
୧୯୮୦ ମସିହାରେ ପ୍ରତିଷ୍ଠିତ ସ୍ବସ୍ତି ସାହିତ୍ୟ ସଂସଦ, ଏବେ ରାଜ୍ୟସ୍ତରରେ ଏକ ଆଭିଜାତ୍ୟ ସମ୍ପନ୍ନ ନାମ । ଅଧ୍ୟାପକ ରବୀନ୍ଦ୍ରନାଥ ନାୟକ, ଅଧ୍ୟାପକ ଗୌରୀ ଶତପଥୀ ଓ କବି ରାଜୀବ ପାଣିଙ୍କୁ ନେଇ ଦିନେ ଆରମ୍ଭ ହେଇଥିବା ସ୍ବସ୍ତିର ଏହି ଯାତ୍ରାର ପାଦଚିହ୍ନ ଦୂର ଦିଗନ୍ତ ଯାଏଁ ପ୍ରଲମ୍ବିତ । ପତ୍ରିକା ପ୍ରକାଶନ, ମାସିକ ସାହିତ୍ୟ ଆସର, ନାଟକ ଓ ବର୍ଷର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବିଭାବର ସାହିତ୍ୟ କାର୍ଯ୍ୟକ୍ରମମାନଙ୍କରେ ଅହରହ ବ୍ୟସ୍ତ ରହିଥାଏ ସ୍ବସ୍ତି ।

ବର୍ଷସାରା ଓଡ଼ିଶାର କବି-ଲେଖକଙ୍କ ସମେତ ସାହିତ୍ୟପ୍ରେମୀ ଜନେ ଅପେକ୍ଷା କରିଥାନ୍ତି ବର୍ଷର ଏଇ ଫେବୃଆରୀ-ମାର୍ଚ୍ଚ ମାସକୁ…. ସ୍ବସ୍ତି ସାହିତ୍ୟ ସଂସଦ ଦ୍ଵାରା ଦୁଇଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ସ୍ୱର-ଦୃଶ୍ୟ-ବାଦ୍ୟର ଅନନ୍ୟ କାର୍ଯ୍ୟକ୍ରମ ‘ସ୍ବସ୍ତି : କବିତାୟନ’ ସହ ବନବିହାର ସାହିତ୍ୟ ଉତ୍ସବକୁ, ଯେଉଁଥିରେ ଓଡ଼ିଶାର ବିଭିନ୍ନ କୋଣରୁ ନବୀନ ଓ ପ୍ରବୀଣ ଲେଖକ ଓ କବିମାନଙ୍କର ସମାଗମ ହୋଇଥାଏ ।


