ଆଜି କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା। ଉତ୍କଳୀୟ ପରମ୍ପରାରେ ଏଇ କାର୍ତ୍ତିକମାସ ଏକ ଧାର୍ମିକ ମାସ ଏବଂ ଏହା ଉତ୍କଳର ବିଲୁପ୍ତ ନୌବାଣିଜ୍ୟ ପରମ୍ପରାର କଥା କହେ।
ଆ କା ମା ବୈ,
ପାନ ଗୁଆ ଥୋଇ…
ପାନ ଗୁଆ ତୋର,
ମାସକ ଧରମ ମୋର..!
ଆ-କା-ମା-ବୈ… ଆଷାଢ଼, କାର୍ତ୍ତିକ, ମାର୍ଗଶିର ଓ ବୈଶାଖ — ଏଇ ଚାରିମାସ ସୂର୍ଯ୍ୟଙ୍କର ଅୟନାନ୍ତ କାଳ ହେତୁ ଧର୍ମମାସ ରୂପେ ବିବେଚିତ ହୋଇଥାଏ। ପ୍ରାୟ ସମସ୍ତ ଓଡ଼ିଆ ଆଜି ପ୍ରତ୍ୟୁଷରୁ ନଈ/ପୋଖରୀ ଆଦି ଜଳାଶୟମାନଙ୍କରେ ବୁଡ଼ ପକେଇ କଦଳୀ-ପଟୁଆ ନିର୍ମିତ ଛୋଟ ଛୋଟ ଡଙ୍ଗା ଭସେଇ ବୋଇତ ବନ୍ଦାଣ ଉତ୍ସବକୁ ପାଳନ କରିଥାନ୍ତି ଓ ମନେ ପକେଇଥାଆନ୍ତି ସେଇ ନୌବାଣିଜ୍ୟ ପରମ୍ପରାର ସାଧବପୁଅମାନଙ୍କର କଥା ଓ ସ୍ଵର୍ଣ୍ଣିମ ଗାଥା। ଆଜି ସେ ପରମ୍ପରା ନାହିଁ, କର୍ପୁର ନାହିଁ କି ସେ ଚିରାକନାରୁ ସୂତା ଖିଏ ବି ନାହିଁ। ସେତେବେଳେ ଓଡ଼ିଆ ସାଧବପୁଅ ବଣିଜ କରି ବିଦେଶରୁ ଅକଳନ୍ତା ଧନସଂପତ୍ତି, ମୋତିମାଣିକ ବୋହିଆଣୁଥିଲା ରାଜ୍ୟକୁ। ଏବେ ଓଡ଼ିଆପୁଅ ତାର ଖଣି, ଖାଦାନ, ଜଙ୍ଗଲ, ପାହାଡ଼, ବନ୍ଦର ସବୁ ଟେକିଦେଉଛି ବିଦେଶୀ ହାତକୁ। ଯେମିତି ନିଶାସକ୍ତ ଗୃହସ୍ଥ ବିକିଭାଙ୍ଗି ଦିଏ ତା’ ଘରର ସୁନା ଗହଣା କଂସା ବାସନ… ସବୁ।
ଧନରେ ନୁହେଁ, ଆମେ ପରମ୍ପରାରେ, ସଂସ୍କୃତିରେ, ଚାଲିଚଳନରେ, ଭାଷା-ସାହିତ୍ୟରେ, ସ୍ଵାଭିମାନରେ… ସବୁଥିରେ ଦରିଦ୍ରରୁ ଦରିଦ୍ରତର ହେଇଯାଉଛେ ଧୀରେ ଧୀରେ।
ଏ ଭିତରେ ଯେଉଁ କେତେଗୋଟି ସାହିତ୍ୟ-ସମ୍ପାନରେ ଯୋଗଦେଇଥିଲି, ପ୍ରାୟ ସମସ୍ତ ସଭାରେ ପାଖାପାଖି ଏଇ କେତୋଟି ବିଷୟ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା। ପାଠକଙ୍କ ସଂଖ୍ୟାରେ ହ୍ରାସ, ଓଡ଼ିଆଭାଷାର ସ୍ଥିତି-ସଙ୍କଟ ଏବଂ ଓଡ଼ିଆ ଅସ୍ମିତାର ସୁରକ୍ଷାର କଥା। ଏଇ ତିନୋଟିଯାକ ବିଷୟ-ରେଖା ପରସ୍ପରର ସମାନ୍ତରାଳ ହେଲେ ହେଁ କୋଉଠି ନା କୋଉଠି ଏମାନଙ୍କ ମଧ୍ୟରେ ଏକ ଅନ୍ତର୍ସମ୍ପର୍କ ରହିଛି।
