କବି କୃପାସିନ୍ଧୁ ନାୟକଙ୍କ ‘କବିତା ସମଗ୍ର’ ଓ ତହିଁରେ ମାନବତାର ସ୍ଥିତି ଓ ସଂଗ୍ରାମର ଇତିବୃତ୍ତ
।। ରଶ୍ମି ସାହୁ ।।
କିଛି ମୁଁହ ଆରମ୍ଭରୁ, ଅକ୍ଷରରୁ ଅଭୀପ୍ସାରୁ ଅଖଣ୍ଡତାର ଭାବଧାରାରୁ ପ୍ରକାଶ କରିଥାଏ ନିଜ ଭିତରେ ଥିବା ତତ୍ତ୍ବର ସମୃଦ୍ଧୀ। ସେହି କ୍ରମରେ ଏହିପରି ଏକ ବଳିଷ୍ଠ ବ୍ୟକ୍ତିତ୍ବର ଅଧିକାରୀ କବି କୃପାସିନ୍ଧୁ ନାୟକ ମହୋଦୟ ଓ ତାଙ୍କର କବିତା ସମଗ୍ର। ବୃତ୍ତିରେ ଡାକ୍ତର, କୃତୀରେ ସାହିତ୍ୟ ପ୍ରତି ଉଲ୍ଲେଖନୀୟ ଅନୁରାଗ ଥିବା ମଣିଷ ଖୁବ୍ କମ୍ ପ୍ରସିଦ୍ଧୀ ଲାଭକରି ଲୋକପ୍ରିୟତାର ଚରମ ତୃପ୍ତି ଲାଭ କରିବାର ଅଧିକାର ପାଇଥାଆନ୍ତି। ଦିଗ ଭିନ୍ନ, ରଙ୍ଗ ଭିନ୍ନ, ପୁଲକ ଭିନ୍ନ, ଆଚରଣ ଓ ଉଚ୍ଚାରଣ ଭିନ୍ନ ଭିନ୍ନ; ଏତେ ଭିନ୍ନତା ଭିତରେ ଏକତା ଯେ କେମିତି ଅଣାଯାଇପାରେ, ତା’ର ଜ୍ୱଳନ୍ତ ଉଦାହରଣ ଓଡ଼ିଶା ତଥା ଓଡ଼ିଶା ବାହାରେ ସୁପରିଚିତ କବି ଡ. କୃପାସିନ୍ଧୁ ନାୟକ ମହୋଦୟ। ଉଦାର ହୃଦୟ, ଠାଣିରେ ସମ୍ଭ୍ରାନ୍ତପଣ, ଭାବରେ ଉନ୍ମୁକ୍ତ, ଲେଖନୀରେ ବିଶାଳତା ହିଁ କବି କୃପାସିନ୍ଧୁ ନାୟକଙ୍କୁ ଅନ୍ୟସମସ୍ତଙ୍କ ଠାରୁ ଭିନ୍ନ ଓ ସ୍ବତନ୍ତ୍ର ଭାବେ ପରିଚିତ କରିଥାଏ। ବ୍ୟକ୍ତିତ୍ବ ବର୍ଣ୍ଣନାରେ ହେଉ ଅବା ତାଙ୍କ ସାହିତ୍ୟ ସର୍ଜନାର ମହାନତାକୁ ରୂପ ଦେବାପାଇଁ ହେଉ ମୋ ଶବ୍ଦ ଶାଳୀନତା ଅବା ଭାବପ୍ରବଣତା କମ୍ ପଡ଼ିବ। ତଥାପି ସମ୍ମାନ ଭରା ଭଲପାଇବାର କିଛି ଶବ୍ଦ ଲେଖିବା ଛଳରେ ମୁଁ ମୋର ଆନ୍ତରିକ କୃତଜ୍ଞତା ଟିକକ କେବଳ ପ୍ରକାଶ କରୁଛି।
