Home » Magazine » ସଦାନନ୍ଦ ତ୍ରିପାଠୀ : ଗଳ୍ପ : ମୁକ୍ତି

ସଦାନନ୍ଦ ତ୍ରିପାଠୀ : ଗଳ୍ପ : ମୁକ୍ତି

ନିଜକୁ, କେହି ଜଣେ ଅନ୍ୟମଣିଷ ଭଳି, ସେ ନିଜେ ହିଁ ପଚାରୁଥିବା ପ୍ରଶ୍ନଟି ସରଳ। କିନ୍ତୁ ଜୀବନକୁ ନେଇ ଯେତେ ଯୁକ୍ତି, ତାହା ସବୁ ଅଦ୍ଭୁତ ଓ ଜଟିଳ।

—         ତୁମେ କାହିଁକି ସୁଖୀ ହୋଇପାରିଲନି, ସୁଭଦ୍ରା ?

ସୁଭଦ୍ରା ତା’ କାହାଣୀ କହିବ । କାହାଣୀ ବୋଇଲେ, ସବୁ ଘଟଣା; ତା’ ଅନୁଭୂତି। ନିଜ ବିଚାର ନୁହେଁ, ଆପଣାର ଉପଲବ୍ଧି କି ଦର୍ଶନ ବି ନୁହେଁ। ସେ ଭୋଗିଥିବା କେତେ କେତେ ଘଟଣା କେବଳ।

ବାପାଙ୍କୁ ବାରମ୍ବାର ବାରଣ କରି କକେଇ କହିଲେ, ସେଇ ବରପାତ୍ର ସହିତ ଝିଅର ବାହାଘର ପ୍ରସ୍ତାବରୁ ଓହରିଯାଅ ଭାଇନା। ପିଲାଟି କୌଣସି କାମର ନୁହେଁ। ପୂରାପୂରି ଦୁଃଖୀ ହୋଇଯିବ ଆମ ଝିଅ।

ବାପା ଶୁଣିଲେନି। ସେ କାହା କଥା ଶୁଣନ୍ତିନି। ଯାହା ବୁଝିଥିବେ ସେୟା। ସେ ଭାରି ରାଢ଼ୁଆ ମଣିଷ। କକେଇଙ୍କୁ କଠୋର ବାଣୀ ଶୁଣାଇଲେ– ତୁ ତୁନି ରୁହ। ଲୋକଙ୍କ କଥା କିଆଁ ଶୁଣୁଛୁ ? ପ୍ରସ୍ତାବ ଭଙ୍ଗାଇବା ପାଇଁ ସେମାନେ ସେମିତି କହିବେ।

ବାଇଶବର୍ଷର ଝିଅ। ତା’ର ଅଢ଼ଙ୍ଗିଆ ଦେହ। ସାବନା ରଙ୍ଗ। ହାଇସ୍କୁଲ ପଢ଼ା ସୁଦ୍ଧା ଶେଷ କରିପାରିନି। ପାଠକୁ ଖପରାଡ଼ିଆଁ, କାଚକଉଡ଼ି, ପୁଚିଖେଳ ବୋଲି ଭାବିଲା। ତାକୁ ଆଉ କେମିତିକା ବର ମିଳିଥା’ନ୍ତା ? ବରପିଲାଟି ଦେଖିବାକୁ ସୁନ୍ଦର। ଗୋରା ଆଉ ବଢ଼ିଆଳ। ଦଶମ ପରେ ଆହୁରି ଦୁଇବର୍ଷ ଅଧିକ ପଢ଼ିଛି। ବାପା ନାହିଁ, ମାଆ ଅଛି, ଭଉଣୀଟେ ଅଛି। ଚାଷଜମି ଯାହା ଅଛି, ବର୍ଷକର ଖୋରାକି ଚଳୁଛି। ଗାଁରେ ରହୁଛି ପିଲା, ଗାଁ ଯାତ୍ରାଦଳ ସହ ମିଶି ଅଭିନୟ, ସୁଆଙ୍ଗ କରୁଛି। କଳାକାର ପିଲାଟା, ଚେହେରା ସୁନ୍ଦର ବୋଲି ଝିଅ ପାର୍ଟ କରୁଥାଇପାରେ।

ବାପା ପୁଣି କହିଥିଲେ କକେଇଙ୍କୁ– ବିନା ଯୌତୁକରେ ଏବେ ଝିଅବାହାଘର କରିଦେବା କ’ଣ ଏତେ ସହଜ ହେଇଛି ? 

