ଲୁଣ
।। ମାନମୟୀ ରଥ ।।
ଦାଣ୍ଡିରୁ ଇଞ୍ଚୁଡ଼ି
ଫୁଟି ଦିଶେ ଲୁଣ
ରକ୍ତଟୋପାରେ, ଗୁଳିଚୋଟରେ ।
ସବୁଠୁ ବଡ଼ଦୁଃଖ ପରି
ଛିଟିକି ପଡ଼ଇ ଲୁଣ, ଘା’ ଉପରେ ।
ଆଉ କେତେବେଳେ ତରଳି ବୋହିପଡ଼େ
ଆଖି ବାଟ ଦେଇ
ଲୁହର ସୁଅରେ ।
ଲୁଣ
ପାରଦକୁ ନଚାଏ ଉପର ତଳ
ରକ୍ତଚାପ ମାପ କରେ,
ଭାଙ୍ଗିହୁଏ ଚୁନା ଚୁନା
ଆନୁଗତ୍ୟର ଶେଷବିନ୍ଦୁରେ ।
ଲୁଣ ହସେ ସନ୍ତର୍ପଣରେ
ଆୟୋଡିନ ସାଥେ ମିଶି
ରଙ୍ଗୀନ ପଲି-ପ୍ୟାକରେ ।
ଝରିପଡ଼େ ବେଖାତିର ମୁହୂର୍ତ୍ତରେ
ଗମ୍ ଗମ୍ ଖାଟେଣି ଝାଳରେ ।
ମରା ହୋଇ
କୋଉ ମହାସାଗର ପାଣିରୁ,
ଖୋଳା ହୋଇ
କୋଉ ଖଣିରୁ
ମିଳେ ଏଇ ଦାନା ଦାନା ତୋଫା ସ୍ୱାଦ ?
ଭୁଶୁଡ଼ାଇ ଦିଏ ଉପନିବେଶ
ଲେଖଇ ନୂଆ ଇତିହାସ ।
କିଏ ବସାଏ ଦିନେ ଟିକସ
ଆଉ କିଏ କମ୍ପାନୀର ଛାପ ମାରି
ବିଜ୍ଞପିତ କରେ ବଜାରରେ ।
କଂସାକ ତୋରାଣି ମୋର
ଥୁଆ ହୋଇଛି ସେମିତି
ଫୁଟେ ଲୁଣ ଖୋଜି
ମୁଁ ବୁଲୁଛି କୁଆଡ଼େ..!!
ପୁରୀ, ଫୋନ୍ – ୭୯୭୮୫୭୯୩୯୯
There are 4 comments
ଭଲ ଲାଗିଲା ଲୁଣ କବିତାଟି। କବିଙ୍କୁ ଅଭିନନ୍ଦନ।
ଧନ୍ୟବାଦ ସହ
ଶୁଭ ନାରାୟଣ
ମୋନାଲିସାଙ୍କ ଗପ ଓ ପଵିତ୍ର ଦାସଙ୍କ କବିତା ବହୁତ ଭଲ ଲାଗିଲା
କବିତା ଲୁଣ ଖୁବ୍ ଭଲ ଲାଗିଲା। ସ୍ନେହ ପ୍ରେମ ଶ୍ରଦ୍ଧା ଜୀବନରେ ଥିଲେ ସବୁ ଲାଗେ ଆପଣା ଆପଣା ଠିକ ସେମିତି ମାନୁଙ୍କ କବିତା ଲୁଣ ଅନେକ ଭଲପାଇବା ଓ ସ୍ବାଦ ଭରିଦେଇଛି କବିତାରେ। ମାନମୟୀ ଙ୍କୁ ଢେର୍ ସାରା ଶୁଭେଚ୍ଛା।
ମାନୁ,ମୋ ସ୍ନେହର କବି ଭଉଣୀ,” ଲୁଣ” ଚମତ୍କାର କବିତା । ଏଇ ଚୁଟକିଏ ଲୁଣ ହିଁ ତ ମୋ ପଖାଳ କଂସାରେ ଭରିଦିଏ ଈଶ୍ୱର ପଣ, ଏଇ ମୁଠାଏ ଲୁଣ ହିଁ ତ ଲେଖେ ଗୋଟିଏ ଦେଶର ଜାତୀୟ ଇତିହାସ,ଦିଏ ଅର୍ଥ ସାମାଜିକ ବିଧିବ୍ୟବସ୍ତାରେ ରଣ ହୁଙ୍କାର, ଏଇ ଲୁଣର ନିହ ରେ ହିଁ ତ ଗଢା ହୁଏ ସ୍ୱାଧୀନତାର ସୌଧ,ପ୍ରଗତିର ଇମାରତ ।ଧନ୍ୟବାଦ ଭଉଣୀ ସୁନ୍ଦର୍ କବିତା ।