ବିଶେଷ କବିତା : ସ୍ବାଗତିକା ମିଶ୍ର : ଜୀବନର ରିଭିଜନ୍
।। ଆବୃତ୍ତି : ତ୍ରିନାଥ ସିଂହ ।।
ଏଥର ବି ଅଭ୍ୟାସ ବଶତଃ
ଗଡ଼ିଗଲା ଆଖି ନିଜ ଭୁଲ ଉପରୁ
ଦେଖି ହେଲାନି ହାତ ଭଳି ଦିଶୁଥିବା ଭୁଜାଲିକୁ
ପତ୍ରଗହଳରୁ ଯେଉଁ କଅଁଳ
ସୂର୍ଯ୍ୟ ଦିଶେ ମୋ ସକାଳର ଆଖିକୁ
ସେ ହିଁ ଗଡ଼ିଗଲେ ମୋ ମୁଣ୍ଡରେ ନାଚେ ହେଇ ଉଦଣ୍ଡ ଖରାବେଳ
ଓ ଜାଳି ଦିଏ ସ୍ଵପ୍ନଡୋଳା
କିଛି ହସ
ଘୃଣାଠୁ ବି ଭୟଙ୍କର ଫିସାଦି
ବୋଲି ବୁଝି ହେଲାନି
ସମୟ ସମୟ ଲାଗୁଥିବା
ଲୋକଗୁଡ଼ା ଦିନେ ଫେରାର ହେଇଯିବେ ମୋ ଅସମୟର ମୁଖଶାଳା ପାଖରୁ
ବୋଲି ଜାଣିଥିଲେ
କେବେ ବଢ଼େଇ ଦେଇ ନଥାନ୍ତି ମ
ମୋ ଫିଟିଯିବାର ଚାବି!
ଡେରିଭେଟିଭ୍ ଠୁ ଢେର କଷ୍ଟ
ସମ୍ପର୍କର ସୂତ୍ର
ଆପେକ୍ଷିକ: ସମ୍ପର୍କର ଆଖି
ଏତକ ବି ହେଜି ହେଲାନି
କେଜାଣି ଏ ଛକର ନାଁ କଣ
ଏବେ ଯେଉଁ ଛକରେ ଠିଆହେଇ
ମୁଁ ଖୋଜୁଛି ସମ୍ପର୍କର ସେ ପୁରୁଣାଟାକ୍ସିକୁ
ହାତ ଯୋଡ଼ି, ଲୁହ ବୁହେଇ,
ନିଜକୁ ସୁଧାରିବାର ବାରମ୍ବାର ସ୍ବୀକାରୋକ୍ତି ଦେଇ;
କ’ଣ ନୂଆ ଜୀବନ !
କେଜାଣି କେମିତି
ହାତେ ମାପି ଚାଖଣ୍ଡେ ଚାଲିଲେ ବି
ପାଦ କେବଳ ପଡ଼େ କଣ୍ଟାରେ..!
ଏତେବାଟ, ଏତେରକ୍ତ;
ଆଉ ଜାଣିବି ପାରିଲିନି କଣ୍ଟା ଖଜୁରୀର ନା କୋଇଲେଖାର..!
ଦରଜ ନିଜର ନା ନଜରର..!
ଭୁଲଭାଲ କୋଉଠି ବା ନଥାଏ ଯେ !
ପରଖି ନେବିକି ଆଉଥରେ ଭୁଲକୁ !
ଏଇଠି ଜୀବନର ଏଇ ଛକରୁ ଏବେବି
ପଡ଼ିଛି ଗୋଟେ ଧୂସର ୟୁ-ଟର୍ନ
ସମୟକୁ ଆଖି ମୁଦି
ବାହାରିଯିବି କି
କରିବାକୁ ଜୀବନର ରିଭିଜନ୍ !