Home » Magazine » ସମ୍ପାଦକୀୟ : ଅକ୍ଟୋବର ୨୦୨୪

ସମ୍ପାଦକୀୟ : ଅକ୍ଟୋବର ୨୦୨୪

ୟା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ।
: ଯେଉଁ ଦେବୀ ସର୍ବଭୂତରେ ଶକ୍ତି ସ୍ୱରୁପରେ ବିଦ୍ୟମାନ, ତାଙ୍କୁ ପ୍ରଣାମ, ପ୍ରଣାମ, ବାରମ୍ବାର ପ୍ରଣାମ। ଶକ୍ତି ହିଁ ଏ ବ୍ରହ୍ମାଣ୍ଡର ମୂଳ କାରଣ ଓ କାରକ, ଯାହା ବିନା ଏ ସଚରାଚର ଅସାର। ସେ ଜଳରେ ଶୀତଳତା, ଅନଳରେ ଦାହକତା, ଚନ୍ଦ୍ରରେ ନିର୍ମଳତା ଏବଂ ସୂର୍ଯ୍ୟରେ ଉତ୍ତାପକ ଶକ୍ତିର ସ୍ୱରୂପରେ ବିଦ୍ୟମାନ; ଏବଂ ସେ ପରଂବ୍ରହ୍ମ ସ୍ଵରୁପିଣୀ ମାତା ଆଦ୍ୟା ସନାତନୀ ଦେବୀ ଅମ୍ବିକା ରୂପରେ ସିଦ୍ଧ।
ଜଲେଃ ଶୀତଲତ୍ୱମ୍ ଶୁଚୈ ଦାହକତ୍ଵମ୍
ବିଧୈହ୍ ନିର୍ମଲତ୍ଵମ୍ ରବୌ ତାପକତ୍ବମ୍
ତ୍ଵମେକାମ୍ବିକେ ଯସ୍ୟ କସ୍ୟାପି ଶକ୍ତିଃ
ତ୍ଵମେକା ପରଂବ୍ରହ୍ମ ରୂପେଣ ସିଦ୍ଧଃ।
ଏପରିକି ଶକ୍ତି ଦ୍ଵାରା ବର୍ଜିତ ହେଲେ ଶିବ ମଧ୍ୟ ଶବ ହେଇଯାଆନ୍ତି : ଶିବୋ ପି ଶବତାମ୍ ୟାତି ତୟା ଶକ୍ତ୍ୟା ବିବର୍ଜିତଃ

ସକଳ ଶକ୍ତିର ଉତ୍ସ ଓ ଅଧିକାରିଣୀ ମାଆ ଦୁର୍ଗା, ଯିଏ କି ସକଳ ଜ୍ଞାନର ସ୍ୱରୂପା, ସକଳ ଶାନ୍ତି, ପ୍ରୀତି, କ୍ଷାନ୍ତି, ବୃତ୍ତି, ପ୍ରବୃତ୍ତିର ଅଧିଷ୍ଠାତ୍ରୀ, ଯାହାଙ୍କୁ ସ୍ମରଣ କଲେ ଈର୍ଷା, ଦ୍ୱେଷ, ଅସୂୟା, କ୍ରୋଧ, ମୋହ, ଅହଙ୍କାର ଆଦି ଦଶବିଧ ମାନସିକ ବାଧା ଓ ବିପତ୍ତି ନାଶ ହୁଏ… ସେହି ଆଦିମାତା ଦୁର୍ଗାଙ୍କର ନବରାତ୍ର ବ୍ୟାପି ପୂଜାର୍ଚ୍ଚନା ଏ ଭିତରେ ଶେଷ ହେଇଯାଇଛି। ଧରିତ୍ରୀ ଦିଶୁଛି ସୌମ୍ୟ, କାନ୍ତ, ଶ୍ୟାମଳ… ଆକାଶର କାନଭାସରେ ଶୁଭ୍ର-ଧବଳ-ମେଘମାଳର ଚିତ୍ରାଙ୍କନ… ଅଥଚ ବୁଦ୍ଧିମାନ ମଣିଷର ମନରେ, ହୃଦୟରେ, ପେଟରେ କି ଓଠରେ ନା’ କାନ୍ତି ଅଛି, ନା’ କ୍ଷାନ୍ତି ଅଛି, ନା’ ଶାନ୍ତି..!!!

