
ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଓ ତତ୍ ପରବର୍ତ୍ତୀ ଘୋଷଯାତ୍ରା ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଶୁଭକାମନା, ଶୁଭଇଚ୍ଛା ଓ ଶୁଭଅଭିନନ୍ଦନ।
ଘୋଷଯାତ୍ରା ପାଇଁ ଏବର୍ଷ ରଥନିର୍ମାଣ ବେଳେ ରଥ ପାଇଁ ଉଦ୍ଦିଷ୍ଟ କାଠର ଅଭାବର ଅନ୍ୟ ଅନ୍ୟାନ୍ୟ କାରଣ ମଧ୍ୟରୁ ଜଙ୍ଗଲକ୍ଷୟ ଯେ’ ଏକ ପ୍ରମୁଖକାରଣ ଏବଂ ଏହା ଏକ ଜ୍ବଳନ୍ତ ସମସ୍ୟା, ଏହାକୁ ଆମେ କେହି ଅସ୍ବୀକାର କରିପାରିବା ନାହିଁ। ଏହାର ଫଳସ୍ବରୂପ, ଏବର୍ଷ ଯେଉଁଭଳି ଭାବରେ ପରିବେଶ ଅସନ୍ତୁଳିତ ରହିଲା ଓ ଯେଉଁଭଳି ଭାବରେ ପାଣିପାଗ ଆଶାତୀତ ଭାବରେ ଉତ୍ତପ୍ତ ରହି ଦୈନନ୍ଦିନ ଜୀବନଯାତ୍ରାକୁ ଦୁର୍ବିସହ କରିଦେଲା, ତାହା ଆମେ ସମସ୍ତେ ଅଙ୍ଗେ ନିଭେଇଛେ। ଏହା ଯୋଗୁ ସମଗ୍ର ଦେଶରେ ସହାସ୍ରାଧିକ ଲୋକଙ୍କର ମୃତ୍ୟୁ ଆମ ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି। ଏବେଠାରୁ ପ୍ରକୃଷ୍ଟ ଓ ଉତ୍ତମ ଯୋଜନା ସହ କାର୍ଯ୍ୟ ନ କରିପାରିଲେ ଏହି “ସହାସ୍ରାଧିକ” ଶବ୍ଦଟି ଆଗକୁ ଯେ “ଲକ୍ଷାଧିକ” ହୋଇନଯିବ, ସେ ସମ୍ଭାବନାକୁ ଅତିକ୍ରମ କରିଯାଇହେବନାହିଁ।
ଆଷାଢ଼ମାସ ସରିଆସୁଛି – ଆଉ କେତେଦିନ ପରେ ଶ୍ରାବଣମାସର ପ୍ରବେଶ ହେବ। ଅଥଚ, ଏଯାବତ୍ ସଂଘାତିକ ଭାବରେ ନିଅଣ୍ଟିଆ ବର୍ଷାର ଚିନ୍ତାରେ ସନ୍ତୁଳିତ ହୋଇ ରହିଛି ଚାଷୀକୁଳ, ବିଲମାଳ, ପାହାଡ଼-ଜଙ୍ଗଲ-ସ୍ଥାବର-ଜଙ୍ଗମ-କୀଟ -ପତଙ୍ଗଠାରୁ ନେଇ ସମଗ୍ରପୃଥିବୀ।
କେତେ ଜୀର୍ଣ୍ଣ, ଶୀର୍ଣ୍ଣ, ଦୟନୀୟ ହେଇଆସିଲାଣି, ସକଳ ପ୍ରକାରର ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଏହି ଧରିତ୍ରୀ, ରକ୍ତହୀନତାର ଶୀକାର ହେଇ।
ବଙ୍ଗଳାକବି ଶକ୍ତି ଚଟ୍ଟୋପାଧ୍ୟାୟଙ୍କର ଏଇ କବିତାପଙ୍କ୍ତିଟିକୁ ଶୁଣିଛନ୍ତି !! ଅନୁଭବ କରିଛନ୍ତି !!
