Home » Magazine » ସମ୍ପାଦକୀୟ : ଅଗଷ୍ଟ ୨୦୨୪

ସମ୍ପାଦକୀୟ : ଅଗଷ୍ଟ ୨୦୨୪

ଭାଷାକୁ ଭିତ୍ତିକରି ୧୯୭୧ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ଏହି ଦକ୍ଷିଣଏସୀୟ ଦେଶ ବାଂଲାଦେଶ ଆଜି ଦଙ୍ଗାଗ୍ରସ୍ତ ଓ ଗୃହଯୁଦ୍ଧରେ ଲିପ୍ତ। ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ସରକାରୀ ଚାକିରୀରେ ସଂରକ୍ଷଣର ବ୍ୟବସ୍ଥାକୁ ବିରୋଧ କରି ବିକ୍ଷୋଭ ଆରମ୍ଭ କରିଥିବା ଛାତ୍ର ଓ ଯୁବଗୋଷ୍ଠୀ — ଏବେ ରାଜନୈତିକ ତଥା ଧର୍ମଭିତ୍ତିକ ଘୃଣା ଓ ରକ୍ତପାତକୁ ଓହ୍ଲେଇ ଆସିଛନ୍ତି।

ବାଂଲାଦେଶର ପ୍ରତିଷ୍ଠାତା, ଦେଶର ଜନକ ଦେଶବନ୍ଧୁ ମୁଜିବୁର୍ ରେହମାନଙ୍କ ବିଶାଳ ପ୍ରତିମୂର୍ତ୍ତି ଭାଙ୍ଗି ଖଣ୍ଡ ଖଣ୍ଡ, ବିଶ୍ୱଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ ପ୍ରତିମୂର୍ତ୍ତୀର ଶିରୋଚ୍ଛେଦ ଓ ବିକୃତ, ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କର ଅନନ୍ୟୋପାୟ ହୋଇ ଦେଶ ଛାଡ଼ି ପଳାୟନ ଓ ତତ୍ ପରବର୍ତ୍ତୀ ଘଟଣାକ୍ରମରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଲୁଟପାଟ୍। ଏପରିକି ଟିଭି, ଫ୍ରିଜ୍, ବାସନକୁସନ, ବିଛଣା, ତକିଆ ଓ ଗୃହପାଳିତଙ୍କୁ ଉଠେଇନେବା ସହ ରସ୍ତାଉପରେ ଯୁବକମାନଙ୍କ ଦ୍ଵାରା ନାରୀ ଅନ୍ତର୍ବସ୍ତ୍ରର ଲଜ୍ଜ୍ୟାଜନକ ପ୍ରଦର୍ଶନ ଏକ ଭାଷା ଭିତ୍ତିରେ ପ୍ରତିଷ୍ଠିତ ସମ୍ଭ୍ରାନ୍ତ ଦେଶର ବର୍ବର ଓ ଘୃଣା ଚରିଯାଇଥିବା ନାଗରିକତ୍ବ ଓ ସଭ୍ୟତାକୁ ପଦାରେ ପକେଇଦେଇଛି। ଭାଷାଭିତ୍ତିରେ ସମୃଦ୍ଧ ଦେଶର ଯୁବଗୋଷ୍ଠୀ ଓ ଛାତ୍ର ନିଜ ଭାଷାର ସଂଖ୍ୟାଲଘୁଙ୍କୁ ଲୁଟପାଟ୍ ଓ ହତ୍ୟା କରୁଛି; ଯାହା ଯେକୌଣସି କୋଣ ବା ବିନ୍ଦୁରୁ ବି ନିନ୍ଦନୀୟ ଓ ଘୃଣ୍ୟ। ଉଦଭ୍ରାନ୍ତ ଯୁବକମାନଙ୍କ ଦ୍ବାରା ଅନ୍ତର୍ବସ୍ତ୍ରର ଲଜ୍ଜାଜନକ ପ୍ରଦର୍ଶନ ଠାରୁ ଘୃଣ୍ୟ ଓ ବର୍ବର ଅସଭ୍ୟତା ଆଉ ଅବା କ’ଣ ଥାଇପାରେ..!! ଯାହାର ପ୍ରତିକ୍ରିୟା ଓଡ଼ିଆ କବିତାରେ ବି ସ୍ପଷ୍ଟ। ଆମ ସମୟର କବି ଏଲୀ ମହାନ୍ତିଙ୍କ କବିତାରେ ସେଇ ବର୍ବରତାର ପୀଡ଼ା…

