ଝିଅ ନିଉତା
।। ଶିବାଶିଷ ପାଢ଼ୀ ।।
“ଭାଉଜ ତ ରହିବେ ନା’ ଆଉ ଚିନ୍ତା କଣ ? ତାଙ୍କର ଆଉ କିଏ ଅଛି ଯେ ନେବାକୁ ଆସିବ ?”
ନଣନ୍ଦ ରିତୁର ଏଇ ପଦେକଥା ସବୁବେଳେ ମାଧୁରିମାର ଛାତିକୁ ଖିନଭିନ୍ନ କରିଦିଏ !ଏମିତି ଲାଗେ ଯେମିତି ଛାତି ଚିରି ହୃଦୟ ବାହାରି ଆସିବ। ରିତୁ ସହ ତାଳ ମିଶେଇ ଶାଶୂ ବି କହୁଥିଲେ, “ହଁ କ’ଣ କରିବ ସିଏ ? ସମୁଦୀସମୁଦୁଣୀ ଗଲା ପରେ ଆଉ କିଏ ଅଛି..? ଭାଇଟିଏ ଥିଲେ ହେଲେ ନେବାକୁ ଅସିଥାନ୍ତା !” ଶାଶୂ ସମବେଦନା ଜଣାନ୍ତି କି ଉପହାସ କରନ୍ତି, ଏ କଥା ଆଜି ଯାଏ ଭଲ ଭାବେ ବୁଝିପାରିନି ମାଧୁରିମା, କିନ୍ତୁ କଥାଟି ବହୁତ କଷ୍ଟ ଦିଏ ତାକୁ !
ଟିଭି ଦେଖୁ ଦେଖୁ ଆସନ୍ତା ଦଶହରାର ଯୋଜନା ପ୍ରସ୍ତୁତ ହେଉଥିଲା !ଶଶୁରଘରୁ ଉଭୟ ନଣନ୍ଦ ସପରିବାର ଆସିବେ ! ଛୁଆପିଲା ମିଶି ଆଠଜଣ। ସମସ୍ତଙ୍କୁ ମିଶାଇଲେ ମୋଟ ପନ୍ଦରଜଣଙ୍କ ପାଇଁ ରୋଷେଇ ଜଳଖିଆ ଇତ୍ୟାଦି ମାଧୁରିମାକୁ ହିଁ କରିବାକୁ ପଡ଼ିବ, କାରଣ ନଣନ୍ଦମାନଙ୍କୁ ଶାଶୂ କାମ କରାଇ ଦେବେନାହିଁ… କହିବେ, “ଶଶୁରଘରେ ତ ଖଟୁଛ ସବୁବେଳେ, ଏଠି ହେଲେ ଟିକେ ବିଶ୍ରାମ କର… ଚାରିଟା ଦିନ ପାଇଁ ତ ଆସିଛ !” ବୋହୂକୁ ବି ଯେ ବିଶ୍ରାମ ଦରକାର ଏ କଥା କେବେ ଚିନ୍ତା କରିବେନି ଶାଶୂ… ବରଂ ନିଜ ପୂଜାପାଠ ନାତିନାତୁଣୀଙ୍କୁ ନେଇ ବ୍ୟସ୍ତ ରହିବେ… ଆଉ ରିତୁ ବି ସାହାଯ୍ୟ କରିବା ନାଁ ନେବେନି। ନିଜ ସାଙ୍ଗମାନଙ୍କୁ ନେଇ ମେଢ଼ ଦେଖିବାକୁ ବାହାରିଯିବେ।
ବିଗତ ଦୁଇବର୍ଷ ହେଲା ସେଇ ସମାନ କଥା ଦେଖିଆସୁଥିବା ମାଧୁରିମା କିଛି ଉତ୍ତର ନଦେଇ ଅଳ୍ପହସି ନିଜ ରୁମକୁ ଚାଲି ଆସିଲା। ଘଡ଼ିକୁ ଦେଖିଲା ସନ୍ଧ୍ୟା ସାଢ଼େସାତଟା ହୋଇଥିଲା। ସନ୍ଧ୍ୟାରୁ ଶୋଇଥିବା ବୁବୁନ ଏ ପର୍ଯ୍ୟନ୍ତ ଉଠିନି। ତାକୁ ଉଠେଇବାକୁ ଚାହୁଁ ନଥିଲା ମଧୁରିମା। ଏବେ ଯଦି ଉଠିଯିବ ତା ଶାଢ଼ୀକାନି ଧରି ପଛେ ପଛେ ବୁଲିବ ଯେ ଆଉ କିଛି କାମ କରାଇ ଦେବନାହିଁ। ଏଣୁ ଚୁପଚାପ ଖଟର ଆରମୁଣ୍ଡରେ ଗଡ଼ିଗଲା ସେ। ଏବେ ପ୍ରାୟ ଘଣ୍ଟାଏ ବିଶ୍ରାମ। ଜୟନ୍ତ ଆସୁ ଆସୁ ରାତି ନଅଟା.. ତା’ପରେ ରୁଟି କରାହେବ।
