Home » Magazine » ସାହିତ୍ୟତୀର୍ଥ : ଅଭିନବ ବିଷ୍ଣୁଶର୍ମାଙ୍କ ଗାଆଁ ଶଙ୍ଖାରି

ସାହିତ୍ୟତୀର୍ଥ : ଅଭିନବ ବିଷ୍ଣୁଶର୍ମାଙ୍କ ଗାଆଁ ଶଙ୍ଖାରି

ଅଭିନବ ବିଷ୍ଣୁଶର୍ମା, ଗଳ୍ପସାଗର, ଉତ୍କଳରତ୍ନ, ଭାରତ ଗୈାରବ, ସାହିତ୍ୟ ଭାରତୀ, ପଦ୍ମଶ୍ରୀ, ପଦ୍ମଭୂଷଣ… ଏହିପରି ଅନେକାନେକ ସମ୍ମାନାସ୍ପଦ ଉଚ୍ଚାଙ୍ଗ ଉପାଧିରେ ବିମଣ୍ଡିତ ଅନବଦ୍ୟ କଥାଶିଳ୍ପୀ ମନୋଜ ଦାସ।

କେବଳ ମନୋଜ ଦାସ କହିଦେଲେ ହିଁ ପ୍ରତ୍ୟେକଟି ସାହିତ୍ୟପ୍ରିୟ ବ୍ୟକ୍ତିର ଚେତନା ପଟଳରେ ଉଦଭାସିତ ହୋଇଉଠେ  ଏହି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଉତ୍କଳମାତାର ବରପୁତ୍ରଙ୍କ ଶାନ୍ତ ସ୍ନିଗ୍ଧ ସ୍ମିତ ଚେହେରା। ଫେବୃଆରୀ ୨୭,  ୧୯୩୪ ମସିହାରେ ବାଲେଶ୍ଵରର ଏକ ସମୁଦ୍ରକୂଳିଆ ଗାଁ ଶଙ୍ଖାରିରେ ଜନ୍ମ ତାଙ୍କର। ପିତା ଜମିଦାର ମଧୁସୂଦନ ଦାସ ଓ ମାତା କାଦମ୍ବିନୀ ଦେବୀ।

କିଶୋର ବୟସରୁ ହିଁ ସ୍ବୀୟ ପ୍ରତିଭାର ପରିଚୟ ଦେଇଥିଲେ ମନୋଜ। ମାତ୍ର ୧୫ ବର୍ଷ ବୟସରେ ତାଙ୍କର ପ୍ରଥମ କବିତାବହି ‘ଶତାବ୍ଦୀର ଆର୍ତ୍ତନାଦ’ ପ୍ରକାଶ ପାଇଥିଲା। ସେହି କିଶୋର ବୟସରେ ହିଁ ‘ଦିଗନ୍ତ’ ନାମକ ଏକ ପତ୍ରିକାର ସମ୍ପାଦନା କରିଥିବା ମନୋଜ ପରବର୍ତ୍ତୀ କାଳରେ ଦି ହେରିଟେଜ, ଜହ୍ନମାମୁ ଭଳି ପ୍ରସିଦ୍ଧ ପତ୍ରିକାର ସମ୍ପାଦନା ଦାୟିତ୍ବ ସୁଚାରୁ ରୂପେ ତୁଲେଇଥିଲେ। ଆକାଶର ଇସାରା, ତନ୍ଦ୍ରାଲୋକର ପ୍ରହରୀ, କନକ ଉପତ୍ୟକାର କାହାଣୀ, ଅମୃତର ଫଳ, ପ୍ରଭଞ୍ଜନ, ଗୋଧୂଳିର ବାଘ, ଶେଷ ତାନ୍ତ୍ରିକର ସନ୍ଧାନେ, ବୁଲଡୋଜର ଭଳି କାଳଜୟୀ ଉପନ୍ୟାସ, ଶେଷ ବସନ୍ତର ଚିଠି, ମନୋଜ ପଞ୍ଚବିଂଶତି, ଆବୁପୁରୁଷ , ଧୂମ୍ରାଭ ଦିଗନ୍ତ, ମନୋଜ ଦାସଙ୍କ କଥା ଓ କାହାଣୀ ଇତ୍ୟାଦି ଅସଂଖ୍ୟ ଗଳ୍ପ, କବିତା ଉତ୍କଳ, ତୁମ ଗାଁ ଓ ଅନ୍ୟାନ୍ୟ କବିତା ଇତ୍ୟାଦି କବିତା ସଙ୍କଳନ, କେତେଦିଗନ୍ତ, ସମୁଦ୍ରକୂଳର ଗାଁ, ଶ୍ରୀଅରବିନ୍ଦଙ୍କ ସାବିତ୍ରୀର କାବ୍ୟ ଅନୁବାଦ ତାଙ୍କର ଅନନ୍ୟ ସାରସ୍ୱତ ବିଭବର କେତୋଟି ମାତ୍ର ନିଦର୍ଶନ। ଶ୍ରୀଅରବିନ୍ଦ ଦର୍ଶନର ପ୍ରବକ୍ତା ଏହି ମହାନ ବ୍ୟକ୍ତିତ୍ୱ ୨୭ ଅପ୍ରେଲ ୨୦୨୧ରେ ପଣ୍ଡିଚେରୀଠାରେ ଦେହତ୍ୟାଗ କରିଥିଲେ। କେବଳ ଓଡ଼ିଆ ସାହିତ୍ୟ କାହିଁକି, ଅନ୍ତର୍ଜାତୀୟ ସାହିତ୍ୟ ଜଗତରେ ମନୋଜ ଦାସଙ୍କ ଭଳି ପ୍ରଚଣ୍ଡ ମାର୍ତ୍ତଣ୍ଡ ଅସ୍ତମିତ ହୋଇଗଲେ।

