
ଏତେ ଆଲୁଅ କୋଉଠି ଥିଲା
ଭଙ୍ଗା ବତୀଖୁଣ୍ଟରେ ନା
ଆକାଶରେ ମିଟି ମିଟି କରୁଥିବା ତାରାଙ୍କ ଆଖିରେ ?
ଯୋଉ କୀଟମାନେ ଅନ୍ଧାର ଭିତରୁ ମୁକୁଳିବା ପାଇଁ
ଆଲୁଅ ଖୋଜି ଉଡ଼ିବୁଲୁଥିଲେ
ତାଙ୍କର ଡେଣାସବୁକୁ ଝାଡ଼ିଦେବାକୁ
ଏ ରାତି କ’ଣ ମାୟା ଆଲୁଅ ରଚିଲା ?
ଭୂଇଁରେ ପଡ଼ିବା ଆଗରୁ
ସେମାନଙ୍କର ବେଫିକର ଉଡ଼ାଣ
ସତରେ କେଡ଼େ ସୁନ୍ଦର ଲାଗୁଥିଲା !
ଡେଣାହୀନ ହେଲେ
ଅକାଳରେ ଜୀବନ ହାରିବାକୁ ପଡ଼େ,
ଏକଥା ବୋଧେ ତାଙ୍କୁ ଜଣା ନଥିଲା l
ଯଦିଓ ଆଲୁଅ ସବୁବେଳେ ଉଡ଼ାଉଥାଏ ହସର ଜ୍ୟୋତ୍ସ୍ନା
ସେଠି ବି କେବେ କେବେ ପଡ଼ିଥାଏ
ଖଣ୍ଡ ଖଣ୍ଡ ଅନ୍ଧାରର କିଛି ତୀକ୍ଷ୍ଣ କାଚ !
ଗୋଟେ ସମୟ ଥିଲା, ଯେତେବେଳେ
ବତୀଖୁଣ୍ଟ ହିଁ କୀଟମାନଙ୍କୁ ଭରସା ଦେଉଥିଲା
ପ୍ରବଳ ବର୍ଷା କି ବାଆ ବତାସ
ଯେତେ ଉତ୍ପାତ କଲେ ବି ଆଲୁଅ କେବେ ଲିଭୁ ନଥିଲା l
ଉଡ଼ି ଉଡ଼ି କୀଟମାନେ
ଯେତେବେଳେ ତଳକୁ ଖସି ପଡୁଥିଲେ
ତାଙ୍କର ଦରମଲା ଦେହକୁ
ଗୋଟେଇ ନେବା ଲାଗି
ଭୋକିଲା ପିମ୍ପୁଡ଼ିମାନଙ୍କର ମେଳା ଲାଗୁଥିଲା l
ସକାଳ ଆସି ରାସ୍ତା ଖରକିଲା ବେଳେ
ଜାଣି ପାରୁଥିଲା, ଗଲା ରାତିଟା
ସତରେ କେଡ଼େ ଭୟଙ୍କର ଥିଲା..!!
There are 2 comments
ନମସ୍କାର ସାର୍
ଚମତ୍କାର ସୃଷ୍ଟି
“ଏତେ ଆଲୁଅ କୋଉଠି ଥିଲା”
ବହୁତ ଭଲ ଲାଗିଲା
🙏🙏
ଅଶେଷ ଧନ୍ୟବାଦ କବି।
ଆପଣଙ୍କ ମନ୍ତବ୍ୟ ଓ ପ୍ରୋତ୍ସାହନ ଲେଖକଙ୍କ ସମେତ ଚଉକାଠକୁ ବି ବିଶେଷ ସାମର୍ଥ୍ୟ ଦେବ।