# ଗଙ୍ଗାଧର ମେହେର : ପ୍ରକୃତି କବି ଗଙ୍ଗାଧର ମେହେରଙ୍କର ଶ୍ରାଦ୍ଧଦିବସ ଏପ୍ରିଲ, ଚାରିତାରିଖ ଦିନ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ମହାଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କ ସାହିତ୍ୟକୃତି ଉପରେ ବିଶେଷ ଆଲୋଚନା ହେବା ସହିତ କବିତା ପାଠୋତ୍ସବମାନ ଅନୁଷ୍ଠିତ ହୋଇଥିଲା। କବି ଗଙ୍ଗାଧର ମେହେର ୧୮୬୨ ମସିହା ଅଗଷ୍ଟ ୯ ତାରିଖରେ ବରପାଲି ଠାରେ ଜନ୍ମଗ୍ରହଣ କରିଥିଲେ ଓ ପିଲାଟି ବେଳୁ ସେ ସାହିତ୍ୟ ଅନୁରକ୍ତ ଥିଲେ। ଓଡ଼ିଆ ସମେତ ସଂସ୍କୃତ, ହିନ୍ଦୀ ଓ ବଙ୍ଗଳା ଭାଷାରେ ମଧ୍ୟ ତାଙ୍କର ପାରଦର୍ଶିତା ଥିବା ହେତୁ ରାମାୟଣ, ମହାଭାରତ ସହିତ ବିଭିନ୍ନ ଭାଷାର ସାହିତ୍ୟକୁ ସେ ଛୋଟବେଳୁ ପଢ଼ିଥିଲେ। ତାଙ୍କର ଅମୂଲ୍ୟକୃତି ମଧ୍ୟରେ ତପସ୍ଵିନୀ, ଅହଲ୍ୟାସ୍ତବ, ଉତ୍କଳଲକ୍ଷ୍ମୀ, କୀଚକବଧ, ଅର୍ଘ୍ୟଥାଳି, ପଦ୍ମିନୀ, ପ୍ରଣୟବଲ୍ଲରୀ ଆଦି ଉଲ୍ଲେଖନୀୟ। ସର୍ବଦା ମାନବବାଦର ଜୟଗାନ କରିଥିବା କବି ଗଙ୍ଗାଧର ୧୯୨୪ ମସିହା ଅପ୍ରେଲ ଚାରି ତାରିଖରେ ଇହଲୀଳା ସମ୍ବରଣ କରିଥିଲେ।
# ବିଷୁବ ସମ୍ମାନ:୨୦୨୪ : ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ରାଉରକେଲାର ସର୍ବପୁରାତନ ଆଦର୍ଶ ପାଠାଗାର ପକ୍ଷରୁ ବିଷୁବ ସଂକ୍ରାନ୍ତି ଦିନ ବିଷୁବ ମିଳନର ଆୟୋଜନ କରାଯାଇଛି। ଏହି ଅବସରରେ ଓଡ଼ିଶା ରାଜ୍ୟ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ମୁଖ୍ୟଅତିଥି ରୂପେ ଯୋଗଦାନ କରି ଓଡ଼ିଶାର ସ୍ୱନାମଧନ୍ୟ କବି ଶ୍ରୀଦେବଙ୍କୁ ମର୍ଯ୍ୟାଦାଜନକ ବିଷୁବ ସମ୍ମାନ:୨୦୨୪ ରେ ସମ୍ମାନିତ କରିବେ। ଏହି ଅବସରରେ ଏକ ମନୋଜ୍ଞ କବି ସମ୍ମିଳନୀର ମଧ୍ୟ ଆୟୋଜନ କରାଯାଇଛି।
# ସ୍ବସ୍ତି ସାରସ୍ବତ ସମାରୋହ: ଏ ମଧ୍ୟରେ ସ୍ବସ୍ତି ସାହିତ୍ୟ ସଂସଦ ଦ୍ବାରା ଏକ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କବି ମୀନକେତନ ପଶାୟତ ମାଧୂର୍ଯ୍ୟମୟ ବସନ୍ତ ଋତୁ ଓ କାବ୍ୟଚେତନା
ଉପରେ ତାଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିବାବେଳେ ଗଳ୍ପପାଠ କରିଥିଲେ ଗାଳ୍ପିକ କାଶୀନାଥ ନନ୍ଦୀ। କବିତାପାଠ କରିଥିଲେ ନିବେଦିତା ନନ୍ଦ, ସାଗର ମହାନ୍ତି, ଶର୍ମିଷ୍ଠା କବିଶତପଥୀ, ସଂଜୀବ କୁମାର ଭୋଇ, ବିଜୟଲକ୍ଷ୍ମୀ ପଟ୍ଟନାୟକ ଓ ଅଶୋକ କୁମାର ପଟ୍ଟନାୟକ। କବିତା ପାଠୋତ୍ସବକୁ ସଂଯୋଜନା କରିଥିଲେ କବି ରଶ୍ମି ସାହୁ ଓ ପଠିତ ଗଳ୍ପଟିକୁ ସମୀକ୍ଷା କରିଥିଲେ ଅଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ। ସମାରୋହର ଉପସଂହାର କରିଥିଲେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ।


There is 1 comment
ଖବର ସବୁର ପ୍ରାଞ୍ଜଳ ଚିତ୍ରଣ ପାଇଁ ସଂପାଦକ ମହୋଦୟଙ୍କୁ ପ୍ରଣାମ ଓ ଅଜସ୍ର ଅଭିନନ୍ଦନ 💐💐🙏