ଏଖନ୍ ଖାଦେର, ପାଶେ ରାତିରେ ଦାଁଡ଼ାଲେ
ଚାଁଦ ଡାକେ – ଆୟ.. ଆୟ.. ଆୟ… ।
ଏଖନ୍ ଗଙ୍ଗାର ତୀରେ ଘୁମନ୍ତ ଦାଁଡ଼ାଲେ
ଚିତା–କାଠ ଡାକେ ଆୟ.. ଆୟ.. ଆୟ..।
ଯେତେପାରି
ଯେକୋନୋ ଦିକେଇ ଆମି ଚୋଲେଯେତେ ପାରି
କିନ୍ତୁ କେନୋ ଯାବୋ !!
ଯେ କୌଣସି ଦିଗରେ ମୁଁ ଚାଲି ଯାଇପାରେ…
କିନ୍ତୁ କାହିଁକି ଯିବି..!!!
କାହିଁକି ଯିବି ଏଇ ସବୁଜ ଶ୍ୟାମଳ ପ୍ରାନ୍ତରକୁ ଛାଡ଼ି… ଏଇ କାଶତଣ୍ଡିର ଶୃଙ୍ଖଳା, ଏଇ ମେଘର ମେଖଳାକୁ ଛାଡି… ପବନର ଏଇ ଗୁଣୁ ଗୁଣୁ ମିଠା ଗୀତ, ତାର ମଧୁମୟ ମହକ ଓ ସର୍ବୋପରି ଏଇ ସୁନ୍ଦରପୃଥିବୀକୁ ଛାଡ଼ି… କାହିଁକି ଯିବି..!!
ଶୁଣିବେ…??
ପ୍ରଚଣ୍ଡ ସ୍ବାଭିମାନୀ କବି ରବି ଶତପଥୀଙ୍କର ଏଇ କବିତାଧାଡ଼ିଗୁଡ଼ିକୁ…!!
: ବହୁଥର ଈଶ୍ବରଙ୍କ ସହ
ସାମାନ୍ୟ ଦୂରରୁ ସାକ୍ଷାତ ହୁଏ ମୋର,
ମୁଁ ନୀରବରେ
ବାଟକାଟି ଚାଲିଯାଏ
ଈଶ୍ବର କାନ୍ଦ କାନ୍ଦ ହୋଇ
ମୋତେ ଖୋଜନ୍ତି
ମୋ ନିର୍ବାଣ ପାଇଁ…
ମୁଁ ପଛକୁ ମୁହଁ ନକରି
ତାଙ୍କୁ ଅସ୍ବୀକାର କରି
ବାରମ୍ବାର ଫେରି ଆସୁଥାଏ
ଆଲିଙ୍ଗନ କରିବାକୁ
ଏ ସୁନ୍ଦର ପୃଥିବୀକୁ I
ବାଃ, ଚମତ୍କାର।
ହେଲେ କବିଦୃଷ୍ଟିର ସେଇ ସୁନ୍ଦରପୃଥିବୀକୁ କେଜାଣି କାହାର ନଜର ଲାଗିଯାଇଛି..!! ଜୀର୍ଣ୍ଣ ଶୀର୍ଣ୍ଣ ଦୟନୀୟ ହେଇଯାଉଛି ଧରିତ୍ରୀ। ନିଅଣ୍ଟିଆ ବର୍ଷା, ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ପରିବେଶ ଅସନ୍ତୁଳନତା, ରଥକାଠର ଅଭାବ… ସବୁ ମାଡ଼ି ମାଡ଼ି ପଡ଼ିଲାଣି ଆଜି — କେବଳ ଜଙ୍ଗଲ କ୍ଷୟ ଯୋଗୁଁ।
ବନକ୍ଷୟର କାରଣ ଆମେ, ଏହାର ନିରାକରଣ ବି ଆମେ। ବନୀକରଣର ଚାବିକାଠି ବି ଆମେ।
ଏବେ ମାଟିକୁ ଓହ୍ଲେଇଛି ବର୍ଷାଋତୁ। କୋଉଠି ମଞ୍ଜିଟିଏ ପୋତିଦେଲେ — ଯତ୍ନର ଆବଶ୍ୟକତା ନାହିଁ। ଆପେ ଆପେ ଅଙ୍କୁରିତ ହେଇଯିବ ବୃକ୍ଷ… ବୃକ୍ଷରୁ ଜଙ୍ଗଲ।
The squirrels bury the nuts and forget. And it works… it creats a new forest every year. ଗୁଣ୍ଡୁଚିମୂଷା କୋଳି ଖାଏ। ଆଉ ତା’ର ମଞ୍ଜିକୁ ଲୁଚେଇ ପୋତିଦିଏ ଏଠି ସେଠି ମାଟି ଭିତରେ — ସଂରକ୍ଷିତ କରିରଖେ ଶୀତଋତୁରେ ଖାଇବା ପାଇଁ, ଯେତେବେଳେ ଜଙ୍ଗଲରେ ଖାଦ୍ୟର ଅଭାବ ଘଟେ; ଯେମିତି ପିମ୍ପୁଡ଼ି ଖାଦ୍ୟ ସଂରକ୍ଷିତ କରିରଖେ ବର୍ଷାଦିନ ପାଇଁ। ଗୁଣ୍ଡୁଚି ମାଟିରେ ପୋତିରଖେ ମଞ୍ଜିକୁ ଓ ଭୁଲିଯାଏ। ପରବର୍ତ୍ତୀ ବର୍ଷାଋତୁରେ ସେଇ ମଞ୍ଜିରୁ ନୂଆ ଓ ଘଞ୍ଚଜଙ୍ଗଲ ସୃଷ୍ଟି ହେଇଯାଇଥାଏ।
ଏବେ ବର୍ଷାଋତୁ। ପୃଥିବୀରେ ଆମେ 960 କୋଟି ମଣିଷ। ଆସନ୍ତୁ, ଗୋଟିଏ ଗୋଟିଏ ମଞ୍ଜି ପୋତିଦେବା — ଆମ୍ବର, ପଣସର, ଜାମୁକୋଳିର… ରାସ୍ତା କଡ଼େ କଡ଼େ, ଗୋଚର ଜମିରେ, ଜଙ୍ଗଲ ଦାଢ଼ରେ… ଆଉ ଭୁଲିଯିବା। ଆମେ ଅନ୍ତତଃ ପ୍ରତି ସପ୍ତାହାନ୍ତ ଛୁଟିଦିନରେ ଏମିତି ଗୋଟେ ଗୋଟେ ମଞ୍ଜି, ଗୋଟେ ଗୋଟେ ଗଛ ପୋତି ଦେଇ ପାରିବା, ଗୁଣ୍ଡୁଚି ପରି — ଗୋଟିଏ ସବୁଜ ଶ୍ୟାମଳ ସୁନ୍ଦର ପୃଥିବୀ ଅଙ୍କୁରିତ କରେଇବା ପାଇଁ।
ଏବଂ ଏହା ହିଁ ତ କବିତା… ପ୍ରକୃତିର କବିତା।
ମୋନାଲିସା ପରି ଚିତ୍ର ଆଙ୍କିଥିବା ବିଶ୍ବବିଖ୍ୟାତ ଚିତ୍ରକର ଲିଓନାର୍ଦୋ ଦା’ ଭିନ୍ସୀ କହିଥିଲେ — Painting is poetry, that is seen, rather than it is felt; and poetry is painting that is felt, rather than it is seen.
ଏବଂ ଆମରି ଶବ୍ଦରେ ଏହା ହିଁ ହେଉ, ଯେ’ Poetry is nature and obviously nature is poetry — that is seen and at the same time, it is felt also.
