@ ଶଙ୍ଖନାଭୀର କସ୍ତୁରୀ କବି ହରିହର ମିଶ୍ରଙ୍କ ଦେହାବସାନ :
‘ଶଙ୍ଖନାଭୀର କସ୍ତୁରୀ’ ବିଶିଷ୍ଟ ଭାରତୀୟ କବି ତଥା ପୂର୍ବତନ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ରଙ୍କର 23 ସେପ୍ଟେମ୍ବର 2024 ରେ 84 ବର୍ଷ ବୟସରେ ଦେହାବସାନ ଘଟିଛି।
20 ଜାନୁଆରୀ 1941ରେ ପୁରୀ, ମାର୍କଣ୍ଡେଶ୍ୱର ସାହିରେ ଜନ୍ମଗ୍ରହଣ କରିଥିବା କବିଙ୍କ ଲେଖନୀରୁ ନିସୃତ ହୋଇଛି: କାଗଜଡଙ୍ଗା, ହଂସଧ୍ୱନି, ରାତିର ଦୁଇଟି ଡେଣା ଓ ମଝିଦରିଆ ପରି ପ୍ରାୟ 25ଟି ବହୁଚର୍ଚ୍ଚିତ ନାଟକ; ବନବିହଙ୍ଗ, ନୀଳହ୍ରଦର ରକ୍ତ କମଳ ପରି ଭାବଗମ୍ଭୀର ଉପନ୍ୟାସ; ବୃଷଭର ଏକପାଦ, ମୂଳ ଡାହୁକ ଭଳି ଅନେକ ପାଠକାଦୃତ ଗଳ୍ପ; ସ୍ୱର ଓ ସାଧକ, କବିମନ ଓ ଦୃଶ୍ୟକଥା ଭଳି ସମାଲୋଚନା ଗ୍ରନ୍ଥ ସହ ଶଙ୍ଖନାଭି, ଅକ୍ଷମ ଦେବତା, ଦର୍ପଣଶିଳା, ପାହାଡ଼ର ଡେଣା, ଦିବ୍ୟ ଅସନ୍ତୋଷ, ଅନ୍ଧାର ଦେବତା ଭଳି ପାଖାପାଖି 40ଟି କବିତା ସଂକଳନ।
ଓଡ଼ିଶା ତଥା ଓଡ଼ିଆ ସାହିତ୍ୟ ହରେଇଛି ତା’ର ଜଣେ ବିଶିଷ୍ଟ ଶିକ୍ଷାବିତ୍, କବି, ନାଟ୍ୟକାର ଓ ଚଳଚ୍ଚିତ୍ର ପଟ୍ଟକଥା ଲେଖକଙ୍କୁ… ଯାହା ଅପୂରଣୀୟ ହୋଇ ରହିବ କାଳକାଳକୁ।
@ ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ :
ଉତ୍ତରଆଧୁନିକ ଓଡ଼ିଆ କବିତାର ନ୍ୟାସକାର ଭାବେ ପରିଚିତ ବିଶିଷ୍ଟ ଓଡ଼ିଆ କବି ଗୁରୁପ୍ରସାଦ ମହାନ୍ତିଙ୍କର ଏହି ମାସ ଜନ୍ମ ଶତବାର୍ଷିକୀ। 1924 ମସିହା ଅକ୍ଟୋବର 20 ତାରିଖରେ କଟକ ଜିଲ୍ଲା ନାଗବାଲି ଗ୍ରାମରେ ଜନ୍ମଗ୍ରହଣ କରିଥିବା ଗୁରୁପ୍ରସାଦଙ୍କ ପ୍ରଥମ କବିତା ‘ଲତା’ ପ୍ରକାଶ ପାଇଥିଲା ମାତ୍ର 15 ବର୍ଷ ବୟସରେ, ସେବେଳର ସୁନାମଧନ୍ୟ ମାସିକ ‘ସହକାର’ର 1939 ମସିହା ଏପ୍ରିଲ ସଂଖ୍ୟାରେ ଓ ପାଠକ ମହଲରେ ସୃଷ୍ଟି କରିଥିଲା ଆଲୋଡ଼ନ ଓ ଗୁଞ୍ଜରଣ। ଗୁରୁପ୍ରସାଦ ବହୁତଗୁଡ଼ାଏ କବିତା ଲେଖିନାହାନ୍ତି ସତ, ମାତ୍ର ସେ ଥିଲେ ଉତ୍ତର ଆଧୁନିକ କବିତାର trend-setter.