ଆଖି ବନ୍ଦ ବି କରିପାରୁ ନଥିଲା ମଧୁ। ମନେ ପଡୁଥିଲେ ବାପା। ଭାବୁଥିଲା, ଗୋଟିଏ ବୋଲି ଝିଅ ବୋଲି କେବେ ମନଦୁଃଖ କରୁ ନଥିବା ବାପା କେବେ ଏଇ ଦିନକୁ ଅନୁମାନ କରି ପାରି ନଥିବେ..! ଅନୁମାନ ତ ନିଜେ ବି କରି ପାରିନଥିଲା ମାଧୁରିମା, ଚଳଚ୍ଚିତ୍ରର ଦୃଶ୍ୟଭଳି ଏତେ ଶୀଘ୍ର ଓ ଏମିତି ବଦଳି ଯିବ ଜୀବନର ଦୃଶ୍ୟପଟ୍ଟ। ମନେ ପଡୁଥିଲା ସେ ସୁଖଦ ସମୟ, ଯେତେବେଳେ ଜେଜେ ବଂଚିଥିଲେ। ବାପା-କାକା ସମସ୍ତେ ଏକାଠି ଥିଲେ। କାକାଙ୍କ ପୁଅ ତୁଷାର ଥିଲା ବାପାଙ୍କ ଅତି ପ୍ରିୟ, ଆଉ ପରିବାରର ଏକମାତ୍ର ଝିଅ ହୋଇଥିବାରୁ ମାଧୁରିମାକୁ ମିଳୁଥିଲା ସମସ୍ତଙ୍କ ସ୍ନେହସରାଗ। ବାପା କେବେ ପୁଅ ନଥିବାର ଦୁଃଖ କରୁନଥିଲେ, କହୁଥିଲେ,
“ଆମ ତୁଷାର ବା ଅଛି… ସେ କ’ଣ ମୋର ପୁଅ ନୁହେଁ… ତୋର ଭାଇ ନୁହେଁ, ଦୁଃଖ କରିବି କାହିଁକି ?”
ଜେଜେ ଗଲା ପରେ ବି ବହୁବର୍ଷ ଯାଏ ସ୍ନେହସରାଗ ଓ ଭକ୍ତିର ସେ ବନ୍ଧନ ହୁଗୁଳା ହଉନଥିଲା। କିନ୍ତୁ ସେଦିନର ସେ କାଳରାତିର କଥା ଏବେ ବି ମନେପଡ଼ିଲେ ଦେହ ଶୀତେଇ ଯାଏ ମାଧୁରିମାର। ବାହାରେ କାହା ସହ ଝଗଡ଼ା କରି ଫେରିଥାନ୍ତି କାକା… ପ୍ରବଳ ଭାବେ ରାଗି କି ଘରେ ପାଟିତୁଣ୍ଡ କରୁଥାନ୍ତି। ବାପା ସବୁକଥା ଶୁଣିବା ପରେ କାକାଙ୍କୁ କହିଲେ, ସବୁ ଭୁଲ ତୋର ଏଇ ପଦକ କଥା ଯେମିତି ନିଆଁ ଲଗାଇ ଦେଲା। କାକା ନିଜ ଆୟତ୍ତ ବାହାରକୁ ଚାଲିଗଲେ। ରାମଙ୍କ ପରି ଭକ୍ତି କରୁଥିବା ଭାଇଙ୍କ ସହ ପ୍ରବଳ ଯୁକ୍ତିତର୍କ କରିବା ଆରମ୍ଭ କରିଦେଲେ। ଏମିତି ବି ହେଲା ହାତ ଉଠାଇ ଧାଇଁ ଆସିଲେ ସେ।