ମୁଁ ମୋର କାଣିଚାଏ ବି ଲଜ୍ଜ୍ୟା
ସେ ବସ୍ତ୍ରରେ ଛାଡ଼ି ଆସିନାହିଁ
ଯାହାର ଉପସ୍ଥାନରେ ଲଜ୍ଜିତ ହେବେ ମୋ ପିଲାମାନେ
କିମ୍ବା ତରଙ୍ଗାୟିତ ହେବ ମୋ ଦେଶର ମାନ
ନିର୍ଲଜପଣର ଅଟ୍ଟହାସ୍ୟରେ…

ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏହି ଘଟଣାକ୍ରମରେ ବିଦେଶୀଶକ୍ତିର ହାତ ଥିବାର ଆଶଙ୍କା ବ୍ୟକ୍ତକରୁଛନ୍ତି — ହେଲେ ଏହା କେତେଦୂର ସତ୍ୟ, ତାହା ଏଠାରେ ପ୍ରସଙ୍ଗ ନୁହେଁ । ମାତ୍ର ଏହା ଶତ ପ୍ରତିଶତ ସତ୍ୟ ଯେ, ସାଢ଼େସତର କୋଟି ଜନସଂଖ୍ୟା ବିଶିଷ୍ଟ ଗୋଟିଏ ସମୃଦ୍ଧଦେଶ ଆଜି ଛିନଛତ୍ର ଓ ଯୁବଗୋଷ୍ଠୀ ଉଦଭ୍ରାନ୍ତ।

ଏବେ ବି ଜଳୁଛି ବାଂଲାଦେଶ।
ବାଂଲାଦେଶ ଆଜି ବି ତ୍ରସ୍ତ ଓ ତଟସ୍ଥ। ଅଗଷ୍ଟ ମାସରେ ଘଟି ଯାଇଥିବା ଏଇ ଘଟଣାର ଶୃଙ୍ଖଳ ସ୍ଵତଃ ମନେ ପକେଇଦିଏ ଆଜିଠାରୁ ଠିକ୍ ୮୨ ବର୍ଷ ତଳେ ପରାଧୀନ ଭାରତରେ ସଂଘଟିତ ଅଗଷ୍ଟ କ୍ରାନ୍ତିର କଥା। ସେଦିନ ଅଗଷ୍ଟ ୮, ୧୯୪୨ ମସିହା… ମହାତ୍ମା ଗାନ୍ଧୀଙ୍କ ନେତୃତ୍ଵରେ “ଇଂରେଜ ସରକାର, ଭାରତ ଛାଡ଼” ଡାକରା ଦେଇ ଲକ୍ଷ ଲକ୍ଷ ଭାରତୀୟ ହାତରେ କ୍ରାନ୍ତିର ମଶାଲ ଧରି ଆଗେଇ ଆସିଥିଲେ। ଲକ୍ଷାଧିକ ଗିରଫ ହେଲେ…. ବହୁଲୋକ ମାଡ଼ ଖାଇ ଲହୁଲୁହାଣ ହେଲେ। ଅନେକସ୍ଥାନରେ ପୋଲିସ ଗୁଳିରେ ଶହ ଶହ ଅହିଂସ ସତ୍ୟାଗ୍ରହୀଙ୍କ ମୃତ୍ୟୁ ଘଟିଲା। ତଥାପି ଭାରତର ଜନତା ତିଳେ ହେଲେ ପଛଘୁଞ୍ଚା ଦେଇ ନଥିଲେ। ଏଇ ମହାଭାରତୀୟତାର ଉତ୍ତାଳଲହର ଆଗରେ ଶେଷରେ ବ୍ରିଟିଶରାଜକୁ ମୁଣ୍ଡ ନୁଏଇଁବାକୁ ହେଇଥିଲା, ଯଦିଓ ଏକ ନିଷ୍ଠୁର ନିର୍ମମ ବିଭାଜନର କରାଳ ବିଭୀଷିକା ଭିତରେ ସ୍ୱାଧୀନତାର ମହାର୍ଘ ଖୁସି ନିଷ୍ପ୍ରଭ ଲାଗୁଥିଲା, ଯୋଉ ବିଭାଜନଜନିତ ସମସ୍ୟାର କ୍ଷତରୁ କ୍ଷରୁଥିବା ରକ୍ତ ଆଜି ବି ରକ୍ତାକ୍ତ କରୁଛି ଭାରତବର୍ଷକୁ ସ୍ବାଧୀନତାର ୭୮ବର୍ଷ ପରେ ମଧ୍ୟ।


