
ଆଜିଯାଏ ଗୋଟେ ସ୍ପର୍ଶ ପାଇଁ
ବାଟବଣା ହେଇଚାଲିଚି
ମୋର ଯେତେସବୁ ପାହାଂତି,
ମୋ ସହ ରାତି କାଟିଥିବା ସ୍ୱପ୍ନସବୁ
ଚିହ୍ନିପାରୁନାହାଂତି ମୋତେ
ଜଳକଣା ଘେରରେ ରହିଯାଇଚି
ସେମାନଙ୍କ ଆଖି ।
ସେ ସ୍ପର୍ଶ କ’ଣ ଗୋଟେ ଫୁଲର
ଦିନେ ମୁଁ ଖୁବ୍ ପ୍ରିୟ ଥିଲି ଯାହାର ।
ମୁଁ ଗାଉଥିବା ଗୀତ, କହୁଥିବା ଗପ
ମୁଖସ୍ଥ କରି ଯାହାର ବାସ୍ନା
ମୋତେ ଶୁଣଉଥିଲା
ଯେବେ ସ୍ୱପ୍ନରେ ମୋ ଛାଇକୁ
ପିଛାକରି ଚାଲିଥିଲା ବ୍ୟାକୁଳତା
କାହାର ନା’ କାହାର ।
ନା’ ସେ ସ୍ପର୍ଶ ସେଇ ସମୟର
ଯାହାଠୁ ଉପହାରରେ ପାଇଥିବା
ଗୋଟେ କୁଂପିରେ ନିତି ନିତି
ମୁଁ ସଂଚୟ କରୁଥିଲି ସାମର୍ଥ୍ୟ,
ବେଳେବେଳେ କୁଂପିକୁ
ଓଲଟେଇ ଶୁଣୁଥିଲି ଶବ୍ଦ
ଜାଣିପାରୁଥିଲି ସଳଖହେଲାଣି କି ନା’ ରାସ୍ତା
ଯାହା ଦିନେ ବାଂକି ଯାଇଥିଲା
ପାଦ ପଡ଼ିବାବେଳେ ମୋ ସ୍ୱପ୍ନଂକର ।
ମୁଁ ଦେଖାଶୁଣା କରିପାରେନା
ମୋ ଦୁଃଖକୁ ପ୍ରତିଦିନ ହାତଗୋଡ଼
ଦେଉଥିବା ମୁହୂର୍ତ୍ତମାନଂକର,
ଯେବେ ଜାଣିପାରେ ସେ ସ୍ପର୍ଶ ତମର,
ମୋ ଦୁଃଖ ଯାହା ହାତ ଧରି
ବଡ଼ହେଇଚି ସେ ସମୟ
ଚିତ୍ର ପାଲଟେ ମୋ ନୀରବତାର ।
ସେ ସ୍ପର୍ଶ ମୋତେ ଗଭୀର କରେ,
ଏତେ ଗଭୀର ଯେ ମୁଁ
ନିଜେ ହିଁ ନିଜର ଅଥଳ
ଅସ୍ଥିରତାରେ ବୁଡ଼ିଯାଏ,
ମୋତେ ଉଦ୍ଧାର କରୁ କରୁ ମୋ
ଶବ୍ଦଂକ ଦେହ ଶେତା ପଡ଼ିଯାଏ ।
ସବୁପରେ ବି ସେ ସ୍ପର୍ଶକୁ
ବଂଚେଇ ରଖିଚି
ବଂଚି ନପାରିବାର ଦାୟରେ,
ନହେଲେ ମୁଁ କ’ଣ ପହଂଚିପାରଂତି
ମୋ ମୃତ୍ୟୁକୁ ଜୀବଂତ ରଖିଥିବା
କାହା ହୃଦୟର ଆଖପାଖରେ,
ନା’ ସେ ସ୍ପର୍ଶ କୁହୁଡ଼ି ପାଲଟି
ମୋତେ ଘେରିଯାଉଥାଂତା,
ନା’ ମୁଁ ସଂଚରୁଥାଂତି କାବ୍ୟ ହେଇ
ନିଜ ଗର୍ଭରେ ଧୀରେ ଧୀରେ ।
There is 1 comment
ଖୁବ ଭଲଲାଗିଲା କବିତା କୁହୁଡି।।ପ୍ରଣାମ