ସେଇ ଚିରାଚରିତ ନୀଚମନା ଈର୍ଷା, ଦ୍ୱେଷ, ଅହଙ୍କାର, ପରଶ୍ରୀକାତରତା… ସେଇ ଚିରାଚରିତ ମିଥ୍ୟା, ମୋହ, ଲାଞ୍ଚ, ଖଚରେ ସେ ଅହରହ ନିମଜ୍ଜିତ ରହିଛି। ପ୍ରକୃତି ନୈବ ମୁଚ୍ୟତେ ପରି… ସେ ଛାଡ଼ି ପାରୁନି ଏଇସବୁ ଦଶବିଧ ଭ୍ରାନ୍ତି ଓ କୁତ୍ସିତପଣକୁ

ବେଳେବେଳେ ପ୍ରଶ୍ନ ଉଠେ ମନରେ, ତେବେ କାହିଁକି ପାଳନ କରୁଁ ଆମେ ଏତେ ସବୁ ପୂଜା… ଅର୍ଚ୍ଚନା… ଆରାଧନା… ଉପାସନା..!! ନା’ ଏହା କେବଳ ଦେଖାଣିଆ… ଶଠତା…? କାହାକୁ ଆମେ ଏ ସବୁ ଦେଖଉ… ଯେତେବେଳେ ନିଜ ପାଖରେ ନିଜେ ବାରମ୍ବାର କାଠଗଡ଼ାରେ ଠିଆ ହେଉଥାଉ… ଯେତେବେଳେ ନିଜର ଦୃଷ୍ଟିରୁ ନିଜେ ଥରକୁ ଥର ଖସି ପଡ଼ୁଥାଉ..!!

ଏବଂ ଏହି ପରଶ୍ରୀକାତରତା, ଏହି କାଦୁଅ ଫୋପଡ଼ା, ଏଇ ଗୋଡ଼ ଟଣାଟଣି ଈର୍ଷା ଓ ଅହଙ୍କାରରେ ଯେତେବେଳେ ସାଧାରଣ ମଣିଷ ନୁହେଁ… ସମାଜର ବୁଦ୍ଧିଜୀବୀ ବୋଲୋଉଥିବା ତଥାକଥିତ ଜନପ୍ରତିନିଧି, ଶିକ୍ଷକ ବା ସାହିତ୍ୟିକମାନେ ଲିପ୍ତ ହେଇ ରହିଥାନ୍ତି — ସେତେବେଳେ କେତେ ପୂତିଗନ୍ଧମୟ ଲାଗେ ଆମ ଚାରିପାଖର ପୃଥିବୀ। ଦୁର୍ଗନ୍ଧରେ ଫାଟିପଡ଼େ ନାକ, ଫାଟିପଡ଼େ ହୃଦୟ ଓ ଆତ୍ମା।

ଆମେ ଚିତ୍କାର କରୁଛୁ: ଧୀରେ ଧୀରେ ରାଜନୀତି ପାଖରୁ ଦୂରେଇ ଯାଉଛନ୍ତି ସଚ୍ଚୋଟ ମଣିଷ। ଆମେ ଚିତ୍କାର କରୁଛୁ: ଧୀରେ ଧୀରେ ସାହିତ୍ୟ ପାଖରୁ ଦୂରେଇ ଯାଉଛନ୍ତି ସାଧାରଣ-ପାଠକ। ହେଲେ, ଆମେ କେବେ ନିଜ ପାଦତଳର ମାଟିକୁ ଦେଖିଛୁ କି… ଯେ’ କିଭଳି ଦୁର୍ଗନ୍ଧମୟ ପରିବେଶଟିଏ ତିଆରି କରିସାରିଛୁ ଆମେ ଏ ଭିତରେ..? କିଏ କାହିଁକି ଚାହିଁବ ସେଇ ବିଷାକ୍ତ ପୂତିଗନ୍ଧମୟ ପରିବେଶ ମଧ୍ୟକୁ ପ୍ରବେଶ କରିବା ପାଇଁ..!!