ବିଶ୍ୱ ପରିପ୍ରେକ୍ଷୀରେ ବିହାଙ୍ଗାବଲୋକନ କଲେ ଭାରତୀୟ ଉତ୍କର୍ଷତା ପ୍ରମାଣିତ ହେଇଛି କି ନା ତାହା ଏବେ ଆଲୋଚନାସାପେକ୍ଷ। ଅର୍ଥନୈତିକ ବିକାଶ କ୍ଷେତ୍ରରେ ଭାରତ ୨୦୪୭ ବେଳକୁ ବିଶ୍ବର ତୃତୀୟ ଆର୍ଥିକ ମହାଶକ୍ତିରେ ପରିଣତ ହୋଇସାରିଥିବ ବୋଲି ଏବେଠାରୁ ଦାବି କଲାଣି… ଅଥଚ, ପ୍ରତିଦିନର ସାମାଜିକ ସ୍ଥିତିକୁ ପରଖିଲେ ଆମ ଆଗରେ ଏବେ ବି ଦିଶିଯାଉଛି, ଦେଶର ଅନ୍ୟ ଅନେକ ଅଞ୍ଚଳରେ ଆଜି ମଧ୍ୟ ଲୋକେ ସାଧାରଣ ଜୀବନଚର୍ଯ୍ୟାର ମାନଦଣ୍ଡଠାରୁ ଢେର ନିମ୍ନସ୍ତରର ଜୀବନଯାପନ କରୁଛନ୍ତି ଭୋକରେ, ଶୋଷରେ, ଶିକ୍ଷାରେ, ସ୍ବାସ୍ଥ୍ୟରେ…!! ଏବେ ବି ଦେଶର ୭୦କୋଟି ଲୋକ ତିନିବେଳା ପେଟପୂରା ଖାଇବାକୁ ପାଉନାହାନ୍ତି । ଏବେ ବି ସଚେତନତାର ଅଭାବରୁ ଓ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଗାରିଡ଼ି ପାଲରେ ବହୁ ନିରୀହ ଲୋକ ମୃତ୍ୟୁବରଣ କରୁଛନ୍ତି।

ପ୍ରଗତିଶୀଳତାର ଡିଣ୍ଡିମ ପିଟିବା ଓ ପ୍ରଗତିପଥରେ ପ୍ରକୃତରେ ଆଗେଇବା ଭିତରେ ଯୋଉ ଯୋଜନ ଯୋଜନ ଦୂରତ୍ୱ, ତାହା ବେଶ୍ ସ୍ପଷ୍ଟ ଓ ଜଳ ଜଳ ହେଇଦିଶୁଛି ।

ତେବେ ନିର୍ଭୀକ ନିଷ୍ଠାପର ସର୍ଜନକର୍ମ ଯେ ଏ ଦିଗରେ ବହୁମୁଖି ଆଲୋକବର୍ତ୍ତିକା ସାଜିପାରେ ଏହା ମଧ୍ୟ ନିଶ୍ଚିତ।

ଏହି ପରିପ୍ରେକ୍ଷୀରେ ରବୀନ୍ଦ୍ରନାଥଙ୍କ ଦୃଷ୍ଟିରେ ମୁକ୍ତଭାରତର ସଂଜ୍ଞା କ’ଣ ହେଇପାରେ, ଅନୁମେୟ କରାଯାଉ ନିମ୍ନୋକ୍ତ କବିତାର କିୟଦଂଶରୁ .. !!
Where
the mind is without fear
and the head is held high…..
Where
the world has not been
broken up into fragments
by narrow domestic walls..
Where
words come out of the depth of truth..
Where
tireless striving stretches its arms towards perfection……
Where
the mind is led forward by Thee,
Into ever-widening thought and action
Into that heaven of freedom, My father,
Let my country awake…

