(ଅସୁସ୍ଥତା କାରଣରୁ “ଚଉକାଠ”ର ଏହିସଂଖ୍ୟା ପ୍ରକାଶନରେ ହୋଇଥିବା ଅନିଚ୍ଛାକୃତ ବିଳମ୍ବ ପାଇଁ ଆମେ କ୍ଷମାପ୍ରାର୍ଥୀ)
ସମ୍ପାଦକୀୟ …………
ଜାନୁଆରୀ ଏକ ତାରିଖଟିକୁ ଆମେ ସର୍ବଭବ୍ୟତା ଓ ଆନନ୍ଦ ଉଦ୍ଦୀପନାର ସହ ‘ଶୁଭ ନବବର୍ଷ’ ଭାବରେ ପାଳନ କରୁଥିବାବେଳେ, ଏଇ ବିଶାଳ ଆର୍ଯ୍ୟ-ଭୂଖଣ୍ଡର ନୂଆବର୍ଷ, ବିଷୁବ ସଂକ୍ରାନ୍ତି ବା ବୈଶାଖମାସର ପ୍ରଥମଦିନଟିକୁ ଆମେ ଖୁବ୍ କୁଣ୍ଠିତ ଭାବରେ ପାଳନ କରିବା ସହ ପରସ୍ପରକୁ ‘ଓଡ଼ିଆ-ନବବର୍ଷ’ କହି ଆହୁରି ସଙ୍କୁଚିତ କରିଦେଇଥାଉ।
ଏଠି ପ୍ରଶ୍ନ ଉଠେ, ନବବର୍ଷ ତ ନବବର୍ଷ..!! ‘ଓଡ଼ିଆ-ନବବର୍ଷ’ ପୁଣି କ’ଣ..? ଏହି ଦିନଟିକୁ ପଞ୍ଜାବ ବା ଉତ୍ତରଭାରତରେ ବୈଶାଖୀ, ଆସାମରେ ବୋହାଗ ବିହୁ, ତାମିଲନାଡ଼ୁରେ ପୁଥାଣ୍ଡୁ, କେରଳରେ ବିଷୁ, ପଶ୍ଚିମବଙ୍ଗରେ ପୋଇଲା ବୋଇଶାଖ, ମିଥିଳାରେ ଜୁର୍ ଶିତଲ ଭାବରେ ପାଳନ କରାଯାଇଥାଏ, ବେଶ୍ ହର୍ଷୋଲ୍ଲାସରେ। ମାତ୍ର କେହି ବି କେରଳୀ-ବିଷୁ କି ପଞ୍ଜାବୀ-ବୈଶାଖୀ କିମ୍ବା ଆସାମୀ-ବିହୁ ଅଥବା ତାମିଲ-ପୁଥାଣ୍ଡୁ ବା ବଙ୍ଗାଳୀ-ନୂଆବର୍ଷ କହି ଏତେ ସଙ୍କୁଚିତ କରିଦେଇ ନଥାନ୍ତି।
କେବଳ ଭାରତୀୟ ରାଜ୍ୟସମୂହ ନୁହେଁ, ତେର-ଅପ୍ରେଲ ବା ବିଷୁବ ସଂକ୍ରାନ୍ତିକୁ ଆହୁରି ଅନେକ ଦେଶ ସପ୍ତାହାଧିକ ସମୟ ଆଗରୁ ପୂର୍ବପ୍ରସ୍ତୁତି ସହ ଖୁବ୍ ଆନନ୍ଦ ଓ ଉଲ୍ଲାସରେ ବର୍ଷର ପ୍ରଥମ ଦିବସ ବା ନବବର୍ଷ ଭାବରେ ପାଳନ କରିଥାନ୍ତି। ଶ୍ରୀଲଙ୍କାରେ ଅଲୁଥ୍ ଅବୁରୁଥୁ, ନେପାଳରେ ବୈଶାଖୀ, ବାଂଲାଦେଶରେ ପୋଇଲା ବୈଶାଖ, ଥାଇଲାଣ୍ଡରେ ସଙ୍ଗକ୍ରାନ୍, ଲାଓସ୍ ରେ ପି-ମାଇ-ଲାଓ, କାମ୍ବୋଡିଆର ଚେଲ୍ଚ଼ନାମଥମୀ ଏବଂ ବ୍ରହ୍ମଦେଶ ବା ମ୍ୟାଁମାରରେ ଥେଙ୍ଗୟାନ୍ ଭାବେ ବେଶ୍ ପାରମ୍ପରିକ ଭାବାବେଗ ସହକାରେ ପାଳନ କରାଯାଇଥାଏ।
