Home » Magazine » ରବି ଶତପଥୀ : କବିତା : ଫେରି ଆସୁଥାଏ

ରବି ଶତପଥୀ : କବିତା : ଫେରି ଆସୁଥାଏ

ରବି ଶତପଥୀ : କବିତା : ଫେରି ଆସୁଥାଏ

ପ୍ରତିଥର ମୁଁ
ମୁକ୍ତାର କାକର ଟୋପାଟେ ହୋଇ
ଖସିପଡୁଥାଏ
ପ୍ରିୟ ଘାସଫୁଲଙ୍କ ପାଖୁଡ଼ାରୁ,
କେବେ ପୁଣି ରାତିଅଧର
ନିରୀହସ୍ବପ୍ନ ପରି
ମୁଁ ଫେରାର୍ ହୁଏ
ମାୟାବୀ ସକାଳର
ଚକ୍ ଚକ୍ ଆଲୁଅରେ ।

ପ୍ରତିଥର ମୁଁ
ମୋ ଅର୍ଜିତ ପାପପୂଣ୍ୟକୁ
ମୋ ଅସରନ୍ତି ନିଶ୍ବାସର
ନିକିତିରେ ତଉଲେ,
ବୟସର କାଠଗଡ଼ାରେ
ଠିଆହୋଇ ଜୀବନର ରାୟ ଶୁଣେ,
ଶାସ୍ତି ପାଏ, ମୁକ୍ତି ଭୁଲେ
ଆଲୁଅରୁ ଅନ୍ଧାର ଆଡ଼କୁ
ଗୋଟେ ଛାଇହୋଇ
ହାତବଢ଼ାଏ,ଅଦୃଶ୍ୟ ହୁଏ I

ପ୍ରତିଥର ମୁଁ
ଭୁଲି ଯାଇଥିବା ପ୍ରାର୍ଥନାକୁ
ମନେପକାଇ ଗାଏ
ପୁଣି ଭୁଲିଯାଏ,
ବହୁଥର ଈଶ୍ବରଙ୍କ ସହ
ସାମାନ୍ୟ ଦୂରରୁ ସାକ୍ଷାତ ହୁଏ ମୋର,
ମୁଁ ନୀରବରେ ବାଟକାଟି ଚାଲିଯାଏ
ଈଶ୍ବର କାନ୍ଦ କାନ୍ଦ ହୋଇ
ମୋତେ ଖୋଜନ୍ତି
ମୋ ନିର୍ବାଣ ପାଇଁ…
ମୁଁ ପଛକୁ ମୁହଁ ନକରି
ତାଙ୍କୁ ଅସ୍ବୀକାର କରି
ବାରମ୍ବାର ଫେରି ଆସୁଥାଏ
ଆଲିଙ୍ଗନ କରିବାକୁ
ଏ ସୁନ୍ଦର ପୃଥିବୀକୁ I।

There are 2 comments

  1. ‘ମୁଁ ‘ର ନିରୀହ ଜୀବନ ଓ ବିଶ୍ୱାସ ପାଖରେ ମୁଁ କେବଳ ମୁଗ୍ଧ ପାଠକ ଓ ମୁଗ୍ଧ ଶ୍ରୋତା ନୁହଁ, ମୁଁ ସାକ୍ଷୀଟିଏ ହେଇ ଗଲି।
    ଭାରି ଭଲ ଲାଗିଲା କବିତା।

    1. ପ୍ରକୃତରେ ଏକ ମନନଶୀଳ କବିତା। ସେଥିପାଇଁ ଏହି କବିତାକୁ ଏଥରର ସମ୍ପାଦକୀୟରେ ମଧ୍ୟ ଉଦ୍ଧୃତ କରାଯାଇଛି।
      ଆପଣଙ୍କ ଅଭିମତକୁ ସମ୍ମାନ ଦେଉଛୁ।
      🙏🙏

Leave a Reply

Your email address will not be published. Required fields are marked *