ବିବାହ ପରେ ସୁଭଦ୍ରା ଦେଖେ ଯେ ତା’ ବର ଦିନରେ ଯେତେ ସମୟ ଘରେ ରହେ, ପ୍ରାୟତଃ ଗୋଟିଏ ଦର୍ପଣ ଧରି ବସିଥାଏ। ମୁହଁରେ କ୍ରିମ୍, ପାଉଡ଼ର ମାଖିହୁଏ। ପାନିଆ ଧରି ମୁଣ୍ଡରେ ଟେରିକାଟେ। ଦର୍ପଣ ଆଗରେ ବିଭିନ୍ନ ମୁଖଭଙ୍ଗୀ କରୁଥାଏ। ରାତିରେ ଶେଯକୁ ଆସିଲେ ସେ ଜାକିଜୁକି ହୋଇ ଶୁଏ। ତାକୁ କୁତୁକୁତୁ କରିବାକୁ ସୁଭଦ୍ରାକୁ କହେ। ସୁଭଦ୍ରା ସେପରି କଲା ମଧ୍ୟ। କୁତୁକୁତୁ ଲାଗିଲେ ସେ ଜୋରରେ ହୋ’ ହୋ’ ହୋଇ ହସେ। ତା’ର ଗୋଡ଼ହାତ ସିଧା କରିଦିଏ। ବାସ୍ ସେତିକି।

ସେମାନେ ଯୌତୁକ ମାଗିନଥିଲେ। ଯୋଉ ତ ଯୋଗ୍ୟ ପିଲାଟା ! ମାଗିବାର ମୁହଁ କାହୁଁ ପାଇବେ ? ତଥାପି ଥିଲା ତାଙ୍କର ବୈତରଣୀ ନଦୀ ପରି ଆଶା। ଝିଅର ବାହାଘର କରାଇବ ଜନ୍ମକଲା– ବାପା। କିଛି କ’ଣ ଦେବନି ? ସେମାନେ, ପୁଅର ମା’ ଓ ଭଉଣୀ, କେମିତି ବା  ଆଶଙ୍କା କରିଥାନ୍ତେ ଯେ ମା’ଛେଉଣ୍ଡ ଝିଅକୁ ଶାଶୂଘର ପଠାଇବା ବେଳେ କଞ୍ଜୁସ୍ ବାପାଟା ତା’ର ଯୌତୁକ ଆକାରରେ କିଛି ବି ଦେବନି ! ପଟାଖଟ, ଶସ୍ତା ଗଦିଶେଯ, କାଠଆଲମାରି, କିଛି ଲୁଗାପଟା, ଲୁହାଟ୍ରଙ୍କ ଆଉ କଂସାବାସନ– ସେତିକି ତ ଭିକାରି ବି ଦିଅନ୍ତା। ମାଆ-ଝିଅ ଦାନ୍ତ କଡ଼ମଡ଼ କଲେ; କଟୁକଥା କହିଲେ। ସୁଭଦ୍ରାର ବର ସୁଦୁ ଭକୁଆ ପରିକା ପାଟିକୁ ଲେଫେଡ଼ି ଖାଲି ସେ ଦୁହିଁଙ୍କ ମୁହଁକୁ ଚାହିଁ ରହିଲା। ମା-ଝିଅ ଦି’ଜଣଙ୍କ ମନ୍ତ୍ରଣା ପ୍ରତ୍ୟକ୍ଷ କରି ସୁଭଦ୍ରାର ହାଲୁକ ଶୁଖିଲା। ସେମାନେ କେବେ ବି କିଛି ଅଘଟଣ ଘଟାଇପାରନ୍ତି।

