ସୁପରିଚିତ ଓଡ଼ିଆକବି, ପ୍ରାବନ୍ଧିକ ଓ ନାଟ୍ୟକାର ରମେଶ ଚନ୍ଦ୍ର ବେହେରା ୮୩ବର୍ଷ ବୟସରେ ଅଗଷ୍ଟ ୨୩ ତାରିଖରେ ଇହଲୀଳା ସମ୍ବରଣ କରିଛନ୍ତି। ବଣେଇ ଉପଖଣ୍ଡରେ ଭୀଷ୍ମ ପିତାମହ ରୂପେ ପରିଚିତି ଏହି ସୁସାହିତ୍ୟିକଙ୍କ ଉଦ୍ଦେଶ୍ୟରେ ଗତ ୧୫, ସେପ୍ଟେମ୍ବର ଦିନ ଏକ ସ୍ମୃତିଚାରଣ ସଭାର ଆୟୋଜନ କରାଯାଇଥିଲା, ଯେଉଁଥିରେ ସୁନ୍ଦରଗଡ଼, ଦେବଗଡ଼, ରାଉରକେଲା ସମେତ ବିଭିନ୍ନ ପ୍ରାନ୍ତରୁ ପ୍ରାୟ ଦ୍ବିଶତାଧିକ କବି, ଲେଖକ, ସାହିତ୍ୟିକ ଯୋଗଦେଇ ତାଙ୍କର ସ୍ମୃତିଚାରଣ କରିଥିଲେ
ଉକ୍ତ ସ୍ମୃତିଚାରଣ ସଭାରୁ ଫେରିବା ବାଟରେ ବଣେଇଗଡ଼ ଓ ରାଉରକେଲା ଜାତୀୟ ରାଜପଥର ଦୁଇକଡ଼େ ଦୂର ଦୂର ଯାଏଁ ଥିରି ଥିରି ପବନରେ ଦୋଳାୟିତ ଶୁଭ୍ର-କାଶଫୁଲର ସମ୍ଭାର ଓ ଉପରେ ପରିଚ୍ଛନ୍ନ ନୀଳଆକାଶରେ ଭେଳା ଭେଳା ଧଳାମେଘର ମେଖଳାର ଅବର୍ଣ୍ଣନୀୟ ମାଦକୀୟ ମାଧୁର୍ଯ୍ୟ ବାରମ୍ବାର ମନ ହରଣ କରି ନେଉଥିଲା। ଯେମିତି ମହୋତ୍ସବର ଆଗମନୀ ବାର୍ତ୍ତା ନେଇ ଧରୀତ୍ରୀକୁ ଓହ୍ଲେଇଛି ପ୍ରକୃତି।
ଉପରେ ମେଘର ମେଖଳା
ତଳେ କାଶତଣ୍ଡିର ମେଳା…
ଏ’ ତ ଶରତର ଆଗମନୀ
ମହ ମହ ପାର୍ବଣର ବେଳା..!!
ସତେ ତ !
