ସମ୍ପାଦକୀୟ……………………..
ମାର୍ଚ୍ଚ ୧୧ ତାରିଖ ଦିନ କେବଳ ଓଡ଼ିଶା ନୁହେଁ, ପୃଥିବୀର କୋଣ ଅନୁକୋଣରେ ଯୋଉ ଯୋଉଠି ଓଡ଼ିଆଲୋକ ବସବାସ କରୁଛନ୍ତି, ସମସ୍ତେ ଖୁବ୍ ଉତ୍ସାହ ଓ ଭାବୋଚ୍ଛ୍ୱାସର ସହ ବ୍ୟକ୍ତିଗତ ସ୍ତରରେ ଓ ଆନୁଷ୍ଠାନିକ ଭାବରେ ଓଡ଼ିଆ ଶାସ୍ତ୍ରୀୟଭାଷା ମାନ୍ୟତା ଦିବସ ପାଳନ କରୁଥିବାବେଳେ, ଗଣତନ୍ତ୍ରର ମନ୍ଦିର ବିଧାନସଭାରେ ଯେଉଁଭଳି ଭାବରେ ଠେଲାପେଲା, ଧସ୍ତାଧସ୍ତି, ଫିଙ୍ଗାଫୋପଡ଼ା ଓ ଗାଳିଗୁଲଜର ଅଶୋଭନୀୟ, ଅସଭ୍ୟ ଓ କଦର୍ଯ୍ୟ ଦୃଶ୍ୟମାନ ଘଟିଚାଲିଥିଲା, ତାହା ସମଗ୍ର ସଭ୍ୟସମାଜକୁ ସାଂଘାତିକ ଭାବରେ ଆହତ, କ୍ଷତାକ୍ତ ଓ ନିଃଶବ୍ଦ କରିଦେଇଛି। କହିବା ନିଷ୍ପ୍ରୟୋଜନ, ଏହି ସବୁ ଘଟଣାକ୍ରମ ଓଡ଼ିଶାର ଭାଷା ସହ ଓଡ଼ିଶାର ଅଖଣ୍ଡତା ଓ ଅସ୍ମିତାକୁ ବି ଲଜ୍ଜିତ ଓ ଲହୁଲୁହାଣ କରିଦେଇଛି।
ଗଣତନ୍ତ୍ରର ବ୍ୟବସ୍ଥାନୁଯାୟୀ ଜନସାଧାରଣଙ୍କ ଦ୍ବାରା ନିର୍ବାଚିତ କତିପୟ ଜନପ୍ରତିନିଧି ସେମାନଙ୍କର ଉତ୍ସୃଙ୍ଖଳ ବ୍ୟବହାର ଓ କଦର୍ଯ୍ୟ ଭାଷା ପ୍ରୟୋଗ ଦ୍ଵାରା ଏହି ଗ୍ରହରେ ବସବାସ କରୁଥିବା ୫୦ ନିୟୁତ ଓଡ଼ିଆଙ୍କ ସମେତ ଅନ୍ୟାନ୍ୟ ଲକ୍ଷ ଲକ୍ଷ ବୁଦ୍ଧିଜୀବୀଙ୍କୁ ମାନସିକ ଆଘାତ ଦେବା ସହ ସେମାନେ ‘ଗଣତନ୍ତ୍ର’ରେ ନୁହେଁ ‘ଦଳତନ୍ତ୍ର’ରେ ବିଶ୍ୱାସ କରୁଥିବାର ମାନସିକତାକୁ ପ୍ରମାଣ କରିଦେଇଛନ୍ତି।
ଘଟଣାକ୍ରମ ଆରମ୍ଭ ହୋଇଥିଲା, ମାର୍ଚ୍ଚ ୦୮ ତାରିଖ ସମ୍ବଲପୁରର ସ୍ୱନାମଧନ୍ୟ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ସମ୍ମିଳନୀ କକ୍ଷରୁ… ଯେଉଁଠି ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ବଣ୍ଟନ ଉତ୍ସବ ପାଳନ କରାଯାଉଥିଲା। ଉତ୍ସବ ଆରମ୍ଭରେ ଯେତେବେଳେ ରାଜ୍ୟ-ସଙ୍ଗୀତ ” ବନ୍ଦେ ଉତ୍କଳ ଜନନୀ” ଗାନ କରାଗଲା, ମଞ୍ଚାସୀନ ସମସ୍ତ ଅତିଥି ଓ ଉପସ୍ଥିତ ଦର୍ଶକମଣ୍ଡଳୀ ନିଜ ନିଜ ଆସନରେ ଠିଆହୋଇ ରାଜ୍ୟ-ସଙ୍ଗୀତକୁ ଠିଆହୋଇ ଭକ୍ତିପୂତ ସମ୍ମାନ ଜଣାଉଥିବାବେଳେ ସମ୍ବଲପୁରର ନିର୍ବାଚିତ ବିଧାୟକ ଜୟନାରାୟଣ ମିଶ୍ର ନିଜ ଆସନରେ ସେଇମିତି ବସି ରହି ରାଜ୍ଯ-ସଙ୍ଗୀତକୁ କେବଳ ଅସମ୍ମାନ କଲେ ନାହିଁ, ବରଂ ନିଜର ଅଭିଭାଷଣରେ ବିରକ୍ତି ପ୍ରକାଶ କରି “No State Anthem, ରାଜ୍ୟରେ କୌଣସି ଏନ୍ଥେମ ହୋଇପାରିବ ନାହିଁ, only National Anthem… ବୋଲି ମତ ରଖିଲେ। ତତ୍ ସହ ସମ୍ବଲପୁର ଅଞ୍ଚଳର ଲୋକଙ୍କୁ ସମ୍ବୋଧନ କରି ‘ଉତ୍କଳ’ କହିଲେ, କେବଳ କଟକ, ପୁରୀ ଓ ବାଲେଶ୍ଵର ବୋଲି ବୁଝେଇଦେଲେ। ଓଡ଼ିଶା ସହିତ ମିଶିବା ଆମର ଗୋଟିଏ ଐତିହାସିକ ଭୁଲ୍ ଭଳି ମନ୍ତବ୍ୟ ଦେଇ ବିଭେଦ ଓ ବିଭାଜନର ନିଆଁକୁ ଘିଅ ଢାଳିଛନ୍ତି।
ତେବେ, ଏଇଠି ଏକଥା କହି ରଖିବା ଉଚିତ୍ ହେବ ଯେ’ ୧୮୦୩ ମସିହାରେ ଓଡ଼ିଶା ବ୍ରିଟିଶ ଶାସନାଧୀନ ହେବା ପରେ ପ୍ରଶାସନିକ ସୁବିଧା ପାଇଁ ଇଂରେଜମାନେ ଓଡ଼ିଶାକୁ ଖଣ୍ଡ ବିଖଣ୍ଡିତ କରି ବିଭିନ୍ନ ପ୍ରେସିଡେନ୍ସୀ ଓ ପ୍ରୋଭୀନସର ଅନ୍ତର୍ଗତ କରିଦେଇଥିଲେ। ସେହିସବୁ ଖଣ୍ଡ ବିଖଣ୍ଡିତ ଅଞ୍ଚଳକୁ ଏକାଠି କରି ପୁଣିଥରେ ସ୍ୱତନ୍ତ୍ର-ଉତ୍କଳ-ପ୍ରଦେଶ ଗଠନ କରିବାପାଇଁ ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ସାର୍ ବାସୁଦେବ ସୁଢ଼ଳ ଦେବ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଫକୀର ମୋହନ ସେନାପତି, ପଣ୍ଡିତ ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ଗୌରୀଶଙ୍କର ରାୟ, ହରେକୃଷ୍ଣ ମହତାବ ଇତ୍ୟାଦି ମହାମନିଷୀଙ୍କ ନେତୃତ୍ୱରେ ଉତ୍କଳ ସମ୍ମିଳନୀ ଗଠନ କରାଯାଇଥିଲା, ଯେଉଁମାନଙ୍କ ମଧ୍ୟରେ ଜୟନାରାୟଣ ମିଶ୍ର କହୁଥିବା ପ୍ରକାରେ କଟକ, ବାଲେଶ୍ବର, ପୁରୀ ସମେତ ମୟୂରଭଞ୍ଜ, ପାରଳାଖେମୁଣ୍ଡି, ଦେବଗଡ଼ ଓ ସମ୍ବଲପୁରର ମହାନ୍ ନେତୃତ୍ୱମାନେ ଥିଲେ, ଯେଉଁମାନେ କେବେ ବି “ଉତ୍କଳ” ଶବ୍ଦକୁ ନେଇ ପ୍ରଶ୍ନ ଉଠେଇ ନଥିଲେ, ବରଂ ସର୍ବସମ୍ମତିକ୍ରମେ ଅନୁଷ୍ଠାନର ନାମ “ଉତ୍କଳ ସମ୍ମିଳନୀ” ରଖିଥିଲେ।
