Home » Magazine » ଭିନ୍ନ ଦୃଶ୍ୟର ସକାଳ

ଭିନ୍ନ ଦୃଶ୍ୟର ସକାଳ

କନ୍ୟାଟିର ବାପା ଓ ବଡ଼ବାପା ଅନୁନୟ ହେଲେ ବରପିତାଙ୍କ ପାଖରେ, “ଯାହା ହେଲା ଆଜ୍ଞା,  ଆମେ ଖୁବ୍ କମ୍ ସମୟ ଭିତରେ ବ୍ୟବସ୍ଥା କରିଦେଉଛୁ । ସବୁ ଠିକ୍ ହୋଇଯିବ । ଲଗ୍ନ ଗଡ଼ିଯାଉଛି, ବିବାହ କାର୍ଯ୍ୟଟା ଚାଲିଥାଉ ।”

ବରପିତା କହିଲେ; “ଜମାରୁ ଏ ବିବାହ ହୋଇ ପାରିବନି । ବରଯାତ୍ରୀଙ୍କ ପାଇଁ ଭୋଜି ବ୍ୟବସ୍ଥା ଦାୟିତ୍ବ ଆପଣମାନଙ୍କର… । ପୁଅ ମୋ’ର ବ୍ୟାଙ୍କରେ ପି. ଓ. ଅଛି। ତା’ ପୋଜିସନ୍ ଦେଖି ଆୟୋଜନଟା କରିବାର ଥିଲା ନା… “

ବରପାତ୍ର ମୁହଁକୁ ଚାହିଁଲେ କନ୍ୟାପିତା, ଆଖିରେ ଆଖିଏ ଅନୁନୟ ଓ ଭରସା ରଖି । କିନ୍ତୁ ନା, ଶେଷ ଭରସା ଟିକକ ଭାଙ୍ଗିଯାଉଥିଲା ଦୁର୍ଭାଗ୍ୟକୁ ସମସ୍ତଙ୍କର । ବାହାବେଦୀ ଉପରୁ ଉଠିଯାଇ ସେ ବି ସେଇ ସମାନ ଅଭଯୋଗ ରଖି ରାଗରେ କମ୍ପୁଥିଲା । ତା ବ୍ୟବହାରରେ ନା ଥିଲା ଗୋଟେ ଉଚ୍ଚଶିକ୍ଷିତ ପିଲାର ସମ୍ଭ୍ରମତା, ନା ଥିଲା ଉଚ୍ଚପଦବୀର ବିନମ୍ରତା । ତା ସହିତ ସ୍ବର ମିଳେଇ ପୁଣି ମାଡ଼ିଆସିଲେ କିଛି ମଦନିଶାରେ ଟଳମଳଉଥିବା ବରଯାତ୍ରୀ । ସତେ ଯେମିତି ଆଜି ସେମାନଙ୍କର ଲାଇସେନ୍ସ ହୋଇଛି, କିଛି ବି ଖରାପ ଭାଷା ବକିବାକୁ, ଭଙ୍ଗାରୁଜା କରିବାକୁ । ଆଉ ସେମାନେ ସେଇଆ ହିଁ କରୁଥିଲେ । ମଧୁମୟ, ମାଙ୍ଗଳିକ ପରିବେଶଟି ସମ୍ପୂର୍ଣ୍ଣ ଭାବେ ଗୋଟେ ଅଶୋଭନୀୟ, ଅସଭ୍ୟତାର ରଣଭୂମି ପାଲଟି ସାରିଥିଲା ।

