ପେଟ ପୂରିଲେ ସିନା…
।। ଅଂଶୁମାନ ସାହୁ ।।
ବୋଉ ସେଦିନ ହାତ ଧରି ଟାଣି ଆଣିଲା ବାବୁଲାକୁ l ବାବୁଲା କ୍ରିକେଟ୍ ଖେଳିବାକୁ ଜିଦ୍ ଧରିଥିଲା l ବୋଉ ଟାଣିଆଣି ବାବୁଲାକୁ କୋଳେଇ ନେଲା l କହିଲା, “ଚାଲ୍ ଖାଇବୁ l ଭୋକ ହେଉଥିବ l” ବାବୁଲାକୁ ନେଇ ବୋଉ ଗଲା ରୋଷେଇଘର ପିଣ୍ଡାକୁ l
ଚୁଲିରେ କଡ଼େଇ ବସିଥିଲା l ବୋଉ ଭାଜୁଥିଲା ଚୁଙ୍ଗୁଡ଼ି, ବାବୁଲା ଖାଇବ l ତା’ ବାପାକୁ କେତେ କହିଲାଣି, ହେଲେ ବୁଧବାରରୁ ଯେ ଆସି ରବିବାରଟା ଗଲାଣି ତଥାପି ଆଣିଲାନି ଚୁଙ୍ଗୁଡ଼ି ଟିକେ l ଶେଷରେ କାହା ଗଡ଼ିଆରୁ ମାଛ ଧରିବା କାମରେ ଯାଇଥିବାରୁ ପୁଅ ପାଇଁ ପାଉଣା ସ୍ଵରୂପ ଚୁଙ୍ଗୁଡ଼ି ଆଣିଆସିଲା ତିନିଖଣ୍ଡ, ତାହା ପୁଣି ସୋମବାରଟାରେ l ସଁବାର ବୋଲି ବୋଉ ସିନା ରାଗିପାଚି ଅଜ୍ଞାନ, ହେଲେ କଣ ହେବ ! ଗରିବ ଘର l ଯୋଉ ବାର ହେଉ ପଛକେ ବାବୁଲା ପାଇଁ ତା’ ବାପା ଚୁଙ୍ଗୁଡ଼ି ଆଣିଲା ତ l ବୋଉ ତା’କୁ ହଳଦୀ ପକେଇ ଘୋଡ଼େଇ ରଖିଦେଇଥିଲା l ଆଜି ବୁଧବାର l କେଡେ ଶରଧାରେ ବାବୁଲା ଖାଇବ ବୋଲି ବୋଉ ଭାଜୁଛି ଚୁଙ୍ଗୁଡ଼ି l ଦେଖିଲାବେଳକୁ ବାବୁଲାର ମନ ଚୁଙ୍ଗୁଡ଼ିରେ ନାହିଁ, କି ନାହିଁ ପଖାଳକଂସାରେ l ଅଲଗା ପିଲାଙ୍କଠୁ ‘ବ୍ଯାଟ୍ ବଲ୍-ବ୍ଯାଟ୍ ବଲ୍’ କଥା ଶୁଣି ଶୁଣି ତା’ର ଭାରି ଇଚ୍ଛା ଖେଳିବାକୁ l
ଅଢ଼େଇମାସ ହେଇଥିଲା ବାବୁଲାକୁ l ଆଖି ଭଲ ଭାବରେ ଫିଟି ନଥିଲା l ଗାଁ ଡାକ୍ତରଙ୍କୁ ଯେତେ ଦେଖେଇଲେ ବି କିଛି ଫଳ ମିଳିଲାନି l ଏଣେ ଏତେ ପଇସାପତ୍ର କାହିଁ ଯେ ସହରରେ ବଡ଼ଡାକ୍ତରଙ୍କୁ ଦେଖେଇ ପାରିବ..!! ବାବୁଲା ରହିଗଲା ସେମିତି l ବୋଉ ତା’ ପାଇଁ କେତେ ଓଷାବାର, ବ୍ରତ ନ କରିଛି ! ହେଲେ ଠାକୁର କୋଉଦିନ ତା’ ଡାକ ଶୁଣିବେ ସେଇ ଆଶା ନେଇ ବୋଉ ବଞ୍ଚିଛି l ପୁଣି ବଞ୍ଚିଛି ବାବୁଲାର ସେଇ ସରଳ ନିଷ୍କପଟ ମୁହଁଟାକୁ ଚାହିଁ l