ଆଉ ଦୁଇଦିନ ପରେ ଇନ୍ଦ୍ରପୂର୍ଣ୍ଣିମା, ଭାଗବତ ଜନ୍ମ… ଓ ତା’ ସହ ଆଶ୍ୱିନମାସର ଆରମ୍ଭ। ତା’ପରେ ମହାଳୟା। ଆଶ୍ୱିନମାସର ଆରମ୍ଭରୁ ମହାଳୟା ଅମାବାସ୍ୟା ଯାଏଁ ଚଉଦଦିନ ଅପରପକ୍ଷ ବା ପିତୃପକ୍ଷ ଭାବରେ ଅଭିହିତ। ଏହି ଚଉଦଦିନ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କଲାପରେ, ମହାଳୟା ଅମାବାସ୍ୟା ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଏ। କେହି କେହି ଏହାକୁ “ପିତୃପର୍ବ” ବୋଲି ବି କହିଥାନ୍ତି।
ପରମ୍ପରାନୁସାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧକର୍ମ ମଧ୍ୟରେ ଏହି ମହାଳୟା ଶ୍ରାଦ୍ଧ ଶ୍ରେଷ୍ଠତମ। କାରଣ, ଶାସ୍ତ୍ରାନୁଯାୟୀ ଏହି ପିତୃପକ୍ଷରେ ପିତୃପୁରୁଷଗଣ ପଶୁପକ୍ଷୀ ଓ ବ୍ରାହ୍ମଣ ରୂପରେ ନିଜର ପ୍ରିୟଜନଙ୍କୁ ସାକ୍ଷାତ କରିବାକୁ ଆସିଥାନ୍ତି।
ଏ ସମ୍ପର୍କରେ ଏକ ଚମତ୍କାର କିମ୍ବଦନ୍ତୀ ବି ରହିଛି। ମହାଦାନୀ କର୍ଣ୍ଣଙ୍କର ମୃତ୍ୟୁପରେ ଯେତେବେଳେ ସେ ପରଲୋକ ଗମନ କଲେ… ତାଙ୍କୁ ସେଠାରେ ଅପର୍ଯ୍ୟାପ୍ତ ସୁନା, ରୂପା, ମାଣିକ୍ୟାଦି ପ୍ରଦାନ କରାଯାଇଥିଲା, ମାତ୍ର ଖାଦ୍ୟ ଦିଆଯାଇନଥିଲା। କାରଣ, ଇହଲୋକରେ ସେ ଅପର୍ଯ୍ୟାପ୍ତ ଧନ-ସମ୍ପତ୍ତି ଦାନ କରିଥିଲେ ବି କାହାକୁ କେବେ ଅନ୍ନଦାନ କରିନଥିଲେ। ତେଣୁ ସେ ଯମଦେବଙ୍କୁ ପ୍ରାର୍ଥନାରେ ତୃପ୍ତ କରି ଚଉଦଦିନ ପାଇଁ ପୁନଶ୍ଚ ମର୍ତ୍ତ୍ୟଲୋକକୁ ଆସିଥିଲେ ଏବଂ ବ୍ରାହ୍ମଣ ଓ ଗରିବମାନଙ୍କୁ ଅନ୍ନଦାନ କରିଥିଲେ। ଏହାପରେ ତାଙ୍କୁ ପରଲୋକରେ ଆଉ ଖାଦ୍ୟରୁ ବଞ୍ଚିତ କରାଯାଇନଥିଲା। ଏବଂ, ମର୍ତ୍ତ୍ୟଲୋକରେ କର୍ଣ୍ଣ ବିତେଇଥିବା ସେଇ ଚଉଦଦିନ, ଆଶ୍ୱିନ ପ୍ରତିପଦା ଠାରୁ ମହାଳୟା ଯାଏକୁ, ପିତୃପକ୍ଷ ଭାବରେ ମାନ୍ୟ କରାଯାଇଆସୁଛି।
ମହାଳୟା ପରଦିନ ଠାରୁ ଶୁକ୍ଳପକ୍ଷ ଆରମ୍ଭ ହୁଏ – ଯାହାକୁ ଦେବୀପକ୍ଷ ଭାବରେ ଅଭିହିତ କରାଯାଏ। କାରଣ, ଏହି ପକ୍ଷରେ ଜଗତଜନନୀ ମା’ ଦୁର୍ଗାଙ୍କର ଧରାବତରଣରେ ଧରଣୀ ଉତ୍ସବମୁଖର ହେଇଉଠେ। ଶରତର ପ୍ରାକୃତିକ ସମ୍ଭାର ସହ ଶାରଦୀୟ ଦୁର୍ଗୋତ୍ସବ ଏକ ସ୍ୱଚ୍ଛ ଓ ପବିତ୍ର ବାତାବରଣ ଗଢ଼ିତୋଳୁଥାଏ ମନୁଷ୍ୟ, ପଶୁ-ପକ୍ଷୀ, ଗଚ୍ଛ-ବୃଚ୍ଛ ସବୁରି ମନରେ – ପ୍ରାଣରେ – ଆତ୍ମାରେ – କୋଷିକା, କୋଷିକାରେ। ଏମିତି ମନେହୁଏ ଯେମିତି ଜଗଜ୍ଜନନୀ ଦୁର୍ଗା ଏଇ ବ୍ରହ୍ମାଣ୍ଡର ସର୍ବଭୂତରେ ମାତୃରୂପରେ ବିଦ୍ୟମାନ ରହିଛନ୍ତି: ୟା ଦେବୀ ସର୍ବଭୂତେଷୁ ମାତୃରୂପେଣ ସଂସ୍ଥିତା..!!
ଭାରତୀୟ ସଂସ୍କୃତି, ଭାରତୀୟ ପରମ୍ପରା, ଭାରତୀୟ ଐତିହ୍ୟ ଏପରି କି ଭାରତୀୟ ଅସ୍ମିତା ବି ମାତୃଶକ୍ତିକୁ ସର୍ବଦା ପୂଜନୀୟ ଉଚ୍ଚତାରେ ରଖିଆସିଛି। ତେଣୁକରି ତ ଦୁର୍ଗା, କାଳୀ, ଲକ୍ଷ୍ମୀ ଆଦି ଦେବୀମାନଙ୍କ ସମେତ ସୀତା, ଦ୍ରୌପଦୀ, କୁନ୍ତୀ, ବୃନ୍ଦାବତୀ ଆଦି ପୌରାଣିକ-ନାରୀମାନଙ୍କୁ ଆମର ସଂସ୍କୃତି ଓ ପରମ୍ପରା ପୂଜା କରିଥାଏ।
ତେବେ, ଏଇଠି ପ୍ରଶ୍ନ ଉଠେ… ଆମର ଏଇ ସଂସ୍କୃତି, ପରମ୍ପରା, ଐତିହ୍ୟ… ଆମର ଏଇ ‘ୟା ଦେବୀ ସର୍ବଭୂତେଷୁ ମାତୃ-ରୂପେଣ ସଂସ୍ଥିତା’ ମନ୍ତ୍ର… କେବଳ ମୃଣ୍ମୟୀ-ପ୍ରତିମା ନିମନ୍ତେ ଉଦ୍ଦେଶ୍ୟ ନା’ ଜୀବନ୍ତ-ପ୍ରତିମା ବି ଆସନ୍ତି ତାହାର ବଳୟ ଭିତରେ..??
ଦୁର୍ଗା/ଲକ୍ଷ୍ମୀ ରୂପରେ ଯୋଉ ମୃଣ୍ମୟୀ-ନାରୀ-ପ୍ରତିମା ସାମ୍ନାରେ ହାତଯୋଡ଼ି ନତଜାନୁ ହେଇ, ଭକ୍ତିରସରେ ଆପ୍ଳୁତ ହେଉ ଆମେ, ଜୀବନ୍ତ-ନାରୀ-ପ୍ରତିମା ସାମ୍ନାରେ ସେଇ ଦୃଷ୍ଟିଭଙ୍ଗୀର ରଙ୍ଗ ଓ ରସ ବଦଳି ଯାଏ କି..?? ଯଦି ନା’… ତେବେ ଅଗଷ୍ଟ ୯ ତରିଖ କୋଲକାତାରେ ଜଣେ ୩୧ବର୍ଷିୟା ଡାକ୍ତରୀ-ଛାତ୍ରୀ ପ୍ରତି ଏ ଭଳି ଜଘନ୍ୟ ଓ ବର୍ବରକାଣ୍ଡ ଘଟିଲା କେମିତି..?? ସାରାଦେଶ ଏଇ ବର୍ବରତାରେ ସ୍ତମ୍ଭୀଭୂତ ହେଇଯାଇଥିବା ବେଳେ ପରବର୍ତ୍ତୀ ଦିନମାନଙ୍କରେ କଟକ ମେଡ଼ିକାଲ କଲେଜ, ରାଜସ୍ଥାନର ଏକ ଡାକ୍ତରଖାନା ପରିସରରେ ବି ଏଇଭଳି ବର୍ବରତାର ଖବର ଆଗକୁ ଆସିଲା… ଏବଂ ପ୍ରତିଦିନ କୋଉଠି ନା’ କୋଉଠି, କେହି ନା’ କେହି ଏଇ ଭଳି ପାଶବିକତାର ଶୀକାର ହେଇଚାଲିଲା… ଯାହା ଲୋକଲୋଚନକୁ ବି ଆସିପାରିଲା ନାହିଁ। ସବୁଠାରୁ ତ ଭୟଙ୍କର ଥିଲା ଢେଙ୍କାନାଳର ଭାପୁରରେ ଗୋଟିଏ ପରିତ୍ୟକ୍ତ ଘରେ ନିଜର ମାନସିକ-ବିକୃତ-ବାପା ସହ ରହୁଥିବା ଜଣେ ୨୧ବର୍ଷ ବୟସ୍କା ଯୁବତୀକୁ ବର୍ଷାଧିକ କାଳ ଧରି ୭/୮ ଜଣ ଯୁବକ ପ୍ରତିରାତିରେ ଛାତ ଉପରକୁ ଟେକିନେଇ ସକାଳ ଯାଏଁ ଧର୍ଷଣ କରିବା..!! ଏଇଠି ଆଚମ୍ବିତ କରିଦେବା ଭଳି କଥାଟି ହେଉଛି, ବର୍ଷକରୁ ଅଧିକ ସମୟ ଧରି ଚାଲିଆସିଥିବା ଏଇ ଦୁଷ୍କର୍ମ ଘଟଣା ସମ୍ପର୍କରେ ଅଞ୍ଚଳବାସୀ ଭଲଭାବରେ ଜାଣିଥିଲେ ମଧ୍ୟ କେହି ଏହାର ବିରୋଧ କରିନଥିଲେ। ଏଇଠି କଥା ଉଠେ, ଅପରାଧ କରୁଥିବା ଅପରାଧୀ ଏବଂ ଅପରାଧକୁ ଦେଖୁଥିବା, ଜାଣୁଥିବା ବ୍ୟକ୍ତିଟି ଭିତରେ ଫରକ୍ କ’ଣ ? ଚୁପ୍ ରହି ଅପରାଧକୁ ସମର୍ଥନ କରୁଥିବା ବ୍ୟକ୍ତି ମଧ୍ୟ ସେଇ ଦୁଷ୍କର୍ମ ଅପରାଧରୁ ମୁକ୍ତ ନୁହେଁ। ବର୍ଷାଧିକ କାଳ ଧରି ସବୁ ଜାଣି ଚୁପ୍ ରହୁଥିବା ସେଇ ବ୍ୟକ୍ତିମାନେ ଏଇ ପ୍ରଶ୍ନ ଅନ୍ତତଃ ଥରେ ନିଜ ବିବେକକୁ ପଚାରନ୍ତୁ !!
ମାତୃଶକ୍ତି କୁହନ୍ତୁ କି ନାରୀଶକ୍ତି- ଏଇଭଳି ନିର୍ଯାତନା ବାରମ୍ବାର ଘଟିଚାଲିଛି ମୌମିତା ସହ, ମମତା ସହ, ମମିତା ସହ… ଇତିଶ୍ରୀ, ପ୍ରିୟଙ୍କା, ବେବିନା, ପରୀ, ନିର୍ଭୟା, ଅଭୟା ସହ… ଓ ଆଗକୁ ବି ଘଟୁଥିବ ଏମିତି !!