ବେଦୀରେ ଏକାକୀ ବସିଥିବା ଅବଗୁଣ୍ଠନବତୀ କନ୍ୟାଟିର ଭାବନା ଚାଲିଥିଲା ସମସ୍ତଙ୍କର ଅଗୋଚର ।

କନ୍ୟା ପକ୍ଷର କେହି ଜଣେ ସମ୍ପର୍କୀୟ କହିଦେଲେ ସବୁ ବରଯାତ୍ରୀ ଭଲରେ ଖାଇସାରିଲେଣି ମ । ଖାଲି ଏଇ ଗୋଷ୍ଠୀ ଅଲଗା ବସି ମଦ ପିଉଥିଲେ । ମାଂସ ତରକାରୀ ପରା ମୁଁ ନିଜେ ଦେଇଆସିଛି । ଏତେ ଖାଇଛନ୍ତି ଯେ, ପେଟରେ ଆଉ ଜାଗା ନାହିଁ । ଖାଲି ମିଛକୁ ଗୋଟେ ଗଣ୍ଡଗୋଳ କରୁଛନ୍ତି ଯାହା ।

ସେଇଠୁ ତ ନିଆଁରେ ଘିଅ ପଡ଼ିଗଲା ଯେମିତି….।

ଉଭୟ ପକ୍ଷର ଗଣ୍ଡଗୋଳରେ କନ୍ୟାପିତା ଆହୁରି ଚିନ୍ତିତ ଓ ବିବ୍ରତ ହୋଇପଡ଼ୁଥିଲେ, ‘କ’ଣ କରିବେ… ନକରିବେ‘ !  ଅନ୍ୟ ଉପାୟ ନପାଇ ବରପିତାଙ୍କ ଗୋଡ଼ତଳେ ବସିପଡ଼ି କ୍ଷମାପ୍ରାର୍ଥନା କଲେ । ତଥାପି ବି ବର, ବରପିତା କିମ୍ବା ବରଯାତ୍ରୀଙ୍କ ବ୍ୟବହାରରେ ସାମାନ୍ୟ ଶାଳୀନତାର ଚିହ୍ନ ବର୍ଣ୍ଣ ଦିଶୁନଥିଲା । ବିବାହ କାର୍ଯ୍ୟ ଅଟକି ରହିଥିଲା, ଢାବାରୁ ମଟନ୍ ରେଡି଼ ହୋଇଆସିବା ପର୍ଯ୍ୟନ୍ତ। ମଦ, ମାଂସ ଖାଇବାର ମାନସିକତା ନେଇ ଆସିଥିବା ବରଯାତ୍ରୀଙ୍କ ଉଦଗ୍ର ଲାଳସା ପ୍ରଶମିତ ହେଲା ଶେଷରେ।

ବିଳମ୍ବିତ ଲଗ୍ନରେ ପୁରୋହିତ ମଂତ୍ର ଉଚ୍ଚାରଣ କଲେ । ବର ସହ ବରପିତା ବସିଲେ ବେଦୀରେ । ଯଥା ସମୟରେ କନ୍ୟାକୁ ପୁଣି ଥରେ ଡକରା ହେଲା ବେଦୀକୁ। ଆସିବାରେ ବିଳମ୍ବ । ବିଳମ୍ବରୁ ବିଳମ୍ବିତ ଦେଖି ପୁଣି ଗର୍ଜିଲେ ବରପିତା । ସମସ୍ତ ମଂତ୍ରପାଠ, ଗର୍ଜନ ଓ ତର୍ଜନ କ୍ରମଶଃ ପବନରେ ମିଳେଇଯାଇ ଚାପା ଗୁଞ୍ଜରଣରେ ପରିଣତ ହେବାକୁ ଲାଗିଲା। କଥା କ’ଣ ? ସମସ୍ତଙ୍କ ମୁହଁରେ ପ୍ରଶ୍ନବାଚୀର ଚିହ୍ନ।

ଏଥରର ଦୃଶ୍ୟ କିଛି ଭିନ୍ନ ଥିଲା । ପାଟିତୁଣ୍ଡ, ଗଣ୍ଡଗୋଳ ଭିତରେ କନ୍ୟାଟିକୁ ବେଦୀରୁ ଉଠେଇ ଘର ଭିତରକୁ ଅଣାଯାଇଥିଲା। ସମସ୍ତେ ଘଟଣାସ୍ଥଳରେ ଜମା ହୋଇଯାଇଥିଲେ । ସେ ଏକା ଥିଲା ଭିତରେ । ଏବେ ଦେଖିବାବେଳକୁ କବାଟ ଭିତରପଟୁ ବନ୍ଦ ଅଛି । ବାହାରେ ବଡ଼ ବିକଳ ଅବସ୍ଥାରେ କନ୍ୟାଟିର ଅପେକ୍ଷା କରିଛନ୍ତି ଆତ୍ମୀୟ ସ୍ବଜନ ।

ଆମ ଆଖିକୁ କି ମନକୁ ସୁହେଇଲା ଭଳି ସେ ସର୍ବଂସହା ଧରିତ୍ରୀ ହେଲା ନାହିଁ । ଗହଣା ଗହଣାଗାଣ୍ଠି ଓ ଆଭୂଷଣରେ ବିଭୂଷିତ କନ୍ୟାଟି ଧୀରେ ଧୀରେ ନିଜ ହାତରେ ଗୋଟି ଗୋଟିକରି ସବୁ ଖୋଲି ପକାଉଥିଲା । ପରସ୍ତ ପରସ୍ତକରି ଲାଗିଥିବା ମୁହଁର ପ୍ରସାଧନକୁ ପୋଛିବା ଭିତରେ ଦର୍ପଣରେ ଦେଖୁଥିଲା ସେ ନିଜକୁ। ଫ୍ରକପିନ୍ଧା ସେଇ ଛୋଟଝିଅଟାକୁ ଦେଖିଲା ନିଜ ଭିତରେ । ବାପାଙ୍କ ସାଇକେଲରେ ବସି ପ୍ରଥମଦିନ ସ୍କୁଲ ଯାଇଥିଲା । ବାପା ଚୁପ୍ କରି କାନରେ କହିଥିଲେ, କାହାରିକୁ ଡରିବୁନି । ଷଷ୍ଠଶ୍ରେଣୀ ବେଳକୁ ସାଇକେଲ କିଣାହେଲା ତା’ ପାଇଁ। ମା’ ଡରିଗଲେ । ପଡ଼ିପାଡ଼ି ଗୋଡ଼ହାତ ଭାଙ୍ଗିଯିବ କୋଉଠି। ଝିଅପିଲାଟା କ’ଣ କରିବ ତା’ ପରେ ? ବାପା କହିଥିଲେ, ନ ପଡ଼ିଲେ ଶିଖିବ କେମିତି ? ପ୍ଲସ ଟୁ ବେଳକୁ ସ୍କୁଟି ଆସିଲା । ବାପାଙ୍କ ସହ ଶିଖିବାକୁ ଯାଇଥିଲା ସଞ୍ଜବେଳେ । ରାସ୍ତା ତିଆରି ଥିଲେ ବାପା । ଚାଲିବା ବି ଶିଖେଇଥିଲେ ବାପା । ପ୍ରତ୍ୟେକ ପରୀକ୍ଷାରେ ବାପା ସାହାସ ଦେଇ ଆସିଛନ୍ତି । ସବୁବେଳେ ଗୋଟିଏ କଥା କହିଆସିଛନ୍ତି, କେବେହେଲେ ଡରିଯିବୁନି । ଡରିବା ମାନେ ହାରିବା । ଏବେ ବି ସେଇ ଆଖି ଭିତରେ ଭେଟିଲା  ସେ ସେଇ ନିର୍ଭୀକ ଝିଅଟିକୁ, ଯାହାକୁ ବାପା ହିଁ ଆଙ୍ଗୁଳିଧରି ଚାଲିବା ଶିଖେଇଛନ୍ତି । ଗୋଟେ ନିଜ ପଣରେ ଉଡ଼ିବା ଶିଖେଇଛନ୍ତି ।