ଏହି କାବ୍ୟଖଣ୍ଡରେ ସଂଯୋଜିତ କବିତା ସଙ୍କଳନଗୁଡ଼ିକର ନାମକରଣରୁ ହିଁ ଜଣେ ପାଠକ ସହଜରେ ଠଉରେଇ ନେବ କବିଙ୍କ ମନ ନିଶ୍ଚୟ ଜାତିର ବ୍ୟଥା ବେଦନା ବିବଶତା ଆଦିରେ ଆକ୍ରାନ୍ତ। ଯେମିତି ଭଙ୍ଗାସମୟ, ବାୟାଚଢ଼େଇର ଦୁଃଖ, ବ୍ୟଥା ଯେଉଁଠି ଥିଲା, ନୀରବତାର ଶବ୍ଦ, ବଦଳିବାର ବେଳ, ଅତିକ୍ରମଣ ଆଦି କବିତା ସଙ୍କଳନ। ମାଟିରୁ ଆକାଶ ଯାଏଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷର ସନ୍ତୁଳିତ ଜୀବନଶୈଳୀ, ମଣିଷ ହୃଦୟର ବ୍ୟଥା, ବିଶ୍ବକଲ୍ୟାଣ ଦିଗରେ ମଣିଷ ମନର ସୂକ୍ଷ୍ମ ଚିନ୍ତା ଓ ଚେତନାକୁ ପରିବର୍ତ୍ତନ କରିବାର ସ୍ୱର ଗୁଞ୍ଜରିତ ହେଉଛି ତାଙ୍କ ରଚିତ ପ୍ରତିଟି କବିତାର ଦେହରେ।
କବି ଡ଼. କୃପାସିନ୍ଧୁ ନାୟକ ମହୋଦୟଙ୍କର “ସ୍ମୃତି ମାନଙ୍କର” କବିତା ସଙ୍କଳନର ପ୍ରଥମ କବିତା” ବ୍ରାହ୍ମଣୀ ତୀରେ ସୂର୍ଯ୍ୟୋଦୟ” କବିତାକୁ ଆପଣ ଛୁଇଁବେ ତ ତା’ର ମଧୁରସ୍ପର୍ଶ ଆପଣଙ୍କୁ ଏକ ସୁନ୍ଦର ମନଲୋଭା ନଦୀକୂଳିଆ ଗ୍ରାମର ଚାଲିଚଳଣ, ପରିବେଶ, ପ୍ରକୃତି, ଜୀବନଚର୍ଯ୍ୟା ଆଦିର ଏକ ସୁଖକର ଚିତ୍ରରେ ବାନ୍ଧି ରଖିବ। ଯେମିତି…
ମାଆ ମାନେ ଛାଞ୍ଚୁଣୀରେ
ଘରଦ୍ବାର ପିଣ୍ଡା ଅଗଣା ଓଳେଇ
ଗୋବର ପାଣି ସିଞ୍ଚିବେ
ଅନ୍ୟମାନେ ପହଁରାରେ
ଚୌହଦୀ ଖରକି
ଟିକେ କଅଁଳିଆ ଖରାକୁ ଚାହିଁବେ।
ଏଇ ଧାଡ଼ିରୁ ଅନୁଭୂତ ହୁଏ ସତେ ଯେପରି ସେଇ ଗାଁରେ କବି ନିଜେ ଜୀବନ ଅତିବାହିତ କରିଛନ୍ତି। ଏତେ ଲୋକମୁଖର ଶବ୍ଦ ସବୁ କବିତାକୁ ଖୁବ ଜୀବନ୍ତ କରି ଗଢ଼ିତୋଳିଛି। ଯେଉଁଠି କବି ଗାଁର ସିକ୍ତ ପରିବେଶରେ ନିଜକୁ ଖୁବ୍ ଭିଜେଇଛନ୍ତି ଶବ୍ଦର ଓଁକାର ଧ୍ବନୀରେ। ଏକାଧାରାରେ ସେଇଠି କବି ପୁଣି ଭାଙ୍ଗି ପଡିଛନ୍ତି ସ୍ମୃତିମାନଙ୍କୁ ପଖାଳି ପଖାଳି। ଯାହାସବୁ ହାତ ପାଆନ୍ତାରେ ରହି ସୁଗନ୍ଧିତ କରୁଥିଲା ଜୀବନଧାରାକୁ ସେସବୁ ଏବେ ବିସ୍ମୃତି ପ୍ରାୟ…