ଏଇ ସବୁ ସାହିତ୍ୟ ସମ୍ପାନ ଓ ଆଲୋଚନାମାନ ଅନୁଷ୍ଠିତ ହେବା କେତେ ଆବଶ୍ୟକ ବା ଅନାବଶ୍ୟକ, ତାହା ଭିନ୍ନ କଥା — ମାତ୍ର ସର୍ବାଧିକ କ୍ଷୋଭ ଓ ଦୁଃଖର କଥା ହେଉଛି, ସେଇ ଘଣ୍ଟେ ବା ଦୁଇଘଣ୍ଟାର ଆଲୋଚନା-ପ୍ରତ୍ୟାଲୋଚନା ପରେ ଆଉ କେହି ବି ସେ ସମ୍ପର୍କରେ ଚିନ୍ତନ କି ମନନ ତ ଦୂର, ମନ ଭିତରକୁ ସେ କଥା ଆଣନ୍ତି ବି ନାହିଁ। ସମ୍ପାନଟି ସରିଯାଏ ତାଳିମାଡ଼, ଫୋଟୋତ୍ତୋଳନ ଓ ପରବର୍ତ୍ତୀ ଦିନ ଖବରକାଗଜର ଗୋଟିଏ ଖବର ହେଇ। ସମସ୍ୟା ତା ଜାଗାରେ ସେମିତି ଅସମାହିତ ଓ ପରିତ୍ୟକ୍ତ ହୋଇ କାନ୍ଥର ଫାଟ ପରି ଜକ ଜକ କରୁଥାଏ। ନହେଲେ ୨୦୧୪ ମସିହାରେ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆଭାଷା କ୍ଷେତ୍ରରେ କିଛି ନା କିଛି ଅଗ୍ରଗତି ଆଖିଦୃଶିଆ ହେଇଥାଆନ୍ତା ଏଇ ଦଶବର୍ଷର ଦୀର୍ଘାବଧି ମଧ୍ୟରେ। ଆଖି ଖୋଲି ଦରାଣ୍ଡିଲେ ଗୋଟିଏ ଦଶବର୍ଷ ଦୀର୍ଘର ହାଇଫେନ୍ ଛଡ଼ା ଆଉ କିଛି ବି ଦୃଶ୍ୟ ହୁଏନାହିଁ କୋଉଠି।
ଶ୍ରୁତିକଟୁ ହେଲେ ବି ଏହା ହିଁ ବର୍ତ୍ତମାନ ସମୟର ସତ୍ୟ ଯେ, ଆମେ ଓଡ଼ିଆମାନେ ମାଗଣା ପାଇବା, ମାଗି ଚଳିବା, କର୍ମବିମୁଖତା ଓ ଅନ୍ୟ ଉପରେ ନିର୍ଭର କରିବା ଉପରେ ଅଧିକ ବିଶ୍ୱାସ ରଖୁ ଏବଂ କାମ ଚଳିଗଲେ ଗଲା ପରି କେମିତି ବି ଜୀବନଟାକୁ ଜିଇଁନେଲେ ଯାଏ, ଭାବି ବଞ୍ଚୁଥାଉ… ହେଲେ ହେଉ ପଛେ ତାହା ସ୍ୱାଭିମାନହୀନ, ସମ୍ମାନରହିତ ପରିଚୟବିହୀନ ଇତରଜୀବନ..!! କାରଣ ଭାଷା, ସାହିତ୍ୟ, ପରମ୍ପରା, ସ୍ୱାଭିମାନ ପ୍ରତି ଆମେ ଯେତେ ସଚେତନ ନୋହୁଁ, ତାହାଠାରୁ ବହୁ ଅଧିକ ସଚେତନ ବିଭିନ୍ନ ମାଗଣା ସରକାରୀ ଯୋଜନାରୁ ଲାଭ ପାଇବା କ୍ଷେତ୍ରରେ — ଜନ୍ମରୁ ମୃତ୍ୟୁ ଯାଏଁ… ମାଆମମତାରୁ ହରିଶ୍ଚନ୍ଦ୍ର ଯାଏଁ। ଆମେ ସବୁ ପ୍ରକାରର ସମ୍ପଦରେ ପରିପୂର୍ଣ୍ଣ ଥାଇ ବି ଆଳୁ, ପିଆଜ ଠାରୁ ଆରମ୍ଭ କରି ମାଛ, ଅଣ୍ଡା ସବୁଥିରେ ଅନ୍ୟ ଉପରେ ନିର୍ଭର କରୁଛୁ।