ଅଥଚ଼ ଏମିତି ଓଡ଼ିଶାରେ ଦେଖାଯାଏନି। ଆମେ ନିଜେ ହିଁ ଆମର ସଂସ୍କୃତି, ଆମର ପରମ୍ପରା , ଆମର ଐତିହ୍ୟ, ଆମର ପର୍ବପର୍ବାଣୀକୁ ନିଜ ଭିତରେ ହିଁ ସ୍ବୀକୃତି ଦେବାକୁ କୁଣ୍ଠିତ ହେଇଥାଉ। ଯେଉଁଠି ଆମେ ହିଁ ଆମ ସଂସ୍କୃତି, ପରମ୍ପରା, ଐତିହ୍ୟର ଅଣ୍ଟିଛୁରୀ ହେଇ ଉଭା ହେଉ, ସେଇଠି ଆମ ସଂସ୍କୃତି, ପରମ୍ପରା, ଐତିହ୍ୟ ଉପରେ ଅନ୍ୟ ସଂସ୍କୃତି, ପରମ୍ପରା, ଐତିହ୍ୟ ସବାର ହୋଇ ଆମର ପରିଚୟ ଓ ଅସ୍ମିତାକୁ ବିକଳାଙ୍ଗ ବା ନିଶ୍ଚିହ୍ନ କରିଦେବାଟା ଥୟ। ଏହାର ଇଲାଜ ଖୋଜିଲେ ମିଳିବ ବା କୋଉଠୁ। ଆଜିକାଲି ଓଡ଼ିଆ ବାହାଘରରୁ ଗୁଆ ମଙ୍ଗୁଳା, ଜାଇବଡ଼ି ଅନୁକୂଳ, ମାଟିପକା, ହରିଦ୍ରାଲେପନ, ମଙ୍ଗନହାଣ୍ଡି ଇତ୍ୟାଦି ଲୋପ ପାଇ ମେହେନ୍ଦୀ, ହଲଦୀ, ସଙ୍ଗୀତ୍ ଆଦି ମାଗିଅଣା ତିଅଣ ପରି ଦେଖାଣିଆ ଅଦ୍ଭୁତ-ସଂସ୍କୃତି ତା’ ସ୍ଥାନ ଆବୋରି ବସିଲାଣି… ଯେଉଁଥିରେ ନା ଓଡ଼ିଆ ବାସ୍ନା ଅଛି ନା ପରିଚୟ ନା ଅସ୍ମିତା..!! ବିକାଶଆଡ଼କୁ ଆଗେଇ ଯିବା ନିଶ୍ଚିତ ରୂପେ ସ୍ବାଗତଯୋଗ୍ୟ; ମାତ୍ର ବିକାଶ ନାଆଁରେ ଗୋଟିଏ ସଭ୍ୟତାକୁ ଲୋପ କରିଦେବା ଏକ ଭୟଙ୍କର ବିଡ଼ମ୍ବନା।
ପଣା ସଂକ୍ରାନ୍ତିଦିନ ସନ୍ଧ୍ୟାରେ ଏକ ସାହିତ୍ୟସଭାର ମୂଖ୍ୟଆଲୋଚନାର ବିଷୟବସ୍ତୁ ଥିଲା ଓଡ଼ିଆ ଅସ୍ମିତାକୁ ନେଇ। ଅସ୍ମିତାର ଯେଉଁ ଅର୍ଥାନ୍ତର କରାଗଲା ତାହା ଚକିତ କଲା… ଅସ୍ମିତାର ଅର୍ଥ ଅହଙ୍କାର। ଆଶ୍ଚର୍ଯ୍ୟ !!
