋଇଛନ୍ତି । ଅନେକ ଖାଆନ୍ତି, ଅନେକ ଖୁଆନ୍ତି ।
ଚିନ୍ତାମଣି କଣ୍ଟ୍ରୋଲ ଦୋକାନ ଆଗରେ ମୁଁ ଦୟାନିଧିକୁ ଅପେକ୍ଷା କରିଥିଲି। ମୋ ସାଙ୍ଗରେ ସେ ସପରିବାର କଟକ ଯିବ । ଝିଅ ହଷ୍ଟେଲରେ ରହୁଛି, ତାକୁ ଦେଖା କରି, ତା ଭଲମନ୍ଦ ବୁଝି ପୁଣି ଆଜି ଗାଁକୁ ଫେରି ଆସିବ ।
ଦୟାନିଧି ମୋ ଗାଁ ସାଙ୍ଗ । ମୁଁ ଭୂବନେଶ୍ୱରରେ ଚାକିରି କରି ସେଇଠି ରହୁଛି, ସେ ଚାଷବାସ କରି ଗାଁରେ ରହେ ।
“ବୁଝିଲୁ ମାଧବ, ଏ ରାଜନୀତି, ଗାଁଟାକୁ ନଷ୍ଟ କରିଦେଲା । ତୁ ଭୋନଶୋର ପଳେଇଚୁ ଭଲ କରିଚୁ ।“
ମୋ ଗାଡ଼ିରେ ତା’ ବ୍ୟାଗପତ୍ର ରଖୁ ରଖୁ ଦୟାନିଧି କହିଲା । ତା କୁନିପୁଅଟି ଆସି ମୋ କଡ଼ରେ ଆଗ ସିଟରେ ବସିଲା । ଦୟାନିଧି ଓ ତା ସ୍ତ୍ରୀ ପଛରେ ବସିଲେ । ଦୟାନିଧି ତା’ କଥା ସାରିନଥିଲା ।
“ମେଣ୍ଟ ତ ହେଇଯିବ, ଆମ ବାଙ୍କା ସହ ତୁ ଟିକେ କଥା ହ । ସେ ତୋ କଥା ରଖିବ । ଭୋଓଟ ଭୋଓଟ ଜାଗାରେ, ସଂସାର ସଂସାର ଜାଗାରେ । ୟେ ଗୋଟେ କଥା ନା ?”
ମୁଁ ଗାଡ଼ି ଷ୍ଟାର୍ଟକଲି । ଗାଁ ରାସ୍ତା ସବୁ ଧୀରେ ଧୀରେ ରାଜଧାନିଆ ଡ୍ରେନ୍ ପରି ସଙ୍କୁଚିତ ହେବାରେ ଲାଗିଛନ୍ତି । ରାଜନୀତି ସାରା ଗାଁଟାକୁ ମୁରବୀଶୂନ୍ୟ କରିଦେଇଛି । ମଦପାଣି ପିଇ ଚେଙ୍ଗଡ଼ା ଟୋକାମାନେ କେହି କାହାକୁ ମାନିବା ଅବସ୍ଥାରେ ନାହାଁନ୍ତି । ମଦ ମାଉଁସ ଆଉ ଟଙ୍କା ପଛରେ ସମସ୍ତେ । ଆମବେଳେ, କେବଳ ସେଇ ଭୋଟ୍ ସମୟରେ ହିଁ ରାଜନୀତି ହେଉଥିଲା । ଏବେ ପାଞ୍ଚବର୍ଷ ଯାକ ରାଜନୀତିର ଉତ୍ତେଜନା ।
କାର୍ ଗାଁ ଛାଡି ନଈକୂଳ ରାସ୍ତା ଧରିଲା । ସମସ୍ତେ ରାଜନୀତି କରୁଛନ୍ତି, କିନ୍ତୁ ପିଚୁ ଉଠି ଗାଁ ରାସ୍ତାଟି ନଷ୍ଟ ହେଇଗଲାଣି । ସେଥିପ୍ରିତି କାହାର ନିଘା ନାହିଁ । ଗାଁ ସ୍କୁଲରେ ଶିକ୍ଷକ ନାହାଁନ୍ତି । ସ୍କୁଲରେ ରାଜନୈତିକ ଦଳଙ୍କ ସଭା ହେଉଛି, କିନ୍ତୁ ମାଷ୍ଟର ନଥିବାରୁ ପିଲାଏ ମୂର୍ଖ ହେଉଛନ୍ତି ।
“ଏମାନେ କହିଲେ ବୋଲି କ’ଣ ମୁଁ ତାଙ୍କ ଦଳରେ ମିଶିଯିବି ? ମୋ ବାପ, ଅଜା ସମସ୍ତେ “ଚକ’ ଦଳରେ, ଆଉ ଆଜି ଏମାନେ କହୁଛନ୍ତି “ଫୁଲ’ରେ ମିଶି ଯାଆ । ନନା, ତମେ କହୁନା ଏଇଟା କ’ଣ ସମ୍ଭବ ?”
ଦୟାନିଧିର ସ୍ତ୍ରୀ ରାଗ ତମତମ । ଦିନେ ଚଉପାଢ଼ିରେ ସୀମିତ ଥିବା ଗାଁ ରାଜନୀତି ଏବେ ଘରେ ପଶି ଭାଇ ଭାଇ ଭିତରେ ବିଭେଦ ସୃଷ୍ଟି କଲାଣି । ବାପ ଗୋଟେ ଦଳରେ ପୁଅ ଆଉଗୋଟେ ଦଳରେ । ଭାଇ ଭାଇ ଭିନେ । ଯୋଉ ଭାଇମାନେ ମିଶି କି ଗୋଟିଏ କଂସାରେ ପଖାଳ ଖାଉଥିଲେ, ଆଜି ସେଇ ଘରେ ଚୁଲି ଅଲଗା ଅଲଗା ।
ଦିନେ ଦୟାନିଧିକୁ ଈଶ୍ୱର ପରି ଭକ୍ତି କରୁଥିବା ତା ସାନଭାଇ ବାଙ୍କନିଧି ଘରେ ରାଜନୀତିର ପାଚେରୀ ଉଠେଇଛି । ଜିଦ୍ କରି ଭାଇଠାରୁ ଭିନେ ହୋଇଯାଇଛି । ଚୁଲି ଅଲଗା, ରୋଷେଇ ଅଲଗା । ବାପ ଥିଲାବେଳୁ ପୂରା ପରିବାରଟି “ଚକ” ଦଳର ଖାନଦାନି ଭୋଟର । ବାଙ୍କନିଧି କିନ୍ତୁ “ଫୁଲ” ଦଳର ଭକ୍ତ । ଦୟାନିଧି ଯେତେ ବୁଝେଇଲା, ତୁ ଭୋଟ୍ ବରଂ ଫୁଲରେ ଦେ, ଭିନେ ହେବା କଥା ତୁଣ୍ଡରେ ଧରନି । ସ୍ୱର୍ଗରେ ରହି ବାପା କ’ଣ ଭାବିବେ.. ! କିନ୍ତୁ ତା’ର ଏକା ଜିଦ୍, ପୂରା ପରିବାର ଏଥର ଫୁଲରେ ଭୋଟ୍ ଦେବ, ନହେଲେ ତୁ ଅଲଗା ମୁଁ ଅଲଗା ।
ବିଚରା ଦୟାନିଧି କିଂକର୍ତବ୍ୟବିମୂଢ଼ । ସରକାରୀ “ଚକ” ଦଳରୁ ଇନ୍ଦିରା ଆବାସ ଘରଖଣ୍ଡିଏ ପାଇଛି, ଭତ୍ତା ଟଙ୍କା କିଛି ମିଳୁଛି, ମାସକ ପାଇଁ ସରକାରୀ ଚାଉଳ ଗଣ୍ଡିଏ ମିଳୁଛି । ଭୋଟଖଣ୍ଡକ ନଦେଲେ ସରପଞ୍ଚ ସେତକ ଛଡ଼େଇ ନବ । ସାନଭାଇ ବାଙ୍କନିଧି ଫୁଲ ଦଳରେ ମିଶିଛି ବୋଲି ଏଇ ଚିନ୍ତାମଣି କେତେଥର ଧମକେଇଲାଣି ।