ସବୁକିଛି
କନା ଓ କର୍ପୁର ଚିହ୍ନ
ସତ୍ୟର ଖଞ୍ଜଣୀ ମାଡ଼େ
ଶୂନ୍ୟ ମୁଠେ, କର୍ମ ପରି
ସ୍ମୃତି ସ୍ଥିତି ମାନ।
ସତରେ କେତେ ଗଭୀର ଭାବେ ଜୀବନକୁ ବଞ୍ଚିଛନ୍ତି କବି! କେତେ ସ୍ପଷ୍ଟତା ତାଙ୍କ ଶବ୍ଦ ଉଚ୍ଚାରଣରେ..!! ଯେଉଁ ଘଟଣାମାନ କବିଙ୍କ ଜୀବନକୁ ପ୍ରଭାବିତ କରିଥିଲା ସେସବୁ ଏବେ ସ୍ମୃତି ସାଜି ଖୁବ୍ ଆକ୍ରାନ୍ତ କରୁଛି କବିଙ୍କ ହୃଦୟକୁ।
କବିତାର ଚିତ୍ରକଳ୍ପରେ ସମାଜକୁ ବଦଳେଇବାର ଅନ୍ତଃଚେତନା ତାଙ୍କ ଭିତରେ ଥିବା ସାମାଜିକ ପ୍ରତିବଦ୍ଧତାକୁ ଦର୍ଶାଇଥାଏ। କବିତା ସଙ୍କଳନ “ବଦଳିବାର ବେଳ” ର ପ୍ରତିଟି କବିତାରେ ପରିବର୍ତ୍ତନ ଆଣିବାର ଏକ ନିଆରା ସ୍ୱର। ଏହି ଶବ୍ଦ ସ୍ୱରର ହୃଦୟଭରା ଆକୁଳତା ପ୍ରତି ପାଠକ ହୃଦୟରେ ନିଶ୍ଚିତ ଭାବେ ଏକ ଜାଗତିକ ଦହନ ସୃଷ୍ଟି କରିବ। କବିପ୍ରାଣର ବିଶ୍ବବୋଧ ଚେତନା, ପ୍ରତି ପାଠକ ମନରେ ପ୍ରଭାବ ପକାଇ ପରିବର୍ତ୍ତନର ବୀଜଟିଏ ହୃଦୟରେ ବପନ କରିପାରିବାର ସାମର୍ଥ୍ୟ ରଖିଛି ପ୍ରତିଟି କବିତା। ସମାଜର ଅଧୋଗତିକୁ ଯେମିତି ଖୁବ୍ ବିଷଣ୍ଣ ମୁଖର ହୋଇ ଭୋଗୁଛନ୍ତି କବି। ପ୍ରକୃତିର ସାନ୍ନିଧ୍ୟ ସହ ଶ୍ରେଷ୍ଠ ଜୀବ ମଣିଷକୁ ଏକ ତୁଳନାତ୍ମକ ଭାବଧାରାରେ ବାନ୍ଧି କବି ଲେଖୁଛନ୍ତି…
ଅନେକ ସମ୍ଭାବନା ଥାଇ ବି
ଗ୍ରହ ଉପଗ୍ରହ
ସୂର୍ଯ୍ୟ ଚନ୍ଦ୍ର ତାରା ଭରା ଏ ଜଗତ
ହୋଇ ପାରିଲାନି ଶାନ୍ତିର ଆସ୍ପଦ?
ସହଜନ୍ମା ପଶୁପକ୍ଷୀ ବୃକ୍ଷଲତା
ନଦୀ ଝରଣାଦି ମେଳେ
ମଣିଷର ଏ ବସୁଧା
ହୋଇ ପାରିଲା କି
ଏକ – କୁଟୁମ୍ୱିତ?
କେତେ ସହସ୍ର ଶତାବ୍ଦୀର
ବିବର୍ତ୍ତନ ପ୍ରକ୍ରିୟାରେ
ଏଇ ଯେ ଶ୍ରେଷ୍ଠ ପ୍ରଜାତି ହୋଇଥିଲା
ଅମୃତ ପାତ୍ରରେ କେଇବୁନ୍ଦା ବିଷର
ବିକ୍ରିୟା ପରି।
ଯେଉଁ କବିତାରୁ ବି ଉଠାଇ ପଢନ୍ତୁ ପଦଟିଏ… ଅସୀମ ଚେତନାରେ ଉବୁଟୁବୁ ହେଉଥିବା କବିଙ୍କର ଭାବପୂର୍ଣ୍ଣ ହୃଦୟଟିକୁ ପାଇବେ।
ନା ନା ଏମିତି ବି ନୁହେଁ କବି ପ୍ରେମରେ ବ୍ୟଥିତ ହୋଇ ନାହାନ୍ତି। ପ୍ରେମର ଅବସାଦ ଭିତରେ ଶୂନ୍ୟତାରେ ନିଜକୁ ହଜେଇ ନାହାନ୍ତି। ଭଲ ପାଇବାର କ୍ରିୟାଶୀଳ ହୃଦୟଟିଏ ହିଁ ପ୍ରତି ହୃଦୟରେ ସଂଚାରି ପାରେ ସ୍ପନ୍ଦନ। ସମ୍ବେଦନଶୀଳ ହୃଦୟଟିଏ ନେଇ ସେ ବାଢ଼ି ଦେଇପାରନ୍ତି ପ୍ରେମର ବ୍ୟାପ୍ତ ପରିଭାଷା। ବ୍ୟଥାର କଥା, ବିଚ୍ଛେଦର କଥା….
କଥା ଥିଲା…. ଆଜି ଦିନେ
ମୋ ସାଥେ ପୁଣି ହେବ ଦେଖା
କିନ୍ତୁ କେଉଁ ଇଚ୍ଛା ପୂର୍ଣ୍ଣ ହୁଏ?
କିଏ ଜାଣିଥିଲା…
ମୋ ଆକାଶ ଶୂନ୍ୟ କରି
ଏଇ ଜହ୍ନ ତାରା ଯିବେ ତୁମ ଆକାଶକୁ
ମୋ ପୃଥିବୀ ବାଲୁଚର କରି
ଫୁଲମାଳା ମୋର
ସଜାଇବେ ତୁମରି ଭବନ
ଆଲିଙ୍ଗନ
ଅନୁରାଗ
ଅଭିମାନ – ମିଳନର
ଉଛୁଳିବ
ଅନ୍ୟ କେଉଁ ସହରେ ପାର୍ବଣ
କବି ଶବ୍ଦର ଉଷ୍ମତାରେ ଭାବର ପ୍ରଖରତାରେ ରଚି ଦେଇ ପାରନ୍ତି “ତୁମ ପାଇଁ ଏକ ମହାକାବ୍ୟ” ପରି କବିତା। ବସନ୍ତର ବର୍ଷା ଭିଜା ସ୍ପନ୍ଦନ ନେଇ ପାଉଁଜି ଶବ୍ଦର ପୁଲକରେ କବି ସୃଷ୍ଟି କରି ପାରନ୍ତି ଅମୃତ ମୂହୁର୍ତ୍ତ। ଜୀବନ ସ୍ରୋତରେ ସମୟ କବଳିତ ହୋଇ ପାଲଟିଯାଏ ଅତୀତ। ହେଲେ କିଛି ମହାର୍ଘ୍ୟ ମୂହୁର୍ତ୍ତରୁ ଝରିପଡ଼ିଥିବା ବ୍ୟାକୁଳତା ଅନନ୍ତକାଳ ଯାଏଁ ଜୀବନ୍ତ ରୁହେ ସଦ୍ୟ ପ୍ରଜାପତିର ଉଡ଼ନ୍ତାଡେଣାର ଚପଳାମୀ ପରି।
