Home » Magazine » ଶୁଭନାରାୟଣ ସ୍ବାଇଁ : କବିତା : କୈକେୟୀ

ଶୁଭନାରାୟଣ ସ୍ବାଇଁ : କବିତା : କୈକେୟୀ

ଚକ୍ରଧର  !
କେତେଦିନ ଆଉ ବାପା ବାପା ହୋଇ ଝୁରୁଥିବୁ
ମାଆ ମାଆ ହୋଇ ଆଖିରୁ ଝରାଉଥିବୁ
ଲୁହ…

ଏଠି ତୋ ହାତ ମୁଠା ଟାଣଥିବା ଯାଏ
ସମସ୍ତେ ତୋର ନିଜର,
ଥରେ ହାତ ମୁଠା ହୁଗୁଳା ହେଲେ
କେହି ନୁହେଁ କାହାର ।

ବେଳ ପଡ଼ିଲେ
ଏଠି ମାଆ ବି ସାପ ପରି ମାରିପାରେ ଚୋଟ
ବାପା ବି ପାଲଟିପାରେ ଦଶରଥ !

ତଥାପି ଭଲ।
କୈକେୟୀ ପରି ମାଆଟେ ନଥିଲେ
ରାମ କେମିତି ଯେ ପାଲଟିଥାଆନ୍ତେ
ମର୍ଯ୍ୟାଦା ପୁରୁଷୋତ୍ତମ.. !!

ତୋତେ ବନବାସ କାଟିବାର ଥିଲା
କାଟିଦେ’ରେ ଚକ୍ରଧର
ନିଜ ପାଇଁ ନିଜେ
ହାଣ୍ଡିରେ ପକା ଚାଉଳ,
ଯାହାର ଯେତିକି ଭୋଗିବାର ଅଛି
ସେ ଭୋଗିବ ହିଁ ଭୋଗିବ
ସବୁ ତ ପ୍ରାରବ୍ଧର ଖେଳ..!!

ତୁଛାଟାରେ ନିଜ ଭାଗ୍ୟକୁ ତୁ ନିନ୍ଦେନା
ରେ ଚକ୍ରଧର,
ଲାଉଡଙ୍କ ଚାଳରେ ମାଡ଼ୁଛି ତ ମାଡ଼ୁ
ବରଗଛର ତ ହଜାରେ ଓହଳ।

There are 3 comments

  1. ପ୍ରତି ଶବ୍ଦ ଆତ୍ମହରା କଲା…! ପ୍ରଣାମ 🙏

    1. ମତାମତ ପାଇଁ ଆନ୍ତରିକ ଧନ୍ୟବାଦ। କବିତାଟି ଆପଣଙ୍କୁ ଭଲ ଲାଗିଲା, ବାସ୍ ଏତିକି ହିଁ ଯଥେଷ୍ଟ ମୋ ପାଇଁ।

      ଧନ୍ୟବାଦ ସହ
      ଶୁଭ ନାରାୟଣ

  2. ଶୁଭ ନାରାୟଣ ବାବୁ,ମୋର ପ୍ରିୟ କବି,ଅଜସ୍ର ଶୁଭେଚ୍ଛା ଅଭିନନ୍ଦନ ଗୋଟିଏ ଚମତ୍କାର କବିତା ପାଇଁ ।ମିଥ ର ସଫଳତମ ପ୍ରୟୋଗ ରେ ଏକ ସୁନ୍ଦର କବିତା ଓ କମନୀୟ ଆବୃତ୍ତି ରେ ବିଭୋର ହେଲି ।କୈକେୟୀ ତ ମା ଟିଏ ।ନୀୟତିର ଏକ ସୁନିର୍ଧିଷ୍ଟ କାଳ ରାମାୟଣ ସୃଷ୍ଟିର ନାଭି କେନ୍ଦ୍ର ।କୈକେୟୀ ତ ନାମକୁ ମାତ୍ର ।ଏଇ କୈକେୟୀ ନାମ ହିଁ ଅବଶୋଷ,ପରିତାପ ର ଏକ ପ୍ରତୀକ ଯହିଁରେ ଲୁଚିଥାଏ ବାତ୍ସଲ୍ୟ ର ମହାଭାଗବତ। ଏଇ କୈକେୟୀ ହିଁ ତ ମହା କାରଣ ଦାନବର ନିଧନ ସକାଶେ, ଏଇ କକେୟୀ ହିଁ ତ କନକ ଉଚ୍ଚାରଣ ଯହିଁରେ ନିହିତ ଥାଏ ମର୍ଯ୍ୟାଦା ବନ୍ତ ରାମ ନାମ।ଲୋକ ସିନା କହନ୍ତି ହୀନ କପାଳୀ ବୋଲି ହେଲେ ସ୍ଵୟଂ ନାରାୟଣ କହନ୍ତି ସୌଭାଗ୍ୟ ବତୀ ।ଶୁଭେଚ୍ଛା ଭାଇ ।

Leave a Reply

Your email address will not be published. Required fields are marked *