ବିବାହ ଲଗ୍ନ ଠିକ୍ ହେବାପରେ କେତେ ଆଗ୍ରହରେ ଆୟୋଜନରେ ଲାଗିପଡ଼ିଛନ୍ତି ପୂରା ପରିବାର, ଆତ୍ମୀୟ ସ୍ବଜନ । କୋଉ କଥାରେ କିଛି ଯେମିତି ଅଭାବ ନ ରହେ, ଯତ୍ନ ନେଇଛନ୍ତି । ଅଥଚ, ଏଇ ସାମାନ୍ୟ ଗୋଟେ ଘଟଣାକୁ ନେଇ… ? ଓଃ, ସବୁ ଦୃଶ୍ୟ ତାକୁ ଅତିଷ୍ଠ କରିପକାଉଛି…।

ସମସ୍ତ ଅଳଙ୍କାର ଓ ଆଭୂଷଣ ଓହ୍ଲେଇ ଦେବାପରେ ବେଶ୍ ସହଜ ଲାଗିଲ ତାକୁ । ଆଉ କିଛି ଶଙ୍କା ବା ସଙ୍କୋଚ ନଥିଲା ମନରେ । ଖଣ୍ଡିଏ ସାଧାରଣ ଘରପିନ୍ଧା ପୋଷାକପିନ୍ଧି ବାହାରି ଆସିଲା ବାହାରକୁ ।

ସମସ୍ତେ ସ୍ତବ୍ଧ !

ବାପାଙ୍କ ହାତଧରି ଝିଅଟି ଏବେ ବେଦୀ ପାଖକୁ ଆସିଲା । ଖୁବ୍ ସହଜ ଆଉ ସମ୍ଭ୍ରମତାର ସହ କହିଲା, ‘କ୍ଷମା କରିବେ, ମୁଁ ଏ ବିବାହ କରିବା ପାଇଁ ରାଜି ନୁହେଁ ।’

“ତା ହେଲେ, ଅସୁବିଧା ଆଉ କ’ଣ ? ଫାର୍ଶ ନକରି ସକାଳ ହେବା ପୂର୍ବରୁ ଶୀଘ୍ର କାମ ବଢାଅ ।” ଚଢ଼ାଗଳାରେ କହିଲେ ବରପିତା ।

ଝିଅଟି ପୁଣି ଥରେ ବିନମ୍ର ଭାବେ କହିଲା, “ଆପଣମାନେ ନିଜ ନିଜ ଜାଗାରେ ଠିକ ଅଛନ୍ତି ବୋଲି ଭାବିପାରନ୍ତି, ସେଥିରେ ବି ମୋର କିଛି ଆପତ୍ତି ନାହିଁ ।”

ତା’ହେଲେ ଅସୁବିଧା ରହିଲା କେଉଁଠି ?” ବରପିଲା ମୁହଁ ଖୋଲିଲା ଏଥରକ ।

“ଅସୁବିଧା ମୋ ପାଖରେ…,” ଝିଅଟି କହିଲା ।

ପୂରା ପରିବେଶ ସ୍ତବ୍ଧ ।

କେହି ଜଣେ ଅସଜ୍ୟ ଭାବେ ବରଯାତ୍ରୀ ପକ୍ଷରୁ କହିଲେ, “କିଛି ଚକ୍କର ଥିଲା ତ’, ଆଗରୁ କହିଲନି ? ଏବେ କ’ଣ ଆମେ ବରକୁ ନେଇ ଏମିତି ଫେରିଯିବୁ ?”