ଏହି ୭୮ତମ ସ୍ବାଧୀନତା ଦିବସରେ ଏହି ଅନୁଚିନ୍ତା ହିଁ ଆମର ଧ୍ୟେୟ ହେଉ। ଜାତୀୟ ପତାକା ତ୍ରିରଙ୍ଗା ପ୍ରତିଟି ଘରେ ଶୋଭା ଓ ସମ୍ମାନ ପାଉ, ପ୍ରତିଟି ହୃଦୟରେ ପୂର୍ଣ୍ଣ ଅସ୍ମିତା ଓ ସ୍ଵାଭିମାନର ସହ ବିରାଜମାନ କରୁ।
ବନ୍ଦେ ଭାରତୀ।

🙏🇮🇳🇮🇳❤️🇮🇳🇮🇳🙏

There are 10 comments

  1. ଅଗଷ୍ଟ ମାସ ର ଉପସ୍ଥାପନା ସମ୍ପାଦକୀୟ ରେ ଖୁବ ମନଛୁଆଁ ହୋଇଛି l 🙏

    1. ଅଗଷ୍ଟ ସମ୍ପାଦକୀୟ ଆପଣଙ୍କୁ ଭଲ ଲାଗିଛି। ଏହା ଚଉକାଠର ସୌଭାଗ୍ୟ। ଆପଣଙ୍କ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ସହ ଶୁଭେଚ୍ଛା ଜଣାଉଛୁ।

    2. ଚମତ୍କାର ଉତ୍ତରଣ
      ସମ୍ପାଦକୀୟ ତଥ୍ୟ ଅତି ଉଚ୍ଚକୋଟୀର
      ଶୁଭେଚ୍ଛା ପ୍ରଣାମ

      1. ସଧନ୍ୟବାଦ ଶୁଭେଚ୍ଛା ପ୍ରତିଭା।

        ଚଉକାଠ ପ୍ରକାଶିତ ଆପଣଙ୍କ କବିତା ପତ୍ରିକାର ଏହି ସଂଖ୍ୟାର ମାନବୃଦ୍ଧି କରିଥିବା ହେତୁ ପୁନଃ ଧନ୍ୟବାଦ।

  2. ଏମିତି ଏକ ସ୍ପର୍ଶକାତର ପ୍ରସଙ୍ଗକୁ ସମ୍ପାଦକୀୟ ସ୍ଥାନିତ କରି , ସମାଜକୁ ଅନ୍ଧକାର ଗ୍ରାସ କରିବା ଆଗରୁ ଆଉଥରେ ଆଲୋକ ସନ୍ଧାନରେ ବାହାରିପଡିବାକୁ ହେବ ବୋଲି ବୋଧହୁଏ ସମ୍ପାଦକ ଚେତେଇ ଦେଉଛନ୍ତି
    “ଚଉକାଠ” ର ଏହା ହିଁ ତ ବୈଶିଷ୍ଟ୍ୟ।
    ପ୍ରତିଥର ନୂଆ ନୂଆ ସାମାଜିକ ସମସ୍ୟାକୁ ଉପସ୍ଥାପନ କରି ସମ୍ପାଦକ ପ୍ରମାଣିତ କରୁଛନ୍ତି “ଚଉକାଠ” ସମସ୍ତ” ଇ” ପତ୍ରିକା ଠୁ ଭିନ୍ନ ଓ ଅନନ୍ୟ।।
    ସମ୍ପାଦକ ଓ ପ୍ରକାଶକ ଉଭୟ ଙ୍କୁ ନମସ୍କାର
    🙏🙏

    1. ସମ୍ପାଦକୀୟ ଆପଣଙ୍କୁ ଭଲ ଲାଗିଥିବା,ଚଉକାଠର ସୌଭାଗ୍ୟ। ଠିକ୍ କହିଲେ ସାର୍… ସାମାଜିକ ସମସ୍ୟାଗୁଡ଼ିକ ସଂକ୍ରମିତ ହେଇ ଦୁରାରୋଗ୍ୟ ବ୍ୟାଧିରେ ପରିଣତ ହେବା ଆଗରୁ ଯଥା ସମୟରେ ସମାହିତ ହେଇପାରିଲେ ଦେଶ ଓ ଆମର ପରବର୍ତ୍ତୀ ପିଢ଼ି ପାଇଁ ମଙ୍ଗଳକର। ଏଥିପାଇଁ ଦେଶର ପ୍ରତ୍ୟେକ ନାଗରିକର ଯୋଗଦାନ ରହିବା ଉଚିତ୍। ଆପଣଙ୍କ ସୁଚିନ୍ତିତ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ସହ ଶୁଭେଚ୍ଛା ଜଣାଉଛୁ।