ତାଙ୍କ ଅବର୍ତ୍ତମାନରେ ତାଙ୍କ ଅମ୍ଳାନସ୍ମୃତିର ସଂରକ୍ଷଣ ନିମନ୍ତେ ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ପ୍ରୟାସର ଫଳଶ୍ରୁତି ହେଉଛି ତାଙ୍କ ଜନ୍ମସ୍ଥାନ ଶଙ୍ଖାରିସ୍ଥ ମନ୍ମଥ-ମନୋଜ ସ୍ମୃତି ସ୍ମାରକୀ, ଯେଉଁଠି ସଂରକ୍ଷିତ ବଡ଼ଭାଇ ବିଶିଷ୍ଟ ଇତିହାସବିତ ଓ ଐତିହାସିକ ମନ୍ମଥନାଥ ଦାସ ଓ ସାନଭାଇ ମନୋଜ ଦାସଙ୍କ ବାଲ୍ୟକାଳ, କୈଶୋର ସମେତ ସମଗ୍ର ଜୀବନର ସ୍ମୃତି ଓ କୀର୍ତ୍ତିରାଜି।

ବାଲେଶ୍ଵର ସହରରୁ ଆରଡ଼ ବଜାର ରୋଡ଼ ଧରି ଉତ୍ତର-ପଶ୍ଚିମକୁ ଗଲେ ନୁନିଆଯୋଡ଼ି ବ୍ରିଜ ପରେ ବୁଢ଼ାବଳଙ୍ଗ ନଦୀ। ବୁଢ଼ାବଳଙ୍ଗ ନଦୀ କୂଳେ କୂଳେ କିଛି ବାଟ ଯିବା ପରେ ରୂପସା ପାରି ହେଲେ ପ୍ରସିଦ୍ଧ ଚନ୍ଦନେଶ୍ବର, ଯାହା ବାଲେଶ୍ଵର ଠାରୁ ପ୍ରାୟ ୮୨ କିଲୋମିଟର ଦୂର ଏବଂ ସେଠାରୁ ୮ କିଲୋମିଟର ଦୂରରେ ସମୁଦ୍ରକୂଳର ଏଇ ମନୋରମ ଗାଁ ଶଙ୍ଖାରି। ଯୋଉ ଶଙ୍ଖାରି, ଏବେ ଓଡ଼ିଆସାହିତ୍ୟର ଏକ ତୀର୍ଥକ୍ଷେତ୍ରରେ ପରିଣତ ହୋଇଛି ଦୁଇଭାଇ ମନ୍ମଥନାଥ ଦାସ ଓ ମନୋଜ ଦାସଙ୍କ  ଏଇ ସ୍ମାରକୀ ଯୋଗୁଁ। ଦୀଘା ଏବଂ ତାଳସାରି ବେଳାଭୂମି ଏହି ଗାଁର ଖୁବ୍ ସନ୍ନିକଟରେ। ନଡ଼ିଆ, ତାଳ, ବାଉଁଶ ଘେରା ଏହି ଛୋଟ ଗାଁଟି ଜଣେ ପେଶାଦାର ଚିତ୍ରକରର କାନଭାସରେ ଅଙ୍କାହେଇଥିବା   ସୁନ୍ଦର ଚିତ୍ରଟିଏ ଭଳି ପ୍ରତୀତ ହେଉଥାଏ। 