ସ୍କୁଲବେଳେ ସାହିତ୍ୟବହିରେ ଯେତେବେଳେ ଆମେ କବିତା ବା କାହାଣୀଟିଏ ପଢ଼ୁଥିଲୁ — ସେତେବେଳେ ଭକ୍ତିଭାବ ଓ ସମ୍ମାନରେ ଭରିଯାଉଥିଲା ମନ ଓ ଆତ୍ମା… ଈଶ୍ୱର ଈଶ୍ୱର ଲାଗୁଥିଲେ ସେହି ସ୍ରଷ୍ଟାଗଣ। ବୋଧହୁଏ ସେଇଥିପାଇଁ ଦ୍ଵିତୀୟ ଈଶ୍ୱର ରୂପେ ଅଭିହିତ କରାଯାଏ କବିଲେଖକମାନଙ୍କୁ। ମାତ୍ର ଆଜିର ଛାତ୍ରକୁ ଯେତେବେଳେ କୌଣସି କବି ବା ଲେଖକର କଥା ପଚରାଯାଏ, ସେ ସିଧାସଳଖ କହୁଛି, ଓଃ… ସେଇଲୋକ ତ, ଯିଏ ଲାଞ୍ଚ ନେଇ ପୁରସ୍କାର ଦେଉଥିଲା… / ସେଇ ତ.. ଯିଏ ଟଙ୍କା ଦେଇ ସମ୍ବର୍ଦ୍ଧନା କିଣୁଛି..!! କେତେ ତଳକୁ ଖସିଯାଇଛି ଆଜି କବିଲେଖକଙ୍କ ମର୍ଯ୍ୟାଦା..!!

ଏଭଳି ସ୍ଥିତିଟିଏ ଆମେମାନେ ହିଁ ଅର୍ଜନ କରିଛେ। ସାମାଜିକ ଗଣମାଧ୍ୟମରେ ଆମର ପରଶ୍ରୀକାତରତା, ଈର୍ଷା, ଦ୍ୱେଷର ଦୁର୍ଗନ୍ଧକୁ ବହୁଳ ଭାବରେ ପ୍ରଚାରିତ ଓ ପ୍ରସାରିତ କରି। ଯଦି ଅନ୍ୟାୟ ବା ଅନାଚାର ହେଇଛି, ସେ ସବୁକୁ ଉପସ୍ଥାପିତ କରିବାର ପ୍ରକୃଷ୍ଟ-ମଞ୍ଚ ରହିଛି — ମାତ୍ର ଫେସବୁକ୍ ବା ସେହିଭଳି ଗଣ-ମାଧ୍ୟମ ସଠିକ୍ ମଞ୍ଚ ନିଶ୍ଚିତ ଭାବରେ ନୁହେଁ।

ସାହିତ୍ୟ ଏକ ନୀରାଜନା, ଏକ ଉପାସନା, ଏକ ସାଧନା। ଏଥିରୁ ବିଚ୍ୟୁତି ଘଟିଲେ, ଏହା ଏକ ମଇଳା-ଗାଡ଼ିଆରେ ପରିଣତ ହେଇଯିବ। ଯେଉଁ ବ୍ୟକ୍ତିବିଶେଷ(ମାନେ) ସାହିତ୍ୟର ପରିଭାଷାକୁ କଦର୍ଥ କରୁଛନ୍ତି, ଏବଂ ଉଚ୍ଚାରଣ ଓ ଆଚରଣରେ ସନ୍ତୁଳନତା ରଖୁନାହାନ୍ତି, ସେମାନଙ୍କ ପାଇଁ ଏହି ସାହିତ୍ୟ-ପୀଠ ବର୍ଜନୀୟ। ବର୍ତ୍ତମାନର ପିଢ଼ି ହୁଏତ ନୀରବଦ୍ରଷ୍ଟା ରହିଯାଇପାରେ, ମାତ୍ର ସମୟ ଓ ପରବର୍ତ୍ତୀ ପିଢ଼ି ସେମାନଙ୍କୁ କଦାଚିତ କ୍ଷମା ଦେବନାହିଁ।

ଗତମାସରେ ଦେହାବସାନ ହେଇଛି ବହୁଚର୍ଚ୍ଚିତ ବିଶିଷ୍ଟ କବି, ନାଟ୍ୟକାର ତଥା ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୂର୍ବତନ ସଭାପତି ହରିହର ମିଶ୍ରଙ୍କର। ଏଇ ମାସରେ ପାଳିତ ହେଉଛି ଉତ୍ତରଆଧୁନିକ ଓଡ଼ିଆ କବିତା ସାହିତ୍ୟର ନ୍ୟାସକାର ଗୁରୁପ୍ରସାଦ ମହାନ୍ତିଙ୍କର ଜନ୍ମ ଶତବାର୍ଷିକୀ। ଚଳିତବର୍ଷ ଏସିଆ ମହାଦେଶ ପାଇଛି ସାହିତ୍ୟରେ ନୋବେଲ ପୁରସ୍କାର… ଦକ୍ଷିଣ କୋରିଆର ଯୁବଲେଖିକା ୫୩ ବର୍ଷ ବୟସ୍କା ହାନ୍ କାଙ୍ଗ — ଯେଉଁମାନଙ୍କର ସାହିତ୍ୟ ସମ୍ପର୍କରେ, ସଂଘର୍ଷ ସମ୍ପର୍କରେ ଓ ଅନ୍ୟ ଅନାଲୋଚିତ ଦିଗ ସମ୍ପର୍କରେ ଚର୍ଚ୍ଚା କରିବା ପାଇଁ ପ୍ରଚୁର ଉପାଦାନ ରହିଛି। ଆମ ସାହିତ୍ୟକୁ, ଆମ ପାଠକଙ୍କୁ ଏବଂ ଉତ୍ତରପିଢ଼ିକୁ ଏ ସମ୍ପର୍କରେ ବିବିଧ ସୂଚନା ଦେଇ ଉଚ୍ଚକିତ କରିବାର ଅବକାଶକୁ ପଛ କରିଦେଇ, ଆମେ କେମିତି ଏ ଭଳି ସଂକୀର୍ଣ୍ଣ କୁତ୍ସା ଓ ଆବର୍ଜନା ଭିତରେ ଘାଣ୍ଟି ହେଉଛେ..??

