


କୁହୁଡ଼ି
।। ରୀନାରାଣୀ ସ୍ୱାଇଁ ।।
ସର ସର ଓଦା ପଣତକାନିରେ
ସ୍ବପ୍ନସବୁ ମୋର ପୋଛି ହେଉଛନ୍ତି ଚୁପଚାପ୍,
ଏକାନ୍ତରେ…!
ଯନ୍ତ୍ରଣା ସବୁକୁ ଡାଏରୀର ଫର୍ଦ୍ଦ ପରି
ଓଲଟାଇ ଚାଲିଛି ସିନା
ହେଲେ ସମୟର କଳା କର୍ଦ୍ଦମରେ
ମୋ ଆକାଶ ମଚ ମଚ ଅନ୍ଧାର, ମାଆ..!!
ରଙ୍ଗବିରଙ୍ଗୀ କେଇଖଣ୍ଡ ନୋଟର ଚକ୍ରବ୍ୟୁହରେ
ଅଭିମନ୍ୟୁ ହେବାକୁ ପଡିବ ଜାଣିଥିଲେ,
ଆସି ନଥାନ୍ତି ଏଇ ପୃଥିବୀକୁ ମାଆ…
ଯେଣୁ, ବାଟ ଏଠି ନିଜେ ବାଟବଣା।
ନା’ ସୂର୍ଯ୍ୟ ବଦଳିଛି… ନା’ ଜହ୍ନ…
ନା’ ତାରା…
ହେଲେ, ବଦଳି ଯାଉଛି ସବୁ
ସମ୍ପର୍କର ଧାରା।
ଲୋଭ, ମୋହ, ମଦ୍ୟ ଓ ମାତ୍ସର୍ଯ୍ୟ
ଆପଣାପଣକୁ ଠେଲିଚାଲିଛି ବିତଳକୁ…
ଯେତେ ସାଉଁଟି ରଖିବାକୁ ଚାହିଁଲେ ବି
ମୁକୁଳି ଯାଉଛି ସବୁ ଶିକୁଳି
ହଜିଯାଉଛି ଗଣତନ୍ତ୍ରର ନୀତି କୁହୁଡ଼ି ଭଳି..!
ଭଙ୍ଗାଛାତିରେ ଖରା ଲଦିଥିବା
ମଳିମୁଣ୍ଡିଆର ଗୁହାରୀ ଶୁଭୁଚି ନା’ ମାଆ..!
ଅନ୍ଧାରର ବତୀଖୁଣ୍ଟ ତଳେ
ଲିପଷ୍ଟିକ୍ ଲଗା ଓଠରେ ସ୍ମିତ ଖେଳେଇ
କେହିଜଣେ ପଚାରୁଛି, କେତେ ଦେବୁ,ବାବୁ..
ଶୁଭୁଚି ନା..!!
କେତେବେଳେ ପୁଣି,
ରକ୍ତଛିଟାରେ ଜୁଡୁବୁଡୁ ଅର୍ଦ୍ଧନଗ୍ନ ନାରୀଦେହଟିଏ
ସକାଳର କୁହୁଡ଼ିରେ ଭିଜୁଛି।
ଏଠି ଖାଲି କୁହୁଡ଼ି ଆଉ କୁହୁଡ଼ିର ମାୟା…
କୋମଳ ସ୍ଵପ୍ନଙ୍କର ନିଷ୍ପାପ ରକ୍ତରେ
ସର ସର ଓଦା ମୋର ପଣତକାନି, ମାଆ…
ଦେଖ୍ ମାଆ,
ଏ ରକ୍ତଦାଗ ତୋ ପଣତରେ ତ ଲାଗିନି.. !!
ରାଉରକେଲା
There is 1 comment
ରୀନାରାଣୀ ସ୍ୱାଇଁ ବର୍ତ୍ତମାନ ସମୟର ଜଣେ ଗୀତିକାର ଓ କବି। ତାଙ୍କ କବିତା ପଢ଼ିବା ବେଳେ ସାମ୍ପ୍ରତିକ ସମାଜର ଯାବତୀୟ ଅବକ୍ଷୟର ନିଛକ ଓ
ଦାରୁଣ ଚିତ୍ର ସହ ଭେଟ ହେଇଯାଏ, ଯାହା ଛାତି ବଖରାରେ କୋଉଠି ଲୁହ ପରି ଟଳମଳ ହେଇଥାଏ । ତାଙ୍କର ଏହି କବିତାଟିର ପ୍ରବାହ ଖୁବ୍ ସାବଲୀଳ ଓ ଆତ୍ମିକ ହେବା ସହ ଏକ ମିଶ୍ରରାଗର ଲୟ ମୋହାବିଷ୍ଟ କରେ।
ଚଉକାଠ ପାଇଁ କବିତା ପଠେଇ ସହଯୋଗ କରିଥିବା ହେତୁ ରୀନାରାଣୀଙ୍କୁ ଅଶେଷ ଧନ୍ୟବାଦ ଓ ଶୁଭକାମନା। ତାଙ୍କର ଲେଖନୀ ଆହୁରି ସମ୍ବେଦନଶୀଳ ଓ କଳାତ୍ମକ ହେଉ।