ପରବର୍ତ୍ତୀ ସମୟରେ ୧୯୧୨ ମସିହାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବିରଚିତ ଦେଶାତ୍ମବୋଧକ ଗୀତ “ବନ୍ଦେ ଉତ୍କଳ ଜନନୀ” ସେହିବର୍ଷ ବାଲେଶ୍ଵରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଅଧିବେଶନରେ ପ୍ରଥମଥର ପାଇଁ ଗାନକରାଗଲା ଓ ସର୍ବସମ୍ମତିକ୍ରମେ ଓଡ଼ିଶାର ସ୍ୱତନ୍ତ୍ରତା ଦିଗରେ ଏହି ସଙ୍ଗୀତକୁ ଉପଯୋଗ କରାଗଲା। ଆମ୍ଭ ମତରେ ସମ୍ମତି ପ୍ରଦାନ କରିଥିବା ଏହି ପ୍ରାତଃ ସ୍ମରଣୀୟ ବିଜ୍ଞ, ପ୍ରାଜ୍ଞ, ମହାମନିଷୀମାନେ ମୂଢ଼ ବା ସ୍ୱାର୍ଥାନ୍ଧ ନଥଲେ ଯେ ଏହାକୁ ଆମେ ଏକ ଐତିହାସିକ ଭୁଲ୍ ଭାବେ ମାନିନେବା।
ଦ୍ବିତୀୟତଃ, ଯେତେବେଳେ ୧୯୩୬ ମସିହା ଏପ୍ରିଲ୍ ୦୧ ତାରିଖ ଦିନ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଘୋଷଣା କରାଗଲା, ସେତେବେଳେ କଟକ, ପୁରୀ, ବାଲେଶ୍ଵର ସମେତ ଆହୁରି ତିନୋଟି ଜିଲ୍ଲା ସମ୍ବଲପୁର, କୋରାପୁଟ ଓ ଗଞ୍ଜାମ ମଧ୍ୟ ସ୍ୱତନ୍ତ୍ର ଉତ୍କଳର ଜିଲ୍ଲା ଭାବରେ ମାନ୍ୟତା ଲାଭ କରିଥିଲେ ଏବଂ ସେତେବେଳେ ମଧ୍ୟ ତାହା ଏକ ଐତିହାସିକ ଭୁଲ୍ ନଥିଲା।
ଅଧିକନ୍ତୁ, ବନ୍ଦେ ଉତ୍କଳ ଜନନୀର “ଉତ୍କଳ” ଶବ୍ଦ ଉପରେ ପ୍ରଶ୍ନବାଚୀ ଠିଆକରିବା ଓ ରାଜ୍ୟ-ସଙ୍ଗୀତକୁ ବାରମ୍ବାର ଅସମ୍ମାନ କରୁଥିବା ଜୟନାରାୟଣ ମିଶ୍ର, ୧୯୧୧ ମସିହାରେ ରବୀନ୍ଦ୍ରନାଥ ଠାକୁରଙ୍କ ରଚିତ ଓ ପରବର୍ତ୍ତୀ ସମୟରେ ଜାତୀୟ ସଙ୍ଗୀତର ମାନ୍ୟତା ଲାଭ କରିଥିବା ‘ଜନଗଣମନ’କୁ କିଭଳି ଭାବରେ ଗ୍ରହଣ କରିବେ, ଯେଉଁଥିରେ “ପଞ୍ଜାବ, ସିନ୍ଧୁ, ଗୁଜରାଟ, ମରାଠା, ଦ୍ରାବିଡ଼, ଉତ୍କଳ, ବଙ୍ଗ” ଭଳି ପଙ୍କ୍ତି ରହିଛି। ବନ୍ଦେ-ଉତ୍କଳ-ଜନନୀ ଭଳି ଜନ-ଗଣ-ମନ ସଙ୍ଗୀତକୁ ବି ଅସ୍ୱୀକାର ଓ ଅବମାନନା କରିବାର ଆସ୍ପର୍ଦ୍ଧା ସେ କରିପାରିବେ କି !!
