Home » Magazine » ମୀନକେତନ ପଶାୟତ : କବିତା : ନିରୁତା ମଣିଷର କବି

ମୀନକେତନ ପଶାୟତ : କବିତା : ନିରୁତା ମଣିଷର କବି

କବି !
ତୁମେ କବିତା ଲେଖୁଛ ତ ଲେଖ
ହେଲେ ଲେଖ, ସାଧାରଣ ମଣିଷର କଥା ଲେଖ…
ମୋ ସହରର ସବୁଠୁ ଭିଡ଼ ଛକରେ
ପଡ଼ିଥିବା ମେଞ୍ଚାଏ ତାଜାରକ୍ତର କଥା
ରାସ୍ତାକଡ଼ରେ ଓଲଟିପଡ଼ିଥିବା
ଭିକ୍ଷାଥାଳର କଥା
ଆଉ ଦି’ଖଣ୍ଡ ରୁଟିର ଚିତ୍ର ଆଙ୍କୁଥିବା
ହାତର କଥା ।

ତୁମେ ସେ ଦୃଶ୍ୟକାରର କଥା
ଲେଖୁଛ ତ ଲେଖ
ହେଲେ ସେ ଦୃଶ୍ୟବିହୀନର କଥା ବି ଲେଖ
ମୋକ୍ଷ ନିର୍ବାଣର କଥା ଲେଖୁଛ ଯଦି
ମର୍ମନ୍ତୁଦ ମୃତ୍ୟୁର କଥା ବି ଲେଖ
ମାଙ୍କଡ଼ରୁ ମଣିଷ ହେବାର କଥା ଲେଖିଲା ବେଳେ
ମଣିଷରୁ ମାଙ୍କଡ଼ ହେବାର ବିବର୍ତ୍ତନ କଥା ବି ଲେଖ ।

ତୁମେ ଯଦି ତ୍ରୁଟି ବିଚ୍ୟୁତିର କଥା ଲେଖୁଛ
ହେଲେ ସେ ମର୍ଯ୍ୟାଦାବନ୍ତ
ସାଧାରଣ ମଣିଷ ସୈନିକର କଥା ଲେଖ
ଯେ ବିରତ ନହୋଇ ଚଳାଇଛି
ସମୟାତୀତ ଶାସନ ହୀନତା
ଆଉ ଅନମନୀୟ ଶାସନତନ୍ତ୍ର ବିରୋଧୀ ସଂଗ୍ରାମ ।

ଗୋଲାପ, ଗୋଲାପ ବଗିଚା, ଜହ୍ନ, ତାରା
ପ୍ରେମ,ପିପାସାର କଥା ଲେଖୁଛ ତ ଲେଖ
ହେଲେ ତୁମ ଛାତିକୁ ଫୋଡୁଥିବା
କଣ୍ଟାର କଥା ବି ଲେଖ
ଲେଖ ଜୀବନ ଜୀବିକାର କଥା
ସହରର ସବାଶେଷ ବସ୍ତିରୁ ଭାସି ଆସୁଥିବା
ଭୋକ ଆଉ ଭାତର ଗୀତ କଥା ବି ଲେଖ ।

ନୀଳ ଆଲୁଅ
ନୀଳ ପ୍ରକୋଷ୍ଠ
ସ୍ନାୟବିକ କ୍ଷୁଧା
ଉଦଣ୍ଡ ନାଚର କଥା ଲେଖୁଛ ତ ଲେଖ
ହେଲେ ଭୁଲନି ଲେଖିବାକୁ
ଝୁଲୁଥିବା ଚାଷୀର ରିକ୍ତହସ୍ତର କଥା
ଦୁଷ୍କର୍ମ ପୀଡ଼ିତାର ଉଲଙ୍ଗ ଦିହର କଥା
ବିସ୍ଥାପନର ମାର୍ମିକ ଦହନର କଥା…
ଲେଖ ବି
ବୁଢ଼ାଲୋକଟିର ପେଜୁଆ ଆଖି ତଳେ ଥିବା
ଅସହାୟତାର କଥା
ଅନାହାର ପୀଡ଼ିତର ଆଖି କୋରଡ଼ରେ ଥିବା
ଅନ୍ଧାରର କଥା
ଇଥିଓପିଆ, ସୋମାଲିଆ, ନଗଡ଼ାର
କଙ୍କାଳସାର ଦେହର କଥା
ଇରାନ, ୟୁକ୍ରେନ, ଫ୍ରାନ୍ସ କି ଜର୍ମାନୀର
ପୁତ୍ର ସନ୍ତାପିତା ଦୁଃଖିନୀ ମାଆର କଥା ।

ପାରିବ ତ
ହୋଇଯାଅ ସାଧାରଣ ମଣିଷଟିଏ
ସମସ୍ତ ସ୍ବାର୍ଥ, ଅସୂୟା, ଅହଙ୍କାରକୁ ଉତାରି
ଖୋଲିଦିଅ ନୂଆ ଝର୍କାଟିଏ
ବିଶ୍ୱବାସୀଙ୍କୁ ପରଷି ଦିଅ
କିଛି ପ୍ରେମ, ସତ୍ୟ, ଭାତ ଆଉ ସ୍ବପ୍ନ
ହେଲେ ଯାଇ ତୁମେ
ଇଶ୍ୱରଙ୍କ କ୍ଷୁଦ୍ର ସଂସ୍କରଣ ନ ହୋଇ
ପାଲଟିଯିବ କବିଟିଏ
ନିରୁତା ମଣିଷର
ଆଉ ତୁମେ ହିଁ ଝଟକେଇ ପାରିବ
ଆଗାମୀ ଇଶ୍ୱରୀ ଶୈଶବର ନିଷ୍ପାପ ହସରେ
ସୂର୍ଯ୍ୟାଲୋକର ଝଲକ ।

କବିତା ଲେଖୁଛ ତ ଲେଖ ।

There is 1 comment

  1. ନମସ୍କାର ସାର୍
    ଆମେ ସବୁବେଳେ ଚାହିଁ ବସିଥାଉ ଆପଣଙ୍କ କବିତା ଶୁଣିବା ପାଇଁ ।
    ବହୁତ ଭଲ ଲାଗିଲା” ନିରୁତା ମଣିଷର କବି”

    ଚମତ୍କାର କବିତା, ଆବୃତ୍ତି ବି
    🙏🙏

Leave a Reply

Your email address will not be published. Required fields are marked *