“ଏଥର ତୋ କାର୍ଡ ଖଣ୍ଡକ ଯିବରେ ଦୟା ।“
କିନ୍ତୁ ସାନ ଟୋକାଟା କିଛି ବୁଝିଲା ନାହିଁ । ଏକା ଜିଦ୍ ଧରିଲା, ଆମେ ପାର୍ଟି ବଦଳେଇ ଦେବା । ସେତକ ନ ହେଲାରୁ, ଗଲାମାସରେ ସାହିଭାଇ ଡାକି ଭିନ୍ନେ ହେଇଗଲା । ବିଚରା ଦୟାନିଧି ଆଖିକୁ ସେଦିନ ରାତିରେ ଆଉ ନିଦ ଆସିନଥିଲା । ମଲାବିଛଣାରେ ବାପା କହି ଯାଇଥିବା କଥା ପଦକ ତାକୁ ରାତିସାରା ଶୁଆଇ ଦେଇନଥିଲା ।
“ସାନଭାଇକୁ ପୁଅ ପରି ପାଳିବୁରେ ଦୟା, ତାକୁ ନିଜଠୁ ଅଲଗା କରିବୁନି । ମତେ କଥା ଦେ ।“ ସେତେବେଳେ କେତେବଡ଼ ହେଇଥିଲା କି ବାଙ୍କା !! ଭୋଟ୍ ପାଇଁ ଭାଇଟା ଆଜି ବାପ ସମାନ ବଡ଼ଭାଇକୁ ପଛ କରି ଭିନ୍ନେ ହେଇଗଲା । ଏଇସବୁ କଥା କହୁ କହୁ ଦୟାନିଧିର ଆଖି ଛଳଛଳ ହେଇଯାଉଥିଲା ।
ଆମ ଗାଡ଼ି କେତେବେଳୁ ରାଜପଥ ଛୁଇଁଲାଣି । ଚା’ ପିଇବାକୁ କଟକ ପୂର୍ବରୁ ଗୋଟେ ରାସ୍ତାକଡ଼ ଦୋକାନ ଆଗରେ ଗାଡ଼ି ସାଇଡ଼ କଲି । ଆମ ପାଇଁ ଚା’ ମଗେଇଲି, ଦୟାନିଧିର ପୁଅ ପାଇଁ ଚକୋଲେଟ୍ ।
“କ’ଣ କହୁଛନ୍ତି, ଚକ ଆଉ ଫୁଲ ମିଶିଯିବେ, କଥାଟା ସତ ନା ମାଧବ ?”