ଓଡ଼ିଆ ସାହିତ୍ୟ ସ୍ୱଚ୍ଛ ଓ ନିର୍ମଳ ହେଉ। ଆମ ସାହିତ୍ୟ ଆହୁରି କ୍ଲାସିକ୍ ଓ ସ୍ଫୀତ ହେଉ। ଆମର ଉତ୍ତରପିଢ଼ିର ତରୁଣ ଲେଖକମାନଙ୍କର ମାନସିକ-କାନଭାସ ଆହୁରି ବିସ୍ତୃତ ଓ ଗାମ୍ଭୀର୍ଯ୍ୟପୂର୍ଣ୍ଣ ହେଉ। ଏ ଦାୟିତ୍ଵ ବର୍ତ୍ତମାନର ପିଢ଼ିକୁ କାନ୍ଧେଇବାକୁ ହେବ।

ସାହିତ୍ୟ, ସାଧନା ହେଉ, ଉପାସନା ହେଉ, ନୀରାଜନା ହେଉ… ତେବେ ଯାଇ ସାହିତ୍ୟ-ପୀଠକୁ ବହୁସଂଖ୍ୟାରେ ପାଠକ ଓ ଗ୍ରାହକ ଆକର୍ଷିତ ହେବେ, ସାହିତ୍ୟର ସେଇ ମଞ୍ଜୁଳ ରହସ୍ୟମାଧୁର୍ଯ୍ୟର ନାନ୍ଦନିକତାରେ ଅବଗାହନ କରିବା ପାଇଁ।

ସାହିତ୍ୟ ସମସ୍ତଙ୍କର ଧ୍ୟେୟ ହେଉ, କାରଣ ସାହିତ୍ୟ ବିନା କୌଣସି ଜାତି ବା ସମାଜ କେବେ ବି ସମ୍ପୂର୍ଣ୍ଣ ନୁହେଁ। ସାହିତ୍ୟ ଗୌରବମଣ୍ଡିତ ହେଲେ ଜାତିର ପରିଚୟ ବି ଗୌରବବିମଣ୍ଡିତ ହୁଏ।

ବନ୍ଦେ ଉତ୍କଳ ଜନନୀ।

There are 4 comments

  1. ମାତୃଶକ୍ତିର ଶୁଭ୍ର ବନ୍ଦନା ସହ ଆପଣଙ୍କର ଦୃଢୋକ୍ତି ପ୍ରଣାମ ଯୋଗ୍ୟ। ପ୍ରଣାମ ସାର୍ 🙏

  2. ସଂପାଦକୀୟ ପାଇଁ ଅଶେଷ ଧନ୍ୟବାଦ। ସତକଥା ପଢିବାର ସୁଯୋଗ ମିଳିଲା, ଅନେକ ବର୍ଷ ପରେ। ଆଉଥରେ ଧନ୍ୟବାଦ।

  3. ସଂପାଦକୀୟ ପାଇଁ ଅଶେଷ ଧନ୍ୟବାଦ। ସତକଥା ପଢିବାର ସୁଯୋଗ ମିଳିଲା, ଅନେକ ବର୍ଷ ପରେ। ଆଉଥରେ ଧନ୍ୟବାଦ।

    Reply

  4. ସଂପାଦକୀୟ ପାଇଁ ଅଶେଷ ଧନ୍ୟବାଦ। ସତକଥା ପଢିବାର ସୁଯୋଗ ମିଳିଲା, ଅନେକ ବର୍ଷ ପରେ। ଆଉଥରେ ଧନ୍ୟବାଦ।

Leave a Reply

Your email address will not be published. Required fields are marked *