ବିପଦରେ ପଡ଼ିବା ପୂର୍ବରୁ, ଦିନେ ପାହାନ୍ତା ବେଳେ, ଘରଛାଡ଼ି ନବବଧୂ ସୁଭଦ୍ରା ଚାଲିଗଲା କକେଇ ପାଖକୁ। ସାତମାଇଲ୍ ଦୂରରେ, ଛୋଟସହରରେ, କକେଇଙ୍କ  ସରକାରୀ ଚାକିରି। ତହସିଲ୍ ଅଫିସର ପିଅନ୍। ସୁଭଦ୍ରା ତାଙ୍କୁ କହିଲା- ସେଇଠି ମୋତେ ସେମାନେ ମାରିଦେବେ କକେଇ ! ଭୟରେ ମୁଁ ପଳେଇ ଆସିଲି।

ବାଡ଼ିପଟେ, ଖୁଡ଼ୀଙ୍କ ଆଗରେ, ଝରଝର କାନ୍ଦିଲା ସୁଭଦ୍ରା।  ଖୁଡ଼ୀଙ୍କୁ ଜାବୁଡ଼ି ଧରି, କୋହମିଶା ଅନୁଚ୍ଚସ୍ବରରେ, ପ୍ରଶ୍ନକଲା– ଦୁଇବେଳା, ପେଟ ପାଇଁ ଦୁଇମୁଠା, ଖାଇବାକୁ ମୁଁ କ’ଣ ଯାଇଥିଲି ଘଇତା ପାଖକୁ ? ସିଏ ମୋର କେମିତିକା ଗେରସ୍ତ ?

ଖୁଡ଼ୀଙ୍କର ଫାକାସି ଉଡ଼ିଲା, ପାଦତଳୁ ମାଟି ଧସିଗଲା। କାତର ସ୍ବରରେ ଖୁଡ଼ୀ ବେଦନା ପ୍ରକାଶ କଲେ– କି କଥା କହୁଛ ଝିଅ ? ଏତେ ଦୁଃଖ ଲେଖାଥିଲା ତୁମ କପାଳରେ !

ଗାଁକୁ ଖବର ପଠାଇଲେ କକେଇ। ବଡ଼ଭାଇ ଆସିଲା। ବାପା ଆସିଲେନି। ‘ଦେଲ ନାରୀ, ହେଲ ପାରି’ କହି ସିଏ ଦେହରୁ ଖସାଇଦେଲେ।

ଭାଇ ବୁଝାଇଲା, ପୁଣି କକେଇ ବି କହିଲେ, ସୁଭଦ୍ରାର ବାହାଘର ଅନ୍ୟତ୍ର କରାଇଦେବେ। ସେ ଆଦୌ ରାଜି ହେଲା ନାହିଁ। ସ୍ବାମୀକୁ ଛାଡ଼ିବ ନାହିଁ, କହିଲା ଅବଶ୍ୟ, ଶାଶୂ-ନଣନ୍ଦ ପାଖକୁ ଫେରିବାକୁ ଭୟ କରୁଥିଲା।

ଭାଇ ଓ କକେଇ ଯାଇ ସାଙ୍ଗରେ ଧରି ଆସିଥିଲେ ସୁଭଦ୍ରାର ବରକୁ। ସ୍ବାମୀ ସହିତ ସୁଭଦ୍ରା ଚାଲିଗଲା ନିକଟସ୍ଥ ବଡ଼ସହରକୁ। ଭଡ଼ାରେ ନେଲା ଗୋଟିଏ ଛୋଟଘର। କାହାଘରେ କାମ କଲା, କେଉଁ ବୁଢ଼ାବୁଢ଼ୀ ପାଇଁ, ମେସରେ ରହି ପାଠ ପଢ଼ୁଥିବା ପିଲାଙ୍କ ନିମନ୍ତେ ରୋଷେଇ ବି କଲା। ସ୍ବାମୀ ତାର, ଦିନସାରା ଘରେ ରହିଥାଏ। ଦର୍ପଣ ଦେଖି ମୁଣ୍ଡରେ ଟେରି କାଟୁଥାଏ।

ପ୍ରାଇଭେଟ୍ ଡ଼ାକ୍ତରଖାନାରେ ଆଜିକାଲି କାମକରେ ସୁଭଦ୍ରା। କାହା କାହା ଘରେ ମଧ୍ୟ ସମୟ ବାହାର କରି କିଛି କିଛି କାମ କରିଦିଏ । ଛୁଟିଦିନଗୁଡ଼ିକରେ ବ୍ୟାଗରେ ଭର୍ତ୍ତିକରି, ବୁଲିବୁଲି ଫେରିକରେ ବିଭିନ୍ନ ଜିନିଷ।