ସ୍ଵାଧୀନତା ପରବର୍ତ୍ତୀ ସାହିତ୍ୟରେ ଗୁରୁପ୍ରସାଦ ମହାନ୍ତିଙ୍କ ସ୍ୱତନ୍ତ୍ର କାବ୍ୟଶୈଳୀ ଆଧୁନିକ କବିତାର ଗତାନୁଗତିକ ଧାରାରେ ଏକ ବୈପ୍ଳବିକ ପରିବର୍ତ୍ତନର ସୂଚନା ଦେଇଥିଲା। ତାଙ୍କ ରଚିତ ‘କାଳପୁରୁଷ’ କବିତା ଓଡ଼ିଆ ସାହିତ୍ୟରେ ଏକ ଚମକପ୍ରଦ କବିତା। ସେ ଓଡ଼ିଆସାହିତ୍ୟକୁ ଦେଇଛନ୍ତି ମାତ୍ର ତିନିଖଣ୍ଡ କବିତା ପୁସ୍ତକ (୧) ସମୁଦ୍ରସ୍ନାନ (୨) ନୂତନ
କବିତା ଓ (୩) ଆଶ୍ଚର୍ଯ୍ୟ ଅଭିସାର, ଯେଉଁଥିରେ ସନ୍ନିବେଶିତ ହୋଇଛି ସର୍ବମୋଟ ୫୯ଟି କବିତା। ତାଙ୍କର ପ୍ରତ୍ୟେକଟି କବିତା ପାଠକ ତଥା କବିପ୍ରାଣରେ ସୃଷ୍ଟି କରିଥାଏ ଅଫୁରନ୍ତ ସ୍ପନ୍ଦନ। 26 ଅଗଷ୍ଟ 2004ରେ 80 ବର୍ଷ ବୟସରେ ଦେହତ୍ୟାଗ କରିଥିବା କବି ଗୁରୁପ୍ରସାଦ ମହାନ୍ତିଙ୍କ ପାଇଁ କବିତା ଥିଲା ପୁଞ୍ଜିଭୂତ ବେଦନା ଓ ଅସରନ୍ତି ଆନନ୍ଦର ପରିପ୍ରକାଶର ଏକ ସମ୍ବେଦବାହୀ ମାଧ୍ଯମ।
@ ତ୍ରିନାଥ ସିଂହଙ୍କ ଉପନ୍ୟାସ ‘ଦୁଇଫର୍ଦ୍ଦ ଆକାଶ’ ଲୋକାର୍ପିତ:
ଫେରନ୍ତା ପକ୍ଷୀ, କୋଳାହଳ, ସେମାନଙ୍କ ପୂର୍ବାପର, ପବନ ବହୁଛି ଯେମିତି ଏବଂ ଚୁପଚାପ ଚତୁର୍ଥଧାଡ଼ିରେ ଭଳି ପାଞ୍ଚଗୋଟି ପାଠକାଦୃତ କବିତା ସଂକଳନର ସ୍ରଷ୍ଟା ତ୍ରିନାଥ ସିଂହଙ୍କ ଉପନ୍ୟାସ ‘ଦୁଇଫର୍ଦ୍ଦ ଆକାଶ’ ତାଙ୍କର ଷଷ୍ଠପୁସ୍ତକ ରୂପେ ଲୋକାର୍ପିତ ହୋଇଯାଇଛି ଗତ 6-ଅକ୍ଟୋବର ରବିବାର ଅପରାହ୍ନରେ ଭୁବନେଶ୍ଵରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଉତ୍କଳ ରଙ୍ଗମଞ୍ଚରେ… ପ୍ରକାଶକ ‘ଟାଇମ୍ ପାସ୍’ ଦ୍ଵାରା ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ ‘ବହିବର୍ଷା’ରେ। ପୁସ୍ତକଟିକୁ ଉନ୍ମୋଚିତ କରିଥିଲେ ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ବିଶ୍ଵରଞ୍ଜନ। ଉଣେଇଶ ଅନେଶ୍ୱତ ମହାବାତ୍ୟାର କରାଳଚିତ୍ର ଓ ଭିତ୍ତିଭୂମି ଉପରେ ରଚିତ ଏହି ଉପନ୍ୟାସ ଉପରେ ପଚରାଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ରଖିଥିଲେ ଏହାର ଲେଖକ ଶ୍ରୀ ସିଂହ। ଏହି ଉତ୍ସବରେ ଓଡ଼ିଶାର କିଛି ପ୍ରବୀଣ ଓ ନୂତନ ଲେଖକଙ୍କ ପୁସ୍ତକ ମଧ୍ୟ ହୋଇଥିଲା ଲୋକାର୍ପିତ। ବହିବର୍ଷାର ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ଟାଇମପାସର ନିର୍ଦ୍ଦେଶକ କବି ସରୋଜ ବଳ ଏବଂ ଉପସ୍ଥାପକ କବି ବିଜୟ ମଲ୍ଲଙ୍କ ସମେତ ବାସୁଦେବ ଦାସ, ଫନି ମହାନ୍ତି, ସରୋଜିନୀ ସାହୁ, ପ୍ରକାଶ ପରିଡ଼ା, କ୍ଷିରୋଦ ପରିଡ଼ା, ସେନାପତି ପ୍ରଦ୍ୟୁମ୍ନ କେଶରୀ, ଭୀମ ପୃଷ୍ଟି, ବିରାଜ ମୋହନ ଦାସ, ବିଜୟ ମହାପାତ୍ର, ସୁଷମା ମିଶ୍ର, ସୁପ୍ରିୟା ପଣ୍ଡା, ନର୍ମଦା ନିଲୋତ୍ପଳା, ଶକ୍ତି ମହାନ୍ତି, ପଞ୍ଚାନନ ନାୟକ, ଜ୍ଞାନରଞ୍ଜନ ନାୟକ, ଶକ୍ତି ମହାନ୍ତି, ପ୍ରବୀଣା ମହାନ୍ତି, ଜ୍ଞାନୀ ଦେବାଶିଷ, ମୋହିତ ଚକ୍ରବର୍ତ୍ତୀ ପ୍ରମୁଖ ଓଡ଼ିଶାର ବର୍ଷୀୟାନ ଓ ଲବ୍ଧ ପ୍ରତିଷ୍ଠିତ ଲେଖକ ଉପସ୍ଥିତ ଥିଲେ।
@ ସ୍ବସ୍ତି ମାସିକ ଆସର: ଗଳ୍ପର ଆସର :
ଗତ ଶନିବାର ସନ୍ଧ୍ୟାରେ ସ୍ବସ୍ତି ସାହିତ୍ୟର ମାସିକ ଆସର ଛେଣ୍ଡସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଅଛି ଏକ ସ୍ବତନ୍ତ୍ର ଅଧିବେଶନ ଭାବରେ। ଏଥର କବିତା ନୁହେଁ, ଗଳ୍ପର ଆସର ଆୟୋଜନ କରାଯାଇଥିଲା ଏକ ଭିନ୍ନଢଙ୍ଗରେ ବିଶିଷ୍ଟ ଗାଳ୍ପିକ କାଶୀନାଥ ନନ୍ଦୀ, ସୁମନ ଦତ୍ତ ଏବଂ ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ତତ୍ତ୍ଵାବଧାନରେ। ଏଥିରେ ଗଳ୍ପ ଶୁଣେଇଥିଲେ
ତ୍ରିନାଥ ସିଂହ, ସଞ୍ଜୀବ ଭୋଇ, ଜ୍ଞାନରଞ୍ଜନ ତ୍ରିପାଠୀ ଓ ଗୌତମ ଦାସ। ଅନୁବାଦ ଗଳ୍ପ ପାଠ କରିଥିଲେ ପୁଷ୍ପାରାଣୀ ପଟେଲ।
‘ଓଡ଼ିଶାର ଶକ୍ତି ଉପାସନା ଓ ଓଡ଼ିଆ ସାହିତ୍ୟ’ ସନ୍ଦର୍ଭରେ ବକ୍ତବ୍ୟ ରଖିଥିଲେ ଅଧ୍ୟାପକ ଡଃ ରବୀନ୍ଦ୍ର କୁମାର ଜେନା ଏବଂ ଅଧ୍ୟାପକ ଡଃ ଅଶ୍ଵିନୀ କୁମାର ରାୟ।