ଚା’ ପିଉ ପିଉ ଦୟାନିଧି ପଚାରିଲା । ମୁଁ ମୁଣ୍ଡ ଟୁଙ୍ଗାରିଲି ।
“କଥାବାର୍ତା ତ ଚାଲିଛି, କହୁଛନ୍ତି ମେଣ୍ଟ ହେଇଯିବ ।“ ମୁଁ କହିଲି ।
“ହେଇଯାଆନ୍ତା ଭଲା । ବାଙ୍କାଟାକୁ ଟିକେ ବୁଝେଇକି ପୁଣି ଘରକୁ ଫେରେଇଆଣନ୍ତି ।“ ଦୟାନିଧି ଆଖିରେ ଆଶାର ଚମକ ଖେଳି ଯାଉଥିଲା ।
ଚା’ ଦୋକାନ ଛାଡ଼ି ଗାଡ଼ି ରାଜପଥରେ ଗଡୁଥିଲା । ଦୟାନିଧିର ସ୍ତ୍ରୀ ଓ ପୁଅ ଶୋଇ ଯାଇଥିଲେ । ଏକ ଅନିଶ୍ଚିତ ଆଶାକୁ ନେଇ କେବଳ ଯାହା ଦୟାନିଧି ଆଖିକୁ ନିଦ ଆସୁନଥିଲା ।
ସେମାନଙ୍କୁ କଟକରେ ଛାଡ଼ି ସଂଧ୍ୟାରେ ଘରେ ପହଞ୍ଚିଲି । ମନଟା ଉଦାସ ଲାଗୁଥିଲା । ମତେ ଖାଲି ଦିଶି ଯାଉଥିଲା ରାଜନୀତିର ପଶାପାଲିରେ କେମିତି ସନ୍ତ୍ରସ୍ତ ଦୟାନିଧି ଓ ଉତଫୁଲ୍ଲିତ ବାଙ୍କନିଧି, ଆଗପଛ ହେଇ ଦୁଇଟି ଅଲଗା ଅଲଗା ଘରେ ଠିଆ ହୋଇଛନ୍ତି । ଘର ପରେ ଘର ଡେଇଁ ଆଗକୁ ଦଉଡୁଛି ବାଙ୍କନିଧି । ଆଉ ବିକଳ ଦୟାନିଧି ହାତ ବଢ଼େଇଛି ଆଗକୁ, କିନ୍ତୁ ତା ହାତ ପହଞ୍ଚିପାରୁନି ସାନଭାଇ ବାଙ୍କନିଧିର କାନ୍ଧ ପାଖରେ ।
There are 9 comments
ଗଳ୍ପଟି ଅତି ସୁନ୍ଦର 🙏
ବହୁତ ଭଲ ଲାଗିଲା
ଉପରେ ସବୁବେଳେ ମେଣ୍ଟ ଥାଏ
ତଳେ ଖାଲି ଫାଳ
ବହୁତ ଭଲ ଲାଗିଲା ଗପ
ଧନ୍ୟବାଦ
ପ୍ରଣାମ ସାର୍🙏। କେଡେ ସଯତ୍ନରେ ବାଢ଼ି ଦେଇଛନ୍ତି ମନ ତଳର ବ୍ୟାକୁଳତା ରାଜନୀତି ଦେଉଥିବା ଅସ୍ଥିରତା…. ଖୁବ୍ ମର୍ମସ୍ପର୍ଶୀ!
ଗଳ୍ପ ଟି ଖୁବ ଭଲ ଲାଗିଲା 🙏
My thanks to Mr. Amaresh Biswal because I found again ” Baraju”of ” Matir Manisha’ in
Dayanidhi. Even now also there are Barajus in our society who are eager to hug their dear younger brothers forgiving them. But hardly the younger brothers understand such all-forgivng-love and affection. Like Baraju, Dayanidhi of Mr. Biswal is also a timeless character of our society, you can say “Family” the word is redefined.
Thanks Mr. Biswal
ଆଖି ସହ ତାଳ ରଖି ଗପଟି ଶୁଣିଲି ଓ ପଢିଲି। ରାଜନୀତି ଓ ସାଧାରଣ ମଣିଷର ଜୀବନ ଓ ଜୀବନବୋଧକୁ ତୁଲ୍ୟ କରି ଏଗପ ସବୁ ମୁହଁର ଏକ ମର୍ମ ସ୍ଵୀକାର। ସତ, ଏଇଥି ପାଇଁ ସାଦା ମଣିଷ ମାଟି ହେଉଛି।
ଭଲ ଲାଗିଲା।
ଭଲ ଲାଗିଲା ଗପ।
ବହୁତ୍ ମୂଲ୍ୟବାନ ଗପ
ଧନ୍ୟବାଦ୍ ଗାଳ୍ପିକଙ୍କୁ
ମନତଳର ଅସ୍ଥିରତା ଓ ରାଜନୀତି ର
ପସାପାଲିରେ ଜୀବନ ର ମୂଲ୍ୟବୋଧ ଖୁବ୍ ନିକଟ। ବହୁତ ଭଲ ଲାଗିଲା। ଅଭିନନ୍ଦନ।