ପାଠକ ସଂଖ୍ୟା ହ୍ରାସ ପାଉଥିବାର ଅଭିଯୋଗ, ଭାଷାର ଭବିଷ୍ୟତକୁ ନେଇ ଆଶଙ୍କା ଓ ଓଡ଼ିଆ ଅସ୍ମିତାର ସୁରକ୍ଷା ଗୋଟିଏ ଗୋଟିଏ ସମାନ୍ତରାଳ ବିଷୟ ହେଲେ ହେଁ ସେମାନଙ୍କ ମଧ୍ୟରେ ଅନ୍ତର୍ସମ୍ପର୍କ ରହିଛି ଏଇଠି… ଏଇ ସମ୍ମାନ, ସ୍ୱାଭିମାନ ଓ ପରିଚୟ ପାଖରେ। ଇତରପ୍ରାଣୀ ହେଲେ ମଧ୍ୟ ଗାଈ ଓ କୁକୁରର ବି ଗୋଟିଏ ଗୋଟିଏ ପରିଚୟ ରହିଛି — ଗୋମାତା ଭାବରେ ଓ ଅତି ବିଶ୍ଵସ୍ତ ପ୍ରାଣୀ ଭାବରେ। ହେଲେ ମଣିଷଜାତିର ପରିଚୟ କ’ଣ..?? ତା’ର ଭାଷା, ତା’ର ସାହିତ୍ୟ ଓ ତା’ର ସାଂସ୍କୃତିକ ପରମ୍ପରାର ଗାମ୍ଭୀର୍ଯ୍ୟ ହିଁ ତା’ର ପରିଚୟ। ଯେଉଁ ଜାତିର ଭାଷା, ସାହିତ୍ୟ ଓ ସାଂସ୍କୃତିକ ପରମ୍ପରା ଯେତିକି ବିକଶିତ, ବିଶ୍ଵଗବାକ୍ଷରେ ସେ ଜାତିର ପରିଚୟ ସେତିକି ମହନୀୟ ଓ ମହିୟାନ, ସେତିକି ପୂଜନୀୟ ଓ ଗରୀୟାନ।
ଗୋଟିଏ ଜାତି ଯଦି ତା’ର ନିଜର ଭାଷା, ସାହିତ୍ୟ ଓ ସାଂସ୍କୃତିକ ପରମ୍ପରାକୁ ସମ୍ମାନ ଦେବାରେ ନିସ୍ପୃହ ରହିଲା ଓ ଏ ସବୁକୁ ନେଇ ତା’ର ହୃଦୟ ଓ ମସ୍ତିଷ୍କରେ ସ୍ୱାଭିମାନ ନ ଜାଗିଲା, ତେବେ ସେ ଜାତି କେବଳ ଭାଷା ସଙ୍କଟରେ ପଡ଼ିବ ନାହିଁ, ଅଚିରେ ପରିଚୟ ସଙ୍କଟର ଆହ୍ୱାନର ବି ସାମ୍ନା କରିବାକୁ ପଡ଼ିବ — ଯାହା ଆଜି ଏକ ଜ୍ୱଳନ୍ତ ସଙ୍କଟ ହୋଇ ମୁଣ୍ଡଟେକି ଆସୁଛି।
ଓଡ଼ିଆଜାତିର ଭାଷା, ସାହିତ୍ୟ, କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା ବହୁ ପୂର୍ବରୁ ବିକଶିତ, ବନ୍ଦନୀୟ ଓ ଗରିମାମୟ। ମାତ୍ର ସାମ୍ପ୍ରତିକ ସମୟରେ ଆମେ ଓଡ଼ିଆମାନେ ନିଜପ୍ରତି ପ୍ରଦର୍ଶନ କରୁଥିବା ଅସମ୍ମାନବୋଧ, ସ୍ୱାଭିମାନହୀନତା, ଗୋଡ଼ଟାଣିବା ନୀତି ଓ ସର୍ବୋପରି କିଛି ନକରି କେବଳ ବସି ଖାଇବାର ବିକଳାଙ୍ଗ ମାନସିକତା କ୍ରମଶଃ ଆମର ଭାଷା, ସାହିତ୍ୟ, କଳା, ଭାସ୍କର୍ଯ୍ୟ ଓ ପରମ୍ପରାଦିକୁ ବିକୃତ କରିଚାଲିଛି — ଯାହା ଧୀରେ ଧୀରେ ଅବକ୍ଷୟ ଆଡ଼କୁ ମୁହେଁଇବା ସ୍ୱାଭାବିକ। ଏହି ପରିସଂଖ୍ୟାନରୁ ଆହୁରି ସ୍ପଷ୍ଟ ହେଇଯିବ ଏଇ ପ୍ରସଙ୍ଗ। ଅଧୁନା, ବିଶ୍ଵସମୁଦାୟରେ ସାତହଜାରରୁ ଅଧିକ ଭାଷା ବ୍ୟବହୃତ ହେଉଥିବା ବେଳେ ୨୦୦୦ ମସିହା ବେଳକୁ ଭାଷା-ସାରଣୀରେ ଓଡ଼ିଆଭାଷାର ସ୍ଥିତି ଥିଲା ୩୦ତମ ସ୍ଥାନରେ। ଆଜି ୨୦୨୪ ମସିହା ବେଳକୁ ତାହା ଖସିଆସିଛି ୪୨ତମ ସ୍ଥାନକୁ। ଏହା ନିଶ୍ଚିତ ରୂପେ ସତର୍କଘଣ୍ଟି।
ବଙ୍ଗଳା, ଆସାମ, କନ୍ନଡ଼, ଏପରିକି ଦକ୍ଷିଣଭାରତରେ ଯେଉଁଭଳି ଭାବରେ ପ୍ରତିଭାର ପୂଜା କରାଯାଏ, ଯେଉଁଭଳି ସେମାନଙ୍କୁ ‘ଗୁଣୀଜନ’ ବୋଲି ଆଖ୍ୟାୟିତ କରାଯାଏ — ତାହାର ନିଦର୍ଶନ ଓଡ଼ିଶାରେ ନାହିଁ। ଅପରନ୍ତୁ ଗୋଡ଼ଟଣା, କାଦୁଅଫିଙ୍ଗାରେ ଏଠି କଦାକାର କରି ଦିଆଯାଏ ଗୁଣୀଜନଙ୍କୁ। ତହୁଁ ମାରାତ୍ମକ ଏଠି ‘ସ୍ବଜାତି ପରମ ହିଂସୁକ’ ନୀତି… ନହେଲେ ଭୂପେନ୍ ହଜାରିକାଙ୍କ ଠାରୁ କୌଣସି କ୍ଷେତ୍ରରେ ବି ଉଣା ନଥିବା ଓଡ଼ିଆ ସଙ୍ଗୀତ ଓ ସାହିତ୍ୟର କିମ୍ବଦନ୍ତୀ ପୁରୁଷ ଅକ୍ଷୟ ମହାନ୍ତି ଓଡ଼ିଶାର ଭୂଗୋଳକୁ ଲଂଘି ପାରିନଥିବା ବେଳେ ଆସାମର ଗୁଣଗ୍ରାହୀ ଲୋକେ ହଜାରିକାଙ୍କୁ ଭାରତରତ୍ନ ପରି ସର୍ବୋଚ୍ଚ ସମ୍ମାନରେ ଭୂଷିତ କରେଇ, ପ୍ରତିଷ୍ଠିତ କରେଇ ଦେଇ ପାରିଲେ ବିଶ୍ଵ ଦରବାରରେ। ରବୀନ୍ଦ୍ର ସଙ୍ଗୀତ ବିଶ୍ୱର କୋଣ ଅନୁକୋଣରେ ଅନୁରଣିତ ହେଉଥିବା ବେଳେ ଗଙ୍ଗାଧର ମେହେରଙ୍କ ସ୍ୱର ଶୁଭେନାହିଁ ତାଙ୍କର ନିଜର ଗାଆଁମାଟି ବରପାଲିରେ। ସନ୍ଦେହ ଜାଗେ, ଏଠାରେ ପ୍ରତିଭା ପୂଜନ ହୁଏ ନା’ ପ୍ରତିଭା ହନନ..!!