ଚୁପ ହୋଇଗଲେ ବାପା। ନିରବରେ ଚାଲିଆସିଲେ ନିଜ କୋଠରୀକୁ। ମାଧୁରିମାର ମନେ ପଡୁଥିଲା ବାପାଙ୍କ ଆଖିରୁ ଝରିପଡୁଥିଲା ଧାର ଧାର ଲୁହ। ସକାଳୁ ସବୁ ଠିକ କରିବାର ଚେଷ୍ଟା କରିଥିଲେ କାକା, କିନ୍ତୁ ବାପା ଆଉ କ୍ଷମା କରିନଥିଲେ। ବାରମ୍ବାର ଭୁଲ ମାଗିଥିଲେ ବି କାକାଙ୍କ ସହ କଥା ହୋଇନଥିଲେ ସେ। ପାଚେରୀ ଉଠିଥିଲା ମଝିଦୁଆରେ। ବାଟ ବଦଳିଗଲା। ସେହିଦିନଠୁ ଯେମିତି ପର ହୋଇଗଲେ ଦୁଇ ଭାଇ।
ମାଧୁରିମାକୁ କିନ୍ତୁ ସ୍ନେହର ଅଭାବ କରିନଥିଲେ କାକା। ହଷ୍ଟେଲରେ ଥିବାବେଳେ ବାପାଙ୍କ ଅଜାଣତରେ ନିୟମିତ ଆସି ଭେଟୁଥିଲେ ବ୍ୟାଗଭର୍ତି ମୁଢ଼ି, ବାରମଜା, ଭଜାବାଦାମ ସହ। ଦିନେ କିନ୍ତୁ ବାପା ଏ କଥା ଜାଣି ଯାଇଥିଲେ। ମନା କରିଦେଇଥିଲେ ମାଧୁରିମାକୁ। ଆଉ ଆସି ନ ଥିଲେ କାକା। ଆଜି ବି ମନେପଡ଼ିଲେ ଲୁହ ଜକେଇ ଆସେ, ବ୍ୟାଗ ସହ କାକାଙ୍କ ଫେରିଯିବାର ସେ ଦୃଶ୍ୟ। ତଥାପି କାକାଙ୍କ ସ୍ନେହ କମି ନଥିଲା। କିନ୍ତୁ କାକା ବହୁତ ବ୍ୟଥିତ ହୋଇଥିଲେ, ଯେତେବେଳେ ତା’ର ବାହାଘରକୁ ତାଙ୍କୁ ଡକା ହୋଇନଥିଲା। ବାହାଘରର ଦୁଇଦିନ ଆଗରୁ ବାଡ଼ିପଟେ ମାଧୁରିମାକୁ ଏକାକୀ ଥିବା ଦେଖି ଏକ ବଡ଼ଟଙ୍କା ବଣ୍ଡଲ ଦେବାର ଚେଷ୍ଟା କରିଥିଲେ ସେ। କିନ୍ତୁ ମାଧୁରିମା ଯେଉଁଭଳି ଭାବେ ଫେରାଇଦେଲା ସେଇଟା ବୋଧେ ସବୁଠୁ ବଡ଼ ଭୁଲ ଥିଲା ତା’ର..!! କାକାଙ୍କ ମନ ଫାଟିଗଲା ନିଶ୍ଚୟ, ନହେଲେ ହରିଦ୍ୱାରରେ ଦୁର୍ଘଟଣାରେ ବାପାମାଆଙ୍କ ମୃତ୍ୟୁପରେ ସବୁ ଦାୟୀତ୍ୱ ନିଜେ ନେଇଥିଲେ ବି ମାଧୁରିମାର ମୁହଁ ବି ଚାହିଁ ନଥିଲେ ସେ।
ଦୁଇବର୍ଷ ହୋଇଗଲା, ଦଶହରା ଆସିଲେ ଗାଁ ସାରାର ବୋହୂ ବାପଘର ଯାଆନ୍ତି… କିନ୍ତୁ ସେ ଯାଏନି। ଏଇଠି ଥିଲେ ବି ମନ ଚାଲିଯାଏ ଗାଁକୁ। ସେତିକି ବେଳେ ନଣନ୍ଦମାନଙ୍କ “ବାପଭାଇ ନଥିଲେ ଏମିତି ଲାଗେ ଭାଉଜ… ମୋ ଅମୁକସାଙ୍ଗ ବି ଏମିତି ସମୁକସାଙ୍ଗ ବି ଏମିତି… ଯେ’ ଛାଡ଼ ଆମେ ତ ଅଛୁ ନା ଭାଉଜ”… ତାକୁ ବିଷ ପରି ଲାଗେ !