“ବାୟାଚଢ଼େଇର ଦୁଃଖ” କବିତା ସଙ୍କଳନ କବି ଡ଼ କୃପାସିନ୍ଧୁ ନାୟକ ମହୋଦୟଙ୍କର ଏକ ପ୍ରତୀକଧର୍ମୀ ନାମକରଣର ଶ୍ରେଷ୍ଠ ସର୍ଜନା କହିଲେ ଅତ୍ୟୁକ୍ତି ହେବନାହିଁ। ମଣିଷ ଜୀବନର ସଙ୍ଘର୍ଷ ଓ ସେଥିରେ ଉଦ୍ବୁଦ୍ଧ ହେଉଥିବା ଜୀବନର ଭୟ, ବଞ୍ଚିବାର ଆକୁଳତାକୁ ବାୟାଚଢ଼େଇର ଭାବାବେଗ ଦେଇ ପରି ପ୍ରକାଶ କରିଛନ୍ତି। ବୁଡ଼ିଯିବାର, ଉଡ଼ିଯିବାର ବିଭୋର ହୃଦୟଟିଏ ଥାଇ ମଧ୍ୟ ମଣିଷ ଅବା ବାୟାଚଢ଼େଇ ଲଂଘି ପାରୁନାହିଁ ଦୁଃଖର ସାଗରକୁ। ଭୂଇଁରୁ ଆକାଶ ଯାଏଁ ଭରି ରହିଛି ଖୁବ୍ ଆତଙ୍କ। ଛଳନାରେ ସମ୍ପର୍କ ସବୁ ଛଟପଟ ପ୍ରାୟ। ଏ ନିସଙ୍ଗପଣର ଭୟ କବିପ୍ରାଣକୁ କ୍ଷତାକ୍ତ କରୁଛି ବାରମ୍ବାର।
ତା ମନରେ ଅନନ୍ତ ସଂଶୟ
କି କର୍ତ୍ତୃତ୍ବ ଅଛି ତା’ର
ଆଲୁଅ ବା ଅନ୍ଧାର ଉପରେ
ସେ ‘ ତ ସୁଅ ନୁହେଁ ସମର୍ପିତ
ଶୁଖିଲା ପତରଟିଏ
ଭାସିଯିବା ଛଡ଼ା ଯାର
ନାହିଁ ଗତ୍ୟନ୍ତର।
ଆହା… ଜୀବନର ସତ୍ୟତାକୁ କି ଚମତ୍କାର ଭାବେ ସାଧାରଣ ଶବ୍ଦ ମାଧ୍ୟମରେ ବ୍ୟକ୍ତ କରିଛନ୍ତି କବି। ଯାହା ଭୋଗିବାକୁ ପଡ଼େ ତାହା ଧାର୍ଯ୍ୟ। ତେବେ କାହିଁକି ଏ କୋଳାହଳ ଅବିଶ୍ବାସର, ପ୍ରତାରଣାର, ଯନ୍ତ୍ରଣାର, ଲାଞ୍ଛନାର, ତେବେ ଦୁଃଖର କ’ଣ କେବେ ଶେଷ ନାହିଁ? ଏମିତି ଅନେକ ପ୍ରଶ୍ନବାଚୀରେ କବିଙ୍କ ପ୍ରାଣ ମର୍ମାହତ।
କେବେ ବାୟାଚଢ଼େଇକୁ ନେଇ ମଣିଷର ଭାବାବେଗକୁ ସ୍ପର୍ଶ କରିଛନ୍ତି ତ କେବେ ପୁଣି ସମାଜରେ ଘଟୁଥିବା ଅନ୍ୟାୟ-ଅନୀତି ମୂଳରେ ଥିବା ରାଜନୀତିକୁ ଗଛର ଆସ୍ଥା ଆଶ୍ବାସନା ଆବେଗ ସହ ସାମଞ୍ଜସ୍ୟ ଦେଖାଇ ଲେଖିଦେଇ ପାରନ୍ତି ରାଜନୀତିର ଅଭେଦ୍ୟ ରୂପରେଖ।
“ଭଙ୍ଗାସମୟର କବିତା” ସଙ୍କଳନର କବିତା, ରାଜନୀତି ମାଧ୍ୟମରେ କିପରି ନୀତିନିୟମକୁ ଅନୀତି ଦୁର୍ନୀତି ପ୍ରଭାବିତ କରି କଳୁଷିତ କରୁଛି ଦେଶ… ପତନର ପ୍ରତିକ୍ରିୟାରେ ଭାଙ୍ଗି ପଡୁଛି ଜୀବନବୋଧ… ଆଖିରେ ଅନ୍ଧପୁଟୁଳି ବାନ୍ଧି ଯଦି ଇତିହାସକୁ ଅନୁଧ୍ୟାନ କରାଯିବ ଅବା ଇତିହାସ ଆଖିରେ ଅନ୍ଧପୁଟୁଳି ବାନ୍ଧି ନିଜକୁ ଦେଶାଭିମୁଖି କରାଯାଏ ତେବେ ଜୀବନଶୈଳୀକୁ ପ୍ରଭାବିତ କରୁଥିବା ମହାନ୍ ବ୍ୟକ୍ତିତ୍ଵଙ୍କ ଜୀବନ କାହାଣୀ ଠାରୁ ଦୂରେଇ ଯାଇ ପଥଭ୍ରଷ୍ଟ ହେବା ସ୍ବାଭାବିକ। ରାହୁଗ୍ରାସ ପରି ସମୟ କବଳିତ ହେବ ବିନାଶର କରାଘାତରେ। ଏହି ସବୁ ଦୃଶ୍ୟପଟ୍ଟକୁ ହୃଦୟରେ ଧରି ମର୍ମାହତ କବିପ୍ରାଣ କି ଚମତ୍କାର ଭାବେ ଲେଖନ୍ତି –
ଡାଳଟିଏ ଭାଙ୍ଗିଗଲେ ପଡ଼ିଯାଏନି ଗଛଟିଏ
କିନ୍ତୁ ମାଟି ମେଞ୍ଚାଏ ଖସିଗଲେ
ମହାମେରୁ ବି ଟଳିପଡ଼େ
ଶିଳାଲେଖ ଖସିଗଲେ
ଇତିହାସ ଓଲଟି ଯାଏନା
କିନ୍ତୁ ଇତିହାସର ଆଖିରେ
ଅନ୍ଧପୁଟୁଳି ବାନ୍ଧିଲେ
ରାହୁଗ୍ରସ୍ତ ହୋଇଯାଏ ପ୍ରତିଟି ମୂହୁର୍ତ୍ତ।
କେତେ ପ୍ରଶ୍ନ କେତେ କେତେ କ୍ଷୋଭ କେତେ ଯେ ଗ୍ଲାନି ମନଭିତରେ ଜନ୍ମ ନେଲେ ଯାଇ ଏପରି କବିତା ଗଢ଼ିହୁଏ ତା’ର ଉତ୍ତର କେବଳ କବି ଡ. କୃପାସିନ୍ଧୁ ନାୟକ ମହୋଦୟ ଖୁବ୍ ସହଜରେ ବ୍ୟକ୍ତ କରିପାରିବେ। ସେଥିପାଇଁ ନିଶ୍ଚୟ ଅସିର ସାମର୍ଥ୍ୟ ସହ କଲମର ତୀକ୍ଷ୍ଣତାକୁ ତୁଳନା କରାଯାଇଛି। ଯିଏ ଭାବର ପ୍ରଖରତାକୁ ଶବ୍ଦର ଶାଣିତ ସ୍ୱର ଦ୍ୱାରା କଟ୍ କଟ୍ କରି ପ୍ରହାର କରିପାରେ ପ୍ରତିଟି ହୃଦୟର ଅନ୍ତଃକରଣରେ।
କୋଏଲ ନଦୀ କୂଳରେ ବସିଲା ମାତ୍ରେ
ଆଖିର ଇଚ୍ଛାଏ କେମିତି ଆଗଭର ହୁଅନ୍ତି
ତା ଗର୍ଭକୁ ଡେଇଁ ପଡ଼ି ବୁଡ଼ିମରିବାକୁ
ମାଛ ଧରାଳି ହାତରୁ…
କ୍ଷେପା ଜାଲର ସୀମାଏ
ଝପ୍ କିନା ବୁଡ଼ିଗଲା ପରି
ମନେ ପଡ଼ିଯାଏ ସେକାଳ ଖରାଛୁଟିରେ
ଆମେ ସାଥିମାନେ
ଲମ୍ଫଦେଇ ପହଁରିଯାଉଥିଲୁ
ଏ କୂଳୁ ଆର କୂଳକୁ।
