Home » Magazine » ସମ୍ପାଦକୀୟ…..

ସମ୍ପାଦକୀୟ…..

ଯାହା ନକହିଥିଲେ ବି ଚଳିଥାଆନ୍ତା

ପ୍ରାୟ ଦୁଇ ଦଶନ୍ଧି ପୂର୍ବେ ପ୍ରକାଶ ପାଉଥିବା ସାହିତ୍ୟପ୍ରସ୍ଥ ‘ଚଉକାଠ’ ଏବେ ବି ଅନେକ ସମକାଳୀନ ସାହିତ୍ୟିକଙ୍କ ସ୍ମୃତିପଟଳରେ ଉଜ୍ଜୀବିତ ରହିଥିବା, ସୁଖକର ବିଷୟ। ଏବେ ତାହାର ପୁନରୁଦ୍ଧାର ହୋଇ ଅଙ୍କିକୃତ ସ୍ବରୂପ(Digitalized Form)ରେ ଇ-ପତ୍ରିକା,  “ଅଭିନବ ଚଉକାଠ” ପୁନଃପ୍ରକାଶିତ ହେବାକୁ ଯାଉଛି ଶ୍ରୀପଞ୍ଚମୀରୁ । ଏବେ ପ୍ରକାଶ ପାଉଥିବା ଅନ୍ୟଅନେକ ସାହିତ୍ୟ ପତ୍ରିକାର ଭିଡ଼ ଭିତରେ “ଅଭିନବ ଚଉକାଠ”ର ଆବଶ୍ୟକତା ଓ ଉପଯୋଗୀତା ‘କ’ଣ ଓ କାହିଁକି’, ତାହାର ଉତ୍ତର ସମୟ ଉପରେ ଛାଡ଼ିଦେବା ବର୍ତ୍ତମାନ ପାଇଁ ଠିକ୍ ହେବ। ତେବେ ଏତିକି କୁହାଯାଇପାରେ, “ଚଉକାଠ” ଏବଂ ରୂପାନ୍ତରିତ “ଅଭିନବ ଚଉକାଠ”, ଭାଷା ଓ ସାହିତ୍ୟ ତଥା ନବପ୍ରଜନ୍ମ ପାଇଁ ଏକ ମୁକ୍ତମଞ୍ଚ ସେତେବେଳେ ବି ଥିଲା ଓ ଏବେ ବି ରହିବ, ଯୋଉଠି ଭାଷା ଓ ସାହିତ୍ୟ ସମ୍ପର୍କିତ ସମସ୍ତ ପ୍ରକାରର ପରୀକ୍ଷାନିରୀକ୍ଷା ପାଇଁ ଝର୍କା ଖୋଲା ରହିଥିବ ଓ ଯୋଉଠୁ ଅନନ୍ତ ଆକାଶ ଯାଏଁ ନିରୀକ୍ଷଣ କରିବାର ସୁଯୋଗ ଥିବ । 

ଆମେ ମାନୁ କି ନମାନୁ, ଜାଣୁ କି ନଜାଣୁ….. କିନ୍ତୁ ଏହା ସ୍ବୀକାର୍ଯ୍ୟ ଯେ ସାହିତ୍ୟ ଜୀବନକୁ ବଞ୍ଚୁଥାଏ ଓ ଜୀବନ ବି ସାହିତ୍ୟକୁ ବଞ୍ଚୁଥାଏ ପ୍ରତିକ୍ଷଣ । ଜୀବନ ସମ୍ପର୍କରେ ଇଙ୍ଗିତ ଦେବାକୁ ଯାଇ ପ୍ରଖ୍ୟାତ ଆମେରିକୀୟ କବି Earnest Hemingway କହିଥିଲେ, in order to write about life, first you must live it ….., ଯେହେତୁ ତାହାରି ଭିତରେ ହିଁ ନିହିତ ରହିଛି ଜୀବନ୍ମୟ ସ୍ପନ୍ଦନର ସୌନ୍ଦର୍ଯ୍ୟ । ଜୀବନ ସମ୍ପର୍କରେ ଲେଖିବାକୁ ହେଲେ ପ୍ରଥମେ ଜୀବନକୁ ବଞ୍ଚିବାକୁ ହୁଏ ଅନ୍ତରଙ୍ଗ ଭାବରେ…. ଡୁବିବାକୁ ହୁଏ ସେଇ ଜୀବନର ଜଳପୂର୍ଣ୍ଣ କୂପ କୁହନ୍ତୁ କି ସମୁଦ୍ର …. ଛୁଇଁବାକୁପଡ଼େ ତା’ର ବିତଳ ମାଟିକୁ ଓ ସାଉଁଟି ଆଣିବାକୁ ହୁଏ ସେଠୁ ମୁଠା ମୁଠା ମଣିମୁକ୍ତାର ବୈଦୂର୍ଯ୍ୟ ହେଉ ଅବା ମୃତ ଶାମୁକାର ଭଙ୍ଗାରୁଜା ଖୋଳପା… !! ଉଭୟରେ ନିହିତ ଥାଏ ଜୀବନ-ଆକଳନର ସୌନ୍ଦର୍ଯ୍ୟ ଓ ପରିଭାଷା ।

