ମିଛଗପ
।। ମମତା ଦାଶ ।।
ସବୁକିଛିକୁ ମୁଁ ପୋଛିଦେଲି ସେ କାଗଜରୁ।
ଧୋଇଦେଲି ପୋଖରୀରେ, ନଦୀରେ…
ସମୁଦ୍ରପାଣିରେ ତା’ପରେ।
ମୋର ହାତପାପୁଲି ଲାଲ, ପାଣି ବି ଲାଲ।
“ଅକ୍ଷର ସବୁ ରକ୍ତରେ ଲେଖାଥିଲା କି ?”
ମୁଁ ପଚାରିଲି।
“ରକ୍ତର ତ ଚିରସ୍ଥାୟୀ ରଙ୍ଗ ନଥାଏ।”
ସେ ମୋ କଥାକୁ କାଟିଦେଲେ ସଙ୍ଗେ ସଙ୍ଗେ।
“ମାଂସ ରେ ତିଆରି ଥିଲା କି ସେ କାଗଜ?
ତମର ଦରକାର ଥିଲା କି ଫଟୋକପି?”
“ମାଂସର କି ଫଟୋକପି,
ସେଥିରେ ଯାହା ଲେଖାଥିଲା ସେଥିରେ
ସତ ନଥିଲା କିଛି ବି..”
କିଛି ବି ସତ ନଥିଲା?
ସେଦିନ କ’ଣ ତେବେ ବର୍ଷା
ମିଛ କହିଥିଲା ମୟୂରକୁ?
ମାଳିକୁ ମିଛ କହିଥିଲେ
ଫୁଲକଢ଼ ସବୁ?
ଗୀତ ସବୁ ମିଛ କହିଲେ ସି.ଡ଼ି ପ୍ଲେୟରକୁ?
ତମର ହାତ କ’ଣ ମିଛ କହିଥିଲେ
ମୋ ଦେହର ନିବେଦନକୁ?
ଆମେ ଡାକିଦେଲେ ଯେ
ବସାକୁ ଫେରୁଥିବା ପକ୍ଷୀମାନେ
ଅଟକି ଯାଇଥିଲେ ସେଦିନ,
ଦୋକାନରେ ଜିନିଷ କିଣୁଥିବା ବେଳେ
ଶୋ’ କେଶର ମୂର୍ତ୍ତି
ଆମଆଡ଼େ ହସି ଦେଇଥିଲା ନା?
ଲଳିତତମ ଶବ୍ଦଟି ଉଙ୍କି ମାରିଥିଲା
ଆମ ଝରକାରେ ସେଦିନ
ସୂର୍ଯ୍ୟ ବୁଡିଯାଉଥିଲା ବେଳେ,
ଆମେ ଚାଲିବାକୁ ଆରମ୍ଭ କରିଥିଲେ ଯେ
ପ୍ରାୟ ପହଞ୍ଚି ଯାଇଥିଲେ
ନୀରବତାର ଏକ ଅଭୂତପୂର୍ବ ରାଜ୍ୟରେ ।
ସେତିକି ବେଳେ ଆମର ଭବିଷ୍ୟତ
ପ୍ରତିଭାତ ହୋଇଗଲା
ସେ କାଗଜଟି ଉପରେ ।
ମାଂସରେ ତିଆରି ଥିଲା ନା ସେ କାଗଜ,
ଅକ୍ଷରସବୁ ଲେଖାଥିଲା ରକ୍ତରେ ?
“ଯାହାବି ଲେଖାଥିଲା ସେଥିରେ
କିଛି ବି ସତ ନଥିଲା”
ସେ କହି ଚାଲିଲେ ବାର ବାର
“ଗୋଟିଏ ମିଛଗପ ଶେଷ ହୋଇଗଲା
ବିଶ୍ୱସ୍ତ ଭାବରେ,
ଏତିକି ହିଁ କେବଳ ସତକଥା”
ସେ କହିଥିଲେ।
ଭୁବନେଶ୍ୱର
There is 1 comment
ଆହା….. ଏତେ ବ୍ୟଥା ଅବସାଦ ଭିତରେ କବିତାଟିଏ ହିଁ ଝଲସି ଉଠି ଦାଉ ଦାଉ କରେ…. ଏ କବିତା ତାର ଜ୍ୱଳନ୍ତ ଉଦାହରଣ। କବିଙ୍କୁ ଅଜସ୍ର ଅଭିନନ୍ଦନ 🙏💐💐