ଏଇଠି ଜନ୍ମ ହୋଇଛନ୍ତି ଉତ୍କଳର ବରପୁତ୍ର, ମହାନ୍ ସାହିତ୍ୟ ସାଧକ ଓ ବହୁଧା ପ୍ରତିଭାର ଅଧିକାରୀ  ମନୋଜ ଦାସ। ଏଇଠି କିଶୋର ବୟସରେ ସେ ଇନ୍ଦ୍ରଧନୁ ପଛରେ ଧାଉଁଥିଲେ ଦିଗନ୍ତ ବିସ୍ତାରୀ ଶାଲୀକ୍ଷେତର ସବୁଜ ଢେଉକୁ ଡେଇଁ ଡେଇଁ। ମନୋଜ ଦାସଙ୍କର ପୈତୃକ ଘରର ଜୀର୍ଣ୍ଣୋଦ୍ଧାର ପୂର୍ବକ ନବକଳେବର କରେଇଛନ୍ତି ସରକାର।ସ୍ମୃତିସ୍ମାରକୀର ପ୍ରବେଶପଥରେ ଦୁଇ ମହାନ ବରପୁତ୍ରଙ୍କ ପୂର୍ଣ୍ଣାବୟବର ପ୍ରତିମୂର୍ତ୍ତି ଶ୍ରଦ୍ଧା ଓ ସମ୍ମାନର ପ୍ରତୀକ ଭାବରେ ଦଣ୍ଡାୟମାନ।  ବ°ଶର ଆରାଧ୍ୟଦେବ ରାଧାକୃଷ୍ଣଙ୍କ ପ୍ରତିମା ସେଇଠି ଲକ୍ଷ୍ମୀନାରାୟଣ ମନ୍ଦିରରେ ନିୟମିତ ପୂଜା ପାଉଛନ୍ତି। ଏପର୍ଯ୍ୟନ୍ତ ମନୋଜଙ୍କ ବାଲ୍ୟକାଳର ଆମ୍ବ, ବେଲ, ସପେଟା, ଜାମୁରୋଳ, ଜାମୁକୋଳି ଗଛ ସୁରକ୍ଷିତ ରଖାଯାଇଛି। ନୂତନ ଭାବେ ନିର୍ମିତ ହୋଇଛି ବିରାଟ ସଭାକକ୍ଷ, ଅତିଥିସତ୍କାର କକ୍ଷ, ପାଠଚକ୍ରଗୃହ। ପୈତୃକ ଘରଟିକୁ ପୁନଃ ନିର୍ମାଣ ବେଳେ ଏହାର ପ୍ରାଚୀନ ସ୍ଥାପତ୍ୟ ଅକ୍ଷୁର୍ଣ୍ଣ ରଖା ଯାଇ ସେଠାରେ ଗଢ଼ାଯାଇଛି ସ୍ମାରକୀ ସ°ଗ୍ରହାଳୟ। ସେଠାରେ ମନ୍ମଥ ଓ ମନୋଜଙ୍କ ବାଲ୍ୟକାଳର ସ୍ମୃତିଚିତ୍ର, ଫଟୋ, ପିତା, ମାତା, ପିତାମହୀଙ୍କ ଫଟୋଚିତ୍ର ସହିତ ମନୋଜ ଦାସଙ୍କ ଗଳ୍ପ ଶେଷ ବସନ୍ତର ଚିଠି, ଲକ୍ଷ୍ମୀର ଅଭିସାର, ନିଖୋଜ ଟୋପିର ରହସ୍ୟ ଇତ୍ୟାଦି କାନ୍ଥଗୁଡ଼ିକରେ ଖୁବ୍ ସୁନ୍ଦର ଭାବେ ଚିତ୍ରାୟିତ। ମନ୍ମଥ ଓ ମନୋଜଙ୍କ ଶୟନକକ୍ଷ, ମନୋଜଙ୍କ ପଣ୍ଡିଚେରୀସ୍ଥ ବାସଗୃହର ବୈଠକଖାନାର ପ୍ରତିକୃତି ଏତେ ଜୀବନ୍ତ ଯେ ଦର୍ଶକ ଆଖି ଫେରାଇ ନେଇ ପାରିବନି। ପୁରସ୍କାରକକ୍ଷରେ ସେ ପାଇଥିବା ପ୍ରତ୍ୟେକ ପୁରସ୍କାର, ସମ୍ମାନ, ପଦ୍ମଶ୍ରୀ, ପଦ୍ମଭୂଷଣ ପଦକ, ଫଟୋ, ମାନପତ୍ର ସୁରକ୍ଷିତ ସଜା ହେଇ ରହିଛି। ଅନ୍ୟ ଏକ କକ୍ଷ ତାଙ୍କର ଅଧ୍ୟୟନ କକ୍ଷ। ସବୁଠୁ ଆକର୍ଷଣୀୟ ଏକ ଲାଇବ୍ରେରୀ– ଯେଉଁଠି ଦୁଇଭାଇଙ୍କ ରଚିତ ବହିର ବିଶାଳ ସମ୍ଭାର। ଦର୍ଶକଙ୍କ ପାଇଁ ଏକ ସିନେମାକକ୍ଷରେ ମନୋଜଙ୍କ ଜୀବନୀ-ଚଳଚ୍ଚିତ୍ର ପ୍ରଦର୍ଶନର ବ୍ୟବସ୍ଥା ଖୁବ୍ ମନମୋହକ। ଘର ସାମନାରେ ମନୋଜଙ୍କ ବାପା ଶିକ୍ଷାବିତ ମଧୁସୂଦନଙ୍କ ନାମରେ ନାମିତ ବିଦ୍ୟାଳୟ ମଧ୍ୟ ସରକାରଙ୍କ ପ୍ରଚେଷ୍ଟାରେ ଆଧୁନିକ ଭାବରେ ପ୍ରତିଷ୍ଠିତ… ଯେଉଁଠି ଶ୍ରେଣୀକକ୍ଷରେ ହିଁ ଦଶମଶ୍ରେଣୀ ପର୍ଯ୍ୟନ୍ତ  ଡିଜିଟାଲ ଅଧ୍ୟାପନାର ସୁବିଧା ଯୋଗାଇ ଦିଆଯାଇଛି। ଗଛବୃଚ୍ଛ ପରିବେଷ୍ଟିତ ସୁନ୍ଦର ଓ ସୁସ୍ଥ ପରିବେଶରେ କୋମଳମତି ଛାତ୍ରଛାତ୍ରୀ ଶୃଙ୍ଖଳିତ ଭାବରେ ପାଠ ପଢ଼ିବା ଦେଖିଲେ ଖୁସି ଲାଗିବ ନିଶ୍ଚୟ।

ଆଉ, ଶଙ୍ଖାରିରୁ ଫେରିବାବେଳେ ଏଇ ପୁଣ୍ୟଭୂମିର ମୋହ ପଛରୁ ନିଶ୍ଚୟ ଟାଣି ଧରୁଥିବ ଓ ପୁଣିଥରେ ଆସିବାକୁ ଅନୁରୋଧ କରୁଥବ। ସମୁଦ୍ରର ସୁବିସ୍ତୀର୍ଣ୍ଣ  ବେଳାଭୂମି  ସହିତ ବିଖ୍ୟାତ ଚନ୍ଦନେଶ୍ବର ମନ୍ଦିରର ଦେବଦର୍ଶନ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ହୃଦୟରେ ଅନିର୍ବଚନୀୟ ଆନନ୍ଦ ଭରିଦେବା ନିଶ୍ଚିତ।

Leave a Reply

Your email address will not be published. Required fields are marked *