Home » Magazine » ବିଶେଷ କବିତା : ହରପ୍ରସାଦ ଦାସଙ୍କ ‘ନାଲି ସାଇକଲ’

ବିଶେଷ କବିତା : ହରପ୍ରସାଦ ଦାସଙ୍କ ‘ନାଲି ସାଇକଲ’

ସେ ସମୟ ଥିଲା ଯେତେବେଳେ
ମୁଁ ଆସିଥିଲି କଟକ,
କଳାହାଣ୍ଡିର ପାହାଡ଼ରୁ ତୋଳି
ପକେଟରେ ଆଣିଥିଲି କଞ୍ଚା ନୂଆଧାନ ରଙ୍ଗର ମେଘ..
ଧୂଆଁ ଆଡ଼େଇ ଗୋଟେଇ ଆଣିଥିଲି ବଣନିଆଁ ମୋ ଆଖିରେ,
ମୋର ଗୋଟେ ନାଲି ସାଇକଲ ଥିଲା,
ଯାହାକୁ କଟକର ରାସ୍ତା ଜଣାନଥିଲା

ସେ ସମୟ ଥିଲା ଯେତେବେଳେ ମୁଁ ବିଜ୍ଞାନ ଛାଡ଼ି
କଳା ପଢ଼ିଲି  ଏଇଆ କହି ଯେ
ମୋ ପ୍ରଶ୍ନର ଉତ୍ତର ବିଜ୍ଞାନରେ ନାହିଁ
ମୋର ଗୋଟେ ନାଲି ସାଇକଲ ଥିଲା
ଯାହାକୁ କଟକରୁ ଅନ୍ତରୀକ୍ଷ ଯିବାର ରାସ୍ତା ଜଣାଥିଲା

ସେ ସମୟ ଥିଲା ଯେତେବେଳେ
ମଙ୍ଗଳାବାଗର ବହିଦୋକାନରେ
ମିଳୁଥିଲା ପୃଥିବୀ,
ଗୋଠଛଡ଼ା ବିଦେଶୀ ଥିଲା ନିଜର,
ଫାଣ୍ଡିରେ ଅଟକ ତାର ଅଜଣା ଦୋଷ ଥିଲା
ଆଉକାହାର
ମୋର ଗୋଟେ ନାଲି ସାଇକଲ ଥିଲା
ଠିକଣା ନଜାଣି ଯିଏ କଟକରେ ଘର ଖୋଜୁଥିଲା

ସେ ସମୟ ଥିଲା ଯେତେବେଳେ ଖବର ହେଲା
ଗତକାଲି କି ତା ପୂର୍ବଦିନ,କେଜାଣି କୋଉଦିନ
ବିଦେଶୀର ମା ମରିଗଲା,
ମୁଁ କହିଲି ଚୁପ କର ,ବନ୍ଦ କର ବକଵାସ
ଆମର ଏଠି ମରନ୍ତି ନାହିଁ ମା’
ମୋର ଗୋଟେ ନାଲି ସାଇକଲ ଥିଲା
ତାଉପରେ ଆଲୁଅ ଫିଟିଲାଯାଏଁ
କାନ୍ଦୁଥିଲା ଗୋଟେ କୁଆଁତାରା

ସେ  ସମୟ ଥିଲା
ଯେତେବେଳେ ଭାଲେଣ୍ଟିନା ଟେରେସ୍କୋଭା ମହାକାଶରୁ
ପୃଥ୍ଵୀକୁ ପଚାରିଲା : କେମିତି ଅଛ ସୁନ୍ଦରୀ?
ମାଓ ସେ ତୁଙ୍ଗ ଭଳି ଦିଶୁଥିବା ଗୋଟେ ଲୋକ
ବହିଦୋକାନ ଖୋଲୁ ଖୋଲୁ
ମତେ ଧୀର ସ୍ୱରରେ ପଚାରିଲା : କାର୍ଲ ମାର୍କ୍ସକୁ ଜାଣିଚ?
ମୋର ଗୋଟେ ନାଲି ସାଇକଲ ଥିଲା
ତାର ଗୋଟେ କାରିଅର ଥିଲା ଲୁହାର

ସେ ସମୟ ଥିଲା
ଯେତେବେଳେ କୁନା ମହାରଣା ସାଙ୍ଗେ ଆସିଲା
ରାସ୍କାଲନିକୋଭ, କହିଲା ମୁଁ ଅପରାଧି,
ଟ୍ରାଉଜରରେ ଲୋହିତ ମେଘ ନେଇ ଆସିଗଲା
ମାୟାକୋଭସ୍କି, କହିଲା କେବଳ କବିତାକୁ ହିଁ
ପ୍ରେମ କରିପାରେ ବିପ୍ଲବୀ, ନାରୀକୁ ନୁହେଁ
ମୋର ଗୋଟେ ନାଲି ସାଇକଲ ଥିଲା
ଯିଏ ନାରୀକୁ ଜାଣି ନଥିଲା

ସେ ସମୟ ଥିଲା ଯେତେବେଳେ ନାରୀକୁ
ମୁଁ ପଚାରିଲି : ତମେ ନାରୀ?
ସେ କହିଲା ହଁ, ତ ମୁଁ କହିଲି ବିଦାୟ
ସେ ହସି ହସି କହିଲା : ଛାୟାପଥର ତଳମୁଣ୍ଡରେ ଟାଇଲ ଘର,
ରାସ୍ତାକୁ ଶୁଭେ ମୁଁ ବଜେଇଲେ ସିତାର
ମୋର ଗୋଟେ ନାଲି ସାଇକଲ ଥିଲା
ତାର ହ୍ୟାଣ୍ଡଲରେ ଥିଲା ହନୁମନ୍ତ, ଚକରେ ଥିଲା ଅନନ୍ତ

ଚୁମ୍ବକ ପାଇଯିବ ତାର ଧ୍ରୁବ
କହିଲା କଲେଜ ଛକର ସକ୍ରେଟିସ

ବଚୁଭାଇ ଗାଣ୍ଠିଆଵାଲା ଦୋକାନ ଆଗରେ
ସମସ୍ତଙ୍କ ଅଜାଣତରେ ବଢ଼ୁଥିବା ଶିଶୁ ପଳାଶକୁ
କହିଲା ପଶ୍ଚିମା ସନ୍ଥ : ବଡ଼େ ହୋଯାଓ ବେଟେ
ଛୁଟିଦିନର ଖଟିରେ ଖାରଜ ହେଲା ଫକ୍କଡ଼ରାମ
ଗିରିଧାରୀର ମକଦ୍ଦମା ଭାଗ୍ୟ ବିରୋଧରେ
କାଏମ ରହିଲା  ପ୍ରେମିକ ଉପରେ ତଳକୋର୍ଟର ଦଣ୍ଡାଦେଶ
ଉପର କୋର୍ଟରେ

ମୋର ସେ ନାଲି ସାଇକଲ ଖଣ୍ଡକ ଏଵେଵି ଅଛି
ଏବେବି କବିତାର ସମୟ ହେଲେ ସେ ଉଠି
ଠିଆହୁଏ, ଡାକେ : ଆ’ ଯିବା, ପଚାରନା କୁଆଡ଼େ…

Leave a Reply

Your email address will not be published. Required fields are marked *