ଏମିତି ଭାବୁଭାବୁ ବୋଉ ତାକୁ ଖୁଆଇ ଦେଉଥିଲା l ଗଣ୍ଡାଏ ଖାଇବା ପରେ ବାବୁଲା ଉଠିପଡୁଥିଲା; ବୋଉ ଜବରଦସ୍ତି ଟାଣି ବସେଇଦେଇ କହିଲା, “ପେଟ ପୂରିଲେ ସିନା ଖେଳିବୁ l”
ବୋଉ ପୁଣି ଗଣ୍ଡାଏ ଦେଲା l ବାବୁଲା ଅଝଟ ହେଇ କହିଲା, “ବୋଉ, ମକରା ଆଉ ପିଣ୍ଟୁ କହୁଥିଲେ, କୁଆଡ଼େ ଗାଁ ଇସ୍କୁଲରେ ନାଚଗୀତ ହେଉଛି l ମୁଁ ଟିକେ ଦେଖିବାକୁ ଯା’ନ୍ତି l” ଏତିକି କହି ବାବୁଲା ଉଠିପଡୁଥିଲା, ବୋଉ ପୁଣି ଜବରଦସ୍ତି ଟାଣି ବସେଇଦେଲା l କହିଲା, “ପେଟ ପୂରିଲେ ସିନା ଯିବୁ l”
ବୋଉ ପୁଣି ଆଉ ଗଣ୍ଡାଏ ଦେଲା l ଏଥର ବାବୁଲା ଅଳି କରି କହିଲା, “ବୋଉ, ମୁଁ ଶୁଣିଲି କ୍ଲବ୍ ଘରେ ଚିତ୍ରଅଙ୍କା ପ୍ରତିଯୋଗିତା ହେଉଚି ପିଲାଙ୍କ ଭିତରେ l ମୁଁ ଟିକେ ସେଥିରେ ଭାଗ ନେଇ ଚିତ୍ର ଆଙ୍କନ୍ତି l ବୋଉ, ଚିତ୍ର କଣ ? ସେଇଟା କେମିତି ଅଙ୍କା ହୁଏ ? ମୁଁ ଯାଉଛି, ମକରାକୁ ପଚାରି ଆସିବି l ମୋ ହାତବାଡିଟା ଦେଲୁ l” ବୋଉ ପୁଣି ବାବୁଲା ହାତକୁ ଖପ୍ କରି ଧରି ବସେଇଦେଲା ଆଉ କହିଲା, “ପେଟ ପୂରିଲେ ସିନା ଯିବୁ l”
ବୋଉ ଆଉ ଗୋଟେ ଗୁଣ୍ଡା ବାବୁଲା ପାଟିରେ ପୂରାଇଦେଲା l ବାବୁଲା ପୁଣି କହିଲା, “ବୋଉ ଏ ଦୁନିଆରେ ସବୁ ଏମିତି କଳା କଣ ପାଇଁ ଦେଖାଯାଏ ? ପିଣ୍ଟୁ କହୁଥିଲା, ଆଜି ସଞ୍ଜକୁ ବିମାନରେ ରାଧାକୃଷ୍ଣ ବୁଲିବେ, ଫଗୁଖେଳ ହେବ l ନାଲି, ନେଳି, ସବୁ ରଙ୍ଗର ଅବିରରେ ରଙ୍ଗଖେଳ ହେବ l ତୁ ଛାଡ଼ ମତେ l ମୁଁ ଯାଉଛି l ଏ ରଙ୍ଗ କେମିତିକା ଟିକେ ଦେଖି ଆସିବି l” ଏତିକି କହି ବୋଉ ପାଖରୁ ଉଠିଯାଉଥିଲା ବାବୁଲା l ବୋଉ ପୁଣି ତାକୁ ବସେଇ ଦେଲା l କହିଲା, “ଖାଇଦେ ଧନ, ପେଟ ପୂରିଲେ ସିନା ଯିବୁ l”
ବୋଉ ଆଉ ଗୁଣ୍ଡାଏ ଖୁଆଇବା ପାଇଁ ତୋରାଣି କଂସାରେ ହାତ ବୁଡ଼ାଇଲା, କିନ୍ତୁ କଂସାରେ ଆଉ ଭାତ ନଥିଲା l ଘରେ ଚାଉଳ ନଥିବାରୁ କାହାର ଭୋଜିର ବଳକା ଭାତଟିକକ ଗତ ରାତିରୁ ଆଣି ପଖାଳ କରିଥିଲା l ସକାଳୁ ବାବୁଲା ବାପା ଚାରିଗୁଣ୍ଡା ଖାଇ କାମ ଖୋଜିବାକୁ ଯାଇଛି l
