ନଈରୁ ଫେରୁଥିବା ପବନ
।। ସରୋଜ ବଳ ।।
ଅଳପ ଖରାରେ ତୁ ଜଳିଯାଉଚୁ
ମାନେ ତୋର ଛତା ନାଇଁ ।
ରକଟିଗଲାଣି ଅଇଁଠା ହାତ, ଚାଟିନେ
ନେସିଗଲାଣି ଆଖିକଳା, ବାଗେଇନେ
ହୁଗୁଳି ଗଲାଣି ଖୋସଣି
ସଭା ମଝିରେ ସଜାଡ଼ିବୁ ନା ପଳେଇବୁ
ଅନ୍ତରାଳକୁ ଟିକେ, ଭାବିନେ |
ଅଳ୍ପ ଟିକେ ଅନ୍ଧାରରେ ତୁ ମିଳେଇ ଯାଉଛୁ
ମାନେ ତୋର ଛାଇ ନାଇଁ ।
ତୁ ଏମିତି ଧିମାନିଆଁରେ ଉତୁରି ପଡ଼ିବୁ
ତ ସର ପଡ଼ିବ କେମିତି ଦୁଧରେ
ତୁ ଏମିତି ଭୁରୁଭୁରୁ ଫେଣ ହେଇ
ଗ୍ଲାସ୍ ଉପର ଦେଇ ବାହାରିଯିବୁ
ତ ନିଶା କେମିତି ଚଢ଼ିବ ମୁଣ୍ଡରେ..!!
ଏତେଟିକେ ଘୃଣାରେ ତୁ ଚଡ଼କି ଯାଉଛୁ ମାନେ
ମୂଳଦୁଆ ଠିକ୍ରେ ପକେଇନି
ପ୍ରେମମିସ୍ତ୍ରୀ ।
ଯା’ ଘେରାଏ ଘୂରି ଆସିବୁ
ସତୀଚଉଁରା ଆଡୁ
ସମୟ କେମିତି ସମାଧି ପାଲଟିଯାଏ
ଦେଖିଆସିବୁ ।
ଫେରିଲା ବେଳେ
ଦହିବରା ଆଳୁଦମ୍ ଖାଇଦବୁ ପ୍ଲେଟେ
ଅଧିକ ଟିକେ ରାଗ ପକେଇ
ଓ ବସିବୁ ଯାଇ କେଇଘଡ଼ି
ସୁଭାଷ ବୋଷ ପାର୍କରେ
ନଈମୁହାଁ ହେଇ ।
ନଈରୁ ଫେରୁଥିବା ସଂଜୁଆ ପବନ
କାଳେ ବତେଇ ଦେବ
ତୋ ମିଳୁ ନଥିବା ସ୍ବପ୍ନର ଠିକଣା…
କାନେଇଥିବୁ।
ଭୁବନେଶ୍ୱର, ମୋ: ୯୯୩୮୫୩୯୩୭୯
There is 1 comment
ବାଃ!!!!
ବାଃ!!!!
ବାଃ……..!!!!
ଚମତ୍କାର କବିତା ସହ
ଆବୃତ୍ତି ମଧ୍ଯ ଉଚ୍ଚକୋଟୀର ।
💐🙏🙏💐