ଜୟନ୍ତ ଆସିଯାଇଥିଲେ। ଭାବନା ରାଜ୍ୟରୁ ଫେରି ନିଜ କାମରେ ଲାଗି ଯାଇଥିଲା ମାଧୁରିମା। ପରଦିନ ସକାଳୁ ସକାଳୁ ସମସ୍ତେ ଆସିଯାଇଥିଲେ। କୋଳାହଳରେ ଘର ପୂରିଉଠିଥିଲା। ରୋଷେଇଘରେ ଚା’ କରୁଥିଲା ମାଧୁରିମା।ଶାଶୂଙ୍କ ଡାକରେ ବୈଠକକୁ ଆସି କିନ୍ତୁ ଚମକିପଡିଲା ସେ। ଶାଶୂଙ୍କ ସହ ଖୁସିଗପ କରୁଥିଲେ କାକା। ଶାଶୂ ଉଠୁ ଉଠୁ କହିଥିଲେ,
“ମଧୁ ଯା’ ରେଡ଼ି ହେବୁ… ସମୁଦୀ ଆସିଛନ୍ତି ତୋତେ ନେବା ପାଇଁ। ତୁ ଚା’ ଜଳଖିଆ ଦେଉଥାଆ, ମୁଁ ପୂଜା ସାରିକି ଆସୁଛି।”
ଖୁସିର ଅଶ୍ରୁ ରୋକି ପାରୁନଥିଲା ମଧୁ। ନିଜ ପୂର୍ବ ବ୍ୟବହାର ପାଇଁ ଲଜ୍ଜିତ ଅନୁତପ୍ତ ମଧୁ ଲୋଟିଗଲା କାକାଙ୍କ ପାଦରେ !ତାକୁ କୋଳେଇ ନେଇ କାକା କହିଥିଲେ,
“ତୁ ପରା ନରିକୁ କେଉଁଠି ଭେଟିଥିଲୁ ଯେ କହିଥିଲୁ ମୋର ତ କେହି ନାହିଁ, ଗାଁକୁ କାହା ପାଖକୁ ଯିବି..!! କିଏ କହିଲା ତୋର କେହି ନାହିଁ ରେ’ ମାଆ..?? ମୁଁ ବା ଅଛି… ତୁଷାର ଅଛି। ମୁଁ କଣ ତୋ ବାପା ନୁହେଁ, ମାଆ…!!”
There is 1 comment
ନବଚେତନାର ନବସ୍ୱାକ୍ଷର ହେଉଛନ୍ତି ବର୍ତ୍ତମାନ ସମୟର ଯୁବ କଥାଶିଳ୍ପୀ ଶିବାଶିଷ ପାଢ଼ୀ। ତାଙ୍କର ଏହି ଗଳ୍ପ ‘ଝିଅ-ନିଉତା’ ଆମ ସମାଜର ଦିନଚର୍ଯ୍ୟାର ଏକ ସମ୍ବେଦନଶୀଳ ନିଛକ ଚିତ୍ର। କାହାଣୀର ପ୍ରବାହ ଖୁବ୍ ସାବଲୀଳ ଓ ସୁନ୍ଦର।
ଗଳ୍ପଟି ଚଉକାଠ ପାଇଁ ଦେଇ ସହଯୋଗ କରିଥିବା ହେତୁ ଶିବାଶିଷଙ୍କୁ ଅନେକ ଧନ୍ୟବାଦ ଓ ଶୁଭକାମନା। ତାଙ୍କର ଲେଖନୀ ଆହୁରି ସମ୍ବେଦନଶୀଳ ଓ କଳାତ୍ମକ ହେଉ।