ଏବେ ବି ଆହୁରି ଅନେକ ବିଛିନ୍ନାଞ୍ଚଳରେ ନିର୍ଯାତିତ ହେଉଥିବା ଓଡ଼ିଆ ଓ ଓଡ଼ିଆଞ୍ଚଳକୁ ନେଇ ଅଖଣ୍ଡ ଓଡ଼ିଶା ପ୍ରଦେଶ ଗଠନ କରିବାର ସମୟ ଆସିଥିବା ବେଳେ କିଛି ଦଳଗତ ସ୍ଵାର୍ଥାନ୍ଧ, ଅଭୀପ୍ସା ଓ ଅସହିଷ୍ଣୁ ରାଜନୈତିକ ଅଭିସନ୍ଧି ନେଇ ବିଭେଦ ଓ ବିଭାଜନର କଥା କହିବା ଏବଂ ଘୃଣାର ବୀଜାଣୁ ସଂକ୍ରମଣ କରିବା କେତେଦୂର ସମୀଚୀନ !!
କହିବା ବାହୁଲ୍ୟ, ‘ଉତ୍କଳ ଜନନୀ’ କହିଲେ ତନ୍ମଧ୍ୟରେ କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, କଳାହାଣ୍ଡି, ମୟୁରଭଞ୍ଜ ସମେତ ସମସ୍ତ ତିରିଶଗୋଟି ଜିଲ୍ଲା ସମାହିତ ଓ ପ୍ରତ୍ୟେକଟି ଜିଲ୍ଲା ବା ଅଞ୍ଚଳ ଉତ୍କଳର ଅବିଚ୍ଛେଦ୍ୟ ଅଙ୍ଗ।
ବନ୍ଦେ ଉତ୍କଳ ଜନନୀ
ଏ ମଧ୍ୟରେ କବି ପ୍ରହରାଜ ସତ୍ୟ ନାରାୟଣ ନନ୍ଦ, ଅଚାନକ ଆମମାନଙ୍କୁ ଆଚମ୍ବିତ କରି ଆମ ଗହଣରୁ ବିଦାୟ ନେଇଯାଇଛନ୍ତି। ସେ ଶୂନ୍ୟସ୍ଥାନ କେବେ ବି ପୂରଣ ହେବନାହିଁ ।
ଗତକାଲି ସମସ୍ତଙ୍କର ପ୍ରିୟ ସୌମ୍ୟ ସୁକୋମଳ କାବ୍ୟିକସ୍ୱର ଶ୍ରୀରାଧାର କବି ରମାକାନ୍ତ ରଥ ୯୧ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି। ତାଙ୍କର ଅବର୍ତ୍ତମାନକୁ ଝୁରି କାହାରି ଆଖିରୁ ଏଯାଏଁ ଲୁହ ଶୁଖିନି।
“ଚଉକାଠ” ଉଭୟଙ୍କ ଦେହାନ୍ତରେ ମର୍ମାହତ ଏବଂ ତାଙ୍କର ଅମର ଆତ୍ମାକୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଉଛି।
There are 15 comments