“ଅତିକ୍ରମଣ” କାବ୍ୟଗ୍ରନ୍ଥରୁ ଉଦ୍ଧାର ଏ ପଦଟି କବିଙ୍କର ସ୍ବପ୍ନବିଳାସୀ ଚିନ୍ତା, ବନ୍ଧୁ ବତ୍ସଳତାର ଅସୀମ ଚେତନାରେ ଜାଗୃତ ଭାବକୁ ସ୍ପଷ୍ଟ ଭାବରେ ଚିତ୍ରିତ କରୁଛି। ଆବେଗର ମହାସମୁଦ୍ରରେ ବୁଡ଼ମାରି କବି କେବେ କେମିତି ଫେରିଆସି ଲମ୍ଫଦିଅନ୍ତି ନିଜ ପ୍ରିୟ ସହରରେ ଥିବା କୋଏଲନଦୀର ନୀଳତରଙ୍ଗରେ। ସ୍ମୃତିମାନଙ୍କୁ ପହଁରା ଶିଖାଇ ଠିଆକରନ୍ତି କୂଳରେ। ହେଲେ ପହଁରା ଶିଖିଲା ପରେ କୂଳର ନୀରବତା କାହାକୁ ଅବା ଲୋଡ଼ା!! କୋଏଲନଦୀର ଆତ୍ମୀୟତା ଭରା ଡାକରେ କବି ଅତିକ୍ରମଣ କରନ୍ତି, ନିଜକୁ ସମର୍ପି ଦେଇ ଶବ୍ଦର ଗର୍ଭଗହ୍ବରରେ। ନିର୍ମଳ ଭାବଧାରାରେ ଆତ୍ମହରା କବି ଡ. କୃପାସିନ୍ଧୁ ନାୟକ ମହୋଦୟ ସାଗରଗର୍ଭର ମୁକ୍ତା ସଦୃଶ ଯେଉଁ ଅନ୍ତଃକୋଣରେ ରହିଲେ ମଧ୍ୟ ସମଗ୍ର ସାହିତ୍ୟପ୍ରେମୀଙ୍କୁ ନିଜ ଶବ୍ଦର ଉଜ୍ଜ୍ଵଳତାରେ ଆକର୍ଷିତ କରି ବାନ୍ଧି ରଖିବାର ସାମର୍ଥ୍ୟ ରଖନ୍ତି ଚିରକାଳ।
କବି ଡ଼ କୃପାସିନ୍ଧୁ ନାୟକ ମାହୋଦୟଙ୍କର “କବିତା ସମଗ୍ର”କୁ ଏମିତି ସ୍ୱଳ୍ପଶବ୍ଦରେ ସଜେଇ ନିଜର ଭାବପ୍ରବଣତାକୁ ବ୍ୟକ୍ତ କରିବା ସମ୍ଭବ ନୁହେଁ। ଯେ ନିଜ ଶବ୍ଦର ଯାଦୁକରୀ ସମ୍ମୋହନରେ ଅନନ୍ତକୁ ବାନ୍ଧି ରଖିବାର ସାମର୍ଥ୍ୟ ରଖନ୍ତି, କାଳରୁ ମହାକାଳ ଯାଏଁ ନିଜ ଚେତନାକୁ ବ୍ୟାପ୍ତ କରିବାରେ ସକ୍ଷମତା ଲାଭ କରିଛନ୍ତି, ସମସ୍ୟାରୁ ସମାଧାନ ଯାଏଁ ରାସ୍ତାଟିଏ ତିଆରି ଚାଲିବାରେ ବିଶ୍ବକୁ ଅନୁପ୍ରାଣିତ କରିବାରେ ସାର୍ଥକତା ଲାଭ କରିଛନ୍ତି, ତାଙ୍କୁ ପୁଣି ଆଉ କେଉଁ ଶବ୍ଦଗୁଚ୍ଛରେ ବାନ୍ଧି ନିଜର ବ୍ୟକ୍ତିଗତ ଭାବ ପ୍ରକାଶ କରିହେବ ଯେ!! ନିଃସନ୍ଦେହରେ କୁହାଯାଇପାରେ, ଏହି କାବ୍ୟଗ୍ରନ୍ଥ ପାଠକର ମାନସପଟ୍ଟରେ ଗଭୀର ଭାବେ ଏକ ପରିବର୍ତ୍ତନର ଛାପ ତୋଳି ଲୋକପ୍ରିୟତା ଅର୍ଜନ କରିବ। ଆବେଗର ମହାକୁଂଭ ସଦୃଶ ଏ କାବ୍ୟଗ୍ରନ୍ଥ ସାହିତ୍ୟପ୍ରେମୀ ମାନଙ୍କୁ ଏକ ଆଶୀର୍ବାଦ ସଦୃଶ।
ରାଉରକେଲା, ଭ୍ରାମ୍ୟଭାଷ: ୭୦୦୮୯ ୫୮୦୪୦