ଏ ବର୍ଷ ମଧ୍ୟ, ଗତ ଫେବୃଆରୀ ୨୪ ଓ ୨୫ ତାରିଖରେ ଏହି “କବିତାୟନ” ଅନୁଷ୍ଠିତ ହେଇଯାଇଛି, ରାଉରକେଲାର ଛେଣ୍ଡସ୍ଥିତ ଗୋପବନ୍ଧୁ ପାଠାଗାର ପ୍ରେକ୍ଷାଳୟ, ପ୍ରଗତି ଉତ୍କଳ ସଂଘ ଓ ବୀରମିତ୍ରପୁର ସ୍ଥିତ ଡାଇରେକ୍ଟରସ୍ ବଂଗ୍ଲୋରେ।
ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଏଥିରେ ଯୋଗ ଦେଇଥିଲେ ବିଶିଷ୍ଟ ସାହିତ୍ୟିକ ବିପିନ୍ ନାୟକ, କୃପାସିନ୍ଧୁ ନାୟକ, ପ୍ରଦୀପ କୁମାର ପଣ୍ଡା, ରାଜୁ ଷଡ଼ଙ୍ଗୀ, ଗୌରହରି ଦାସ, ରାଧୁ ମିଶ୍ର, ବାସୁଦେବ ସୁନାନୀ, ପିତାମ୍ବର ତରାଇ, ପ୍ରଶାନ୍ତ ଦାଶ, କେ ଶ୍ୟାମବାବୁ ଦୋରା, ସୁକୁମାର ଦାସ, ମୋନାଲିସା ମିଶ୍ର, ପ୍ରଣତି ବେହେରା, ଅଙ୍ଗୁରବାଳା ପରିଡ଼ା, ସୁମନ ଦତ୍ତ, ରାଜୀବ ପାଣି, ବିଜୟ ରାୟ, ମୀନକେତନ ପଶାୟତ, ମମତା ପ୍ରିୟଦର୍ଶିନୀ ସାହୁ, ପ୍ରତାପ କୁମାର ପଣ୍ଡା, ରଶ୍ମି ସାହୁ, କରୁଣାକର ପାଟ୍ଟଶାଣୀ, ପିନାକୀ ମିଶ୍ର, ସୁଶାନ୍ତ ନାୟକ, ତ୍ରିଲୋଚନ ସ୍ବାଇଁ, ଗୌତମ ଦାସ, ସୁଧାଂଶୁ, ଅଶୋକ, ବିବିଧ ବିଶ୍ବ ଓ ସୁକାନ୍ତ ମହାପାତ୍ରଙ୍କ ସମେତ ଆହୁରି ଅନେକ ଗଣ୍ୟମାନ୍ୟ ସାହିତ୍ୟିକ ।
କବିତାୟନ କବିତା, ବନବିହାର କବିତା, ସାହିତ୍ୟ ଆଲୋଚନା, କାଠଗଡା ଓ ପ୍ରଶ୍ନୋତ୍ତର ଭଳି ଅନେକ ସାହିତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି ସମ୍ପାନଗୁଡିକରେ। ସବୁଠାରୁ ଉଲ୍ଲେଖନୀୟ ବିଷୟ ଥିଲା, ବୀରମିତ୍ରପୁର ଡାଇରେକ୍ଟରସ୍ ବଂଗ୍ଲୋ ପାଖ ବନ୍ୟ ପରିବେଶରେ ବନବିହାର କାର୍ଯ୍ୟକ୍ରମ ଚାଲିଥିବା ବେଳେ ଝାଡ଼ଖଣ୍ଡ ଅଞ୍ଚଳର ଦୁଇଜଣ ଆଦିବାସୀ ମହିଳା ଜସମନି ଓ ରୋସାଲିଆ ଖାଖା ସ୍ବତଃପ୍ରବୃତ୍ତ ଭାବରେ ଆସି ଏହି କାର୍ଯ୍ୟକ୍ରମକୁ ଶେଷ ପର୍ଯ୍ୟନ୍ତ ଉପଭୋଗ କରିବା ସହିତ ସାଦ୍ରୀ ଭାଷାରେ ଗୀତି-କବିତା ବୋଲିବା, ଯାହା ସିମକୋ-ଆମକୋ ଆନ୍ଦୋଳନ ପର୍ଯ୍ୟବେସିତ ଥିଲା । ଏହା ନିହାତି ଭାବରେ ସାହିତ୍ୟକର୍ମର ଏକ ଉଜ୍ଜ୍ବଳଦିଗ ବୋଲି କୁହାଯାଇପାରେ। କିଏ କହୁଛି, ସାହିତ୍ୟ ମଣିଷକୁ ପାଖେଇ ଆଣେ ନାହିଁ ବୋଲି..!!!


There are 4 comments
ସ୍ବସ୍ତି ର ବାର୍ଷିକ କବିତାୟନ କାର୍ଯ୍ୟକ୍ରମ ଏକ ନିଆରା ଅନୁଭବ ଦିଏ ପ୍ରତିଟି କବି ପ୍ରାଣକୁ ।ଏ ବର୍ଷ ଆପଣଙ୍କ ପ୍ରଶ୍ନ କବିଙ୍କ ଉତ୍ତର ଥିଲା ସବୁଠାରୁ ଉତ୍କୃଷ୍ଟ ପର୍ଯ୍ୟାୟ
ଯେଉଁଥିରେ ପ୍ରଶ୍ନର ଉତ୍ତର ରଖିଥିଲେ ପ୍ରିୟ କବି ବିପିନ ନାୟକ, ପ୍ରଦୀପ କୁମାର ପଣ୍ଡା, ତ୍ରିନାଥ ସିଂହ,ବିଜୟ ରାୟ, ମୀନକେତନ ପଶାୟତ, ପିନାକୀ ମିଶ୍ର।
ବେଶ୍ ଶିକ୍ଷଣୀୟ।
ସମସ୍ତ କବିଙ୍କୁ ପ୍ରଣାମ, ସ୍ବସ୍ତି ଏବଂ ସ୍ବସ୍ତିର ମଙ୍ଗ ଧରିଥିବା ସମ୍ମାନନୀୟ ଶ୍ରୀଯୁକ୍ତ ରାଜୀବ ପାଣିଙ୍କୁ ଶତ ଧନ୍ୟବାଦ ସହ ପ୍ରଣାମ।
ଆପଣଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ ଏଇ ସୁଚିନ୍ତିତ ଓ ସୁନ୍ଦର ମନ୍ତବ୍ୟ ପାଇଁ।
ସମ୍ବାଦ ବିସମ୍ବାଦ ଫର୍ଦ୍ଦ ଟି ଚମତ୍କାର ହୋଇଛି ।ସ୍ବସ୍ତି ସାହିତ୍ୟ ସଂସଦ ର ” କବିତାୟନ” ମହୋତ୍ସବ ଓଡ଼ିଆ ସାରସ୍ଵତ ଜଗତର ଏକ ମହାର୍ଘ୍ ଉପଲବ୍ଧି ।ସ୍ବସ୍ତି ପରିବାର ଙ୍କୁ ଅଜସ୍ର ଶୁଭେଚ୍ଛା ଅଭିନନ୍ଦନ ।
ଧନ୍ୟବାଦ ଓ ନମସ୍କାର ସାର୍