ଅସ୍ମିତା କେବଳ ଏକ ଆଭିଧାନିକ ଶବ୍ଦ ବା ଅର୍ଥ ନୁହେଁ। ଅସ୍ମିତା ଜଣକର ଭାବାବେଗ ସହିତ ଜଡ଼ିତ; ଯାହା ତା’ର ଅସ୍ତିତ୍ବ ଓ ପରିଚୟର କଥା କହେ। ଏହା ଅହଂକାର ବା ଅହମିକା ବା ଅହଂଭାବର କଥା କେବେ ବି କହେ ନାହିଁ। ଚୁମ୍ବକରେ କହିଲେ, ଅସ୍ମିତା ଏକ ‘ତଦ୍ଭବ’ ଶବ୍ଦ ଯାହା ସଂସ୍କୃତ ଉଦ୍ଭବ… ଯାହାର ଅର୍ଥ “ଅହଂ ଅସ୍ମି” – ଅର୍ଥାତ୍ ‘ମୁଁ ଅଛି ‘। ମୁଁ ଅଛି କହିବାର ଅର୍ଥ ଏହା ଅହଂକାରକୁ କଦାଚିତ୍ ଇଙ୍ଗିତ କରେ ନାହିଁ, ବରଂ ଏହା ଜଣକର ଅସ୍ତିତ୍ବ ଓ ପରିଚୟକୁ ଇଙ୍ଗିତ କରେ… ଯେଉଁ ଯେଉଁ ଉପାଦାନକୁ ନେଇ ତା’ର ଅସ୍ତିତ୍ବ ଓ ପରିଚୟର ଭିତ୍ତିଭୂମି ପ୍ରତିଷ୍ଠିତ… ଯାହା ତା’ର ବା ଗୋଟିଏ ଜାତିର ମୌଳିକତା, ଯାହା ତା’ର ସଂସ୍କୃତି, ସାହିତ୍ୟ, ପରମ୍ପରା, ଐତିହ୍ୟ, ଚଳଣି, ତା’ର ଖାଦ୍ୟ, ପରିଧାନ, ଦିନଚର୍ଯ୍ୟା… ଯାହାକୁ ଛୁଇଁଦେଲେ ସେ ଜାତିର ଛାତି ସ୍ପନ୍ଦିତ ହୋଇଉଠେ, ମହ ମହ ବାସି ଉଠେ ଚଉଦିଗ… ଯାହା ତା’ର ରଜଦୋଳି ଗୀତ ହେଇପାରେ, ରଙ୍ଗବତୀ ନାଚ଼ ହେଇପାରେ, ହେଇପାରେ ରୂପାର ତାରକସି, ଚାନ୍ଦୁଆ, ପଟ୍ଟଚିତ୍ର, ସମ୍ବଲପୁରୀ ପାଟ… ହେଇପାରେ ତା’ର ପଖାଳକଂସା, ତା’ର ବର୍ଣ୍ଣବୋଧ, ତା’ର ସାରଳା ମହାଭାରତ, ତା’ର ଲକ୍ଷ୍ମୀପୁରାଣ, ଛଅମାଣ ଆଠଗୁଣ୍ଠ ଓ ଛୋଟ ମୋର ଗାଆଁଟି… ହେଇ ବି ପାରେ ଜଗନ୍ନାଥ-ବଳଭଦ୍ରଙ୍କ କାଞ୍ଚି ଅଭିଯାନ, ମଧୁବାବୁଙ୍କର କାଳିଆଘୋଡ଼ା, ଚଣ୍ଡାଶୋକ ସହ ଯୁଦ୍ଧ… ଯାହା ତାକୁ ଅହଂକାର ବା ଅହମିକାରେ ଉଗ୍ର କରେନାହିଁ ବରଂ ଗୌରବାନିତ୍ୱ ଓ ନମ୍ର କରେ, ତା’ର ଭାବାବେଗର ଛାତିକୁ ସ୍ଫିତ କରେ ଓ ମସ୍ତକକୁ କରେ ଉନ୍ନତ !! ଏହା ହିଁ ଓଡ଼ିଆ ଅସ୍ମିତା। ଏହା କଦାଚି଼ତ ଭୋଟ-ବେପାରର ରାଜନୈତିକ ‘ଗୋଟି’ ବି ନୁହେଁ।
‘ଓଡ଼ିଆ ଅସ୍ମିତା’ ର ପ୍ରକୃଷ୍ଟ ଅର୍ଥ ଓ ଆବେଗକୁ ଆମେ ଯଦି ଛୁଇଁ ପାରିବା ନାହିଁ, ତେବେ କି କାମ କରିବା “ଓଡ଼ିଆ ଅସ୍ମିତା” କୁ ନେଇ..!!