  ଜୀବନକୁ ଏକ କାବ୍ୟିକ ଦୃଷ୍ଟିର ବଳୟ ଭିତରୁ ଦେଖିବାକୁ ଯାଇ ବହୁଚର୍ଚ୍ଚିତ ଆଫ୍ରୋ-ଆମେରିକୀୟ କବି ଗ୍ବେଣ୍ଡୋଲିନ୍ ବୃକ୍ସ ମାତ୍ର ଦୁଇଟି ଶବ୍ଦରେ କହିଲେ, poetry is life distilled. ପରିସ୍ରବଣ ବା ପାତନ ପ୍ରକ୍ରିୟାରୁ ଉନ୍ନୀତ ଜୀବନ ହେଉଛି କବିତା । ଗ୍ବେଣ୍ଡୋଲିନ୍ କହନ୍ତି, ମୋ କବିତା ହେଉଛି ଜୀବନ, ଯାହାର ସମାପ୍ତି ନାହିଁ । ଜୀବନ ପରି ତାହା ଅଙ୍କୁରିତ ହେଉଥିବ, ପଲ୍ଲବିତ ହେଉଥିବ, ବଢୁଥିବ, କିନ୍ତୁ କେବେ ଶେଷ ହେଉନଥିବ ।

ବର୍ତ୍ତମାନ ସମୟର ସାହିତ୍ୟରେ ପ୍ରାୟତଃ ଏହି ଚିତ୍ର, ଏହି ସ୍ବର, ଏହି ଭାବବଳୟ – ଜୀବନକୁ ଜଳେଇ, ସିଝେଇ ଓ ବାଷ୍ପୀଭୂତ  କରି ତାକୁ ପୁଣି ଶିତଳେଇ ଠିଆ କରେଇବା ସ୍ବଚ୍ଛ ସ୍ବରୂପରେ, ଯୋଉଠି ଓତଃପ୍ରୋତଃ ଜୀବନ ଓ ସାହିତ୍ୟ । ଏବର ଜୀବନ ଓ ସାହିତ୍ୟରେ  ଏହା ପ୍ରତିକିତ ହେବା ବାଞ୍ଛନୀୟ, କାରଣ ହଜି ଯାଇଥିବା ଓ ଖୋଜି ହେଉଥିବା ସମୟ ତଥା ଛିଡି଼ ଛିଡି଼ ଯାଉଥିବା ଅଥଚ ଯୋଡି଼ ହେଇ ରହିବାର ଅଦମନୀୟ ପ୍ରଚେଷ୍ଠା ଜନିତ ସଂଘାତ, ସଂଘର୍ଷ ଓ ପ୍ରତିକ୍ରିୟା ସହିତ ଏକ ବିସ୍ତାରବାଦୀ ଯୁଦ୍ଧଖୋର ସମୟର ଅସହାୟତା, କ୍ଳେଶ, ଗ୍ଲାନୀ ଓ ବିବିଧ ଅବକ୍ଷୟର ଆତଙ୍କରେ ଜର୍ଜରିତ ଏକ ବିଚିତ୍ର କାଳଖଣ୍ଡର କକ୍ଷପଥରେ ଗତି କରୁଛି ଆମର ବିଶ୍ବ ଓ ଆମର ଭାଷା ସହିତ ଆମର ଅସ୍ମିତା ବି ….. ।

‘ଅଭିନବ ଚଉକାଠ’ର ସନିର୍ବନ୍ଧ ଆମନ୍ତ୍ରଣ ଆପଣ ସମସ୍ତଙ୍କୁ ।

There are 7 comments

  1. “ଚଉକାଠ” ତା’ର ନୂତନ ସ୍ବରୂପ “ଅଭିନବ ଚଉକାଠ” ଇ-ପତ୍ରିକା ଭାବରେ ଶ୍ରୀପଞ୍ଚମୀରୁ ପୁନଃ ପ୍ରକାଶିତ ହେବା ଭାଷା ସାହିତ୍ୟ ପାଇଁ ନିଶ୍ଚୟ ଶୁଭଙ୍କର ବିଶେଷ କରି ନୂତନ ପିଢ଼ିର ଲେଖକଙ୍କ ଲେଖନୀକୁ ଶାଣିତ କରିବା ସହିତ ସାମ୍ପ୍ରତିକ ସ୍ବାର୍ଥ ହିଂସାରେ ଅବଗୁଣ୍ଠିତ ସମାଜକୁ ଏକ ଆଲୋକ ବର୍ତ୍ତିକା ସଦୃଶ ହୋଇ ତା’ର ଦଶା ଦିଶା ନିର୍ଣ୍ଣୟ କରିବାରେ ସହାୟକ ହେବ ବୋଲି ଆଶା । ଆଜି ଓଡିଶାର ଜନମାନସକୁ ନିଜର ଲେଖନୀ ମୁନରେ ପ୍ରଭାବିତ କରିଥିବା ଧୁରୀଣ ଶବ୍ଦ ଶିଳ୍ପୀ ପତ୍ରିକାର ସମ୍ପାଦକ ସମ୍ମାନୀୟ ଶ୍ରୀଯୁକ୍ତ ତ୍ରିନାଥ ସିଂହ ଙ୍କ ସମ୍ପାଦକୀୟ ବହୁତ ଭଲ ଲାଗିଲା।
    “ଅଭିନବ ଚଉକାଠ”ର ପାଠକୀୟ ଆଦୃତି କାମନା କରୁଛି।
    ପ୍ରତାପ କୁମାର ପଣ୍ଡା
    ରାଉରକେଲା