ବାବୁଲା ଦେଖି ନ ପାରିଲେ ବି ବୋଉ ଆଉ ଗୁଣ୍ଡାଏ ଭାତ ନ ଦେବାରୁ ସେ ସବୁ ଜାଣିପାରିଲା l ସାଙ୍ଗେସାଙ୍ଗେ କହିଲା,”ବୋଉ, ତୁ ମତେ ଆଉ ଧରି ରଖିପାରିବୁନି l କଂସାରେ ଆଉ ଭାତ ନାହିଁ l ମୋ ପେଟ ସିନା ପୂରିଲାନି, ମୁଁ କିନ୍ତୁ ଯାଉଛି ଖେଳ ଦେଖିବି, ନାଚଗୀତ କେମିତି ହୁଏ ଦେଖିବି, ଚିତ୍ର କେମିତି ଅଙ୍କାଯାଏ ଦେଖିବି, ଫଗୁଖେଳ କେମିତି ଖେଳନ୍ତି ଦେଖିବି, ରଙ୍ଗ କେମିତିକା ଦେଖିବି l ତା’ପରେ ନିଜେ ଖେଳିବି, ନିଜେ ନାଚିବି, ନିଜେ ଆଙ୍କିବି, ନିଜେ ରଙ୍ଗ ଖେଳିବି l ତୁ ତ ମତେ ଆଉ ଗୁଣ୍ଡାଏ ଖୁଆଇବା ବାହାନାରେ ବସେଇ ପାରିବୁନି l ମୋ ପେଟର ଭୋକ ନ ପୂରିଲେ କ’ଣ ହେଲା, ମନ ପୂରିଯିବ l”
ପୁଣି ବାବୁଲା ମନରେ ପ୍ରଶ୍ନ – ସନ୍ଦେହର ପ୍ରଶ୍ନ, ସଂଶୟର ପ୍ରଶ୍ନ, କଳ୍ପନାର ପ୍ରଶ୍ନ
“ହେଲେ ବୋଉ, ମୁଁ ଏସବୁ କେମିତି ଦେଖିବି ଯେ, ସବୁବେଳ ଭଳି ଏସବୁ ମତେ ସେମିତିଆ କଳା ଆଉ ଅନ୍ଧାର ଦେଖାଯିବନି ତ ?”
ବୋଉର ହାତ ପଖାଳକଂସାରୁ ବାହାରୁନଥିଲା l ସାତବର୍ଷର ନିର୍ବୋଧପୁଅ ମନରୁ ଏ ସନ୍ଦେହକୁ ଦୂର କରିପାରିବାର ସାହସ ନଥିଲା ତା’ର l ସେ ନିର୍ବାକ୍ ହୋଇ ଚାହିଁରହିଥିଲା ବାବୁଲାର ସେଇ ଦୀପ୍ତିମାନ୍, ସଂଶୟପୂର୍ଣ୍ଣ ମୁଖମଣ୍ଡଳକୁ l ଖୋଲା ଥାଇ ବି ବନ୍ଦ ଥିବା ତା’ର ସୁଢ଼ଳ-ନୟନ-ଯୁଗଳକୁ l
ବାବୁଲା ଉଠି ଯିବାକୁ ଉଦ୍ୟତ ହେଉଥିଲା ଆଉ ବୋଉ ଆଖିର ଲୁହ ଗଡ଼ିଯାଇ ତୋରାଣିରେ ପଡୁଥିଲା ଟୋପେ ଟୋପେ ହେଇ ଟପ୍… ଟପ୍…
କେନ୍ଦ୍ରାପଡ଼ା, ଭ୍ରାମ୍ୟଭାଷ: 9114085095
There is 1 comment
ଅଭାବ ଅନାଟନ ଭିତରେ ବି ବୋଉ/ମାଆ ର ସ୍ନେହ ଶ୍ରଦ୍ଧା କେବେ ଉଣା ପଡେନାହିଁ। ଖୁବ୍ ଭଲ ଲାଗିଲା ଅଂଶୁମାନଙ୍କ ଗଳ୍ପ। ସ୍ନେହ ଶୁଭେଚ୍ଛା ଜଣାଉଛି।