ସେଇ ଆଲୋଚନା ଚକ୍ରରେ ଜଣେ ଅଭିଜ୍ଞ ସୁଧୀବକ୍ତା ତାଙ୍କର ଅନୁଭଵ ବର୍ଣ୍ଣନା କରୁଥିଲେ – କେମିତି ପ୍ରତ୍ୟେକଟି ସମ୍ପନ୍ନବଙ୍ଗାଳୀ ତା’ର ମାସିକ ଆୟର ଏକ ନିର୍ଦ୍ଦିଷ୍ଟାଂଶ ନିଜ ଭାଷାର ପତ୍ରପତ୍ରିକା କିଣିବାରେ ବ୍ୟୟ କରିଥାଏ..!! କେମିତି ତାଙ୍କର ଜଣେ ବଙ୍ଗାଳୀ ସହକର୍ମୀଙ୍କ ବୈଠକଖାନାରେ ଚାରି-ପାଞ୍ଚଟି ସଦ୍ୟ ପ୍ରକାଶିତ ବଙ୍ଗଳା ପତ୍ରିକାର ସମ୍ଭାର !! ତହିଁରୁ ଗୋଟିଏ ପତ୍ରିକା ଉଠେଇ ଆଣି ଓଲଟେଇ ଦେଖିବାବେଳେ ବଙ୍ଗାଳୀ ଭଦ୍ରବ୍ୟକ୍ତି ନିଜ ପ୍ରତିକ୍ରିୟାରେ କେମିତି ନିଜର କାନ୍ଧ ସଳଖି, ଆଖି ଯୋଡ଼ାକର ଉଜ୍ଜ୍ୱଳତାକୁ ଆଉଟିକେ ବଢ଼େଇ ଦେଇ ଗର୍ବର ସହିତ କହିଲେ : Ours is a royal language. !! ସେଇ ଅଜ୍ଞାତ ବଙ୍ଗାଳୀ ଭଦ୍ରବ୍ୟକ୍ତିଙ୍କର ଏଇ ଅସ୍ମିତାବୋଧ ପ୍ରତି ମୋର ସ୍ୱତଃ ମଥାନତ ହୋଇଗଲା ସମ୍ମାନରେ… ତାଙ୍କର ମାତୃଭାଷା ଓ ନିଜ ସାହିତ୍ୟ ପ୍ରତି ଥିବା ଆଦର ଓ ସମ୍ମାନବୋଧ ପ୍ରତି ବି।
ଜଣେ ବଙ୍ଗାଳୀ ତା’ର ଭାଷା ଓ ସାହିତ୍ୟକୁ ନେଇ ଗୌରବାନ୍ୱିତ। ତେଣୁ ସେ ଦମ୍ଭର ସହ କହିପାରୁଛି – Ours is a royal language . ତାହାଲେ ଓଡ଼ିଆ… ଓଡ଼ିଆ କ’ଣ ଏକ ମଫସଲିଆ ମୂର୍ଖ ଭାଷା..! ଭୃତ୍ୟ, ଚାକର, ଦାସ ଭାଷା..!! ଥରେ ଜଣେ ଉଚ୍ଚଶିକ୍ଷିତ ବ୍ରାହ୍ମଣବନ୍ଧୁଙ୍କ ଘରକୁ ଯାଇଥିଲି। ବୈଠକ ଘରେ +୨ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ତାଙ୍କ ପୁଅକୁ ଦେଖି ପଚାରିଦେଲି : ତୁମ ନାଁ କଅଣ ବାବୁ ? ପିଲାଟି ମୋ ଆଡ଼କୁ ଚାହିଁ ଖୁବ୍ ସମ୍ଭ୍ରମତା ସହକାରେ ଦମ୍ଭର ସହ ଉତ୍ତର ଫେରାଇଲା.. “ଆମ୍ ଖ୍ରିଷ୍ନଖାନ୍ଥ ପାଣ୍ଡା”। ମୁଁ ଆଶ୍ଚର୍ଯ୍ୟ ହେଇ ଚାହିଁଲି ପିଲାଟିର ବାପାଙ୍କୁ … ଯାହାଙ୍କ ଆଖିରେ ଓ ଓଠରେ ସନ୍ତୁଷ୍ଟିର ସ୍ମିତ। ବନ୍ଧୁପତ୍ନୀ ସୋଫା ଉପରୁ ଟିକେ ଆଗକୁ ଝୁଙ୍କି ଆସି ବେଶ୍ ଗଦ ଗଦ କଣ୍ଠରେ କହିଲେ, ପୁଅ ଇଂଲିଶ ସ୍କୁଲରେ ପଢ଼ୁଛି ତ… ତେଣୁ ଓଡ଼ିଆ କହିଜାଣୁନି। ଏଇ “ଓଡ଼ିଆ କହିଜାଣୁନି” ଧାଡ଼ିଟିକୁ ଭଦ୍ରମହିଳା ବେଶ୍ ଗର୍ବର ସହିତ ଉଚ୍ଚାରଣ କରୁଥିଲେ, ସତେ ଯେମିତି “ଓଡ଼ିଆ କହି ନଜାଣିବା” ପୃଥିବୀର ଏକ ବିରଳତମ ସୁକାର୍ଯ ବା ଯୋଗ୍ୟତା।
ହାୟରେ ମୂର୍ଖ ଓଡ଼ିଆ, ଓଡ଼ିଆ କହି ନଜାଣିବା ଏକ ଯୋଗ୍ୟତା ନୁହେଁ, ଏହା ଜୀବନର ସବୁଠାରୁ ବଡ଼ ଅଯୋଗ୍ୟତା। ଏହି ମୂଢ଼-ଅହଂକାର କେବଳ ଦୟାର ପାତ୍ର ହେବା ଯୋଗ୍ୟ, ଏକଥା କିଏ ହୃଦୟଙ୍ଗମ କରେଇପାରିବ ସେମାନଙ୍କୁ !!
ବେଳେବେଳେ ଆଶ୍ଚର୍ଯ୍ୟ ଲାଗେ, ଜଣେ ମରାଠୀ ନିଜକୁ ମରାଠା ବୋଲି ଗର୍ବର ସହ କହି ପାରୁଥିବା ବେଳେ, ଜଣେ ପଞ୍ଜାବୀ ନିଜକୁ ଛାତିରେ ହାତ ବାଡ଼େଇ ପଞ୍ଜାବୀ, କେରଳର ଲୋକଟିଏ ନିଜକୁ କେରଳୀ, ତାମିଲନାଡ଼ୁର ଲୋକ ନିଜକୁ ତାମିଲ୍… ଏପରିକି ମୂଖ୍ୟସ୍ରୋତ ଠାରୁ ବହୁଦୂରରେ ବଣ୍ଡାପାହାଡ଼ ଉପରେ ରହୁଥିବା ଲୋକଟି ନିଜକୁ “ମୁଁ ବଣ୍ଡା” ବୋଲି କହିପାରୁଥିବା ବେଳେ ଜଣେ ଓଡ଼ିଆ ନିଜକୁ ଓଡ଼ିଆ ବୋଲିବାରେ ଏତେ କୁଣ୍ଠିତ କାହିଁକି ??
ଗତବର୍ଷ ୦୩ ଅକ୍ଟୋବର, ୨୦୨୪ରେ ଭାରତ ସରକାର ମରାଠୀ, ପାଲି, ପ୍ରାକୃତ ଓ ଅସମୀୟା ସମେତ ବଙ୍ଗାଳା ଭାଷାକୁ ଶାସ୍ତ୍ରୀୟଭାଷାର ମାନ୍ୟତା ପ୍ରଦାନ କରିଛନ୍ତି। ଯେତେବେଳେ କି ଏହାର ସାଢେ଼ଦଶବର୍ଷ ପୂର୍ବରୁ ମାର୍ଚ୍ଚ ୦୧, ୨୦୧୪ରୁ ଓଡ଼ିଆକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରାପ୍ତ ହୋଇସାରିଛି। କହିବା ବାହୁଲ୍ୟ, ବଙ୍ଗଳା ପାଖରେ ପ୍ରାଚୀନ ଅଭିଲେଖପତ୍ର ଇତ୍ୟାଦିର ସଂଖ୍ୟା କୋଡ଼ିଏହଜାର ଥିବାବେଳେ, ଓଡ଼ିଆ ଭାଷାରେ ପ୍ରାୟତଃ ଦୁଇଲକ୍ଷ ବାଷଠିହଜାରରୁ ବି ଅଧିକ ପ୍ରାଚୀନ ଅଭିଲେଖପତ୍ରାଦି ଗଚ୍ଛିତ ରହିଛି, ଯହିଁରୁ ଏହାର ପ୍ରାଚୀନତାର ଆକଳନ କରାଯାଇପାରେ। ଓଡ଼ିଆ ଭାଷା ଓ ଲିପିର ପ୍ରାଚୀନତାର ପ୍ରଣାମ ବହୁ ଗ୍ରନ୍ଥଗ୍ରନ୍ଥାଦିରେ ମଧ୍ୟ ଉଲ୍ଲେଖ ରହିଛି। ଆଜିଠାରୁ ପ୍ରାୟ ୨୬୦୦ବର୍ଷ ତଳେ ଖ୍ରୀଷ୍ଟପୂର୍ବ ୫୬୩ରେ ଜନ୍ମଗ୍ରହଣ କରିଥିଲେ ଗୌତମ ବୁଦ୍ଧ। ବୌଦ୍ଧ ଧର୍ମଗ୍ରନ୍ଥ “ଲଳିତ ବିସ୍ତର”ରେ ଉଲ୍ଲେଖ ରହିଛି ଯେ ବୁଦ୍ଧଦେବ ୬୪ ପ୍ରକାରର ଲିପି ଶିକ୍ଷା କରିଥିଲେ। ତନ୍ମଧ୍ୟରୁ ଗୋଟିଏ ଥିଲା ଉଡ୍ରଲିପି।
ସେହିଭଳି ସାରଳା ମହାଭାରତର ମଧ୍ୟପର୍ବରେ ମଧ୍ୟ ଉଲ୍ଲେଖ ରହିଛି ଯେ, ଦ୍ବାପର ଯୁଗରେ ଶ୍ରୀକୃଷ୍ଣ ତାଙ୍କ ଗୁରୁ ସନ୍ଦୀପନୀଙ୍କ ଠାରୁ ୬୪ଟି ଭାଷା ଶିକ୍ଷା କରିଥିଲେ ଓ ତନ୍ମଧ୍ୟରେ ଓଡ଼ିଆ ମଧ୍ୟ ଏକ ଭାଷା ଥିଲା। ଏହି କଥା ସାରଳା ମହାଭାରତର ମଧ୍ୟପର୍ବରେ ଉଲ୍ଲେଖ ରହିଛି,
ଓଡ଼ିଆ, ତେଲେଙ୍ଗା ଆଉ ନାଗରୀ ଦକ୍ଷିଣୀ,
କନଉଜ, ଦ୍ରାବିଡ଼ ଯେ ଆଦିଭାଷା ଘେନି।
ଏହି ପରି ଲେଖିଲେ ଯେ ଭାଷା ଚଉଷଠି,
ନବଦିନେ ଲେଖିଲେ ଯେ ତାଳପତ୍ର ଚିଠି।
ଏହା ସତ୍ତ୍ୱେ ଆମେ କୁଣ୍ଠିତ, ସଙ୍କୁଚିତ। ଏହା ସତ୍ତ୍ୱେ ବି ନାହିଁ ଆମ ଭିତରେ ନିଜ ଭାଷା ପାଇଁ ନିଜକୁ ଗୌରବାନ୍ବିତ ମନେକରିବାର ସ୍ୱାଭିମାନ। ଏହା ସତ୍ତ୍ବେ ବି ନାହିଁ ଆମ ଭିତରେ ” Ours is a royal language.” କହିବାର ଦମ୍ଭ !!