ସୁଖର କଥା, ଏଇ ଚାରିମାସ ମଧ୍ୟରେ “ଚଉକାଠ” ତା’ର ପାଠକ ଓ ଦର୍ଶକ ସଂଖ୍ୟାରେ ଷୋହଳହଜାର ମାଇଲଖୁଣ୍ଟକୁ ଅତିକ୍ରମ କରିଛି, ଯାହା ନିଶ୍ଚିତ ରୂପେ ଏକ ବିରଳ ଅନୁଭବ। ଭାରତ ସମେତ ଇଂଲଣ୍ଡ, ଇଟାଲୀ, ବେଲଜିୟମ, ଜର୍ମାନୀ, ଆମେରିକା, ବ୍ରାଜିଲ, ସେଚିଲସ, ନେଦରଲାଣ୍ଡ, ଏବଂ ସ୍ବିଡେନ ପରି ଦେଶମାନଙ୍କରେ ରହୁଥିବା ଓଡ଼ିଆ ପାଠକ ଓ ଦର୍ଶକମାନଙ୍କୁ ଆମେ ଶ୍ରେୟ ଦେବୁ, ଯୋଉମାନେ “ଚଉକାଠ”କୁ ବାରମ୍ବାର କ୍ଲିକ୍ କରି ଆମକୁ ଉତ୍ସାହିତ କରୁଛନ୍ତି। ଏଇ ସମସ୍ତ ଦେଶର ଓଡ଼ିଆପାଠକ ଓ ଦର୍ଶକମାନଙ୍କୁ ମୋର ବିନୟାବନତ ଶୁଭେଚ୍ଛା ଏବଂ ନମସ୍କାର।
ଘୋଷଯାତ୍ରା ଅବସରରେ ପୁନଃ ଅଭିନନ୍ଦନ, ଶୁଭେଚ୍ଛା ଓ ଶୁଭକାମନା ।।
There are 12 comments
Very nice
Many a thanks for your support. Hope, you will continue reading/watching all articles placed in the magazine both in text and video format. Also the CHAUKĀTHA awaits your valuable comments n feedback. Thank You again.
ନମସ୍କାର ସାର୍
ଏଥର ସମ୍ପାଦକୀୟ ରେ ସାମାଜିକ ଦାୟିତ୍ୱବୋଧର କଥା।
ଆମେ ଯାହା କରିବା ତାହା ଆମ ପାଇଁ ହିଁ ଭୋଗ୍ୟ ହେବ ଆଉ କାହା ପାଇଁ ନହେଲା ନାହିଁ। ତେଣୁ ଅସ୍ବାଭାବିକ ପାଣିପାଗ ପରିବର୍ତ୍ତନକୁ ଆଡେଇବା ନିମନ୍ତେ ଆମ ସମସ୍ତଙ୍କୁ ବୃକ୍ଷରୋପଣ କରିବାକୁ ହିଁ ପଡିବ ।
ସୁନ୍ଦର ସନ୍ଦେଶ
“ଚଉକାଠ” ବ୍ୟାପକ ପାଠକୀୟ ଆଦୃତି କାମନା କରୁଛି
🙏🙏
ଆପଣଙ୍କ ସୁଚିନ୍ତିତ ମତାମତ ପାଇଁ ଅଶେଷ ଧନ୍ୟବାଦ। ଆପଣଙ୍କ comments/ feedback ଆଗାମୀ ସଂଖ୍ୟାଗୁଡ଼ିକ ପାଇଁ ଉପଯୋଗୀ। ସମ୍ପାଦକୀୟ ଆପଣଙ୍କୁ ଭଲଲାଗିଥିବାରୁ ଧନ୍ୟବାଦ। ପୁନଃ ଶୁଭେଚ୍ଛା ଓ ସମ୍ମାନ।