ବିତିଲାଣି ଅଠେଇଶ ବର୍ଷ। ସଂସାରର ଧାନ ବେଙ୍ଗଳାରେ ଦାମୁଣିଆ ବୁଲୁଥିବା ବଳଦଙ୍କୁ ଅଡ଼େଇବା ପରି ସିଏ ଜୀବନକୁ ଠେଲିପେଲି ଆଗକୁ ନେଉଛି। ନିକମ୍ମା ଓ ଅପଦାର୍ଥ ସ୍ବାମୀକୁ ସେ ଗୀତଗାଇ ଶୁଣାଉଛି ରାତିରେ। ସମସ୍ତ ଉଜ୍ଜ୍ବଳତମ ଆଶା ତା’ର, ଅବଲୀଳାକ୍ରମେ ନିର୍ବାପିତ ହୋଇଯାଇସାରିଛି। ତଥାପି ସେ କାହାକୁ ବି ଦୋଷ ଦେଇ ନିଜକୁ ଅଧିକ ଦୁଃଖୀ, ଅତ୍ୟଧିକ ଅସହାୟ ଅନୁଭବ କରିବାକୁ ଚାହେଁନା। କିଏ କିଛି ପଚାରିଲେ କହେ– ଦେଖ, ଦେଖ, ଅବୋଧ ଅକ୍ଷମ ମୋର ତଥାକଥିତ ସ୍ବାମୀକୁ ପାଳିପୋଷି କେମିତି ମୁଁ ବଞ୍ଚାଇ ରଖିପାରିଛି। ଦାୟିତ୍ବହୀନ  ବୋଲି ମୋ ବାପାଙ୍କୁ ଯିଏ ଯେତେ ବି ଦୋଷ ଦେଲେ ସୁଦ୍ଧା, ମୁଁ ତାଙ୍କୁ କ୍ଷମା କରିଦେଇଛି। ତାଙ୍କ ସାମନାରେ କେବେ ହାତ ପତାଇନି । ଦୁଇଜଣ ଅପାରଗ ପୁରୁଷଙ୍କୁ ପୂରାପୂରି ମୁକ୍ତ ଛାଡ଼ିଦେଇଛି। ଜଣେ ପିତା; ହୁଏତ ସେ ଅଯୋଗ୍ୟ ଓ ଅନ୍ୟ ଜଣେ ନିପାରିଲା ନାୟକ, ଯାହା ନାମ ଗୃହସ୍ଥ।

ନିଜର ଯାବତୀୟ ପୀଡ଼ା ଓ ଯାତନା ପାଇଁ ନିଜକୁ ହିଁ ଦାୟୀ କରେ ସୁଭଦ୍ରା। ପୁରୁଷର ଯେକୌଣସି ପ୍ରକାରର ମୁକ୍ତି ପାଇଁ ନାରୀକୁ ତ ସବୁ କଷ୍ଟ ସହିବାକୁ ପଡ଼ିବ। ସୁଭଦ୍ରା ଭାବିଥିଲା ଯେ ସେ ହୁଏତ ଶାନ୍ତି ଏବଂ ମୁକ୍ତି ପାଇଥା’ନ୍ତା; ଯଦି ତା’ର ପୁଅଟିଏ ଥାଆନ୍ତା। ତାକୁ ସେ ପୁରୁଷ ପରି ପୁରୁଷ ରୂପରେ ଗଢ଼ି ପୃଥିବୀରେ ଛାଡ଼ି ଯାଇଥାନ୍ତା !

There are 6 comments

  1. ନାରୀ ଜୀବନକୁ ଭୂମି କରି ଏ ଗଳ୍ପର ନିର୍ମାଣ ଓ ଗଳ୍ପର ପ୍ରବାହ ମତେ ମୁଗ୍ଧ କଲା।
    ସହିଯିବା ଓ କ୍ଷମାର ଏ ଗଳ୍ପବୋଧ ଭାରି ସହଜ ଲାଗୁଥିଲେ ବି ସହଜ ନୁହଁ। ନିଜକୁ ଦଗ୍ଧ କରି ଅନ୍ୟକୁ ମୁକ୍ତି ଦେବା, ଜମ୍ମା କଣ ସହଜ ? ଅଥଚ ସମ୍ଭବ ହେଇଛି ଏ ଗପରେ।

    ମତେ ଭାରି ଭାଇ ଲାଗିଲା ଗପ।

  2. ନାରୀ ଜୀବନକୁ ଭୂମି କରି ଏ ଗଳ୍ପର ନିର୍ମାଣ ଓ ଗଳ୍ପର ପ୍ରବାହ ମତେ ମୁଗ୍ଧ କଲା।
    ସହିଯିବା ଓ କ୍ଷମାର ଏ ଗଳ୍ପବୋଧ ଭାରି ସହଜ ଲାଗୁଥିଲେ ବି ସହଜ ନୁହଁ। ନିଜକୁ ଦଗ୍ଧ କରି ଅନ୍ୟକୁ ମୁକ୍ତି ଦେବା କଣ ସହଜ ? ଅଥଚ ସମ୍ଭବ ହେଇଛି ଏ ଗପରେ।

    ମତେ ଭାରି ଭାଇ ଲାଗିଲା ଗପ।

    1. ଠିକ୍ କହିଲେ ନିଜକୁ ଜାଳି ଅନ୍ୟକୁ ଆଲୋକିତ କରିବା ଓ ମୁକ୍ତି ଦେବା ଏତେ ସହଜସାଧ୍ୟ ନୁହେଁ। ଗଳ୍ପ ଉପରେ ଏହି ସୁନ୍ଦର ମନ୍ତବ୍ୟ ଚଉକାଠର ମନୋବଳକୁ ବି ଆହୁରି ଦୃଢ଼ କରିବ। ଆପଣଙ୍କୁ ଧନ୍ୟବାଦ ସହ ଶୁଭେଚ୍ଛା।

  3. ଶ୍ରୀଯୁକ୍ତ ସୁକୁମାର ରାୟ, ବାଲୁବଜାର, କଟକ ନିଜ ମତାମତ ପଠାଇଛନ୍ତି :
    ନମସ୍କାର🙏
    ସ୍ବାଧୀନତାର ଅଠସ୍ତରୀତମ ମହୋତ୍ସବ ପାଳନ ଅବସରରେ ଅଭିନବ ଚଉକାଠର ଅଗଷ୍ଟ ପ୍ରତିବେଦନ ଓ ପାଠକାର୍ପଣ ପାଇଁ ଅଶେଷ ଅଭିନନ୍ଦନ।
    ଏଥର ସମ୍ପାଦକୀୟରେ ସାମ୍ପ୍ରତିକ ସମୟରେ ବିଶ୍ବର ଏକମାତ୍ର ଭାଷାଭିତ୍ତିକ ରାଷ୍ଟ୍ର ବାଙ୍ଗଲାଦେଶର ରାଜନୈତିକ ଅସ୍ଥିରତା , ଆଭ୍ୟନ୍ତରୀଣ ବିଶୃଙ୍ଖଳା ଏବଂ ତଜ୍ଜନିତ ଆତଙ୍କରାଜ ସମ୍ପର୍କରେ ଉଲ୍ଲେଖ କରି ଉଦବେଗ ପ୍ରକାଶ କରିବା ସହିତ ସ୍ଵଦେଶର ସ୍ଵତନ୍ତ୍ରତାଦିବସ ପାଳନାବସରରେ ଅନୁଚିନ୍ତା ତଥା ସର୍ଜନାରେ ମୁକ୍ତ ଚିନ୍ତନର ଆବଶ୍ୟକତାକୁ ନେଇ କବି ରବୀନ୍ଦ୍ରନାଥ ଟାଗୋରଙ୍କର କବିତା ବେଶ୍ ହୃଦୟଗ୍ରାହୀ ହୋଇଛି।