  3. ସମ୍ପାଦକଙ୍କ ହ୍ବାଟସପକୁ ଶ୍ରୀଯୁକ୍ତ ସୁକୁମାର ରାୟ, ବାଲୁବଜାର, କଟକ ନିଜ ମତାମତ ପଠାଇଛନ୍ତି :
    ନମସ୍କାର🙏
    ସ୍ବାଧୀନତାର ଅଠସ୍ତରୀତମ ମହୋତ୍ସବ ପାଳନ ଅବସରରେ ଅଭିନବ ଚଉକାଠର ଅଗଷ୍ଟ ପ୍ରତିବେଦନ ଓ ପାଠକାର୍ପଣ ପାଇଁ ଅଶେଷ ଅଭିନନ୍ଦନ।
    ଏଥର ସମ୍ପାଦକୀୟରେ ସାମ୍ପ୍ରତିକ ସମୟରେ ବିଶ୍ବର ଏକମାତ୍ର ଭାଷାଭିତ୍ତିକ ରାଷ୍ଟ୍ର ବାଙ୍ଗଲାଦେଶର ରାଜନୈତିକ ଅସ୍ଥିରତା , ଆଭ୍ୟନ୍ତରୀଣ ବିଶୃଙ୍ଖଳା ଏବଂ ତଜ୍ଜନିତ ଆତଙ୍କରାଜ ସମ୍ପର୍କରେ ଉଲ୍ଲେଖ କରି ଉଦବେଗ ପ୍ରକାଶ କରିବା ସହିତ ସ୍ଵଦେଶର ସ୍ଵତନ୍ତ୍ରତାଦିବସ ପାଳନାବସରରେ ଅନୁଚିନ୍ତା ତଥା ସର୍ଜନାରେ ମୁକ୍ତ ଚିନ୍ତନର ଆବଶ୍ୟକତାକୁ ନେଇ କବି ରବୀନ୍ଦ୍ରନାଥ ଟାଗୋରଙ୍କର କବିତା ବେଶ୍ ହୃଦୟଗ୍ରାହୀ ହୋଇଛି।

    କବିତାର ଭାବଭୂମିରେ ପ୍ରତାପ କୁମାର ପଣ୍ଡାଙ୍କର କବିତା ସମ୍ପର୍କିତ ଅଭିମତ ଖୁବ୍ ଅନୁଭୂତିସିଦ୍ଧ।

    ମଧୁରମ୍ ମଧୁରମ୍ ମଧୁରା°ଶ ପ୍ରତିଥର ଆମ ସମୃଦ୍ଧ ସାହିତ୍ୟ-ପରମ୍ପରାର ପରିଚୟ ଦିଏ। ଏଥର ଆଧୁନିକ ଓଡ଼ିଆ ଭାଷାର ଉତ୍ପତ୍ତି ପୂର୍ବରୁ ପ୍ରଚଳିତ ପ୍ରାକୃତ ଭାଷାରେ ରଚିତ ଚର୍ଯ୍ୟାପଦ (ଏହା ସନ୍ଧାଭାଷାରେ ରଚିତ ବୋଲି ମଧ୍ୟ ଅନ୍ୟ ମତ ରହିଛି) ର କିୟଦ°ଶ ଓ ତାହାର ଓଡ଼ିଆ ଭାବାନ୍ତର ମୁଗ୍ଧ କଲା। ଗଳ୍ପ, ଉପନ୍ୟାସ ଏବଂ କବିତା ଅ°ଶଗୁଡ଼ିକ ସୁଚୟନିତ ଓ ସୁସ°ଯୋଜିତ। ବହୁତ ଭଲ ଲାଗିଲା ପ୍ରଣୟସୁଧାଙ୍କ କବିତା°ଶର ଏଇ ଦୁଇ ଧାଡ଼ି…
    “ପଥର
    ଶୋଇ ରହିଲେ ବେଢ଼ାକୁ ପାହାଚ
    ଜାଗ୍ରତ ହେଲେ ଈଶ୍ୱର।”
    ଚମତ୍କାର। ଚମତ୍କାର।