ଜୁଲାଇ ରଥ ସଂଖ୍ୟା ପଢ଼ି ସମ୍ବଲପୁରରୁ ଶ୍ରୀ ରବିନାରାୟଣ ସାମଲ whatsApp ଜରିଆରେ ନିଜର ମତାମତ ଏପରି ଦେଇଛନ୍ତି:
କେବଳ ସମ୍ପାଦକୀୟ ପଢ଼ିଛି । ବାକି ଧୀରେ ଧୀରେ ପଢ଼ିବି । ବହୁତ ବଢ଼ିଆ, ସାହିତ୍ୟ, ପରିବେଶ, ସଚେତନତା ସବୁକିଛିକୁ ଖୁବ୍ ସୁନ୍ଦରଭାବେ ମିଶାଇଦେଇ ଲେଖିଛନ୍ତି । ପ୍ରକୃତି ବିନା ସର୍ଜନା ଅସମ୍ଭବ । ସୁତରାଂ, ପ୍ରତ୍ୟେକ ମଣିଷ ଏଦିଗରେ ସଚେତନ ହେବାପାଇଁ ଆପଣଙ୍କ ବାର୍ତ୍ତା ଅନେକ ପ୍ରେରଣାଦାୟୀ ।
ମତାମତ ପାଇଁ ଶ୍ରୀ ରବିନାରାୟଣ ସାମଲଙ୍କୁ ଅଶେଷ ଧନ୍ଯବାଦ ।
ରବିନାରାୟଣ ବାବୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଧନ୍ୟବାଦ, ସମ୍ପାଦକୀୟ ଉପରେ ସକାରାତ୍ମକ ପ୍ରତିକ୍ରିୟା ବ୍ୟକ୍ତ କରିଥିବା ହେତୁ। ଏହା ଚଉକାଠକୁ ଆହୁରି ଦୃଢ଼ତା ଦେବ। ପୁନଃ ଶୁଭେଚ୍ଛା ଓ ସମ୍ମାନ
ନିଆରା ସମ୍ପାଦନା। ଲେଖକମାନଙ୍କୁ ପଢି ଓ ଶୁଣି ପାରିବାର ବ୍ୟବସ୍ଥା ଆପାର୍ଟମେଂଟରେ ଥିବା ଲିଫ୍ଟ୍ ଓ ସିଡି ପରି। ପ୍ରକାଶକ ବନ୍ଧୁ ବିପିନ୍ ଓ ସମ୍ପାଦକ ଅନୁଜ ତ୍ରିନାଥଙ୍କ ପ୍ରୟାସ ପ୍ରଶଂସନୀୟ ଓ ଅଭିନନ୍ଦନୀୟ।
ଆପଣଙ୍କ ମନ୍ତବ୍ୟ ଖୁବ୍ ଉତ୍ସାହିତ କରୁଛି ଭାଇ। ପଢ଼ନ୍ତୁ/ ଦେଖନ୍ତୁ ଓ ଆପଣଙ୍କର ସୁଚିନ୍ତିତ comments/ feedback ଦିଅନ୍ତୁ।ଏହା ଆମର ଆଗାମୀ ସଂଖ୍ୟା ପାଇଁ ମୂଲ୍ୟବାନ ସମ୍ପତ୍ତି।
ପୁନଃ ଶୁଭେଚ୍ଛା ଓ ସମ୍ମାନ…
ପ୍ରିୟ ସଂପାଦକ ” ଚଉକାଠ”,
ମୋର ଶୁଭେଚ୍ଛା,ଅଭିନନ୍ଦନ ଆପଣଙ୍କୁ ଓ ଚଉକାଠ ପରିବାରକୁ ।ଏକ ନିଆରା ସଂପାଦକୀୟ ।ମା,ମାଟି,ଧରିତ୍ରୀ ଓ ସର୍ବୋପରି ତହିଁରେ ଆଶ୍ରିତ ସମସ୍ତ ଜୀବଜଗତ ଆଜି ଆଉଟୁ ପାଉଟୁ ଅସୁରକ୍ଷିତ ତାପ ମାତ୍ରା ବୃଦ୍ଧି ହେତୁ ।