    କବିତାର ଭାବଭୂମିରେ ପ୍ରତାପ କୁମାର ପଣ୍ଡାଙ୍କର କବିତା ସମ୍ପର୍କିତ ଅଭିମତ ଖୁବ୍ ଅନୁଭୂତିସିଦ୍ଧ।

    ମଧୁରମ୍ ମଧୁରମ୍ ମଧୁରା°ଶ ପ୍ରତିଥର ଆମ ସମୃଦ୍ଧ ସାହିତ୍ୟ-ପରମ୍ପରାର ପରିଚୟ ଦିଏ। ଏଥର ଆଧୁନିକ ଓଡ଼ିଆ ଭାଷାର ଉତ୍ପତ୍ତି ପୂର୍ବରୁ ପ୍ରଚଳିତ ପ୍ରାକୃତ ଭାଷାରେ ରଚିତ ଚର୍ଯ୍ୟାପଦ (ଏହା ସନ୍ଧାଭାଷାରେ ରଚିତ ବୋଲି ମଧ୍ୟ ଅନ୍ୟ ମତ ରହିଛି) ର କିୟଦ°ଶ ଓ ତାହାର ଓଡ଼ିଆ ଭାବାନ୍ତର ମୁଗ୍ଧ କଲା। ଗଳ୍ପ, ଉପନ୍ୟାସ ଏବଂ କବିତା ଅ°ଶଗୁଡ଼ିକ ସୁଚୟନିତ ଓ ସୁସ°ଯୋଜିତ। ବହୁତ ଭଲ ଲାଗିଲା ପ୍ରଣୟସୁଧାଙ୍କ କବିତା°ଶର ଏଇ ଦୁଇ ଧାଡ଼ି…
    “ପଥର
    ଶୋଇ ରହିଲେ ବେଢ଼ାକୁ ପାହାଚ
    ଜାଗ୍ରତ ହେଲେ ଈଶ୍ୱର।”
    ଚମତ୍କାର। ଚମତ୍କାର।

    ଗଳ୍ପ ମୁକ୍ତି ଏକ ଭଲ ଚରିତ୍ରକୁ ନେଇ ରଚିତ।ତେବେ ଗଳ୍ପଟିରେ ଶେଷ ଆଡ଼କୁ ଗାଳ୍ପିକ ହଠାତ ତରତର ହୋଇ ସାରିଦେଲା ଭଳି ଲାଗିଲା। ହୁଏତ ସୀମିତ କଳେବରରେ ଗଳ୍ପ ଲେଖିବାର ବାଧ୍ୟବାଧକତା ଗଳ୍ପର ସ୍ଵତଃପ୍ରବାହକୁ ବ୍ୟାହତ କରୁଛି।
    ଗୌତମବୁଦ୍ଧ ଦାସଙ୍କ ଦୁଇଟି ମିନିଗଳ୍ପ କରୋନା ସମୟର ସ୍ମୃତିକୁ ଉଜ୍ଜୀବିତ କରିଦେଲା।
    ଏଥର ଚଉକାଠରେ ପ୍ରତିଟି କବିତା ଏକକୁ ଆରେକ ବଳି।
    ଏହି ପାଠ୍ୟ-ଦୃଶ୍ୟ-ଶ୍ରାବ୍ୟ ଡିଜିଟାଲ ପତ୍ରିକାଟି ଅପାର ପାଠକୀୟତା ପାଉ, ଏହି ଶୁଭକାମନା ।

  4. ସତରେ କେତେ ସୁନ୍ଦର ଓ ସହଜ ଢଙ୍ଗରେ ନାରୀ ଜୀବନର ଗଭୀର ତତ୍ତ୍ଵ ଭିତ୍ତିକ ଦୃଢ଼ ମନୋଭାବକୁ ପ୍ରତିପାଦନ କରି ପାରିଛନ୍ତି ମୁକ୍ତି ଗଳ୍ପ ମାଧ୍ୟମ ରେ….. ଗାଳ୍ପିକଙ୍କୁ ପ୍ରଣାମ 🙏

  5. ଏହି ସୁନ୍ଦର ମନ୍ତବ୍ୟ ଚଉକାଠର ମନୋବଳକୁ ଆହୁରି ଦୃଢ଼ କରିବ। ଆପଣଙ୍କୁ ଧନ୍ୟବାଦ ସହ ଶୁଭେଚ୍ଛା।

Leave a Reply

Your email address will not be published. Required fields are marked *