
ସୂର୍ଯ୍ୟ ଏବେ ପଶ୍ଚିମାଭିମୁଖୀ…
ଆଉ ବେଳନାହିଁ
କରିବାକୁ ଜୀବନ ଗଣିତର ହିସାବ !
ଆସ ପ୍ରିୟମ୍ବଦା…
ନିର୍ଦ୍ଦିଷ୍ଟ ସୀମାରେ ପହଁଞ୍ଚିବା ପୂର୍ବରୁ
ପାଇବା ଓ ହରେଇବାର ଦୁଇ କୂଳେ ଠିଆହୋଇ ପରଖିନେବା
ପାପ ଆଉ ପୁଣ୍ୟ ମଧ୍ୟରେ ଥିବା
ସମ୍ପର୍କର ଋଜୁତା।
ପ୍ରିୟମ୍ବଦା…
ନୀଳଜହ୍ନର ନୀଳଜ୍ୟୋତ୍ସ୍ନାରେ
ଚିକମିକ୍ କରୁଥିବା ନୀଳନଈ କୂଳେ ବସି
ଆମ ଭିତରେ ଡେଣା ଫଡ଼ ଫଡ଼ କରୁଥିବା
ଅସହାୟ ପକ୍ଷୀମାନଙ୍କୁ ଉଡ଼େଇଦେବା
ସୁଦୂର ଦିଗନ୍ତକୁ…
ନଦୀଘାଟରେ ପଡ଼ିଥିବା ଦଦରାନାଆ ପରି
ଚିରସବୁଜ ଦୁଃଖମାନଙ୍କୁ
ବୁହେଇଦେବା
ନୀଳନିର୍ଜନ ନିରୁକ୍ତ ନିରବତାକୁ।
ଆସ ପ୍ରିୟମ୍ବଦା…
ସମୟର ନିଃସଙ୍ଗ ବାଲିବନ୍ତଉପରୁ
ବିବର୍ଣ୍ଣ-କ୍ଳାନ୍ତ ଚଲାପଥକୁ ପଛକରି ଫେରିଯିବା
ମାଇଲ୍ ମାଇଲ୍ ବ୍ୟାପିଥିବା
ନିରନ୍ଧ୍ର ଘଞ୍ଚ ନୀରବତାର ବନାନୀକୁ
ଯେଉଁଠି ଅନୁଭବିବା ଆମ ପିଲାଦିନର ଅସ୍ମିତା;
ମାପିବସିବା ଅନ୍ତହୀନ ପ୍ରେମର ଅସୀମ ଗଭୀରତା
ଓ ଆତ୍ମିୟତାର ମୁଗ୍ଧ ଅନୁରାଗକୁ ।
ଆସ, ସ୍ବଳ୍ପ ସମୟ ପାଇଁ ହେଲେ ବି
ପରିଚିତ ଓଠମାନଙ୍କରୁ ଝରାଇଦେବା
ପ୍ରୀତିସ୍ନାତା ପୁଲକିତ ପ୍ରେମର ଶିହରଣ
ଯାହାର ମୁଗ୍ଧ ବେହରଣର କାରାଗାରେ
ବନ୍ଦୀ ହୋଇଯିବା
କ୍ଷଣିକ ପାଇଁ ହେଲେ ବି…
ଆସ, ଆସ ପ୍ରିୟମ୍ବଦା।
There are 2 comments
ବହୁତ ଭଲ ଲାଗିଲା “ପ୍ରିୟମ୍ବଦା”
କବିଙ୍କୁ ଅଜସ୍ର ଭଲପାଇବା
ଚମତ୍କାର କବିତା l ବହୁତ ଭଲ ଲାଗିଲା 🙏