ପ୍ରକୃତିର ଏ ପ୍ରଚଣ୍ଡ ରୂପ ପାଇଁ ଆଜି ସମଗ୍ର ବିଶ୍ବ ଚିନ୍ତିତ, ଉଦବିଗ୍ନ,ଆତଙ୍କିତ ।ଆଶଙ୍କା ଲାଗେ ,ଲୋପ ପାଇଯିବନିତ ଏ ମାନବ ସଭ୍ୟତା ।୧୦୦ ଡିଗ୍ରୀ ସେଣ୍ଟି ଗ୍ରେଡ ତାପ ମାତ୍ରା ଜଳର ସ୍ଫୁଟନାଙ୍କ ଆଉ ଆଜି ପୃଥିବୀର ବାୟୁମଣ୍ଡଳୀୟ ତାପ ମାତ୍ରା ୫୧.୭ ଡିଗ୍ରୀ ।ଆନ୍ତର୍ଜାତୀୟ କୋପେନ୍ ହାଗେନ୍ ବୈଠକ ଠାରୁ ଚଉକାଠ ପତ୍ରିକା ପର୍ଯ୍ୟନ୍ତ ସମସ୍ତେ ଆଜି ଇଙ୍ଗିତ କଲେଣି ପରିବେଶର ଅ ସନ୍ତୁଳନ ପାଇଁ ।ପ୍ରିୟ ସଂପାଦକ ! ସାହିତ୍ୟ ମାଧ୍ୟମରେ ବିଶ୍ଵ ଜନ ସମୁଦାୟ ଙ୍କୁ ପରିବେଶ ସଚେତନତା ପାଇଁ ଆପଣଙ୍କ e ତୀକ୍ଷ୍ଣ ଅଥଚ ମଧୁର ବାର୍ତ୍ତା ପ୍ରଶଂସନୀୟ ।ଧନ୍ୟବାଦ ଆପଣଙ୍କୁ ।
ଆଜ୍ଞା ସାର୍
ସମ୍ପାଦକୀୟ ସହ ଆପଣ ସହମତ ଓ ଏ ବାବଦୀୟ ଆପଣଙ୍କର ସୁଚିନ୍ତିତ ବକ୍ତବ୍ୟ ଓ କ୍ଷୋଭ ନିଶ୍ଚିତ ଭାବରେ ଆଉ କେତେଜଣଙ୍କୁ ବୃକ୍ଷରୋପଣ ପାଇଁ ଅନୁପ୍ରେରଣା ଦେବ, ଏହା ନିଶ୍ଚିତ। ଆମେ ଆମର ନିକଟତର ଲୋକଙ୍କୁ ଏ ବାବଦରେ ନିଶ୍ଚୟ କହିବା।
ସମ୍ମାନ ଓ ଶୁଭେଚ୍ଛା ଆପଣଙ୍କୁ।
🙏🙏🙏
ନମସ୍କାର ନେବେ 🙏
ପୂର୍ବଥରମାନଙ୍କ ଭଳି ଏଥର ମଧ୍ୟ ଖୁବ୍ ପ୍ରାସଂଗିକ ସଂପାଦକୀୟ. ପରିବେଶ ଅନୁଚିନ୍ତା. ଭାବ ବିନ୍ୟାସ. ଶାବ୍ଦିକ ଉଚ୍ଚାରଣ.ବେଶ୍ ଭଲ ଲାଗୁଛି. ମୋ ପାଇଁ ଅନେକ ଶିକ୍ଷଣୀୟ ହେଉଛି.
ପ୍ରତିଟି ସ୍ତମ୍ଭ ଉଚ୍ଚାଙ୍ଗ. ମାର୍ମିକ
ସାହିତ୍ୟକୁ ନେଇ ଆପଣଙ୍କ ଛଳଛଳଭାବ ସଦା ରହିଥାଉ. ପ୍ରଣାମ
ଲକ୍ଷ୍ମୀବାବୁ,
ସମ୍ମାନ ଓ ଶୁଭେଚ୍ଛା।
ସଂପାଦକୀୟ ଭଲଲାଗିଛି ଜାଣି ଆନନ୍ଦିତ।
ଆମେ ସମସ୍ତେ ସହଯୋଗ ଭିତ୍ତିରେ ପରିବେଶ ସମ୍ପର୍କରେ ଗୁଣ୍ଡୁଚି ପରି କାମ କରିପାରିବା। ଏବଂ ଆମେ ଆମର ନିକଟତର ଲୋକମାନଙ୍କୁ ମଧ୍ୟ ଏ ବାବଦରେ ନିଶ୍ଚୟ କହିବା।
ସମ୍ମାନ ଓ ଶୁଭେଚ୍ଛା ଆପଣଙ୍କୁ।
🙏🙏🙏