ଏହା କେବଳ ଏକ ରୁଗ୍ଣ ମାନସିକତା, ଯାହା ଭିତରୁ ଆମକୁ ମୁକୁଳିବାକୁ ହେବ ।
ବନ୍ଦେ ଉତ୍କଳ ଜନନୀ।
There are 6 comments
ଖୁବ ଚମତ୍କାର ଶବ୍ଦ ଓ ଆବେଗର ବ୍ୟଞ୍ଜନା ଆମ ଅସ୍ମିତାକୁ ନେଇ |ଆପଣଙ୍କ କହିବା ସମୟରେ ପ୍ରତ୍ୟେକଟି ଶବ୍ଦର ଉଚ୍ଚାରଣରେ ନିଜ ମାଆ, ମାଟି, ତାର ପାଣି ପବନ, ଭାଷା ଭୂଗୋଳ ପାଇଁ ଯେଉଁ ପ୍ରଚୁର ଭଲପାଇବାକୁ ବଖାଣୁଛି, ତାକୁ ନେଇ ଗର୍ବ କରିବାକୁ ଉସକାଉଛି, ସେତକ ହିଁ ତ ଆମର ଓଡ଼ିଆ ଅସ୍ମିତା|ପ୍ରଣାମ ସାର, ଢେର ଶୁଭେଚ୍ଛା 🙏🌹
ସମ୍ପାଦକୀୟ ଆପଣଙ୍କୁ ଭଲ ଲାଗିଛି, ଏହା ଆମ ପାଇଁ ସୌଭାଗ୍ୟର ବିଷୟ।
ଆମେମାନେ ଆଜି ଏପରି ଏକ ସୀମାରେଖାରେ ଠିଆହେଇଛୁ, ଯୋଉଠୁ ଆମମାନଙ୍କୁ ହିଁ ଏ ସମ୍ପର୍କରେ ପରବର୍ତ୍ତୀ ପିଢ଼ିକୁ ସଚେତନ କରେଇବାକୁ ହେବ। ଅନ୍ୟଥା, ଆମର ସାହିତ୍ୟ, ସଂସ୍କୃତି, କଳା, ପରମ୍ପରା, ଚଳଣୀ ସବୁ ଅପମିଶ୍ରିତ ହୋଇଯିବ।
ତାପରେ ଅସ୍ମିତା ବୋଲି ଆଉ କିଛି ବି ନଥିବ।
ଆପଣ ଏ କଥା ହୃଦୟଙ୍ଗମ କରିଛନ୍ତି, ଏହା ଆମ ପାଇଁ ଉତ୍ସାହପ୍ରଦ। ଏଇ ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ।
🙏🌹🙏
ଓଡ଼ିଆ ଅସ୍ମିତାର ଭାବାବେଗରେ ଉଦ୍ ବୁଦ୍ ହେଉଥିବା
ଏହି ସଂପାଦକୀୟ ପୃଷ୍ଠାର ପ୍ରତିଟି ଶବ୍ଦ
ନିଶ୍ଚୟ ପ୍ରତି ଓଡ଼ିଆଙ୍କୁ ରୁଦ୍ଧିମନ୍ତ କରିବ,
ଏହା ମୋର ବିଶ୍ଵାସ…… ପ୍ରଣାମ ସାର୍ 🙏
ବନ୍ଦେ ଉତ୍କଳଜନନୀ 🙏
କାଶ୍ ସମସ୍ତେ ଆପଣଙ୍କ ପରି ଏହି ସତ୍ୟକୁ ହୃଦୟଙ୍ଗମ କରନ୍ତେ..!! ଆମର ବି ଦାୟିତ୍ଵ ରହିଛି, ଏ ବାବଦରେ ଅନ୍ୟମାନଙ୍କୁ ଓ ବିଶେଷ କରି ପରବର୍ତ୍ତୀ ପିଢ଼ିକୁ ସଚେତନ କରେଇବା ପାଇଁ। ଆମେ ଚେଷ୍ଟା କରିବା ଓ ନିଶ୍ଚୟ ପାରିବା।
ଅଶେଷ ଧନ୍ୟବାଦ ଏଇ ସୁନ୍ଦର ମତାମତ ପାଇଁ।
🙏🌹🙏
ଓଡ଼ିଆ ଅସ୍ମିତାର ଭାବାବେଗରେ ଉଦ୍ ବୁଦ୍ ହେଉଥିବା
ଏହି ସଂପାଦକୀୟ ପୃଷ୍ଠାର ପ୍ରତିଟି ଶବ୍ଦ
ନିଶ୍ଚୟ ପ୍ରତି ଓଡ଼ିଆଙ୍କୁ ରୁଦ୍ଧିମନ୍ତ କରିବ,
ଏହା ମୋର ବିଶ୍ଵାସ…… ପ୍ରଣାମ ସାର୍ 🙏
ବନ୍ଦେ ଉତ୍କଳ ଜନନୀ 🙏
ଅଶେଷ ଧନ୍ୟବାଦ।
🙏🙏