Home » Magazine » ସତ୍ୟ ସାହୁ : କବିତା : ପ୍ରମାଣପତ୍ର

ସତ୍ୟ ସାହୁ : କବିତା : ପ୍ରମାଣପତ୍ର

ଫର୍ଦ୍ଦେ କାଗଜରେ ଲୁଚିଗଲେ
ସକଳ ଶକ୍ତିର ଆଧାର
ଲେଖାଯାଉ ନିରୁଦ୍ଦିଷ୍ଟ

ଉଠ ଘରଚଟିଆ, ଚେମେଣି,ବାଦୁଡି
ଝିଟିପିଟି, ମୂଷା, ଅସରପା ,ଯେତେ ଏଇ ପ୍ରଜାତିର
କ୍ଷେପିଯାଅ ତୀବ୍ରତାରେ-
ୟେ ତମ ଆସ୍ଥାନ,ପୃଥିବୀର ବିଛିନ୍ନାଞ୍ଚଳ ସ୍ଥାନ
ନାହିଁ କର ଖଜଣା,ବାକି ଯାହା ପଶୁ ସମାନ

ହୋ ଭଗତେ –
ରାଜା ଯେ କରିଲେ ଶିକାର। ତୀର ବିଦ୍ଧ ଛାତି ମୃଗର
କାହାଳିରେ କମ୍ପିଲା ବନ। ଜନପଦଯେ ଲୋକାରଣ୍ୟ
ପ୍ରଜାଙ୍କୁ ବାଣ୍ଟିଲେ ଆରିସି। ମୁଗ୍ଧ ହୋଇଲେ ନଗ୍ରବାସୀ
ଜୟକାରରେ ପ୍ରକମ୍ପିତ। ତୋଷାମଦିଆ ଯେ ଉନ୍ମତ୍ତ

କର୍ମ ଖାଦ୍ୟ ବେଶପୋଷାକରେ ଆଉ ଭରନି ରଙ୍ଗ
କୁହ ତୁମର ଷ୍ଟାମ୍ପଦିଆ ଧର୍ମ
ନଦୀ ସମୁଦ୍ର ପ୍ରକୃତିର କରନି ଚର୍ଚ୍ଚା
ଦିଅ ତୁମର ପରିଚୟ

ଶୁନ୍ ରଥରେ ଶୁନ୍ୟର ବିହାର
ଶୁନବାଦ ବୋଲି ଲାଗିଯାଏ ମୋହର

ଚୁଲିଧୂଆଁ ଆଉ ଚାଳଧୂଆଁ ତ ସମାନ ନୁହେଁ
ସାକୀନ ପୋଷ୍ଟ ମୁକାମ କିଛି ବି ନାହିଁ
ତମେ କଣ ଇଭ ଖାଇଥିବା ଫଳ
ବନ୍ଧୁ, ହରିଣ ନ ଦିଏ ଧରା
ଦଉଡ଼ନା ବଡ଼ ଖରା
ପାଦର ପାଦେ ମାଟି, ଛାତିଏ ଆକାଶ
ନାଭି ଭର୍ତ୍ତି ସୂର୍ଯ୍ୟ,ସାରାପିଠି ଚନ୍ଦ୍ର
ଟିକିଏ ଗେହ୍ଲ ତମ ପାଇଁ ନୁହେଁ ଭଲ

ହୋ ଭଗତେ
ଜୀବନ ସପନ ମରଣ।ଚକା ଭିଡ଼ିଛି ଆଦିଜ୍ଞାନ
ଶିଆଳିଲଟା କୁଞ୍ଜବନ।ପ୍ରକାଶ୍ୟେ ଭ୍ରମ ବୋଲିଜାଣ
ଶୁନରେ ଶୁନକୁ ଗୁଣନ।ହରଣେ ପୁଣି ଶୂନ୍ୟସ୍ଥାନ

ଯାଃ ! ନାଲାୟକ
ନା ଏ ପୃଥିବୀ ତୋର, ନା ତୁ ପୃଥିବୀର।

Leave a Reply

Your email address will not be published. Required fields are marked *