ଭାଷା ସାହିତ୍ୟର ଐତିହାସିକ ଭିତ୍ତିଭୂମିର ଭାବଧାରା ଠାରୁ ନେଇ କବି ପ୍ରହରାଜ ସତ୍ୟନାରାୟଣ ନନ୍ଦ ଓ ଶ୍ରୀରାଧାର କବି ପ୍ରିୟ କାବ୍ୟପୁରୁଷଙ୍କ ରମାକାନ୍ତ ରଥଙ୍କ ବିୟୋଗର ଭାବପୂର୍ଣ୍ଣ ସଂପାଦକୀୟ ପୃଷ୍ଠା ବେଶ୍ ହୃଦୟସ୍ପର୍ଶୀ ହୋଇପାରିଛି। ପ୍ରଣାମ ସାର୍ 🙏
ଚଉକାଠ ଦେଖିଛନ୍ତି ଓ ମତାମତ ରଖିଛନ୍ତି, ସେଥିପାଇଁ ଅଶେଷ ଧନ୍ୟବାଦ। ଶୁଭେଚ୍ଛା ଜାଣିବେ।
ଏକ ମନୋଜ୍ଞ, ସମୟୋପଯୋଗୀ, ଉପାଦେୟ ଏବଂ ଆବଶ୍ୟକୀୟ ଆଲେଖ୍ୟ ହିସାବ ରେ ସମ୍ପାଦକୀୟ କୁ ଆନନ୍ଦ ଓ ନିଷ୍ଠାପର ଭାବରେ ଆଦୃତି ଏବଂ ସ୍ୱୀକୃତି ଦେବା ବୁଦ୍ଧିମାନ ର କାର୍ଯ୍ୟ ହେବ.
ଆପଣଙ୍କ ମତ ଓ ମନ୍ତବ୍ୟ ଆମକୁ ଉତ୍ସାହିତ କରିବ ନିଶ୍ଚୟ। ଚଉକାଠ ଦେଖିଛନ୍ତି ଓ ମତାମତ ରଖିଛନ୍ତି, ସେଥିପାଇଁ ଅଶେଷ ଧନ୍ୟବାଦ। ଶୁଭେଚ୍ଛା ସହ ସମ୍ମାନ ଜଣାଉଛି।
ସଂପାଦକୀୟରେ କବି ତ୍ରିନାଥ ସିଂହ ଯେଉଁ ଉତ୍କଳର କଥା କହିଛନ୍ତି, ତାହା ନିଶ୍ଚିତ ଭାବରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ତାହା ଖାଲି ଖାଲି କଟକ, ପୁରୀ କି ବାଲେଶ୍ୱର ବୋଲି କହିବା ବିଧାୟକ ଜୟନାରାୟଣମିଶ୍ରଙ୍କ ଏକ ପାଗଳାମି ଓ ରାଜନୈତିକ ସ୍ବାର୍ଥ ପାଇଁ ଗୋଟାଏ ଗୋଟି ଚାଳନା ବୋଲି ସମସ୍ତେ ଜାଣନ୍ତି। ଉତ୍କଳ ହେଉଛି ଆମ ଓଡ଼ିଶାର ସମସ୍ତ ୩୦ଟି ଯାକ ଜିଲ୍ଲାର ଏକ ସାମୁହିକ ଶବ୍ଦ, ସାମୁହିକ ସମ୍ପର୍କ ଓ ସାମୁହିକ ଐତିହ୍ୟ।
ଠିକ୍ କହିଛ ଶୁଭ। ଆମେ ଗୋଟିଏ ବିନ୍ଦୁରେ ଏକମତ ହେଲେ ତାହା ନିଶ୍ଚିତ ରୂପେ ସଂକ୍ରମିତ ହେବ ଅନ୍ୟମାନଙ୍କ ପାଖକୁ।
ମତାମତ ପାଇଁ ଅଶେଷ ଧନ୍ୟବାଦ ସହ ଶୁଭେଚ୍ଛା।
ସମ୍ପାଦକୀୟ ଖୁବ ସୁନ୍ଦର ଉପସ୍ଥାପନା l
ଆଞ୍ଚଳିକ ଭେଦଭାବ କଣ ଏହିପରି ଚାଲିଥିବ?