ଚାପା ଗୁଞ୍ଜରଣ ପୁଣିଥରେ ଖେଳିଗଲା ସାରାଟା ପରିବେଶରେ ।

ଝିଅଟି ଶାନ୍ତଭାବେ କହିଲା, “ଆପଣମାନେ ଆପଣମାନଙ୍କ ମନ ଓ ମାନସିକତାକୁ ନେଇ କିଛି ବି ଭାବିପାରନ୍ତି, ମୋ’ର ସେଥିରେ କିଛି ଯାଏ ଆସେ ନାହିଁ । କେବଳ ଗୋଟିଏ କଥାକୁ ମୁଁ କେବେ ବି ଗ୍ରହଣ କରିପାରିବିନି । ମୋ ବାପା କନ୍ୟାପିତା ଭାବରେ ଯଥାସମ୍ଭବ ମଥାନତ କରିବା ପରେ ବି ତାଙ୍କର କୌଣସି କଥାକୁ ଆପଣମାନେ ଶୁଣିନଥିଲେ । ଅନ୍ୟ ସମସ୍ତଙ୍କ କଥା ଛାଡନ୍ତୁ, ବରବେଶ ହେଇ ଆସିଥିବା ଏ ମହାଶୟଙ୍କ ନିକଟରେ ଏତେ ଟିକିଏ ବି ସମ୍ଭ୍ରମତା ନାହିଁ । ବରପିତା ଆଉ ବରପକ୍ଷଙ୍କର କେବଳ କହିବାର ହକ୍ ଅଛି ? କନ୍ୟାପକ୍ଷ କେବଳ ସବୁକଥା ସହିଯିବ, ମଥାନତ କରିନେବା କ’ଣ ଗୋଟେ ବାଧ୍ୟବାଧକତା… ?”

ମୋ ବାପା, ବଡ଼ବାପା ଯୋଉମାନେ ମୋତେ ଆଜି ପର୍ଯ୍ୟନ୍ତ ନିଡ଼ର ହେବା ଶିଖେଇଛନ୍ତି, ସେମାନେ ଆଜି ଖୁବ୍ ନେହୁରା ହେଇଛନ୍ତି, ମୁଁ ନିଜେ ଦେଖିଛି, ଆଶ୍ଚର୍ଯ୍ୟ ବି ହେଇଛି । କିନ୍ତୁ ସେମାନେ ବି ଥରଟିଏ ଭାବିଲେ ନାହିଁ ଯେ ଜ୍ବାଇଁ ଯଦି କୌଣସି ବ୍ୟାଙ୍କର ପି.ଓ. ଅଛନ୍ତି, ତାଙ୍କ ଝିଅକୁ ବି ସେମାନେ କୌଣସି କ୍ଷେତ୍ରରେ ପଛରେ ଛାଡି଼ନାହାନ୍ତି । ମୁଁ ବି ଗୋଟେ ଭଲ ସେକ୍ଟରରେ ଭଲ ସାଲାରୀରେ ଜବ୍ କରୁଛି। ପୁଣି ବିଭିନ୍ନ କ୍ଷେତ୍ରରେ କମ୍ପିଟେଟିଭ୍ ପରୀକ୍ଷାମାନ ବି ଦେଉଛି ।”

ଟିକିଏ ଚୁପ୍ ରହି ତା’ ବାପାଙ୍କ ମୁହଁକୁ ଚାହିଁଲା ଝିଅଟି । ରକ୍ତଯାକ ଶୁଖିଯାଉଛି ଯେମିତି ତାଙ୍କ ଦେହରୁ, ତାକୁ ସେମିତି ମନେ ହେଲା । ବାପାଙ୍କ ପାପୁଲିକୁ ଆଉଁସି ଦେଇ କହିଲା, “କାହିଁକି ବାପା, ଯେଉଁମାନଙ୍କ ଭିତରେ ମଣିଷପଣିଆ ନାହିଁ, ଏ କଥା ଦେଖିବା ପରେ ତୁମେ ଏବେ ବି ଚାହୁଁଛ, ଝିଅକୁ ସେଇମାନଙ୍କ ହାତରେ ଟେକିଦେବ ? କେବଳ ଏଇଥିପାଇଁ ନା, କାଲି ସକାଳକୁ ଆମେ ଝିଅଘର ମୁହଁ ଉଠେଇ ବାଟ ଚାଲିପାରିବା ନାହିଁ ? ଆଛା, ପୁଅପକ୍ଷଙ୍କର କ’ଣ କେହି ବନ୍ଧୁବାନ୍ଧବ, ସାଇପଡ଼ିଶା ନାହାନ୍ତି ? ଆଜି ଶିଶୁପାଳ ହୋଇ ବର ଫେରିଗଲେ ସେମାନେ କେହି କ’ଣ ତାଙ୍କୁ ଅପମାନିତ କରିବେନି ?”