    ଗଳ୍ପ ମୁକ୍ତି ଏକ ଭଲ ଚରିତ୍ରକୁ ନେଇ ରଚିତ।ତେବେ ଗଳ୍ପଟିରେ ଶେଷ ଆଡ଼କୁ ଗାଳ୍ପିକ ହଠାତ ତରତର ହୋଇ ସାରିଦେଲା ଭଳି ଲାଗିଲା। ହୁଏତ ସୀମିତ କଳେବରରେ ଗଳ୍ପ ଲେଖିବାର ବାଧ୍ୟବାଧକତା ଗଳ୍ପର ସ୍ଵତଃପ୍ରବାହକୁ ବ୍ୟାହତ କରୁଛି।
    ଗୌତମବୁଦ୍ଧ ଦାସଙ୍କ ଦୁଇଟି ମିନିଗଳ୍ପ କରୋନା ସମୟର ସ୍ମୃତିକୁ ଉଜ୍ଜୀବିତ କରିଦେଲା।
    ଏଥର ଚଉକାଠରେ ପ୍ରତିଟି କବିତା ଏକକୁ ଆରେକ ବଳି।
    ଏହି ପାଠ୍ୟ-ଦୃଶ୍ୟ-ଶ୍ରାବ୍ୟ ଡିଜିଟାଲ ପତ୍ରିକାଟି ଅପାର ପାଠକୀୟତା ପାଉ, ଏହି ଶୁଭକାମନା ।

    1. ସୁକୁମାର ରାୟବାବୁଙ୍କ ମନ୍ତବ୍ୟ ଚଉକାଠକୁ ଆହ୍ଲାଦିତ ଓ ଅଶ୍ରୁ ସଜଳ କରିଦେଲା। ଏ ସଂଖ୍ୟାରେ ସ୍ଥାନିତ ପ୍ରତ୍ୟେକ ବିଭାଗ ଉପରେ ଆପଣଙ୍କର ଚୁମ୍ବକୀୟ ଆକଳନ ଆମକୁ ଅନେକ ସାହସ, ସାମର୍ଥ୍ୟ ଓ ଶକ୍ତି ଯୋଗେଇବ ନିଃସନ୍ଦେହରେ।
      ସମ୍ପାଦକୀୟ ଉପରେ ଆପଣଙ୍କର ଅନୁଚିନ୍ତାକୁ ଚାଉକାଠ ସ୍ଵାଗତ କରିବା ସହ ଆପଣଙ୍କୁ ଅଶେଷ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଉଛି। 🙏🇮🇳🙏

  4. ସ୍ପଷ୍ଟ ଅଭିବ୍ୟକ୍ତିର ଏହି ସମ୍ପାଦକୀୟ ଶୁଣିଲେ ଲୋମ ଟାଙ୍କୁରୀ ଉଠୁଛି. ସାମ୍ପ୍ରତିକ ଘଟଣାବଳୀକୁ ନେଇ ଖୁବ ସୁନ୍ଦର ଉପସ୍ଥାପନା . ପତ୍ରିକା ହେଉ କିମ୍ବା ଖବର କାଗଜ ସମ୍ପାଦକୀୟ ପଢ଼ିଦେଲେ ସାମ୍ନାକୁ ଆସିଯାଏ ସମୟର କିୟଦଂଶ ଯାହା ଆମକୁ ବାଧ୍ୟକରେ କିଛି ଭାବିବାକୁ, ଲେଖିବାକୁ.
    ଭାବଦ୍ଦୀପକ ସମ୍ପାଦକୀୟ ପାଇଁ ଧନ୍ୟବାଦ ଓ ପ୍ରଣାମ.

    1. ଅଶେଷ ଧନ୍ୟବାଦ ସହ ଶୁଭେଚ୍ଛା ଆପଣଙ୍କୁ। ଆପଣଙ୍କର ଏହି ସଂକ୍ଷିପ୍ତ ଅଥଚ ସାମଗ୍ରିକତା ଉପରେ ମନ୍ତବ୍ୟ ଚଉକାଠକୁ ସାମର୍ଥ୍ୟ ଯୋଗେଇବ। ଆପଣଙ୍କ ମତାମତ ସବୁ ବର୍ଗର ପାଠକଙ୍କ ଧ୍ୟେୟ ହେବା ଉଚିତ୍। ପୁନଃ ଶୁଭେଚ୍ଛା ଓ ଆପଣଂକ ଏହି ତୀକ୍ଷ୍ଣ କବିତା “ମୁଁ ତୁମ ମାଆ କହୁଛି” ପାଇଁ ଚଉକାଠର ପୁନଃ ଅଭିନନ୍ଦନ।

Leave a Reply

Your email address will not be published. Required fields are marked *