  2. ଚଉକାଠ ପାଖରେ ଏବେ ଆମେ ସବୁ , ଆଗରୁ ବି ଥିଲେ,
    ଜଣେ ପ୍ରତିଷ୍ଠାବାନ୍ ଙ୍କ ହାତଗଢା ଚଉକାଠ ନୂତନ କଳେବର
    କିଛି ଗୋଟେ ନବ ଆଲୋଡନ

    ଅଭିନବ ଚଉକାଠର ଥାଟ କୁଶଳୀ ହାତରେ
    ଝଲସୁଛି କନକଖରାରେ
    ଚଉକାଠ ଦିହରେ ସୃଜନ ମୁକ୍ତା
    ଅଜସ୍ର ଧନ୍ୟବାଦ ବଂଧୁ ତ୍ରିନାଥ ଙ୍କ ଶ୍ରମ ସାର୍ଥକ

    1. ଧନ୍ୟବାଦ ବନ୍ଧୁ।
      ଆପଣଙ୍କର ମନ୍ତବ୍ୟ ଓ ସହଭାଗିତା ଆମକୁ ଉତ୍ସାହିତ ଓ ଅନୁପ୍ରେରିତ କରିବ ନିଶ୍ଚୟ।
      🙏

  3. “ଅଭିନବ ଚଉକାଠ” ଖୁବ୍ ଲୋକପ୍ରିୟତା ହାସଲ କରି ପ୍ରଶଂସା ସାଉଁଟୁ….. ଏହି ଶୁଭକାମନା ସହ ସ୍ରଷ୍ଟାଙ୍କୁ ପ୍ରଣାମ ଓ ଅଭିନନ୍ଦନ 💐💐💐💐💐🙏

  4. ଚଉକାଠ ର ନବ କଳେବର , ଜଣେ ସୁଦକ୍ଷ ଶବ୍ଦ ଶିଳ୍ପୀ ହାତରେ

  5. ସମକାଳ କବିତା ଇଲାକାର ଜଣେ ସ୍ପର୍ଦ୍ଧିତ ସ୍ବର କବି ତ୍ରିନାଥ ସିଂ। ତାଙ୍କ କବିତାର କୋଟିକମ କାରିଗରୀ ଯେତିକି ଭାସ୍କର୍ଯ୍ୟପୂର୍ଣ, ତାଙ୍କ ସମ୍ପାଦିତ ‘ଚଉକାଠ’ର ସମ୍ପାଦକୀୟ ଲେଖା ସେତିକି ବଳିଷ୍ଠ ଓ ଉଚ୍ଚାଙ୍ଗ। ଆନ୍ତରିକ ଅଭିନନ୍ଦନ ଓ ଶୁଭକାମନା ରହିଲା ‘ଚଉକାଠ’ର ଉଜ୍ଜ୍ବଳ ଭବିଷ୍ୟତ ପାଇଁ…

  6. ଓଡ଼ିଆ ସାହିତ୍ୟରେ ” ଅଭିନବ ଚଉକାଠ ” ଏକ ଯୁଗାନ୍ତକାରୀ ଉଦ୍ୟମ ଓ ପରିକଳ୍ପନା ! ଆମ ସମୟର ଚର୍ଚ୍ଚିତ କବି ତ୍ରିନାଥ ସିଂହଙ୍କ କାବ୍ୟିକ ଓ କଳାତ୍ମକ ସ୍ପର୍ଶ ବାରି ହେଇ ପଡୁଛି !
    ” ଚଉକାଠ ” ଏକ ଆଭିଜାତ୍ୟପୂର୍ଣ ଇ-ପତ୍ରିକା ରୂପେ ସର୍ବାଦୃତ
    କାମନା କରୁଛି ! Editorial team କୁ ଅଶେଷ ଶୁଭେଚ୍ଛା ଓ ଶୁଭକାମନା !

Leave a Reply

Your email address will not be published. Required fields are marked *