ସିନ୍ଦୂରା ଫାଟି ଆସୁଥିଲା । ଅନେକ କଥାବାର୍ତ୍ତା, ଯୁକ୍ତିତର୍କ ପରେ ବି କିଛି ସମାଧାନର ବାଟ ଫିଟି ନଥିଲା । ଝିଅଟି ତାର ଜିଦରେ ଅଟଳ ଥିଲା । ଶେଷରେ ରାଜିନାମା ଲେଖାଗଲା ଉଭୟ ପକ୍ଷରୁ । କେହି କାହାରିକୁ ଦୋଷାରୋପ କରିବେ ନାହିଁ କିମ୍ବା ଆଇନ୍ ଅଦାଲତର ଦ୍ବାରସ୍ଥ ହେବେ ନାହିଁ ।

ପରାଜିତ ପଟୁଆରଟିଏ ବାହୁଡ଼ିଯାଇଥିଲା ଏକା ମୁହାଁ ଶିଶୁପାଳହୋଇ ।

ପରଦିନ ଦେଖିବା ବେଳକୁ ସୋସିଆଲ୍ ମିଡି଼ଆରେ କଥା ପ୍ରଘଟ ହୋଇସାରିଥିଲା । କେହି ଦେଖଣାହାରୀ ମୋବାଇଲ୍ ଫୋନରୁ ସବୁ ତଥ୍ୟର ସତ୍ୟାସତ୍ୟକୁ ସର୍ବସାଧାରଣରେ ପ୍ରକାଶ କରିଦେଇଥିଲେ ।  ସାମ୍ବାଦିକମାନଙ୍କ ଭିଡ଼ ଲାଗିଯାଇଥିଲା ଉଭୟପକ୍ଷ ପରିବାରର ମତାମତ ନେବାରେ । ମୁଖ୍ୟ ଏବଂ ଆକର୍ଷକି ଶିରୋନାମା ଥିଲା, “ଭୋଜିଭାତରେ ମଟନ୍ ନମିଳିବାରୁ ବାହାଘର ଭାଙ୍ଗିଗଲା । କନ୍ୟା ଫେରେଇ ଦେଲା ବରକୁ ଶିଶୁପାଳ କରି ।”

କିଛି ବରପକ୍ଷ ଆଉ କିଛି କନ୍ୟାପକ୍ଷର ସପକ୍ଷରେ ମତ ରଖୁଥିଲେ, କାହାଣୀ ଗଢୁଥିଲେ ନିଜ ନିଜ ମନ ଓ ମାନସିକତାକୁ ନେଇ… ।

ହେଲେ ଦୃଶ୍ୟ କିଛି ଭିନ୍ନ ଥିଲା ଏଇ ନୂଆ ସକାଳର । କନ୍ୟାଟି ମୁଣ୍ଡଉଠେଇ ସମସ୍ତ ପ୍ରଶ୍ନର ସାମ୍ନା କରିପାରୁଥିବା ବେଳେ ବରପକ୍ଷ ଅତିଷ୍ଠ ଓ ବିବ୍ରତ ହୋଇଉଠୁଥିଲେ ପ୍ରଶ୍ନ ବାଣରେ ।

There is 1 comment

  1. very precise and powerful writings starting from sampadakiya to the article on Madanmohan MIshra the legend.
    All the poems are very touchy.

Leave a Reply

Your email address will not be published. Required fields are marked *