ଏହାର ପରିସମାପ୍ତି କେବେ?
ଆମ ଲୋକ ପ୍ରତିନିଧି ଏହାର ଉତ୍ତର ରଖିବେକି?
ଲୋକ ପ୍ରତିନିଧିଙ୍କ କାର୍ଯ୍ୟକଳାପ ବିଧାନସଭା ବାହାରେ ଓ ଭିତରେ ଜଳ ଜଳ ଦିଶୁଛି। ସେମାନେ ଆଉ କି ଉତ୍ତର ରଖିବେ,..? ଏବେ ଲୋକପ୍ରତିନିଧି ନୁହେଁ, ଲୋକେ ଉତ୍ତର ରଖିବାର ଆବଶ୍ୟକତା ପଡ଼ିଲାଣି। ଆପଣଙ୍କର ମନ୍ତବ୍ୟ ଓ ଉଦବେଗ ପାଇଁ ଅଶେଷ ଧନ୍ୟବାଦ ସହ ସମ୍ମାନ।
ସମ୍ପାଦକୀୟ ବିବରଣୀ ରେ ଜୟନାରାୟଣ ମିଶ୍ରଙ୍କ ର ଏଭଳି କଟୁ ତିକ୍ତ ବକ୍ତବ୍ୟ କୁ ନେଇ ଖୁବ୍ର ସୁନ୍ଦର ଚମତ୍କାର ଭାବରେ ସମ୍ପାଦକ ଉପସ୍ଥାପନା କରିଛନ୍ତି। ଅନ୍ତରରୁ ସାଧୁବାଦ୍ ଜଣାଉଛି।
ଆପଣ ସମ୍ପାଦକୀୟ ସହ ଏକମତ ଏହା ଆମ ପାଇଁ ଉତ୍ସାହପ୍ରଦ। ଚଉକାଠ ଦେଖିଛନ୍ତି ଓ ମତାମତ ରଖିଛନ୍ତି, ସେଥିପାଇଁ ଅଶେଷ ଧନ୍ୟବାଦ। ଶୁଭେଚ୍ଛା ଓ ସମ୍ମାନ ଜାଣିବେ।
Good collection and and very informative magazine.
Thanks a lot Sir for your suggestions and support. Hearty wishes.
Good collection and and very informative magazine.
🙏❤️🙏
ଆମ ଭାଷା ଅନେକ ଉପଭାଷାକୁ ନେଇ ପ୍ରତିଦିନ ସମୃଦ୍ଧ ହେବାରେ ଲାଗିଛି । ଏ ସମୟ ଭାଷା ଓ ଉପଭାଷା ଭିତରେ ସମନ୍ୱୟ ତଥା ଏକତା ପାଇଁ ଚିନ୍ତା କରିବା ସମୟ । କେବଳ ବିଦ୍ୱେଷ ସୃଷ୍ଟି କରି ନିଜର ହୀନ ରାଜନୈତିକ ଫାଇଦା ନେବା ଉଦ୍ଦେଶ୍ୟରେ ଜଣେ ଜନ ପ୍ରତିନିଧିଙ୍କ ବାଚାଳ ପ୍ରଳାପକୁ ସବୁ ସ୍ତରରେ ନିନ୍ଦା କରାଯିବା ଉଚିତ । ଆପଣଙ୍କ ଯୁକ୍ତି ସଙ୍ଗତ ସମ୍ପାଦକୀୟ ଅଭିବ୍ୟକ୍ତି ଭଲ ଲାଗିଲା । ବନ୍ଦେ ଉତ୍କଳ ଜନନୀ । ହାର୍ଦ୍ଦିକ ଶୁଭେଚ୍ଛା