ମିଡ଼ିଆରେ ପ୍ରଚାରିତ ହେଉଥିବ ଏଇ ଘଟଣା; ଲୋକେ ବିରକ୍ତ ହେଉଥିବେ, କ୍ଷୁବ୍ଧ ହେଉଥିବେ, ନ୍ୟାୟାଳୟରେ ବିଚାର ଚାଲୁଥିବ, ନାରୀମାନେ ରାସ୍ତାକୁ ଓହ୍ଲାଉଥିବେ ପ୍ଲା’କାର୍ଡ ଧରି, ମହମବତୀ ଧରି ଶୋଭାଯାତ୍ରା କରୁଥିବେ ଝିଅମାନେ… ଅଥଚ଼ କିଛି ବି ବଦଳୁନଥିବ। ସମୟାନ୍ତରରେ ଲୋକେ ଭୁଲିଯାଉଥିବେ ସବୁକିଛି… କିଏ ସେଇ ମମତା, ମମିତା, ବେବିନା, ନିର୍ଭୟା, ଅଭୟା ଓଗେର ଓଗେର… ଅଥଚ଼ ଘଟଣା ସେମିତି ଘଟୁଥିବ… ଘଟିଚାଲିଥିବ।
କହିବାର କଥା, ରାତିକୁ ଅକ୍ତିଆର କରିବାପାଇଁ ପ୍ଲା’କାର୍ଡ ଧରି ରାସ୍ତାକୁ ଓହ୍ଲଉଥିବା ନାରୀମାନେ… ହାତରେ ମହମବତୀ ଧରି ଶୋଭାଯାତ୍ରା କରୁଥିବା ଝିଅମାନେ ବି କିଛି ବି କରିପାରିବେ ନାହିଁ – ଯେତେବେଳେ ଯାଏଁ ସେମାନେ ପ୍ଲା’କାର୍ଡ ଓ ମହମବତୀ ଜାଗାରେ ନଧରିଛନ୍ତି ଜଗଜ୍ଜନନୀ ଦୁର୍ଗାଙ୍କ ଠାରୁ ମାଗିଆଣି ଖଣ୍ଡା, ଖର୍ପର ଓ ତ୍ରିଶୂଳ…!!
ୟା ଦେବୀ ସର୍ବଭୂତେଷୁ ଶକ୍ତି-ରୂପେଣ ସଂସ୍ଥିତା….
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ..।।

There are 4 comments
ଏଥରର ସମ୍ପାଦକୀୟ ବହୁତ ଭଲ ଲାଗିଲା।
ଯେଉଁ ମଣିଷ ଦେବୀଙ୍କର ମୃଣ୍ମୟୀ ପ୍ରତିମା ନିକଟରେ ସମର୍ପଣ ମୁଦ୍ରାରେ ନିଜର ଜୀବନକୁ ଆଲୋକିତ କରିବା ପାଇଁ ଅହରହ ପ୍ରାର୍ଥନା କରେ ସେହି ମଣିଷ ଜୀବନ୍ତ ନାରୀ ଦେଖିଲେ ରାକ୍ଷସ ପାଲଟି ଯାଉଛି
ଏହା ଆଜିର ସଭ୍ୟ ସାମାଜରେ ଏକ କଳଙ୍କିତ ସତ୍ୟ ,
ଯାହାର ନିଦାନ ପ୍ଲା’ କାର୍ଡରେ ନୁହେଁ ଶାଣିତ ଅସ୍ତ୍ରରେ ଅଛି
ତେଣୁ ନାରୀକୁ ଏକ ନିର୍ଣ୍ଣାୟକ ଲଢେ଼ଇ ଲଢ଼ିବାକୁ ପଡିବ ଏବଂ ସେହି ମହିଷାସୁର ମାନଙ୍କୁ ବଧ କରିବାକୁ ପଡ଼ିବ ।
ସମ୍ପାଦକ ଏବଂ ପ୍ରକାଶକଙ୍କୁ ନମସ୍କାର
🙏🙏
ଆପଣଙ୍କ ମତ ଓ ମନ୍ତବ୍ୟ ସହ ଆମେ ଏକମତ। ପ୍ଲା କାର୍ଡ କି ମହମବତୀ କୌଣସି ନିର୍ଣ୍ଣାୟକ ଲକ୍ଷ୍ୟରେ ପହଞ୍ଚେଇ ପାରିବନାହିଁ।
ଅଶେଷ ଧନ୍ୟବାଦ ଓ ଶୁଭେଚ୍ଛା।
ସଂପାଦକୀୟ ସୁନ୍ଦର। ସମୟ ଓ ସମୟାନ୍ତରରେ ନାରୀ ଜୀବନର କଥା କିମ୍ବଦନ୍ତୀୟ ହେଇ ବି ଗୋଟେ ସର୍ବକାଳୀନ ସତ୍ୟକୁ ମୁଠେଇ ଧରିଛି।
ଭଲ ଲାଗିଲା।
ଧନ୍ୟବାଦ ସହ ସମ୍ମାନ ବଡ଼ଭାଇ।
🙏🙏🌹🙏🙏