ଓଡ଼ିଆଭାଷାର ଏକ ସୁଦୀର୍ଘ ସୁବର୍ଣ୍ଣଯାତ୍ରା ରହିଛି ସହସ୍ରାଧିକ ବର୍ଷର… ଲୁଇପାଦ, ହାଡ଼ିପାଦ, ଶବରୀପାଦ ଆଦି ଚଉରାଅଶୀ ସିଦ୍ଧସାଧକଙ୍କ ବିରଚିତ ‘ଚର୍ଯ୍ୟାପଦ’ ଯୁଗରୁ। ଏ ସମ୍ପର୍କରେ ସୁଖ୍ୟାତ ଭାଷାତତ୍ୱବିତ ଓ ଗବେଷକ କରୁଣାକର କର ମହୋଦୟଙ୍କୁ ବାଦ୍ ଦେଲେ ଆଉ କୌଣସି ଓଡ଼ିଆ କିଛି ବି କରିନାହାନ୍ତି; ଯଦିଓ ଆଲୋଚକ ଖଗେଶ୍ବର ମହାପାତ୍ର ମହାଶୟଙ୍କର କିଛି କିଛି ଅବଦାନ ରହିଛି ଏ ଦିଗରେ।
ଚର୍ଯ୍ୟାପଦ ଓ ଓଡ଼ିଆଭାଷାର ଅଭ୍ୟୁତ୍ଥାନ ସମ୍ପର୍କରେ ଅଧିକ ଜାଣିବା ପାଇଁ ‘ଗୁଗଲ୍-ସର୍ଚ୍ଚ’ରେ ଖୋଜୁଥିଲି ଏବେ। ଶବ୍ଦଟିଏ ବି ପାଇଲିନି ସେ ସମ୍ପର୍କରେ। ମାତ୍ର ଚକିତ ହେଲି — ବଙ୍ଗଳା, ଆସାମ ଓ ମୈଥିଳୀର ଅସଂଖ୍ୟ ଲିଙ୍କ୍ ଚର୍ଯ୍ୟାପଦକୁ ନେଇ। ବିଭିନ୍ନ ଯୁକ୍ତି ସହ ସେମାନେ ଏହା ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି ଯେ, ଚର୍ଯ୍ୟାପଦ ସେମାନଙ୍କ ଗୌରବମୟ ଭାଷାର ହଜାରେବର୍ଷର ଗୌରବବିମଣ୍ଡିତ ଐତିହ୍ୟ ଓ ଇତିହାସକୁ ବହନ କରେ।
କ୍ଷୋଭର ବିଷୟ, ଓଡ଼ିଆରେ ବା ଓଡ଼ିଶା ତରଫରୁ ଶବ୍ଦଟିଏ ବି ନାହିଁ ଗୁଗଲ୍ ରେ ଚର୍ଯ୍ୟାପଦକୁ ନେଇ। ପ୍ରତିଭାପୂଜା ପ୍ରତି ସଚେତନ ନହେଲେ ଓ ନିଜକୁ ତଥା ନିଜ ଭାଷା, ସାହିତ୍ୟ, କଳା, ସଂସ୍କୃତି, ଭାସ୍କର୍ଯ୍ୟ ଓ ପରମ୍ପରାକୁ ସମ୍ମାନ ଦେଇ ନଶିଖିଲେ, ଦିନେ ଆମେ ନିଜେ ହିଁ ହାଣିଦେବା କୁରାଢ଼ିରେ ନିଜର ପରିଚୟକୁ।
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।
……………………………………
There are 2 comments
ବର୍ତ୍ତମାନର Technology ଦୁନିଆର ତାଳେ ତାଳେ ଆମ ସଂସ୍କୃତି ଭାଷାକୁ globally ପହଁଚାଇବାର ପ୍ରୟାସ ଅତି ସୁନ୍ଦର
ଧନ୍ୟବାଦ ।
ଅନେକ ଶୁଭେଚ୍ଛା ଓ ଧନ୍ୟବାଦ ଆପଣଙ୍କୁ, ଆପଣଙ୍କର ସହୃଦୟତା ପାଇଁ। ପାଠକ ଓ ଶ୍ରୋତାଙ୍କ ସମର୍ଥନ ପାଇଲେ ‘ଚଉକାଠ’ ଅଧିକ ଶକ୍ତ ହେବ ନିଶ୍ଚୟ।